ଶିକ୍ଷୟିତ୍ରୀଙ୍କ ଜଟିଳ ଫର୍ମୁଲାରେ ଫସିଗଲେ ଦୁଇ ଶିକ୍ଷକ, ସ୍କୁଲରେ ଫୁଟିଲା ଗୁଳି

ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଶିକ୍ଷକ ଜଣଙ୍କ ନିଜ ମୁଣ୍ଡକୁ ମଧ୍ୟ ଗୁଳି କରି ଦେଇଛନ୍ତି।

ଶିକ୍ଷୟିତ୍ରୀଙ୍କ ଜଟିଳ ଫର୍ମୁଲାରେ ଫସିଗଲେ ଦୁଇ ଶିକ୍ଷକ, ସ୍କୁଲରେ ଫୁଟିଲା ଗୁଳି

ଜଣେ ଶିକ୍ଷୟିତ୍ରୀଙ୍କ ପ୍ରେମ ପଡ଼ିଥିଲେ ଦୁଇ ଜଣ ଶିକ୍ଷକ। ଏକାସଙ୍ଗରେ ଦୁଇ ଜଣଙ୍କ ସହ ରୋମାନ୍ସ କରୁଥିଲେ ଶିକ୍ଷୟିତ୍ରୀ। ହେଲେ ଶିକ୍ଷୟିତ୍ରୀଙ୍କ ପ୍ରେମ ଜଟିଳ ଫର୍ମୁଲାକୁ ବୁଝି ପାରି ନଥିଲେ ଦୁଇ ଶିକ୍ଷକ।

ଶେଷରେ ଏହି ତ୍ରିପାକ୍ଷିକ ପ୍ରେମ କାହାଣୀ ଭୟଙ୍କର ରୂପ ନେଇଛି। ସ୍କୁଲ ଭିତରେ ଫୁଟିଛି ଗୁଳି। ଜଣେ ଶିକ୍ଷକ ପ୍ରେମରେ ଧୋକା ଖାଇବା ପରେ ଶିକ୍ଷୟିତ୍ରୀ ଓ ତାଙ୍କର ସହଯୋଗୀ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ଦୁଇ ଜଣଙ୍କୁ ହତ୍ୟା କରିବା ପରେ ଶିକ୍ଷକ ଜଣଙ୍କ ନିଜ ମୁଣ୍ଡକୁ ମଧ୍ୟ ଗୁଳି କରି ଦେଇଛନ୍ତି। ତେବେ ଏଯାଏ ତାଙ୍କର ମୃତ୍ୟୁ ହୋଇନାହିଁ। ଏବେ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।

ଝାରଖଣ୍ଡର ଗୋଡ୍ଡା ଜିଲ୍ଲାରେ ଥିବା ଗୋଟିଏ ସରକାରୀ ସ୍କୁଲରେ ଏପରି ଘଟଣା ଘଟିଛି। ପୁଲିସ୍‌ କହିଛି ଯେ ରାଜଧାନୀ ରାଞ୍ଚି ଠାରୁ ୩୦୦ କିମି ଦୂର ପୋରାଇୟାହାଟ ଅଞ୍ଚଳରେ ଥିବା ଛାତ୍ରା ଅପଗ୍ରେଡେଡ ସ୍କୁଲରେ ୩ ଜଣ ଯାକ ପିଲାଙ୍କୁ ପାଠ ପଢ଼ାଉଥିଲେ।

ଆଜି ସ୍କୁଲ ଚାଲିଥିବା ବେଳେ ଦିନ ୧୧ଟାରେ ପୂରା ଘଟଣା ଘଟିଛି। ସ୍କୁଲର ଗୋଟିଏ ରୁମରୁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ସେହିପରି ଅଭିଯୁକ୍ତ ଶିକ୍ଷକ ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି।

ଗୁଳିମାଡ଼ର ଶବ୍ଦ ଶୁଣି ସ୍କୁଲର ପିଲା ଓ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ରୁମ ଆଡ଼କୁ ଦୌଡ଼ିଥିଲେ। କିନ୍ତୁ ଉକ୍ତ ରୁମଟି ଭିତରୁ ବନ୍ଦ ରହିଥିଲା। ସେମାନଙ୍କ ଠାରୁ ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା।

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିବା ସହ କବାଟ ଭାଙ୍ଗି ରୁମ ଭିତରକୁ ପଶିଥିଲା। କିନ୍ତୁ ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ଅଭିଯୁକ୍ତ ଶିକ୍ଷକ ଜଣଙ୍କୁ ନିଜକୁ ମୁଣ୍ଡର ଡାହାଣ ପଟକୁ ଗୁଳି କରି ସାରିଥିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତ୍ରିପାକ୍ଷିକ ପ୍ରେମ ସମ୍ପର୍କରୁ ଏତେ ବଡ଼ ଘଟଣା ଘଟିଛି। ଗାଁ ଲୋକ ଓ ସ୍କୁଲ ପିଲାଙ୍କ କହିବା କଥା ଯେ ଦୁଇ ଶିକ୍ଷକଙ୍କ ସହ ଶିକ୍ଷୟିତ୍ରୀଙ୍କ ରୋମାଣ୍ଟିକ ସମ୍ପର୍କ ରହିଥିଲା।

ମୃତ ଦୁଇ ଜଣ ହେଲେ ସୁଜାତା ମିଶ୍ରା(୩୫) ଓ ଆଦର୍ଶ ସିଂହ(୪୦)। ସୁଜାତାଙ୍କ ଘର ପୋରାଇୟାହାଟରେ ହୋଇଥିବା ବେଳେ ଆଦର୍ଶଙ୍କ ଘର ଉତ୍ତର ପ୍ରଦେଶର ଚାଣ୍ଡୋଲିରେ। ଆହତ ଶିକ୍ଷକ ଜଣଙ୍କ ହେଲେ ୪୨ ବର୍ଷୀୟ ରବି ରଞ୍ଜନ। ତାଙ୍କ ଘର ପୋରାଇୟାହାଟ ମୁଖ୍ୟ ମାର୍କେଟ ଅଞ୍ଚଳରେ।

ରବି ରଞ୍ଜନ ୩ଟି ଗୁଳି ଆଦର୍ଶଙ୍କ ଉପରୁ ଚଳାଇଥିଲେ। ସେହିପରି ସୁଜାତା ଗୋଟିଏ ଗୁଳିରେ ପ୍ରାଣ ହରାଇଛନ୍ତି। ରବିଙ୍କ ଠାରୁ ଦୁଇଟି ଦେଶ ବନ୍ଧୁକ ଜବତ ହୋଇଛି। କିନ୍ତୁ ହତ୍ୟାକାଣ୍ଡ ପାଇଁ ସେ ଗୋଟିଏ ବନ୍ଧୁକର ବ୍ୟବହାର କରିଥିଲେ।