ରୁଷୀୟ କନ୍ୟା, ୟୁକ୍ରେନୀୟ ବର

ଥିରୁଭାନନ୍ତପୁରମ: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଗତ ୩ ବର୍ଷ ଧରି ଯୁଦ୍ଧ ଜାରି ରହିଛି। ୨ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବା ସତ୍ତ୍ୱେ କେରଳର କୋଲ୍ଲମସ୍ଥିତ ଅମୃତପୁରୀ ଆଶ୍ରମର ମାତା ଅମୃତାନନ୍ଦମୟୀ ମନ୍ଦିରରେ ମଙ୍ଗଳବାର ୟୁକ୍ରେନୀୟ ଯୁବକ ସାଶା ଓଷ୍ଟ୍ରଭିକ୍‌ ଓ ରୁଷୀୟ ଯୁବତୀ ଓଲ୍ୟା ଓଷ୍ଟ୍ରଭିକ୍‌ ପରସ୍ପରକୁ ବିବାହ କରିଛନ୍ତି। ଏହି ବିବାହ କେବଳ କେରଳରେ ନୁହେଁ ବରଂ ପୂରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି। ରାଜଧାନୀ କିଭ୍‌ ନିବାସୀ ସାଶା ସମ୍ପ୍ରତି କେରଳର […] The post ରୁଷୀୟ କନ୍ୟା, ୟୁକ୍ରେନୀୟ ବର appeared first on Dharitri Odia News.

ରୁଷୀୟ କନ୍ୟା, ୟୁକ୍ରେନୀୟ ବର

ଥିରୁଭାନନ୍ତପୁରମ: ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଗତ ୩ ବର୍ଷ ଧରି ଯୁଦ୍ଧ ଜାରି ରହିଛି। ୨ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବା ସତ୍ତ୍ୱେ କେରଳର କୋଲ୍ଲମସ୍ଥିତ ଅମୃତପୁରୀ ଆଶ୍ରମର ମାତା ଅମୃତାନନ୍ଦମୟୀ ମନ୍ଦିରରେ ମଙ୍ଗଳବାର ୟୁକ୍ରେନୀୟ ଯୁବକ ସାଶା ଓଷ୍ଟ୍ରଭିକ୍‌ ଓ ରୁଷୀୟ ଯୁବତୀ ଓଲ୍ୟା ଓଷ୍ଟ୍ରଭିକ୍‌ ପରସ୍ପରକୁ ବିବାହ କରିଛନ୍ତି। ଏହି ବିବାହ କେବଳ କେରଳରେ ନୁହେଁ ବରଂ ପୂରା ଭାରତରେ ଚର୍ଚ୍ଚା ସାଉଣ୍ଟିଛି।
ରାଜଧାନୀ କିଭ୍‌ ନିବାସୀ ସାଶା ସମ୍ପ୍ରତି କେରଳର ଅମୃତ ବିଶ୍ୱ ବିଦ୍ୟାପୀଠମ ବିଶ୍ୱବିଦ୍ୟାଳୟରେ ମାନସିକ ସ୍ବାସ୍ଥ୍ୟ ବିଷୟରେ ପିଏଚ୍‌ଡି କରୁଛନ୍ତି। ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ସେହିପରି ଅମୃତପୁରୀ ଆଶ୍ରମରେ ସାବିତ୍ରୀ ନାମରେ ପରିଚିତ ଓଲ୍ୟା ହେଉଛନ୍ତି ରୁଷିଆର ରାଜଧାନୀ ମସ୍କୋର ମୂଳ ନିବାସୀ। ୨୦୦୯ରେ ଭାରତକୁ ଆସିଥିବା ଓଲ୍ୟା ଅମୃତପୁରୀ ଆଶ୍ରମରେ ଦୀର୍ଘ ବର୍ଷ ଧରି ଜଣେ ଭଲ୍ୟୁଣ୍ଟିଅର ଭାବେ କାର୍ଯ୍ୟ କରୁଛନ୍ତି। ସେ ରୁଷିଆର ଏକ ବିଶ୍ୱବିଦ୍ୟାଳୟରେ ଅନ୍‌ଲାଇନ ଯୋଗେ ମନୋବିଜ୍ଞାନ ଅଧ୍ୟୟନ କରୁଛନ୍ତି। ଅମୃତପୁରୀ ଆଶ୍ରମରେ ଦୁହେଁ ବିଭିନ୍ନ ଦେଶ ତଥା ପୃଷ୍ଠଭୂମିର ୨ ହଜାରରୁ ଅଧିକ ଲୋକଙ୍କ ସହ ରହୁଛନ୍ତି। ସାଶା ଓ ଓଲ୍ୟା ୨୦୧୯ରେ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ତେବେ କୋଭିଡ୍‌ ମହାମାରୀ ସମୟରେ ସାଶା ୟୁକ୍ରେନ୍‌ ଚାଲିଯାଇଥିଲେ। ତେଣୁ ମଝିରେ ଲମ୍ବା ସମୟ ଧରି ଉଭୟ ପରସ୍ପରକୁ ଭେଟି ପାରି ନ ଥିଲେ। ତେବେ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସାଶା ଅମୃତପୁରୀ ଆଶ୍ରମକୁ ଫେରି ଆସିଥିଲେ। ଏନେଇ ସାଶା କୁହନ୍ତି, ଯୁଦ୍ଧ ପୂର୍ବରୁ ଅମୃତପୁରୀ ଫେରି ଆସିବା ନିଶ୍ଚିତ ଭାବେ ତାଙ୍କ ପାଇଁ ଚମତ୍କାର ଘଟଣା ଥିଲା। ୨ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ଓ ପୀଡ଼ାଦାୟକ ହୋଇଥିବା ସେ କହିଛନ୍ତି। ତେବେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଆହୁରି ନିକଟତର ହୋଇଛନ୍ତି ବୋଲି ଓଲ୍ୟା କହିଛନ୍ତି। ୨ ଦେଶ ମଧ୍ୟରେ ତିକ୍ତ ସମ୍ପର୍କ ଜାରି ରହିଥିଲେ ମଧ୍ୟ ସେମାନଙ୍କ ପ୍ରେମ ଧୀରେ ଧୀରେ ଆହୁରି ମଜଭୁତ ହୋଇଥିବା ସେ କହିଛନ୍ତି।

The post ରୁଷୀୟ କନ୍ୟା, ୟୁକ୍ରେନୀୟ ବର appeared first on Dharitri Odia News.