ଶାନ୍ତିର ନିକେତନ ଅଶାନ୍ତ
ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏ ସମାଜ ଯେତିକି କ୍ଷତିଗ୍ରସ୍ତ ନ ହୁଏ, ତତୋଧିକ କ୍ଷତିଗ୍ରସ୍ତ ହୁଏ ସଚେତନ ବର୍ଗ, ବିଦୁରବର୍ଗଙ୍କ ଉଦାସୀନତା ଯୋଗୁ। ସମାଜର ଉଦାସୀନପଣିଆକୁ ଦେଖି ଅନାଚାର ଆରମ୍ଭ କରିଦିଅନ୍ତି ଅସାମାଜିକ ବ୍ୟକ୍ତିମାନେ। ଫଳତଃ ସମାଜ ହୁଏ ବରବାଦୀ, ଠିକ୍ ବଙ୍ଗଭୂମି ପରି। ଅନ୍ୟାୟ/ଅନାଚାର ଦେଖି ନୀରବ ରହିଯିବା ଅର୍ଥ ମୌନ ସମର୍ଥନ ଦେବା, ଅନ୍ୟାୟକାରୀଙ୍କୁ ଉତ୍ସାହିତ କରିବା। ଏଭଳିସ୍ଥଳେ ଲେଖକଟିର ଦାୟିତ୍ୱ ଅଧିକ। ନୋବେଲ ପୁରସ୍କାରପ୍ରାପ୍ତ ଜର୍ମାନୀର ବିଶିଷ୍ଟ ଲେଖକ ଥମାସ ମାନ୍ଙ୍କ ଭାଷାରେ, […] The post ଶାନ୍ତିର ନିକେତନ ଅଶାନ୍ତ appeared first on Dharitri Odia News.
ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏ ସମାଜ ଯେତିକି କ୍ଷତିଗ୍ରସ୍ତ ନ ହୁଏ, ତତୋଧିକ କ୍ଷତିଗ୍ରସ୍ତ ହୁଏ ସଚେତନ ବର୍ଗ, ବିଦୁରବର୍ଗଙ୍କ ଉଦାସୀନତା ଯୋଗୁ। ସମାଜର ଉଦାସୀନପଣିଆକୁ ଦେଖି ଅନାଚାର ଆରମ୍ଭ କରିଦିଅନ୍ତି ଅସାମାଜିକ ବ୍ୟକ୍ତିମାନେ। ଫଳତଃ ସମାଜ ହୁଏ ବରବାଦୀ, ଠିକ୍ ବଙ୍ଗଭୂମି ପରି। ଅନ୍ୟାୟ/ଅନାଚାର ଦେଖି ନୀରବ ରହିଯିବା ଅର୍ଥ ମୌନ ସମର୍ଥନ ଦେବା, ଅନ୍ୟାୟକାରୀଙ୍କୁ ଉତ୍ସାହିତ କରିବା। ଏଭଳିସ୍ଥଳେ ଲେଖକଟିର ଦାୟିତ୍ୱ ଅଧିକ। ନୋବେଲ ପୁରସ୍କାରପ୍ରାପ୍ତ ଜର୍ମାନୀର ବିଶିଷ୍ଟ ଲେଖକ ଥମାସ ମାନ୍ଙ୍କ ଭାଷାରେ, ‘ଲେଖକ ହେଉଛି ସେହି ଲୋକ, ଯିଏ ପୀଡ଼ିତ/ ସାଧାରଣ ଜନତାଙ୍କ ଅପେକ୍ଷା ଅଧିକ କଷ୍ଟ ପାଏ।’ ସବୁ ଦେଖି ବୁଝିଲା ପରେ ବି କଲମ ଯଦି ନୀରବିଯାଏ, ସେଥିପାଇଁ ନୈତିକତା ଦୃଷ୍ଟିରୁ ଲେଖକଟିଏ ବି ଦୋଷୀ। ସମାଜକୁ ସଜା ପାଇଁ ପ୍ରୟାସ କରିବା, ସମାଜକୁ ସଚେତନ କରିବା, ସତ୍ୟର ଅବତାରଣା କରି ଅନ୍ଧକାର/ଅଜ୍ଞତାର ପରଦା ହଟେଇବା ଜଣେ ଲେଖକର ନୈତିକ ଦାୟିତ୍ୱ। ବିଭୂଷିତ ବଙ୍ଗଭୂମି ଆଜି କିଭଳି ବରବାଦୀ ହୋଇଛି ସେ ସମ୍ପର୍କରେ ସମ୍ୟକ୍ ଆଲୋଚନାପୂର୍ବକ ସମାଜକୁ ସତର୍କ କରେଇବା ଏ ଆଲେଖ୍ୟଟିର ଅସଲ ଉଦ୍ଦେଶ୍ୟ।
ବଙ୍ଗ ଭୂମି। ଅତୀତର ଏକ ବିଭୂଷିତ ଭୂଖଣ୍ଡ। ଏହି ହେଉଛି ସେହି ଭବ୍ୟ ଭୂମି, ଯାହା କି କେବଳ ଭାରତ ନୁହେଁ, ବିଶ୍ୱ ପାଇଁ ଦିନେ ଥିଲା ଆରାଧନାର ଭୂମି, ଆକର୍ଷଣର କେନ୍ଦ୍ର। ଭାରତର ଗୌରବ ଗାଥା, ଜ୍ଞାନ-ଗରିମାକୁ ବିଦେଶରେ ବାଣ୍ଟି ଦେଶକୁ ବିଭାଯୁକ୍ତ କରିଥିଲେ ସେ ମାଟିର ସନ୍ତାନମାନେ। ଶାଶ୍ୱତ ସନାତନ ସଂସ୍କୃତିର ପ୍ରଚାର-ପ୍ରସାର କରାଇ ସ୍ବାମୀ ବିବେକାନନ୍ଦଙ୍କଠାରୁ ସ୍ବାମୀ ଯୋଗାନନ୍ଦଙ୍କ ପର୍ଯ୍ୟନ୍ତ ଏ ଦେଶ ପାଇଁ ଆଣିଥିଲେ ପ୍ରସିଦ୍ଧି। ଆଜି ବି ଖୁଦିରାମ, ବାଘାଯତୀନ, ନେତାଜୀ ପ୍ରମୁଖଙ୍କ ବଳିଦାନର ବୀରଗାଥା ଶୁଣିଲେ ଲୋମ ଟାଙ୍କୁରି ଉଠେ। କେତେ କେତେ ସାଧକ, ତପସ୍ବୀ, ମହାପୁରୁଷଙ୍କ ଜନ୍ମଭୂମି, କର୍ମଭୂମି, ତପଭୂମି ହେଉଛି ବଙ୍ଗଭୂମି। କିନ୍ତୁ ଦୁର୍ଭାଗ୍ୟ, କାଲିର ବରଣର ଭୂମି ଆଜି ବରବାଦୀ ମୁହାଁ। ଅକଳନୀୟ ଅନାଚାର, ଅତ୍ୟାଚାର, ବ୍ୟଭିଚାର, ଭ୍ରଷ୍ଟାଚାର ଆଦିକୁ ନେଇ ପଶ୍ଚିମବଙ୍ଗ ସଦା ଚର୍ଚ୍ଚାରେ। ସାରାଦେଶର ଚିନ୍ତାଶୀଳ ଓ ବିଦ୍ୱାନବର୍ଗ ଖୁବ୍ ବ୍ୟଥିତ, ବ୍ୟତିବ୍ୟସ୍ତ ଆଜି। ପ୍ରଥମ ଅଣୟୁରୋପୀୟ ଭାବେ ସାହିତ୍ୟରେ ନୋବେଲ ପୁରସ୍କାର ପାଇ ଏସିଆ ମହାଦେଶକୁ ଉଦ୍ଭାସିତ କରିଥିବା ରବୀନ୍ଦ୍ର ନାଥଙ୍କ ଶାନ୍ତିର ନିକେତନଟି କ’ଣ ରାତାରାତି ଏମିତି ଅଶାନ୍ତ ହୋଇଗଲା!
