ଲୋକ ସଂସ୍କୃତି ଓ ଲୋକ ପରମ୍ପରା ମଧ୍ୟରେ ଅନ୍ୟତମ ହଟ୍ଟଯମଟର ଉପାସନା ଓଷାକୋଠି ବା କୋଠିଶାଳ ଯାତ୍ରା
ଗଞ୍ଜାମ(କ୍ଷୀରସିନ୍ଧୁ ମହାନ୍ତି): କଳିଙ୍ଗର ସମୃଦ୍ଧ ଲୋକ ପରମ୍ପରା, ବୌଦ୍ଧ ଧର୍ମର ପରବର୍ତ୍ତୀ ରୂପ, ଦେବୀ ପୂଜନର ଅନନ୍ୟ ଉପାସନା ହେଉଛି ଓଷାକୋଠି ବା କୋଠିଶାଳ ଯାତ୍ରା। ଓଡ଼ିଶାରେ ପ୍ରଚଳିତ ଅନେକ ପରମ୍ପରା, ଓଷା ଆଦି କେବଳ ମହିଳାଙ୍କ ଲାଗି ପ୍ରଯୁର୍ଯ୍ୟ ବୋଲି ଜଣାଯାଏ। କିନ୍ତୁ ଏଭଳି କିଛି ପରମ୍ପରା ଅଛି, ଯେଉଥିରେ ମହିଳାମାନେ କେବଳ ଦର୍ଶକ ହୋଇଥାନ୍ତି। ଏଠାରେ ପୁରୁଷ ମାନଙ୍କର ଭୂମିକା ବେଶ ଅଧିକ ରହିଥାଏ। ଏମାନେ ହିଁ ଉପାସକ ଓ ଉପସନାର ସାଧକ। ଏହିଭଳି […]

ଗଞ୍ଜାମ(କ୍ଷୀରସିନ୍ଧୁ ମହାନ୍ତି): କଳିଙ୍ଗର ସମୃଦ୍ଧ ଲୋକ ପରମ୍ପରା, ବୌଦ୍ଧ ଧର୍ମର ପରବର୍ତ୍ତୀ ରୂପ, ଦେବୀ ପୂଜନର ଅନନ୍ୟ ଉପାସନା ହେଉଛି ଓଷାକୋଠି ବା କୋଠିଶାଳ ଯାତ୍ରା। ଓଡ଼ିଶାରେ ପ୍ରଚଳିତ ଅନେକ ପରମ୍ପରା, ଓଷା ଆଦି କେବଳ ମହିଳାଙ୍କ ଲାଗି ପ୍ରଯୁର୍ଯ୍ୟ ବୋଲି ଜଣାଯାଏ। କିନ୍ତୁ ଏଭଳି କିଛି ପରମ୍ପରା ଅଛି, ଯେଉଥିରେ ମହିଳାମାନେ କେବଳ ଦର୍ଶକ ହୋଇଥାନ୍ତି। ଏଠାରେ ପୁରୁଷ ମାନଙ୍କର ଭୂମିକା ବେଶ ଅଧିକ ରହିଥାଏ। ଏମାନେ ହିଁ ଉପାସକ ଓ ଉପସନାର ସାଧକ। ଏହିଭଳି କିଛି ସ୍ୱତନ୍ତ୍ର ପରମ୍ପରାର ଛାପ ଗଞ୍ଜାମରେ ଏଯାବତ ଦୃଶ୍ୟମାନ।
ଗଞ୍ଜାମ ଜିଲ୍ଲାର ୭୦ଭାଗ ଗ୍ରାମରେ ଓଷାକୋଠି ବା କୋଠିଶାଳ ଯାତ୍ରା ଅନ୍ୟତମ। ଦଣ୍ଡନାଟ ଭଳି ଏହା ମଧ୍ୟ ପୁରୁଷ କୈନ୍ଦ୍ରିକ ପୂଜା ଭାବେ ଗ୍ରାମାଞ୍ଚଳରେ ପରିଚିତ। ଲୋକ ସଂସ୍କୃତି ଓ ଲୋକ ପରମ୍ପରା ମଧ୍ୟରେ ଅନ୍ୟତମ ହଟ୍ଟଯମଟର ଉପାସନା ହେଉଛି ଓଷାକୋଠି ବା କୋଠିଶାଳ ଯାତ୍ରା। ଆଶ୍ୱିନ ମାସ ଅମବାସ୍ୟା ପରେ ପରେ ଏହା ଆରମ୍ଭ ହୁଏ। ଆଶ୍ୱିନ ମାସ ପୂର୍ଣ୍ଣିମା ଓ ପରବର୍ତ୍ତୀ ସମୟରେ ଏହାର ପୂର୍ଣ୍ଣାହୂତି କରାଯାଏ। ଯାହାକୁ ଦେବତା କର୍ମ ସମ୍ପନ୍ନ ବୋଲି ମଧ୍ୟ କୁହାଯାଏ। କୋଠିଶାଳ ଯାତ୍ରାରେ ପ୍ରମୁଖତଃ ମା’ କାଳୀଙ୍କ ବିଭିନ୍ନ ରୂପକୁ ପୂଜା କରାଯାଏ। ଯାହାକୁ ଆରାଧ୍ୟ ଦେବୀ ମା’ ମଙ୍ଗଳା ଓ ଗ୍ରାମ୍ୟ ଠାକୁରାଣୀ ଭାବେ ବିବେଚନା ହେଉଛି। ସମୟକ୍ରମେ କୋଠିଶାଳ ଯାତ୍ରାର ନାଁ ବଦଳିଥିଲେ ହେଁ ପରମ୍ପରା ଓ ସଭ୍ୟତା ପ୍ରାୟ ଏକାଭଳି ଥିବା ଲକ୍ଷ୍ୟ କରାଯାଇଛି। ଦଣ୍ଡନାଚ ଓ କୋଠିଶାଳ ଯାତ୍ରା’ର ପରମ୍ପରା ପାଖାପାଖି ଏକାଭଳି। ମା’ଙ୍କ ରୂପ ଏକ କିନ୍ତୁ ପୂଜାପଦ୍ଧତି ଓ ଉପାସନାର ପଦ୍ଧତି ଭିନ୍ନ। ପଟ୍ଟଚିତ୍ର ପରମ୍ପରାରେ ପରଭା ମଧ୍ୟ ଭିନ୍ନ ବୋଲି ଜଣାଯାଏ। କୋଠିଶାଳ ଯାତ୍ରାକୁ କୃଷି ପରମ୍ପରା ବୋଲି ମଧ୍ୟ କିଛି ଗବେଷକ ଅବିହିତ କରିଛନ୍ତି। କାରଣ ଏଠାରେ ଗଜାଭୀମର ପୂଜା ସ୍ୱତନ୍ତ୍ର ମାନ୍ୟତା ପାଇଛି। ସବୁଜ ସୁନ୍ଦର ଶଷ୍ୟ ପଡ଼ି ଗଜା ହୋଇଥାଏ। ଯାହାକୁ ପଞ୍ଚଦେହୀ କୁହନ୍ତି।
ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ଡ଼ହ ଡ଼ହ ଖରାରେ ଦଣ୍ଡନାଟ ହେଉଥିବା ବେଳେ ଫସଲ ଉତ୍ପାଦନ ସମୟରେ କୋଠିଶାଳ ଯାତ୍ରା ସମୃଦ୍ଧ କୃଷି ପରମ୍ପରାର ଗାରିମାକୁ ବର୍ଣ୍ଣନା କରେ। କୋଠିଶାଳ ଯାତ୍ରାରେ ସର୍ବାଧିକ ନାରୀ ଦେବତା ହୋଇଥାନ୍ତି। ଏହି ପୂଜା ଦିନ ମାନଙ୍କରେ କେଉଁ ଦିନ କେଉଁ ନାରୀ ଦେବତାଙ୍କୁ ଆବାହନ ସହ ପୂଜାର୍ଚ୍ଚନା କରାଯାଇଥାଏ। ଗଞ୍ଜାମର ସମସ୍ତ ବ୍ଲକରେ ଏହି ପୂଜା ହେଉଛି। କିନ୍ତୁ ପୂଜାର ତାରିକା ମଧ୍ୟ ଭିନ୍ନ ପ୍ରକାରର। କୋଠିଶାଳ ଯାତ୍ରା ସମୟରେ ଗାହାଣ ଗୁଡ଼ିକ ମଧ୍ୟ ପରବର୍ତ୍ତୀ ସମୟରେ ବଦଳିଥିବା ଲକ୍ଷ୍ୟ କରାଯାଇଛି। କିନ୍ତୁ ଗାହଣ ଯିଏ ଗାଇଥାଏ ସେ ପୁରୁଷ ହୋଇଥିବା