ରେପୋ ରେଟ୍ ଅପରିବର୍ତ୍ତିତ; ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ

ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍।

ରେପୋ ରେଟ୍ ଅପରିବର୍ତ୍ତିତ; ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଦଶମ ଥର ପାଇଁ ପ୍ରମୁଖ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନି। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍। ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି।

ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରେପୋ ରେଟ୍‌କୁ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରିଭର୍ସ ରେପୋ ରେଟ୍‌କୁ ୩.୩୫% ଓ ବ୍ୟାଙ୍କ ରେଟ୍‌କୁ ୬.୭୫%ରେ ସ୍ଥିର ରହିଛି। ନୀତିଗତ ଆଭିମୁଖ୍ୟକୁ ମଧ୍ୟ ସ୍ଥିର ରଖାଯାଇଛି। ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ % ହେବ ବୋଲି ଆକଳନ କରାଯାଇଛି। ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି। ଲୋନ ନେଇ ଇଏମଆଇ ଦେଉଥିଲେ ଏହା ବୃଦ୍ଧି ପାଇବନି।

ତେବେ ୨୦୨୩ ମସିହାରେ ଶେଷ ଥର ପାଇଁ ରେପୋ ରେଟ୍‌ରେ ପରିବର୍ତ୍ତନ କରାଯାଇଥିଲା। ଏହା ପରଠାରୁ ଦଶମ ଥର ପାଇଁ ଏହା ସ୍ଥିର ରହିଛି। ଏଥର ମଧ୍ୟ ମିଟିଂ ଆରମ୍ଭ ହେବା ପୂର୍ବରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଆଉ ଅନୁମାନ ମୁତାବକ ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ସ୍ଥିର ରହିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଇଣ୍ଡେକ୍ସ ସେନ୍ସେକ୍ସ ୫୦୦ ପଏଣ୍ଟକୁ ବୃଦ୍ଧି ପାଇଥିବା ବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୫୦ ପଏଣ୍ଟକୁ ବଢ଼ିଛି।