ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ
ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଫଳରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ ଓ ଭାରରେ ବୁହାଇ ହସ୍ପିଟାଲ ନେବାକୁ ପଡ଼ୁଛି। ବୁଧବାର ଗୋଟିଏ ଦିନରେ କାଶୀପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତର […] The post ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ appeared first on Dharitri Odia News.
ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନାହିଁ। ଫଳରେ ରୋଗୀ ଓ ଗର୍ଭବତୀଙ୍କୁ ଖଟିଆ ଓ ଭାରରେ ବୁହାଇ ହସ୍ପିଟାଲ ନେବାକୁ ପଡ଼ୁଛି। ବୁଧବାର ଗୋଟିଏ ଦିନରେ କାଶୀପୁର ବ୍ଲକର ଗୋଡ଼ିବାଲି ପଞ୍ଚାୟତର ଗାଡରାମୁହିଁ ଗ୍ରାମରେ ୨ ଗର୍ଭବତୀଙ୍କୁ ଭାରରେ ବୁହାଇ ନଦୀ ପାରକରି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସରେ ୧୮ କି.ମି. ଦୂର କଲ୍ୟାଣସିଂହପୁର ବ୍ଲକର ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ଉଭୟ ଦୁଇ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ମିଳିଛି। ଉଭୟ ମାଆ ଓ ପୁଅ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।
କାଶୀପୁର ବ୍ଲକର ଗାଡରାମୁହିଁ ଗ୍ରାମର ୨ ଗର୍ଭବତୀ ସବିତା ମାଝି ଓ ତୁରିକି ମାଝିଙ୍କ ବୁଧବାର ସକାଳେ ଗର୍ଭଜନିତ ଯନ୍ତ୍ରଣା ହୋଇଥିଲା। ସବିତାଙ୍କ ମା’ ଘର ଗାଡରାମୁହିଁ ଗ୍ରାମରେ ହୋଇଥିବା ବେଳେ ତୁରିକିଙ୍କ ଶ୍ୱଶୁରଘର ଗାଡ଼ରାମୁହିଁ । ସବିତାଙ୍କ ବୁଧବାର ଗର୍ଭଜନିତ ଯନ୍ତ୍ରଣା ହେବାରୁ ତାଙ୍କ ସ୍ବାମୀ ସାଲପୁ କାଡ୍ରାକା ଓ ମାଆ ଘର ଲୋକେ ସବିତାଙ୍କୁ ଖଟିଆରେ ବୋହି ନଦୀ ପାରିହୋଇ ପୁଷଘାଟିକୁ ଆଣିଥିଲେ। ସେହିଭଳି ତୁରିକି ମାଝିଙ୍କୁ ତାଙ୍କ ସ୍ବାମୀ ତମି ମାଝି ଓ ପରିବାରବର୍ଗ ଖଟିଆରେ ବୋହି ପୁଷଘାଟି ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଉଭୟଙ୍କୁ ଆମ୍ବୁଲାନ୍ସରେ ୧୮ କି.ମି. ଦୂର ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା।
ସୂଚନାଯୋଗ୍ୟ, ଗାଡରାମୁହିଁ ଗ୍ରାମରୁ ପୁଷଘାଟି ପ୍ରାୟ ୨କି.ମି. ଦୂର। ୨ ଗ୍ରାମ ମଝିରେ ବୋହୁଛି ନଦୀ। ନଦୀ ଉପରେ ପୋଲ ନ ଥିବାରୁ ଲୋକେ ଯାତାୟାତ ପାଇଁ ବହୁ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ପୁଷଘାଟିଠାରୁ ଗୋଡ଼ିବାଲି ଗ୍ରାମର ଦୂରତା ୩ କି.ମି. ହୋଇଥିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ଖରାପ ରହିଛି। ଗୋଡ଼ିବାଲି ଠାରୁ ୨୦ କି.ମି . ଦୂର କାଶୀପୁରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ଲୋକେ ଗୋଡ଼ିବାଲିଠାରୁ ୧୫କି.ମି. ଦୂରରେ ରହିଥିବା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ତେବେ ରାଜ୍ୟ ସରକାର ଗମନାଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ଦେଉଥିବା ଏବଂ ବକ୍ସାଇଟ ଖଣି ପାଇଁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି ସହ ଏକ ଇଣ୍ଡଷ୍ଟ୍ର୍ରିଆଲ ହବ୍ ପାଲଟିଥିବା କାଶୀପୁର ବ୍ଲକର ବହୁ ଗ୍ରାମ ଆଜି ବି ଅପହଞ୍ଚ। କେବଳ କାଗଜକଲମରେ ସୀମିତ ହୋଇଯାଇଛି ଗମନାଗମନ ବ୍ୟବସ୍ଥା। ତେଣୁ ରାଜ୍ୟ ସରକାର କାଶୀପୁର ବ୍ଲକ ଉପରେ ବିଶେଷ ଦୃଷ୍ଟି ଦେଇ ଗମନାଗମନ ସମସ୍ୟାର ସମାଧାନ କରିବାକୁ ବ୍ଲକ ବାସିନ୍ଦା ଦାବି କରିଛନ୍ତି।
The post ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ appeared first on Dharitri Odia News.