ଶାଶୂର ପାଳିଏକୁ ବୋହୂୂର ପାଳିଏ
ଓଡ଼ିଶାର ପୁରପଲ୍ଲୀରେ ବହୁଦିନରୁ ଏପରି କଥାଟିଏ ପ୍ରଚଳିତ। ଶାଶୂ ଓ ବୋହୂ ବାହାରେ ପରସ୍ପରକୁ ପ୍ରଶଂସାରେ ପୋତି ପକାନ୍ତି; କିନ୍ତୁ ଯେତେବେଳେ ନିଶ୍ଚିତ ହୁଅନ୍ତି ଯେ ତାଙ୍କ କଥା ତୃତୀୟ ପକ୍ଷଙ୍କ କାନରେ ପଶୁ ନାହିଁ ସେତେବେଳେ ହୃଦୟକୁ ଖୋଲି ଦିଅନ୍ତି। ମାଆଟିଏ ତା’ର ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ ପୁଅର ଭଲ ପାଇଁ। ପୁଅର ମଙ୍ଗଳ ମନାସ କରି କେତେ ଓଷା ବ୍ରତ ପାଳେ, ଓପାସ ରହେ। ତା’ର ପାଠପଢ଼଼ା […]

ଓଡ଼ିଶାର ପୁରପଲ୍ଲୀରେ ବହୁଦିନରୁ ଏପରି କଥାଟିଏ ପ୍ରଚଳିତ। ଶାଶୂ ଓ ବୋହୂ ବାହାରେ ପରସ୍ପରକୁ ପ୍ରଶଂସାରେ ପୋତି ପକାନ୍ତି; କିନ୍ତୁ ଯେତେବେଳେ ନିଶ୍ଚିତ ହୁଅନ୍ତି ଯେ ତାଙ୍କ କଥା ତୃତୀୟ ପକ୍ଷଙ୍କ କାନରେ ପଶୁ ନାହିଁ ସେତେବେଳେ ହୃଦୟକୁ ଖୋଲି ଦିଅନ୍ତି।
ମାଆଟିଏ ତା’ର ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ ପୁଅର ଭଲ ପାଇଁ। ପୁଅର ମଙ୍ଗଳ ମନାସ କରି କେତେ ଓଷା ବ୍ରତ ପାଳେ, ଓପାସ ରହେ। ତା’ର ପାଠପଢ଼଼ା ପାଇଁ ଦରକାର ହେଲେ ନିଜ ପିନ୍ଧା ଅଳଙ୍କାର ବିକିଦିଏ। ଆଉ ସେଇ ପୁଅର ବାହାଘର ପାଲଟେ ମାଆର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଯେତେବେଳେ ପୁଅଟି ମାଆ କୋଳରେ ବସେ, ମାଆ ହାତରୁ କିଛି ଖାଏ ଆଉ ତା’ପରେ ବିବାହ ଶୋଭାଯାତ୍ରାରେ ବାହାରେ, ତାହା ମାଆଟି ପାଇଁ ଏକ ମାର୍ମିକ ମୁହୂର୍ତ୍ତ। ତା’ପରେ ପୁଅର ଅଳିଅର୍ଦ୍ଦଳି ଆଉ ମାଆ ସହିତ ରହେନାହିଁ। ତା’ର ସମସ୍ତ ଦାୟିତ୍ୱ ନେବା ପାଇଁ ଆସି ଯାଇଥାଏ ନୂଆ ଚରିତ୍ରଟିଏ – ତା’ର ପତ୍ନୀ। ଆଉ ଗୋଟିଏ ମାର୍ମିକ ଘଟଣା ହେଲା ନୂଆ ବୋହୂଟିଏ ଘରକୁ ଆସିବା ପରେ ତା’ର କାନିରେ ନିଜର ଚାବି ଲେନ୍ଥାଟି ବାନ୍ଧିଦିଏ ଶାଶୂ। ଦାୟିତ୍ୱ ହସ୍ତାନ୍ତରର ତାହା ଏକ ସାଂକେତିକ କାହାଣୀ। ଏତେଦିନ ଯାଏଁ ଯିଏ ଥିଲେ ଘର ମୁଖ୍ୟ ସ୍ଥପତି, ସିଏ କ୍ରମେ ଅନ୍ତର୍ହିତ ହୋଇ ପରିବର୍ତ୍ତିତ ହୋଇଯାଆନ୍ତି ଏକ ସହଚରିତ୍ର ଭାବରେ – ଏହା ହେଉଛି ଗୋଟିଏ ପୁଅ ବାହାଘର ପରର ଦୃଶ୍ୟ।
ପୁରାତନ କାଳରେ ଶାଶୂମାନଙ୍କ ପ୍ରତିପତ୍ତି ଥିଲା ଅମାପ। ସେମାନେ ପରିବାରର ସମସ୍ତ ଦାୟିତ୍ୱ ତୁଲାଉଥା’ନ୍ତି – ବୋହୂୂଟିଏ ପରିବାର ଭାର ବୋହିବା ପାଇଁ ଯୋଗ୍ୟ ହେବା ଯାଏଁ। ସେତେବେଳେ ଶାଶୂ-ଶ୍ୱଶୁରଙ୍କ ପାଦୁକ ପାଣି ନ ପାଇବା ପର୍ଯ୍ୟନ୍ତ ବୋହୂର ଜଳଯୋଗ ମଧ୍ୟ ଥିଲା ଅସମ୍ଭବ ଓ ଅସମୀଚୀନ ବ୍ୟାପାର। ଆର୍ଥିକ କ୍ଷମତା ଶାଶୂ-ଶ୍ୱଶୁରଙ୍କ ହାତରେ ଥିବାରୁ ନବବଧୂଟିଏ ତାଙ୍କର ବଶତା ସ୍ୱୀକାର କରିବା ଥିଲା ଏକ ଅବଶ୍ୟମ୍ଭାବୀ ପରିଣତି। କ୍ରମେ କୃଷିଭିତ୍ତିକ ସଭ୍ୟତାର ପରିବର୍ତ୍ତନ ହେଲା ଆଧୁନିକ ଶିକ୍ଷାର ବିକାଶରେ। ପୁରାତନ ଜାତିଭିତ୍ତିକ କୌଳିକ ବ୍ୟବସ୍ଥା ସମନ୍ୱିତ ପରିବାରର ମଧ୍ୟ ପରିବର୍ତ୍ତନ ହେଲା। ନାରୀ ଶିକ୍ଷାର ଅଭ୍ୟୁଦୟ ସହିତ ନାରୀ ସ୍ୱାଧୀନତା, ନିୟୋଜନରେ ନାରୀମାନଙ୍କର ପ୍ରାଥମିକତା ପରି ଅନେକ ବିଷୟ ସାମାଜିକ ବ୍ୟବସ୍ଥା ସହିତ ଆପେ ଆପେ ଯୋଡ଼ି ହୋଇଗଲା। ପିତାମାତାଙ୍କ ଦ୍ୱାରା ନିର୍ବାଚିତ କନ୍ୟା ବଧୂ ଭାବରେ ଗୃହ ପ୍ରବେଶ କରିବାର ପରମ୍ପରା ମଧ୍ୟ କେତେକାଂଶରେ ବ୍ୟାହତ ହେଲା। ଯେତେବେଳେ ବୋହୂୂ ନିଜେ ଶିକ୍ଷିତା ରୋଜଗାରକ୍ଷମ ଏବଂ ପତି ତାଙ୍କର ଆଦେଶ କାର୍ଯ୍ୟକାରୀ କରିବାକୁ ସତତ ପ୍ରସ୍ତୁତ, ସେତେବେଳେ ବା ଶାଶୂଙ୍କର ପୁରାତନ କାରନାମା ଚଳନ୍ତା କେମିତି? ଏହିକ୍ରମରେ ଏବେ ଚାଲିଛି ବୋହୂୂଙ୍କର ପାଳି। କେତେକ ପରିବାରରେ ବୋହୂ ନିର୍ଦ୍ଦେଶିକା ଏବଂ ଶାଶୂ ଜଣେ ପରିଚାରିକା।