ତଥ୍ୟାନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡା. ବିଧାନ ଚନ୍ଦ୍ର ରାୟଙ୍କ ମୃତ୍ୟୁ (ଜୁଲାଇ ୧୯୬୨)ପରେ ପଶ୍ଚିମବଙ୍ଗରେ ସୁଶାସନ ଅଭାବରୁ ଧୀରେ ଧୀରେ ଅପଶକ୍ତିଙ୍କ ଆବିର୍ଭାବ ହେଲା। ପ୍ରଫୁଲ୍ଲ ଚନ୍ଦ୍ର ସେନଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରରେ ଜନ ଅସନ୍ତୋଷ ବଢ଼ିଚାଲିଲା। ଫଳରେ ୧୯୬୭ ନିର୍ବାଚନରେ ବାମ ସାମ୍ମୁଖ୍ୟ ଓ ବଙ୍ଗ କଂଗ୍ରେସ ମିଳିତ ହୋଇ ଗଠନ କଲେ ସଂଯୁକ୍ତ ସାମ୍ମୁଖ୍ୟ ସରକାର; ଯେଉଁଥିରେ ସିପିଏମ୍ ଥିଲା ବୃହତ୍ ଅଂଶୀଦାର। ଏହିଠାରୁ ହିଁ ଆରମ୍ଭ ହୁଏ କମ୍ୟୁନିଷ୍ଟ କ୍ୟାଡରଙ୍କ କଦାଚରଣ। ଫେବୃଆରୀ ୧୯୬୮ରେ କମ୍ରେଡ୍ଙ୍କ ଦ୍ୱାରା ସଂଘଟିତ ଆସୁରିକ କାଣ୍ଡ ଥିଲା ଏକପ୍ରକାର ‘ଅସୁର ରାଜ’ ଆଗମନର ସନ୍ଦେଶ। ରାଜଧାନୀ ଛାତି ଉପରେ, ରବୀନ୍ଦ୍ର ସରୋବର ଷ୍ଟାଡିୟମରେ ସେଦିନ ଆୟୋଜିତ ହେଉଥାଏ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଅଶୋକ କୁମାର ନାଇଟ’। ହଠାତ୍ ଅତର୍କିତ ଆକ୍ରମଣ କଲେ ସଶସ୍ତ୍ର ଲାଲବାହିନୀ। ଲୁଟପାଟ, ରାହାଜାନି ସହିତ ଅନେକ ଝିଅବୋହୂଙ୍କ ଇଜ୍ଜତ ମାଟିରେ ମିଶିଲା। ଡଜନରୁ ଅଧିକ ଝିଅବୋହୂ ଗଣ-ବଳାତ୍କାରର ଶିକାର ହୋଇଥିଲେ। ତନ୍ମଧ୍ୟରୁ ଦୁଇଦିନ ପର୍ଯ୍ୟନ୍ତ ୩ ଜଣଙ୍କ ନଗ୍ନ ମୃତଦେହ ସ୍ଥାନୀୟ ହ୍ରଦ ନିକଟରେ ବିକ୍ଷିପ୍ତ ହୋଇ ପଡ଼ିଥିବାର ଦେଖିବାକୁ ମିଳିଥିଲା। ବିଶିଷ୍ଟ ଶିଳ୍ପପତି ଆଦିତ୍ୟ ବିର୍ଲା ମଧ୍ୟ ଦୁର୍ବୃତ୍ତଙ୍କ କବଳରୁ ନିସ୍ତାର ପାଇ ନ ଥିଲେ। ସେହିଦିନ ରାତିରେ ହିଁ ବଙ୍ଗଭୁମିକୁ ସବୁଦିନ ପାଇଁ ବାଏ ବାଏ କରି ନିଜ ଶିଳ୍ପ ସାମ୍ରାଜ୍ୟ ସମେତ ସପରିବାର ମୁମ୍ବାଇ ଚାଲିଗଲେ। ଷାଠିଏ-ସତୁରି ଦଶକରେ ସେତେବେଳେ କୋଲକାତା ଥିଲା ଭାରତର ସବୁଠୁ ସମୃଦ୍ଧ ସହର। ମୁମ୍ବାଇଠାରୁ ଅଧିକ ଥିଲା ଏଠାକାର ମୁଣ୍ଡପିଛା ଆୟ। କାରଣ ଶତାଧିକ ଛୋଟବଡ଼ କମ୍ପାନୀଙ୍କ ସମେତ ବହୁ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ମୁଖ୍ୟାଳୟ ଥିଲା କୋଲକାତା। ଜଣଙ୍କ ପରେ ଜଣେ ପ୍ରାୟ ସବୁ କମ୍ପାନୀ ଆଦିତ୍ୟ ବିର୍ଲାଙ୍କ ପରେ ପରେ କୋଲକାତାରୁ ଉଠାଇନେଲେ ନିଜ ମୁଖ୍ୟାଳୟ। ତା’ପରେ ୧୯୭୭ରୁ ନିରବଚ୍ଛିନ୍ନ ଭାବେ କମ୍ୟୁନିଷ୍ଟଙ୍କ ଶାସନ ଯୋଗୁ ଲାଗି ରହିଲା ଦାଦାଗିରି।
