ରାସନ କାର୍ଡ : ଭୂତ ହିତାଧିକାରୀ ଠାବ ହେଲେ, ନୂଆ ହିତାଧିକାରୀଙ୍କ ଭାଗ୍ୟ ଫିଟିବ
ଭୁବନେଶ୍ୱର : ରାଜ୍ୟରେ ଭୂତ ହିତାଧିକାରୀଙ୍କ ଯାଞ୍ଚ ଶେଷ ହେଉ ନାହିଁ, କିମ୍ବା ନୂଆ ଯୋଗ୍ୟ ହିତାଧିକାରୀ ନୂତନ ରାସନ କାର୍ଡ ପାଇପାରୁ ନାହାନ୍ତି। ଅପେକ୍ଷା କେତେବେଳେ ସମସ୍ତ ଭୂତ ହିତାଧିକାରୀ ଠାବ ହେବେ। ଆଉ ନୂଆ ହିତାଧିକାରୀଙ୍କ ଭାଗ୍ୟ ଫିଟିବ। ଭୂତ ହିତାଧିକାରୀଙ୍କ ପାଇଁ ପ୍ରକୃତ ହିତାଧିକାରୀ ଯୋଗାଣ ବିଭାଗରୁ ଖାଦ୍ୟ ନ ପାଇବାକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଅନ୍ୟପକ୍ଷରେ କେବେ ଏହି ଯାଞ୍ଚ ଶେଷ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇ […]

ଭୁବନେଶ୍ୱର : ରାଜ୍ୟରେ ଭୂତ ହିତାଧିକାରୀଙ୍କ ଯାଞ୍ଚ ଶେଷ ହେଉ ନାହିଁ, କିମ୍ବା ନୂଆ ଯୋଗ୍ୟ ହିତାଧିକାରୀ ନୂତନ ରାସନ କାର୍ଡ ପାଇପାରୁ ନାହାନ୍ତି। ଅପେକ୍ଷା କେତେବେଳେ ସମସ୍ତ ଭୂତ ହିତାଧିକାରୀ ଠାବ ହେବେ। ଆଉ ନୂଆ ହିତାଧିକାରୀଙ୍କ ଭାଗ୍ୟ ଫିଟିବ। ଭୂତ ହିତାଧିକାରୀଙ୍କ ପାଇଁ ପ୍ରକୃତ ହିତାଧିକାରୀ ଯୋଗାଣ ବିଭାଗରୁ ଖାଦ୍ୟ ନ ପାଇବାକୁ ନେଇ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଅନ୍ୟପକ୍ଷରେ କେବେ ଏହି ଯାଞ୍ଚ ଶେଷ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁ ନାହିଁ।
ସୋମବାର ଗୃହରେ ବିଧାୟକ ଗଣେଶ୍ୱର ବେହେରା ଏ ସମ୍ପର୍କିତ ପ୍ରଶ୍ନ କରିଥିଲେ। ରାଜ୍ୟରେ ଚାଲୁ ରହିଥିବା ଇ-କେୱାଇସି ଯାଞ୍ଚ ଜରିଆରେ ବର୍ତ୍ତମାନ ସୁଦ୍ଧା କେତେ ସଂଖ୍ୟକ ଭୂତ କାର୍ଡ ଧରାପଡିଛି, ତା’ର ଏକ ଜିଲ୍ଲାୱାରୀ ତାଲିକା ଦେବେ କି? ଏହି ଯାଞ୍ଚ ପ୍ରକ୍ରିୟା କେବେସୁଦ୍ଧା ଶେଷ ହେବ ଓ ଦୀର୍ଘ ଦିନ ଧରି ଆବେଦନ କରି ଅପେକ୍ଷା କରିଥିବା ବ୍ୟକ୍ତିମାନଙ୍କୁ କେବେ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆଧାର ଇ-କେୱାଇସି ବାୟୋମେଟ୍ରିକ ଯାଞ୍ଚ ପ୍ରକ୍ରିୟାଟି, ଆଧାର ସଞ୍ଜୋଗୀତ ଯୋଗ୍ୟ ହିତାଧିକାରୀଙ୍କ ସଦ୍ୟ ଉପସ୍ଥିତି ପ୍ରମାଣିତ କରିଥାଏ ଏବଂ ରାସନ କାର୍ଡ ତଥ୍ୟାବଳୀକୁ ସ୍ୱଚ୍ଛ ରଖିବାରେ ସହାୟକ ହୋଇଥାଏ। ଅଦ୍ୟାବଧି ରାସନ କାର୍ଡର ତଥ୍ୟାବଳୀରେ ଥିବା ସମୁଦାୟ ୩,୩୯,୫୧,୯୨୦ ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ, ୨,୭୫,୮୩,୬୧୨ ଜଣଙ୍କ ଇ-କେୱାଇସି ସରିଛି। ବାକି ରହିଥିବା ୬୩,୬୮,୩୦୮ ଜଣଙ୍କ ଇ-କେୱାଇସି ସରିଲା ପରେ ଯାଇ, ପ୍ରକୃତ ତଥ୍ୟ ଜଣାପଡିବ। ଏହି ଯାଞ୍ଚ ପ୍ରକ୍ରିୟାଟିକୁ ଯଥାଶୀଘ୍ର ଶେଷ କରିବା ପାଇଁ ପଦକ୍ଷେପ ନିଆଯାଉଅଛି। ଚିହ୍ନିତ ହେଉଥିବା ମୃତବ୍ୟକ୍ତିଙ୍କୁ ତଥ୍ୟାବଳୀରୁ ବାଦ୍ ଦିଆଯାଇ, ଯୋଗ୍ୟ ଆବେଦନକାରୀମାନଙ୍କୁ ନୂଆ ରାସନ କାର୍ଡ ଯୋଗାଇ ଦିଆଯିବ ଶ୍ରୀ ପାତ୍ର ଗୃହରେ ଉତ୍ତର ରଖିଛନ୍ତି।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧,୭.୦୬୮ ଜଣ ମୃତବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ତଥ୍ୟାବଳୀରୁ ବାଦ୍ ଦିଆଯାଇଛି। ଏହି ଖାଲି ଥିବା ସ୍ଥାନରେ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହେଇଥିବା ୧୭୭୦୬୮ ଯୋଗ୍ୟ ପ୍ରବାସୀଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।