ଶାଶୂଙ୍କର ବୟସ ବଢ଼଼ିଗଲେ ସିଏତ ବୋହୂୂଙ୍କର ଦୟାର ପାତ୍ର। ନିଜର ସ୍ୱାସ୍ଥ୍ୟ ସେବା ପାଇଁ ବୋହୂୂ ହିଁ ଏକମାତ୍ର ମାଧ୍ୟମ। ନହେଲେ କେତେବେଳେ ଅନାଥାଶ୍ରମକୁ ସ୍ଥାନାନ୍ତରିତ ହେବେ କହିହେବ ନାହିଁ। ଯଦି ସ୍ୱାମୀ ଆଗରୁ ଚାଲିଯାଇଥା’ନ୍ତି ତା’ହେଲେ ଶାଶୂଙ୍କ ଅବସ୍ଥା ନ କହିବା ଭଲ।
ତା’ହେଲେ କ’ଣ ପୂର୍ବକାଳରେ ଶାଶୂଙ୍କର ଯୁଗ ଥିଲା ବେଳେ ଏବେ ବୋହୂୂମାନଙ୍କର ଯୁଗର ଅୟମାରମ୍ଭ ହୋଇଛି? ଶାଶୂଟିଏ ଭୁଲିଯାଉଛି ଯେ ସେ ଦିନେ ବୋହୂୂ ଥିଲା ଏବଂ ବୋହୂୂଟି ବି ଭୁଲିଯାଉଛି ସେ ବି ଦିନେ ଶାଶୂ ପାଲଟିବ। ଉଭୟପକ୍ଷ ନିଜର ବର୍ତ୍ତମାନ ଭିତରେ ସୀମିତ। ବର୍ତ୍ତମାନ ହିଁ ଦିନେ ଅତୀତ ପାଲଟିବ ଏବଂ ବର୍ତ୍ତମାନ ଭିତରୁ ଦିନେ ଭବିଷ୍ୟତ ଜନ୍ମନେବ, ତାହା କେହି ଭାବିବାକୁ ପ୍ରସ୍ତୁତ ନୁହନ୍ତି। ଝିଅ, ବୋହୂୂୂ ଓ ଶାଶୂ ଗୋଟିଏ ଚରିତ୍ରର ତିନୋଟି ଅବସ୍ଥା। କିନ୍ତୁ ଏକଥା ଜଣେ ଭୁଲିଯାଉଛି। ଯେତେବେଳେ ସେ ଯେଉଁ ଚରିତ୍ରରେ ଅବତୀର୍ଣ୍ଣ ହେଉଛି ସେତେବେଳେ ଅନ୍ୟମାନେ ତା’କୁ ଗୌଣ ଦିଶୁଛନ୍ତି। ଏକ ଆତ୍ମସର୍ବସ୍ୱ ଦୃଷ୍ଟିକୋଣରୁ ସେ ନ ବାହାରିପାରି ନିଜର ଚରିତ୍ରର ବିକାଶ କରିପାରୁନାହିଁ। ଅନ୍ୟକୁ ସମ୍ମାନ ନ ଦେଲେ ଆମର ଚରିତ୍ରର ପ୍ରକୃତ ଗୁରୁତ୍ୱ ବଢ଼଼ିବ ନାହିଁ ଏକଥା ଆମେ କମ୍ ବୁଝୁଛୁ।
ଶାଶୂ-ବୋହୂ ବିବାଦରେ ସବୁଠୁ କ୍ଷତିଗ୍ରସ୍ତ ହୁଏ ପୁଅଟି। ଯିଏ ଦିନେ ପୁଅ ଥିଲା ଏବେ ସ୍ୱାମୀର ଭୂମିକା ନିଭାଉଛି। ଯଦି ସିଏ ଉଦାର ଓ ମାତୃଭକ୍ତ ହୋଇଥାଏ, ତା’ହେଲେ ସେ ନିଜେ ନିମନ୍ତ୍ରଣ କରେ ନିଜର ଅଶାନ୍ତିକୁ। ଅଶାନ୍ତି ବି ବଢ଼଼ି ବଢ଼଼ି ଆଇନଗତ ଯୁଦ୍ଧରେ ପରିଣତ ହୁଏ। କେତେ ପରିବାର ଭାଙ୍ଗିଯାଏ; କେତେ ମାଆ-ପୁଅଙ୍କର ବନ୍ଧନ ଛିନ୍ନ ହୁଏ। କେଉଁଠି ପୁଣି କ୍ରମାଗତ ଆଇନଗତ ଲଢ଼େଇ ପରିବାରର ସବୁ ଆନନ୍ଦକୁ ଉଜାଡ଼ିଦିଏ। ସେଇ ପୁଅଟି ବେଶି କଷ୍ଟ ପାଏ, ଯିଏ କି ଉଭୟଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ। ଇଂରାଜୀରେ କଥାଟିଏ ଅଛି ଯାହାକି ହିଟଲର କହୁଥିଲେ- ‘ହି ହୁ ଇଜ୍ ନଟ୍ ୱିଥ ଅସ୍ ଇଜ୍ ଏଗେନଷ୍ଟ ଅସ୍(ଯିଏ ଆମ ସହିତ ନାହିଁ ସେ ଆମ ବିରୋଧୀ)।’ ସେଇ କ୍ରମରେ ପୁଅଟି ନିଜକୁ ଆବିଷ୍କାର କରେ ଉଭୟ ମାଆ ଓ ପତ୍ନୀଙ୍କର ପ୍ରତିପକ୍ଷ ଭାବରେ।
ଆଜିକାଲି ଝିଅଟିଏ ବାହାଘର ପୂର୍ବରୁ ଖୋଜୁଛି ଘରେ ଆଉ କିଏ କିଏ ଅଛନ୍ତି? ଯଦି ଶାଶୂ ଆଉ ନଣନ୍ଦ ନାହାନ୍ତି ସେ ଭାବୁଛି ସେ ନିରୁପଦ୍ରୁତ। ବଡ଼ ଭୟଙ୍କର ମାନସିକ ସ୍ଥିତି ଇଏ। ଯେଉଁ ମାଆଟି ବୋହୂୂଟିକୁ ବରଣ କରେ, ସିଏ ଭାବେ ଏଇଟି ତା’ର ବୋହୂୂ ନୁହେଁ, ସିଏ ବି ତା’ର ଝିଅଟିଏ। ଦିନେ ତା’କୁ ସବୁ ଦାୟିତ୍ୱ ନେଇ ସିଏ ନିଶ୍ଚିନ୍ତ ହୋଇଯିବ। ତା’ର ପ୍ରାଣପ୍ରିୟ ପୁଅର ଯିଏ ସବୁ ଯତ୍ନ ନେବ, ଯିଏ ପରିବାରକୁ ନୂତନ ପିଢ଼ି ଆଣିଦେବ, ତା’ସହିତ ଶତ୍ରୁତା ହେବ କାହିଁକି? ଏହା କ’ଣ ତା’ ହେଲେ ଗୋଟାଏ ପିଢ଼ିଗତ ଚିନ୍ତନ ଦୂରତା(ଜେନେରେସନ ଗ୍ୟାପ୍) ନା ପିଢ଼ି ଭିତର ମାନସିକ ଶୂନ୍ୟତା? ଜୀବନରେ ଅନ୍ୟକୁ ବନ୍ଧୁ ଭାବରେ ଦେଖିଲେ ଜୀବନ ହୁଏ ଆନନ୍ଦମୟ। ସେଇଠି ହିଁ ରହିଛି ସ୍ୱର୍ଗ। ଆଉ ଯେଉଁଠି ଶତ୍ରୁ ଭୟ ତାହା ହେଉଛି ନର୍କ। ଶତ୍ରୁ ବୋଲି ମନେମନେ ବିବେଚନା କରି ଜଣେ ନିଜ ପାଇଁ ନର୍କକୁ ନିମନ୍ତ୍ରଣ କରୁନାହିଁ ତ? ଏଇ ମାନସିକତାରୁ ଶାଶୂ ଓ ବୋହୂ ମୁକ୍ତ ହେବେ କେବେ?
ଡ. ନିରଞ୍ଜନ ସାହୁ
ଭୁବନେଶ୍ୱର, ମୋ: ୯୪୩୮୪୮୨୯୧୧
(ପୂର୍ବତନ ପ୍ରଶାସନିକ ଅଧିକାରୀ)