କମ୍ୟୁନିଷ୍ଟମାନଙ୍କ ଦୀର୍ଘ ନିରଙ୍କୁଶ ଶାସନ କାଳରେ ବାର୍ଷିକ ହାରାହାରି ୪୦ରୁ ଅଧିକ ବନ୍ଦ ଡାକରା ଦିଆଯାଇଛି। ସତ୍ୟ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦି ରେଡ୍ ଫାଇଲ୍ସ’ ହେଉଛି କମ୍ରେଡ୍ଙ୍କ କଳଙ୍କିତ କାହାଣୀମାଳାର ନମୁନା। ବିରୋଧୀଙ୍କ କଣ୍ଠରୋଧ କରିବାକୁ ଯାଇ କମ୍ରେଡ୍ମାନେ ଯେ କେତେ ନୃଶଂସ ହୋଇପାରନ୍ତି, ତାହା ସବୁ ଲେଖିବସିଲେ ବିରାଟ ବହିଟିଏ ହେବ। ସୁଦୀର୍ଘ ୩୪ବର୍ଷର ଶାସନରେ ରହି କମ୍ୟୁନିଷ୍ଟମାନେ କ୍ଷମତା ଓ ଖାତିର ଜାହିର କରିବାକୁ ଯାଇ ”ଜୋର୍ ଯା’ର, ମୁଲକ ତା’ର“ ନୀତିରେ ଭୟ-ବାତାବରଣର ଯେଉଁ ଧାରା ପ୍ରଚଳନ କରିଥିଲେ, ତାହାର ବର୍ଦ୍ଧିତ ସଂସ୍କରଣ ହେଉଛି ଆଜିର ଘଟଣାବଳୀ। କମ୍ରେଡ୍ଙ୍କ ଶାସନର ପତନ ପରେ ବହୁଳାଂଶ ଗୁଣ୍ଡାଜୀବୀ, ଅସାମାଜିକ ବ୍ୟକ୍ତିମାନେ ତୁରନ୍ତ ପଟ୍ଟ ପରିବର୍ତ୍ତନ କରି ସାମିଲ ହୋଇଗଲେ ଟିଏମ୍ସିରେ। କ୍ଷମତାର ଅତ୍ୟଧିକ ମୋହ ଏବଂ ବିରୋଧୀଙ୍କୁ ସାବାଡ଼ କରିବା ଲକ୍ଷ୍ୟରେ ଗୁଣ୍ଡାଜୀବୀଙ୍କୁ ନିଜ ଦଳରେ ସାମିଲ କରିବାକୁ ଟିଏମ୍ସି ଦ୍ୱିଧା ପ୍ରକାଶ କଲା ନାହିଁ । ଯାହାର ପରିଣତିରେ ଅଶାନ୍ତ ଆଜି ବଙ୍ଗଭୂମି, ବେକାବୁ ବେଙ୍ଗଲ। ବିଷଣ୍ଣ ବଙ୍ଗବାସୀ।
ଅନେକ ବର୍ଷ ପରେ ଆଜି ତେଜି ଜାଗିଉଠିଛନ୍ତି ସେ ମାଟିର ବୁଦ୍ଧିଜୀବୀ, ବିଦ୍ୱାନଜନ। ପ୍ରତିବାଦ ସଭା, ଶୋଭାଯାତ୍ରାରେ ଡାକ୍ତରଙ୍କ ସହିତ ସାମିଲ ହେଲେ ବୈଜ୍ଞାନିକ, ଇଞ୍ଜିନିୟର, ସାହିତି୍ୟକ, ଅଧ୍ୟାପକ, ଶିକ୍ଷକ, ଗାୟକ, ଶିଳ୍ପୀ, ଅଭିନେତା, କ୍ରୀଡ଼ାବିତ ଆଦି ସବୁ ବର୍ଗର ପ୍ରତିଭାମାନେ। ବହୁ ଆଗରୁ ବଙ୍ଗ ଭୂମିରେ ଯଦି ଆଜି ଦିନ ପରି ଏଭଳି ଜାଗରଣ ସୃଷ୍ଟି ହୋଇଥାନ୍ତା, ତେବେ ଏମିତି ଦୁରବସ୍ଥା ହୁଏତ ଭୋଗିବାକୁ ପଡ଼ି ନ ଥା’ନ୍ତା, କାରଣ ଆଲୋକର ଅନୁପସ୍ଥିତି ଯୋଗୁ ଅନ୍ଧକାର ସୁଯୋଗ ପାଏ ଆତ୍ମପ୍ରକାଶ କରିବାକୁ। ଏପରି କି ପୂର୍ଣ୍ଣମୀରେ ବି ଅମାବାସ୍ୟାର ଉପଲବ୍ଧି ହୁଏ, ଜହ୍ନ ଯେବେ ଲୁଚି ଯାଏ ଘନ ମେଘ ଆଢୁଆଳରେ। ଅତଏବ ଆଜି ଆସନ୍ତୁ ଜାଗ୍ରତ ହେବା। ଅନ୍ୟାୟ ଅନାଚାରକୁ ତିଳେମାତ୍ର ପ୍ରଶ୍ରୟ ନ ଦେଇ ତୀବ୍ର ବିରୋଧ କରିବା। ସମାଜ ସତତ ସତର୍କ ରହିଲେ, ସମାଜର ବାତାବରଣ ବି ରହିବ ଶାନ୍ତ, ସୁସ୍ଥ।
ମୋ: ୯୪୩୭୪୩୬୦୭୩
The post ଶାନ୍ତିର ନିକେତନ ଅଶାନ୍ତ appeared first on Dharitri Odia News.