ଜଣାଯାଏ। ବିଶେଷ କରି ଏଠାରେ ମାତୃଶକ୍ତି ଉପାସନର ଦୃଷ୍ଟାନ୍ତ ଦେଖିବାକୁ ମିଳେ ବୋଲି ବରିଷ୍ଠ ଗବେଷକ ଡ଼ ଅନ୍ତମ ରାମ କୈଣ୍ଡନ୍ୟଙ୍କଠାରୁ ସୂଚନା ମିଳିଛି। ପୂଜା ଦିନମାନଙ୍କରେ ଗ୍ରାମର ପୁରୁଷମାନେ ନିଷ୍ଠାର ସହ ସମସ୍ତ ପୂଜାର୍ଚ୍ଚନା ସମାପନ କରିଥାନ୍ତି। ଓଷାକୋଠି ବେଳେ ସମ୍ପୂର୍ଣ୍ଣ ଗାଁ ଆଧ୍ୟାତ୍ମିକ ପରିବେଶର ଶିଖର ଛୁଇଁଯାଏ। ଅନ୍ୟପକ୍ଷରେ ଓଷାକୋଠି ଯାତ୍ରାର ପ୍ରାଣକେନ୍ଦ୍ର ଢଣ କୋଇଲା ଭାବେ ଜଣାଶୁଣା। ଏହା ଏକ ବାଦ୍ୟଯନ୍ତ୍ର। ପ୍ରତ୍ୟେକ ପୂଜା ଓ ପର୍ବ ପଛରେ ଅନେକ କାହାଣୀ ଥାଏ। ସେଭଳି ଓଷାକୋଠି ବା କୋଠିଶାଳ ଯାତ୍ରା ସମ୍ପର୍କରେ ମଧ୍ୟ ଅନେକଙ୍କ ଠାରୁ ଭିନ୍ନ ଭିନ୍ନ କାହାଣୀ ଶୁଣିବାକୁ ମିଳେ। ଏହାକୁ କିଛି ସ୍ଥାନରେ ମଙ୍ଗଳବାରିଆ ଓଷା ବୋଲି କହିବାର ମଧ୍ୟ ନଜିର ରହିଛି। କାରଣ ଆଶ୍ୱିନ ମାସ ମଙ୍ଗଳବାର ଦିନ ପୂଜାର ମହତ୍ତ୍ୱ ଅଲଗା। ଓଷାକୋଠି ଆଧ୍ୟାତ୍ମିକ ବିଶ୍ୱାସବୋଧର ଏକ ଲୌକିକ ତଥା ସାଂସ୍କୃତିକ ଅନୁଷ୍ଠାନ। ନୈରାଶ୍ୟରେ ଆଶାର ଆଲୋକ ବର୍ତ୍ତିକାଟିଏ। ଲୋକ ଜୀବନର ନିଷ୍କପଟ ଆବେଗଭରା ସ୍ୱରରେ, ଅଭିମନ୍ତ୍ରିତ ହେଉଥିବା ନାଟ୍ୟାନୁଷ୍ଠାନ। ନିଆରା ଏହାର ରାଗ। ଏହାରି ଭିତରେ ଲୁଚି ରହିଥିବା ଲୌକିକ ବିଚାର, ଆଧ୍ୟାତ୍ମିକ ବିଶ୍ୱାସବୋଧ ସହିତ ଗାଁ ଦେବତା, ଗାଁ ଠାକୁରାଣୀ, ସହିତ ଗ୍ରାମ୍ୟ ଜୀବନର ସମ୍ପର୍କ ଯେଉଭଳି ଏକାକୀତ୍ୱର ଆହ୍ୱାନ ଦିଏ, ତାହା ଅନନ୍ୟ ଏବଂ ଅବିସ୍ମରଣୀୟ। କାରଣ ଭଜା ଶଷ୍ୟ ଗଜା ହୁଏ’। ଗୀତର ଭାବତରଙ୍ଗରେ ଭାସି ଭାସି ଶ୍ରଦ୍ଧାଳୁ ଉକ୍ତ କୁମ୍ଭରୁ କରୁଣା ବାରିହିଁ ଆଶା କରିଥାଏ। ଆହୁରି ଅନେକ ଆଶ୍ୱିନ ଆସିବ, ଲୋକ ନ ଥିଲେ, ଓଷା କୋଠି ରହିବ ହିଁ ରହିବ ବୋଲି ଗଞ୍ଜାମ’ ପୁସ୍ତକରେ ପ୍ରଶାନ୍ତ ମହାନ୍ତି ବର୍ଣ୍ଣନା କରିଛନ୍ତି।