ରାଜ୍ୟରେ ମାଳମାଳ ନକଲି ଶିକ୍ଷକ : ଚେର ଉପାଡ଼ିବାରେ ବିଫଳ ଗଣଶିକ୍ଷା ବିଭାଗ
ଭୁବନେଶ୍ୱର : ରାଜ୍ୟ ସାରା ମାଳମାଳ ନକଲି ଶିକ୍ଷକ। କିଏ ଶିକ୍ଷାଗତ ଯୋଗ୍ୟତାରେ ତ କିଏ ଦିବ୍ୟାଙ୍ଗ ଓ ଜାତିଗତ ପ୍ରମାଣପତ୍ରରେ ଜାଲିଆତି କରି ଚାକିରି ହାତେଇଛନ୍ତି। ସରକାର ନକଲି ଶିକ୍ଷକ ଚିହ୍ନଟ ପାଇଁ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଧର୍ମକୁ ଆଖିଠାର ମାରିଲା ପରି ଗଣଶିକ୍ଷା ବିଭାଗ ଦତନ୍ତ କରୁଛି। ଏକାଧିକବାର ବିଭିନ୍ନ ସାର୍ଟିଫିକେଟ ଯାଞ୍ଚ କରାଯାଉଛି, ହେଲେ କାର୍ଯ୍ୟାନୁଷ୍ଠାନ ହେଉନି। ଜାଣିଶୁଣି ଫାଇଲକୁ ଅଧିକାରୀମାନେ ଚାପି ଦେଉଥିବା ଅଭିଯୋଗ ହେଉଛି। ନିକଟରେ ଅନୁଗୁଳ […]

ଭୁବନେଶ୍ୱର : ରାଜ୍ୟ ସାରା ମାଳମାଳ ନକଲି ଶିକ୍ଷକ। କିଏ ଶିକ୍ଷାଗତ ଯୋଗ୍ୟତାରେ ତ କିଏ ଦିବ୍ୟାଙ୍ଗ ଓ ଜାତିଗତ ପ୍ରମାଣପତ୍ରରେ ଜାଲିଆତି କରି ଚାକିରି ହାତେଇଛନ୍ତି। ସରକାର ନକଲି ଶିକ୍ଷକ ଚିହ୍ନଟ ପାଇଁ ବିଭିନ୍ନ ସମୟରେ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ଧର୍ମକୁ ଆଖିଠାର ମାରିଲା ପରି ଗଣଶିକ୍ଷା ବିଭାଗ ଦତନ୍ତ କରୁଛି। ଏକାଧିକବାର ବିଭିନ୍ନ ସାର୍ଟିଫିକେଟ ଯାଞ୍ଚ କରାଯାଉଛି, ହେଲେ କାର୍ଯ୍ୟାନୁଷ୍ଠାନ ହେଉନି। ଜାଣିଶୁଣି ଫାଇଲକୁ ଅଧିକାରୀମାନେ ଚାପି ଦେଉଥିବା ଅଭିଯୋଗ ହେଉଛି। ନିକଟରେ ଅନୁଗୁଳ ଜିଲ୍ଲାରୁ ଜଣେ ନକଲି ଶିକ୍ଷକ ଗିରଫ ହେବା ସହ ଆଉ ଦୁଇଜଣଙ୍କ ବିରୋଧରେ ଥାନାରେ ମାମଲା ହୋଇଥିବାରୁ ପୁଣି ଥରେ ନକଲି ଶିକ୍ଷକ ପ୍ରସଙ୍ଗ ତାଜା ହୋଇଛି।
ସୂଚନା ଅନୁଯାୟୀ, ନକଲି ପ୍ରମାଣପତ୍ର ଆଧାରରେ ବହୁ ଶିକ୍ଷକ ନିଯୁକ୍ତି ପାଇଥିବା ଅଭିଯୋଗ ହେବା ପରେ ୨୦୧୯-୨୦ରୁ ତଦନ୍ତ ଆରମ୍ଭ ହୋଇଥିଲା। ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ ତତ୍ୱାବଧାନରେ ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ)ମାନେ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ କରିଥିଲେ। ସେହି ସମୟରେ କର୍ଣ୍ଣାଟକ ରାଜ୍ୟ ମହିଳା ବିଶ୍ୱବିଦ୍ୟାଳୟ, ଉତ୍ତରପ୍ରଦେଶ ଝାନ୍ସୀର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ, ଆଗ୍ରାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଛତିଶଗଡ଼ ରାୟପୁରର ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ, ଜାମ୍ମୁର କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ସିଭିରମଣ ବିଶ୍ୱବିଦ୍ୟାଳୟ, ବିଳାସପୁର ପରି ରାଜ୍ୟ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ବହୁ ଶିକ୍ଷକ ବିଏଡ୍ ପ୍ରମାଣପତ୍ର ହାତେଇଥିବା ଜଣାପଡ଼ିଥିଲା। ଫଳରେ ସେ ସବୁର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଅନେକ ତଦନ୍ତ ରିପୋର୍ଟ ଶୀତଳଭଣ୍ଡାରରେ ରହିଥିବା ବେଳେ ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟା ଦିଗହରା ହୋଇଯାଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟାରେ ବିଭାଗୀୟ ଅଧିକାରୀମାନଙ୍କର ହାତ ରହୁଥିବା ଅଭିଯୋଗ ହେଉଛି। ତଦନ୍ତ ରିପୋର୍ଟ ଆସି ସାରିଥିଲେ ମଧ୍ୟ ବିଇଓ/ଡିଇଓଙ୍କ ପାଖରେ ଚାପିହୋଇ ରହୁଛି। ଅନ୍ୟ କେହି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ନ କରିବା ପର୍ଯ୍ୟନ୍ତ ବା ଗଣମାଧ୍ୟମରେ ଖବର ପ୍ରକାଶ ନ ପାଇବା ଯାଏଁ କୌଣସି କାର୍ଯ୍ୟାନୁଷ୍ଠନ ନିଆଯାଉ ନାହିଁ। ଫଳରେ ନକଲି ଶିକ୍ଷକ ଚେର ଉପାଡ଼ିବାରେ ବିଭାଗ ବିଫଳ ହୋଇଛି।
ଅପରପକ୍ଷରେ ନକଲି ଶିକ୍ଷକ ତଦନ୍ତର ଅନ୍ତ କେବେ ଘଟିବ ବୋଲି ଶିକ୍ଷାବିତମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା କଥା, ମୁଖ୍ୟତଃ ବିଇଡି ପ୍ରମାଣପତ୍ରରେ ଜାଲିଆତି କରାଯାଉଥିବା ଯାଞ୍ଚ ହେଉଛି। ବିଇଓ/ଡିଇଓମାନେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଏହାର ସତ୍ୟାସତ୍ୟ ବିଷୟରେ ତଥ୍ୟ ମାଗୁଛନ୍ତି। ଏହା ଆସିବା ପରେ ଏକାବେଳେ ସମସ୍ତଙ୍କୁ ଚିହ୍ନଟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ସେହିପରି ବିଏଡ୍ ପ୍ରମାଣପତ୍ର ସହ ଦିବ୍ୟାଙ୍ଗ ଓ ଜାତିଗତ ପ୍ରମାଣପତ୍ରରେ ଜାଲିଆତି କରି ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ନକଲି ଶିକ୍ଷକ ଚିହ୍ନଟ ପ୍ରକ୍ରିୟା ଯେପରି ହେବା କଥା ସେପରି ଆଦୌ କରାଯାଉ ନାହିଁ। ତେଣୁ ବିଭିନ୍ନ ସମୟରେ ଏ ପ୍ରସଙ୍ଗ ଉଠୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କିଏ ଅସଲି ଓ କିଏ ନକଲି ଶିକ୍ଷକ ତାର ଯାଞ୍ଚ ଦାୟିତ୍ୱ ଶିକ୍ଷା ବିଭାଗ ବଦଳରେ ଭିଜିଲାନ୍ସ, କ୍ରାଇମ୍ବ୍ରାଞ୍ଚ୍ କିମ୍ୱା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥାକୁ ପ୍ରଦାନ କଲେ ପ୍ରକୃତ ସତ ପଦାକୁ ଆସିପାରନ୍ତା ବୋଲି ସେ କହିଛନ୍ତି।