ଲୋକାଭିମୁଖୀ ପ୍ରଶାସନ ଲୋଡ଼ା
ଆମ ଦେଶକୁ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ଛାଡ଼ି ଇଂରେଜମାନେ ଚାଲିଗଲେ ଓ ଆମ ଦେଶକୁ ଏକ ଅନୁନ୍ନତ ଦରିଦ୍ର ଦେଶ ଭାବରେ ପରିଗଣିତ କରାଇ ଦେଇ ଗଲେ। ସେମାନଙ୍କ ଶାସନ କାଳରେ ସେମାନେ ନିଜର ସୁବିଧା ପାଇଁ କେତୋଟି ରେଲ୍ୱେ ଲାଇନ, ଡାକ ସୁବିଧା, ପୋଲିସ ଇତ୍ୟାଦିର ବ୍ୟବସ୍ଥା ସହିତ ନିଜ ସୁବିଧା ପାଇଁ ଅନ୍ୟ କିଛି ବ୍ୟବସ୍ଥା କରିଥିଲେ। ତେଣୁ ସେହି ସମୟରୁ […] The post ଲୋକାଭିମୁଖୀ ପ୍ରଶାସନ ଲୋଡ଼ା appeared first on Dharitri Odia News.
ଆମ ଦେଶକୁ ଇଂରେଜମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ୧୫ ଅଗଷ୍ଟ ୧୯୪୭ରେ ଆମ ଦେଶ ଛାଡ଼ି ଇଂରେଜମାନେ ଚାଲିଗଲେ ଓ ଆମ ଦେଶକୁ ଏକ ଅନୁନ୍ନତ ଦରିଦ୍ର ଦେଶ ଭାବରେ ପରିଗଣିତ କରାଇ ଦେଇ ଗଲେ। ସେମାନଙ୍କ ଶାସନ କାଳରେ ସେମାନେ ନିଜର ସୁବିଧା ପାଇଁ କେତୋଟି ରେଲ୍ୱେ ଲାଇନ, ଡାକ ସୁବିଧା, ପୋଲିସ ଇତ୍ୟାଦିର ବ୍ୟବସ୍ଥା ସହିତ ନିଜ ସୁବିଧା ପାଇଁ ଅନ୍ୟ କିଛି ବ୍ୟବସ୍ଥା କରିଥିଲେ। ତେଣୁ ସେହି ସମୟରୁ କୃଷି, ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନ ପୂରା ଅବହେଳିତ ହୋଇ ଯାଇଥିଲା। କୁହାଯାଏ, ଲଣ୍ଡନରେ ଉତ୍ସବ ପାଳନ ହେଉଥିଲେ ଭାରତରୁ ଜାହାଜରେ ବୁହା ହୋଇ ଅନେକ ମୂଲ୍ୟବାନ୍ ଦ୍ରବ୍ୟ ଯାଉଥିଲା। ଫଳରେ ସ୍ବାଧୀନତା ପରବର୍ତ୍ତୀ ସମୟରେ ଖାଦ୍ୟାଭାବ ଦୂର କରିବାକୁ ଆମେରିକାରୁ ଗହମ ଆଣିବାକୁ ପଡ଼ୁଥିଲା। ସ୍ବାଧୀନତା ପରେ ଯେଉଁ ଇଂରେଜ ଅଧିକାରୀମାନଙ୍କୁ ଦେଶ ଶାସନ କରିବାକୁ ରଖାଯାଇଥିଲା, ସେମାନେ ଲୋକମାନଙ୍କ ଉନ୍ନତି ପାଇଁ କିଛି କରୁନଥିଲେ। ଫଳରେ ଆମ ଦେଶ ଏକ ଅନୁନ୍ନତ ଦେଶରେ ପରିଣତ ହେଲା ଓ ଗ୍ରାମଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଗଲା। ଯଦିଓ ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶର ଉନ୍ନତି ପାଇଁ ଅନେକ ଯୋଜନା ଆରମ୍ଭ କରିଥିଲେ, କିନ୍ତୁ ତାହା ବିକାଶ ଦିଗରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏହାର ଏକମାତ୍ର କାରଣ ଥିଲା, ଯେଉଁ ଅଧିକାରୀମାନେ ଇଂରେଜ ଶାସନ କାଳରେ କାମ କରୁଥିଲେ, ସେମାନେ ପୁଣି ଦେଶ ସ୍ବାଧୀନତା ପରେ ଦେଶ ଶାସନ କରିବାକୁ ରହିଲେ; ଯେଉଁମାନଙ୍କ ସେବା ମନୋବୃତ୍ତି କେବେ ବି ନ ଥିଲା। ଯାହା ଫଳରେ ଲୋକମାନେ ଅନେକ ସୁବିଧାରୁ ବଞ୍ଚତ୍ତ ହେଉଥିଲେ। ସେଥିମଧ୍ୟରୁ ମୁଖ୍ୟ ଭାବରେ କୃଷି ଉତ୍ପାଦନ ବୃଦ୍ଧି ପାଇଁ କୌଣସି ଉଦ୍ୟମ କରି ନ ଥିଲେ।
ଦେଶର ଏ ପ୍ରକାର ଅବସ୍ଥା ଦେଖି ଜଣେ ଆମେରିକୀୟ ସମାଜସେବୀ ଆଲ୍ବର୍ଟ ମୟର ପଣ୍ଡିତ ନେହେରୁଙ୍କୁ ଦେଖାକରି ଆମ ଦେଶର ଗ୍ରାମାଞ୍ଚଳର ବିକାଶ ପାଇଁ କିଛି କରିବାକୁ ଆଗ୍ରହ ପ୍ରକାଶ କରି କହିଲେ ଯେ, ଯଦି ପ୍ରଶାସନ ଗ୍ରାମାଭିମୁଖୀ ହେବ, ତେବେ ଦେଶର ଉନ୍ନତି ହୋଇପାରିବ। ଯାହାକି ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ କହିଥିଲେ, ଗ୍ରାମର ଉନ୍ନତି ହିଁ ଦେଶର ଉନ୍ନତି। ପଣ୍ଡିତ ନେହେରୁ ସେହି ଆମେରିକୀୟ ସମାଜସେବୀଙ୍କୁ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କୁ ଦେଖାକରିବାକୁ କହିଥିଲେ ଓ ପନ୍ଥ ଜୀଙ୍କ ନିର୍ଦ୍ଦେଶରେ ସେ ପ୍ରଥମେ ଉତ୍ତରପ୍ରଦେଶର ଇଟୱା ଜିଲାରେ କାମ କରିବା ପାଇଁ ଅନୁରୋଧ କରିଥିଲେ। ଆଲ୍ବର୍ଟ ସାହେବ ପ୍ରଥମେ ତାଙ୍କର ଯୋଜନା ଆରମ୍ଭରେ କିପରି ପ୍ରଶାସନକୁ ଗ୍ରାମାଭିମୁଖି କରାଯାଇପାରିବ ତାହା ଚେଷ୍ଟା କଲେ। କାରଣ ସ୍ବାଧୀନତାର ପରବର୍ତ୍ତୀ ସମୟରେ ଯାହା କିଛି ସରକାରୀ କାର୍ଯ୍ୟାଳୟ ଥିଲା, ତାହା ସବୁ ପ୍ରାୟ ଗ୍ରାମାଞ୍ଚଳଠାରୁ ଅନେକ ଦୂରରେ ଥିଲା ଓ ଏହାର ସୁଫଳ ଗ୍ରାମବାସୀ ପାଇ ପାରୁ ନ ଥିଲେ, ଯାହା ଫଳରେ ଗ୍ରାମମାନଙ୍କର ବିକାଶରେ ବାଧା ସୃଷ୍ଟି ହେଉଥିଲା। ମେୟର ସାହେବ ପ୍ରତି ଜିଲାକୁ କେତେକ ବ୍ଲକରେ ବିଭକ୍ତ କରିବାକୁ ପରାମର୍ଶ ଦେଲେ ଓ ପ୍ରତି ବ୍ଲକକୁ କେତେକ ପଞ୍ଚାୟତରେ ବିଭକ୍ତ କରିଦେଲେ। ପ୍ରତି ବ୍ଲକ ପ୍ରଶାସନ ପାଇଁ ଜଣେ ବ୍ଲକ ଡେଭଲପ୍ମେଣ୍ଟ ଅଫିସରଙ୍କ ସହିତ କେତେଜଣ ସମ୍ପ୍ରସାରଣ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଗଲା, ଯେଉଁମାନେ କି ତାଙ୍କ ବ୍ଲକ ଅଧୀନରେ ଥିବା ଗ୍ରାମମାନଙ୍କର ସ୍ବାସ୍ଥ୍ୟସେବା, ଶିକ୍ଷା, ଗମନାଗମନ, ସାମାଜିକ ଉନ୍ନତି, କୃଷିର ଉନ୍ନତି ପାଇଁ ପ୍ରତ୍ୟକ୍ଷ ଭାବରେ ଲୋକଙ୍କ ସହିତ ଜଡ଼ିତ ହେବେ। ପୁନଶ୍ଚ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ତାଲିମପ୍ରାପ୍ତ ଗ୍ରାମସେବକଙ୍କୁ ନିଯୁକ୍ତି ଦିଆଯାଇ ସେମାନେ ଚାଷୀମାନଙ୍କ ସହିତ ମିଶି ମାଛଚାଷ, ପଶୁପାଳନ, ମହୁଚାଷ ଇତ୍ୟାଦି ଅନେକ ବିଷୟରେ ଶିକ୍ଷା ଦେଇ ଗ୍ରାମବାସୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଉଥିଲେ ଓ ତାହାର ଫଳ ସ୍ବରୂପ ଗ୍ରାମାଞ୍ଚଳଗୁଡ଼ିକର ବିକାଶ ଅନେକାଂଶରେ ହୋଇଥିଲା।
ଇଟାୱେରେ ଏହି ସଫଳତା ଦେଖି ଭାରତ ସରକାର ୧୯୫୨ ଅକ୍ଟୋବର ୨ ତାରିଖରେ କମ୍ୟୁନିଟି ଡେଭେଲପ୍ମେଣ୍ଟ କାର୍ଯ୍ୟକ୍ରମ ସାରା ଦେଶରେ ଆରମ୍ଭ କରିଥିଲେ। ଆମ ରାଜ୍ୟର ଜୁନାଗଡ଼ ଓ ଭଦ୍ରକରେ ଏହା ପ୍ରଥମ କରି ଆରମ୍ଭ ହୋଇଥିଲା। ପରେ ସାରା ଦେଶର ପ୍ରତି ରାଜ୍ୟରେ ବ୍ଲକ ପ୍ରତିଷ୍ଠା କରାଯାଇ ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ଆରମ୍ଭ ହେଲା। ପ୍ରଥମେ ଏହି ଯୋଜନା ଦ୍ବାରା ଗ୍ରାମାଞ୍ଚଳର ଅନେକ ବିକାଶ ହୋଇ ପାରିଥିଲା। କିନ୍ତୁ ପଞ୍ଚାୟତିରାଜ ଆଇନ ପ୍ରଚଳିତ ହେବାରୁ ରାଜନୈତିକ ଲୋକମାନଙ୍କ ବ୍ଲକ ଓ ପଞ୍ଚାୟତରେ ଅବାଧ ପ୍ରବେଶ ଦ୍ୱାରା ଏହି ଯୋଜନା ଅନେକ ବାଧାପ୍ରାପ୍ତ ହୋଇଗଲା।
ବଡ଼ ଦୁଃଖର କଥା, ଆମ ପ୍ରଶାସନ ଯେଉଁମାନଙ୍କ ଉପରେ ଦେଶର ତଥା ରାଜ୍ୟର ବିକାଶରେ ନିର୍ଭର କରେ ଯଥା ଜିଲାପାଳ, ଏଡିଏମ୍, ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଗ୍ରାମସ୍ତରକୁ ଯିବାକୁ କୁଣ୍ଠାବୋଧ କରୁଛନ୍ତି ଓ ଗ୍ରାମାଞ୍ଚଳରେ ରହିଥିବା ଗ୍ରାମବାସୀମାନଙ୍କ ସମସ୍ୟାକୁ ପୂରାମାତ୍ରାରେ ଅଣଦେଖା କରୁଛନ୍ତି। ଯଦି ଏହି ପଦସ୍ଥ ଅଧିକାରୀମାନେ ପ୍ରକୃତ ଆନ୍ତରିକତା ଦେଖାଇ ଲୋକଙ୍କ ପାଖରେ ପହଞ୍ଚତ୍ ତାଙ୍କ ସମସ୍ୟା ସୁଧାରିବା ପାଇଁ ଚେଷ୍ଟ କରିଥାନ୍ତେ, ତେବେ ଆଦିବାସୀମାନେ ବାରମ୍ବାର ଅଖାଦ୍ୟ ଖାଉ ନ ଥା’ନ୍ତେ ବା ଦାଦନ ଖଟିବାକୁ ନିରୀହ ଗରିବ ଲୋକମାନେ ଯାଉ ନ ଥା’ନ୍ତେ ବା ମୃତ୍ୟୁମୁଖରେ ପଡ଼ୁ ନ ଥା’ନ୍ତେ। ତେଣୁ ଏ ସବୁ ସମସ୍ୟାର ସମାଧାନ ପାଇଁ ତଥା ଗ୍ରାମମାନଙ୍କର ବିକାଶ କରିବା ସହିତ ଦେଶର ଉନ୍ନତି ପାଇଁ ବିଭିନ୍ନ ବିଭାଗରେ ଥିବା ଉଚ୍ଚ ଅଧିକାରୀମାନେ ପ୍ରତି ମାସ ଅନ୍ତରାଳରେ କେବଳ ନିଜ କାର୍ଯ୍ୟାଳୟରେ ମିଟିଂ ନ କରି ପ୍ରତି ବ୍ଲକ ଓ ପଞ୍ଚାୟତକୁ ଗସ୍ତ କରି ଲୋକଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ ହେଲେ ଅନେକ ସମସ୍ୟା ଦୂର ହୋଇପାରିବ ଓ ଗ୍ରାମଗୁଡ଼ିକର ମଧ୍ୟ ବିକାଶ ହୋଇପାରିବ।
ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଆମ ଦେଶରେ ଏପରି ଅନେକ ଗଁା ଅଛି, ଯେଉଁଠାରେ ମୌଳିକ ସୁବିଧା ଯଥା ପାଣି, ରାସ୍ତା, ସ୍କୁଲ, ସ୍ବାସ୍ଥ୍ୟ, ଖାଦ୍ୟ ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି ।
ହେଲେ ପ୍ରଶାସନ ସେଠାରେ ପହଞ୍ଚତ୍ ପାରୁନାହିଁ। ରାଜନୈତିକ ଦଳର ଲୋକମାନେ କେବଳ ୫ ବର୍ଷରେ ଥରେ ନିଜ ଭୋଟ ହାତେଇବା ପାଇଁ ଗାଁକୁ ଯାଆନ୍ତି ଓ ସବୁ ପ୍ରତିଶ୍ରୁତି ଦେଇ ପରେ ତାହା ଭୁଲିଯାଆନ୍ତି। ଏହିପରି ଗ୍ରାମାଞ୍ଚଳ ଲୋକମାନେ ଦୁଇ ଆଡୁ ଅସୁବିଧାରେ ପଡ଼ୁଛନ୍ତି। ତେଣୁ ଦେଶରେ ବା ରାଜ୍ୟରେ ଯେ କୌଣସି ସରକାର ରୁହନ୍ତୁ ନା କାହିଁକି ସେମାନେ କେବଳ ଭାଷଣବାଜି ନ କରି ପ୍ରଶାସନକୁ ଗ୍ରାମାଭିମୁଖୀ କରିବାକୁ ଯଥେଷ୍ଟ ପରିମାଣରେ ଚେଷ୍ଟା କରିବା ନିହାତି ଆବଶ୍ୟକ। ଗ୍ରାମର ଉନ୍ନତି ହିଁ ଦେଶର ଉନ୍ନତି।
ଅବସରପ୍ରାପ୍ତ ନିର୍ଦ୍ଦେଶକ,
ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ
ସୂର୍ଯ୍ୟନଗର, ଭୁବନେଶ୍ୱର
ମୋ: ୯୪୩୭୧୮୫୬୦୭
The post ଲୋକାଭିମୁଖୀ ପ୍ରଶାସନ ଲୋଡ଼ା appeared first on Dharitri Odia News.