ସାନ୍ତରାପୁର ପଞ୍ଚାୟତରେ ସମ୍ପର୍କ ଶିବିର

ପାଟଣା : ଆଜି ପୂର୍ବାହ୍ନରେ ଘଟଗାଁ ବ୍ଲକ ସୌଜନ୍ୟରୁ ସାନ୍ତରାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ଅନୁଯାୟୀ ଏଥିରେ ପ୍ରାୟ ୮୫ ଜଣ ବ୍ୟକ୍ତିଙ୍କର ଅଭିଯୋଗ ଶୁଣାଣି ହେବା ସହ ତନ୍ମଧ୍ୟରୁ ୬୫ ଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇପାରିଛି। ଏଠାରେ ସୂଚନାଯୋଗ୍ୟ ଯେ ବ୍ଲକ ପ୍ରଶାସନକୁ ଲୋକଙ୍କ ପାଖକୁ ନେଇ ସଭିଙ୍କ ସହଭାଗିତାରେ ଏକ ସ୍ଵଛ, ସକ୍ରିୟ ଓ ଉତ୍ତରଦାୟୀ ପ୍ରଶାସନର କାର୍ଯ୍ୟକାରିତା ପାଇଁ ବ୍ଲକ ତରଫରୁ ଏଭଳି ନିଆରା ପ୍ରୟାସ […]

ସାନ୍ତରାପୁର ପଞ୍ଚାୟତରେ ସମ୍ପର୍କ ଶିବିର

ପାଟଣା : ଆଜି ପୂର୍ବାହ୍ନରେ ଘଟଗାଁ ବ୍ଲକ ସୌଜନ୍ୟରୁ ସାନ୍ତରାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଖବର ଅନୁଯାୟୀ ଏଥିରେ ପ୍ରାୟ ୮୫ ଜଣ ବ୍ୟକ୍ତିଙ୍କର ଅଭିଯୋଗ ଶୁଣାଣି ହେବା ସହ ତନ୍ମଧ୍ୟରୁ ୬୫ ଟି ଅଭିଯୋଗର ତ୍ୱରିତ ସମାଧାନ କରାଯାଇପାରିଛି। ଏଠାରେ ସୂଚନାଯୋଗ୍ୟ ଯେ ବ୍ଲକ ପ୍ରଶାସନକୁ ଲୋକଙ୍କ ପାଖକୁ ନେଇ ସଭିଙ୍କ ସହଭାଗିତାରେ ଏକ ସ୍ଵଛ, ସକ୍ରିୟ ଓ ଉତ୍ତରଦାୟୀ ପ୍ରଶାସନର କାର୍ଯ୍ୟକାରିତା ପାଇଁ ବ୍ଲକ ତରଫରୁ ଏଭଳି ନିଆରା ପ୍ରୟାସ କରାଯାଉଛି ବୋଲି ବିଡ଼ିଓ ଖଗେଶ୍ୱର ବରାଳ ପ୍ରକାଶ କରିଥିଲେ। ବ୍ଲକ ଏବଂ ପଞ୍ଚାୟତର ବିଭିନ୍ନ ଅଧିକାରୀ ଏହି ଶିବିରରେ ସକ୍ରିୟ ଅଂଶଗ୍ରହଣ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହିତ ବିଭିନ୍ନ ଯୋଜନାରୁ ସେମାନେ ପାଉଥିବା ସୁଫଳ ବିଷୟରେ ମଧ୍ୟ ପ୍ରଶାସନ ପଚାରି ବୁଝିବା ଜନସାଧାରଣଙ୍କୁ ଆନନ୍ଦିତ କରିଛି। ସାନ୍ତରାପୁର ଚତୁରୀ ସାହିରେ ନଳକୂପ ଖରାପ ଥିବାରୁ ଲୋକେ ଏକ ପୁରାତନ କୂଅର ପାଣିକୁ ବ୍ୟବହାର କରୁଥିବା ଜାଣିବା ପରେ ତୁରନ୍ତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ବିଡ଼ିଓ ଶ୍ରୀ ବରାଳ ନଳକୂପର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେବା ସହ କୂଅଟିକୁ ବିଶୋଧନ ପାଇଁ ବ୍ୟବସ୍ଥା କରିଥିବା ଜଣାଯାଇଛି।ସେହିପରି ରଘୁବେଡାରେ ସବୁଦିନିଆ ରାସ୍ତାର ଅଭାବ ଉପରେ ଏକାଧିକ ମହିଳାଙ୍କ ଅଭିଯୋଗର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ମନରେଗା ଯୋଜନାରୁ ଏହାର କାର୍ଯ୍ୟ ଆରମ୍ଭ ପାଇଁ ବିହିତ ପଦକ୍ଷେପ ନେବାକୁ ଏଡ଼ିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ପରେ ସାନ୍ତରାପୁର ଗ୍ରାମପଞ୍ଚାୟତର ଆଦିମ ଜନଜାତି ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମ କୁଲାଡେରାକୁ ବିଡ଼ିଓ ଓ ବ୍ଲକ ଟିମ ତୋଫାନି ଗସ୍ତ କରି ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ। କୁଲାଡେରାରେ କାଳବୈଶାଖୀରେ କ୍ଷତିଗ୍ରସ୍ତ ଓଭରହେଡ ଟାଙ୍କି ଓ ନଳକୂପର ତ୍ୱରିତ ମରାମତି ପାଇଁ ଗୋଟିଏ ଦିନ ଭିତରେ ଆଶୁ ପଦକ୍ଷେପ ନେବାକୁ ସେ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ସେଠାରେ ଥିବା ଜଳାଶୟର ପୁନଃରୁଦ୍ଧାର, ଗୋଷ୍ଠୀ କେନ୍ଦ୍ରର କାର୍ଯ୍ୟ ସମାପ୍ତି ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ସୁବଣ୍ଟନ ଆଦି ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ଜନସାଧାରଣଙ୍କୁ ଆଶ୍ୱସ୍ତ କରିଥିବା ଜଣାଯାଏ। ଏହା ପୂର୍ବରୁ ବ୍ଲକର ବଡ଼ଜାମୁପସି, ଢେଙ୍କିକୋଟ ଓ ପୁରୁମୁଣ୍ଡା ପଞ୍ଚାୟତରେ ଏଭଳି ସମ୍ପର୍କ ଶିବିର ସଫଳତାର ସହ ଆୟୋଜନ କରାଯାଇଛି ବୋଲି ସୂଚନା ମିଳିଛି। ଆଜିର ଏହି ସମ୍ପର୍କ ଶିବିରରେ ବିଡ଼ିଓ ଖଗେଶ୍ୱର ବରାଳ, ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ବବିତା ସିଂ, ନିର୍ବାହୀ ଅଧିକାରୀ ରୀନାରାଣୀ ଜେନା, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିପିନ ଚନ୍ଦ୍ର ଖଣ୍ଡା, ଏଡିଇଓ ନିରଞ୍ଜନ ବାରିକ ଓ ବ୍ଲକ ଗ୍ରାମୀଣ ଆବାସ ସହାୟକ ଦୟାସାଗର ମହାନ୍ତ ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ, ଦାବି ଓ ପ୍ରସ୍ତାବର ଶୁଣାଣିରେ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିଥିଲେ।