ରୁଷ୍ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ିଥିବା ଭାରତୀୟ ଯୁବକଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଲଢ଼ିବାପାଇଁ ରୁଷ୍ ସେନାରେ ନିୟୋଜିତ ହୋଇଥିବା ଜଣେ ଭାରତୀୟ ଯୁବକ ରବି ମୌନଙ୍କ ମୃତ୍ୟୁ ଘଟିଛି। ଗତ ୭ ଦିନ ଧରି ସେ ନିଖୋଜ ଥିଲେ। ଆଜି ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ରବିଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ସୋମବାର ରବିଙ୍କ ଭାଇ ଅଜୟ କହିଛନ୍ତି, ତାଙ୍କ ଭାଇ ରବି (୨୨) ଚଳିତ ବର୍ଷ ଜାନୁଆରି ୧୩ ତାରିଖରେ ହରିୟାଣାରୁ ରୁଷ୍ ଯାଇଥିଲେ। ସେଠାରେ ରୁଷ୍ ସେନା ପକ୍ଷରୁ ତାଙ୍କୁ ପରିବହନ […]

ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଲଢ଼ିବାପାଇଁ ରୁଷ୍ ସେନାରେ ନିୟୋଜିତ ହୋଇଥିବା ଜଣେ ଭାରତୀୟ ଯୁବକ ରବି ମୌନଙ୍କ ମୃତ୍ୟୁ ଘଟିଛି। ଗତ ୭ ଦିନ ଧରି ସେ ନିଖୋଜ ଥିଲେ। ଆଜି ମସ୍କୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ରବିଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ସୋମବାର ରବିଙ୍କ ଭାଇ ଅଜୟ କହିଛନ୍ତି, ତାଙ୍କ ଭାଇ ରବି (୨୨) ଚଳିତ ବର୍ଷ ଜାନୁଆରି ୧୩ ତାରିଖରେ ହରିୟାଣାରୁ ରୁଷ୍ ଯାଇଥିଲେ। ସେଠାରେ ରୁଷ୍ ସେନା ପକ୍ଷରୁ ତାଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ରବିଙ୍କୁ ସମ୍ମୁଖ ଯୁଦ୍ଧରେ ପଠାଯାଇଥିଲା। ତେବେ ଜୁଲାଇ ୨୧ରୁ ରବିଙ୍କ ସହ ଆଉ ଯୋଗାଯୋଗ ହୋଇପାରି ନଥିଲା। ଫଳରେ ସେ ମସ୍କୋସ୍ଥିତ ଭାରତୀୟ ଦୂତାବାସକୁ ଚିଠି ଲେଖିଥିଲେ। ଆଜି ଭାରତୀୟ ଦୂତାବାସ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ତେବେ ମୃତଦେହ ଚିହ୍ନଟ ନିମନ୍ତେ ଡିଏନ୍ଏ ରିପୋର୍ଟ ପଠାଇବାକୁ ପରାମର୍ଶ ଦିଆଯାଇଛି। ଅଜୟ ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ନକଲେ ୧୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ ବୋଲି ରୁଷ୍ ସେନା ତାଙ୍କ ଭାଇକୁ ଭୟ ଦେଖାଇଥିଲା। ଫଳରେ ତାଙ୍କ ଭାଇ ସେନାବାହିନୀରେ ଯୋଗ ଦେଇଥିଲେ। ପ୍ରଥମେ ତାଙ୍କୁ ଟ୍ରେଞ୍ଚ୍ ଖୋଳିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ଓ ପରେ ବନ୍ଧୁକ ଦିଆଯାଇ ଯୁଦ୍ଧ କରିବାକୁ କୁହାଯାଇଥିଲା। ରୁଷ୍ ପଠାଇବା ନିମନ୍ତେ ଜମି ବିକ୍ରି କରି ୧୧ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ବର୍ତ୍ତମାନ ରବିଙ୍କ ମୃତଦେହ ଫେରାଇ ଆଣିବାକୁ ତାଙ୍କ ପରିବାର ନିକଟରେ ଅର୍ଥର ଅଭାବ ରହିଛି। ଏଣୁ ପ୍ରଧାନମନ୍ତ୍ରୀ ମୋଦୀ ଘଟଣାରେ ହସ୍ତକ୍ଷେପ କରି ତାଙ୍କ ଭାଇଙ୍କ ମୃତଦେହ ଫେରାଇ ଆଣିବା ବ୍ୟବସ୍ଥା କରନ୍ତୁ ବୋଲି ରବିଙ୍କ ପରିବାର ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ରୁଷ୍ ସେନାରେ ଯୋଗଦେଇ ୟୁକ୍ରେନ ବିରୋଧରେ ଲଢ଼େଇ କରୁଥିବା ୪ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଛି।