‘ଶିଳାପତି, କେରାପତି ଓ ମଣିପୁରୀ’ର ଚାହିଦା ବେଶି

ଭୁବନେଶ୍ୱର: ଓଡ଼ିଶା ଗଞ୍ଜେଇର ଚାହିଦା ଦିଲ୍ଲୀ ଓ ମୁମ୍ବଇରେ ରହିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀକୁ ଏନ୍‌ସିବି ଜେରା କରିଥିଲା। ରିୟାଙ୍କ ବୟାନରୁ ଓଡ଼ିଶା ଗଞ୍ଜେଇ କଥା ପଦାକୁ ଆସିଥିଲା। କର୍ଣ୍ଣାଟକ, ଦିଲ୍ଲୀ ଓ ମୁମ୍ବଇ ଭଳି ସହରରୁ ଓଡ଼ିଶାର ଗଞ୍ଜେଇ ବାରମ୍ବାର ଜବତ ହେବା ଘଟଣା ଏହାକୁ ପ୍ରମାଣିତ କରୁଛି। ଟଲିଉଡ୍ ଠାରୁ ବଲିଉଡ୍ ସମସ୍ତଙ୍କୁ ଓଡ଼ିଶା ଗଞ୍ଜେଇ ବାୟା କରିଛି। ସେଥିପାଇଁ ରାଜ୍ୟ ବାହାରକୁ ବିପୁଳ […]

‘ଶିଳାପତି, କେରାପତି ଓ ମଣିପୁରୀ’ର ଚାହିଦା ବେଶି

ଭୁବନେଶ୍ୱର: ଓଡ଼ିଶା ଗଞ୍ଜେଇର ଚାହିଦା ଦିଲ୍ଲୀ ଓ ମୁମ୍ବଇରେ ରହିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀକୁ ଏନ୍‌ସିବି ଜେରା କରିଥିଲା। ରିୟାଙ୍କ ବୟାନରୁ ଓଡ଼ିଶା ଗଞ୍ଜେଇ କଥା ପଦାକୁ ଆସିଥିଲା। କର୍ଣ୍ଣାଟକ, ଦିଲ୍ଲୀ ଓ ମୁମ୍ବଇ ଭଳି ସହରରୁ ଓଡ଼ିଶାର ଗଞ୍ଜେଇ ବାରମ୍ବାର ଜବତ ହେବା ଘଟଣା ଏହାକୁ ପ୍ରମାଣିତ କରୁଛି। ଟଲିଉଡ୍ ଠାରୁ ବଲିଉଡ୍ ସମସ୍ତଙ୍କୁ ଓଡ଼ିଶା ଗଞ୍ଜେଇ ବାୟା କରିଛି। ସେଥିପାଇଁ ରାଜ୍ୟ ବାହାରକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଛି। ଚାଷୀଙ୍କ ପାଖରୁ କେ.ଜି ପ୍ରତି ୨୦୦୦ରୁ ୩୦୦୦ ଟଙ୍କାରେ କିଣି ନିଶା ମାଫିଆମାନେ ୩୦ରୁ ୩୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଏହା ଉପରେ ଲଗାମ ଦେବାକୁ କାହାର ଯେମିତି ବଳ ନାହଁ।
ରିେପାର୍ଟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରୁ ଗଞ୍ଜେଇ ନେଇ ରାଜ୍ୟ ବାହାରକୁ ଯାଉଥିବା ୬୩ ଓଡ଼ିଆ ନିଶା ବେପାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୯୮ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଆନ୍ତଃରାଜ୍ୟ ନିଶା ବେପାର ବନ୍ଦ କରିବା ପାଇଁ ଅନେକ ଥର ଆନ୍ତଃରାଜ୍ୟ ବୈଠକ ହୋଇଛି। ଏହାପରେ ବି ନିଶା କାରବାର ରୋକିବାରେ ପୁଲିସ ବିଫଳତା ପଦାରେ ପଡ଼ୁଛି। ଗୁଇନ୍ଦା ବିଭାଗ ମଧ୍ୟ ଗଞ୍ଜେଇ ଚାଷ ଏବଂ ଚାଲାଣ ଉପରେ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇନାହିଁ। ମୁମ୍ବଇ ଏନ୍‌ସିବି ହାତରେ ଓଡ଼ିଶା କୁଖ୍ୟାତ ଗଞ୍ଜେଇ ବେପାରୀ ନିଲୁ ପ୍ରଧାନ ଧରାପଡ଼ିବା ଏଭଳି ତଥ୍ୟକୁ ପ୍ରମାଣିତ କରୁଛି। ମୁମ୍ବଇରେ ନିଲୁର ଗଞ୍ଜେଇ କାରବାର ରହିଥିଲା। ତାକୁ ଧରିବା ଲାଗି ମୁମ୍ବଇ ଏନ୍‌ସିବି ଜାଲ ବିଛାଇ ଥିଲା। ଶେଷରେ ତାକୁ ଧରିବାରେ ସଫଳ ହୋଇଥିଲା।
ଆନ୍ତଃରାଜ୍ୟ ନିଶା ବେପାର ଉପରେ ଅଙ୍କୁଶ ଲଗାଇବା ପାଇଁ ୨୦୧୭ରୁ ୨୦୨୩ ଭିତରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା ଓ ଝାଡ଼ଖଣ୍ଡ ମଧ୍ୟରେ ୫ ଥର ବୈଠକ କରାଯାଇଥିଲା। ଓଡ଼ିଶାରୁ ରାଜ୍ୟ ବାହାରକୁ ଯାଉଥିବା ଗଞ୍ଜେଇ ଚାଲାଣ ରୋକିବା ସହ ସୀମାରେ ହେଉଥିବା ଚାଷକୁ ନଷ୍ଟ କରିବା ବୈଠକର ମୂଳଲକ୍ଷ୍ୟ ଥିଲା। କରୋନା ପାଇଁ ଦୁଇ ବର୍ଷ ଏନେଇ ଉପରୋକ୍ତ ରାଜ୍ୟଗୁଡ଼ିକ ସହ କୌଣସି ଆଲୋଚନା ହୋଇପାରିନଥିଲା। ସରକାରୀ ତଥ୍ୟ ଅନୁସାରେ, ଅନୁଗୋଳ, ସମ୍ବଲପୁର, ଦେବଗଡ଼, ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, ମାଲକାନଗିରି, ନୟାଗଡ଼ ଓ କୋରାପୁଟ ଜିଲାର କିଛି ପ୍ରମୁଖ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି। ଅନୁଗୋଳ, ସମ୍ବଲପୁର, ନୟାଗଡ଼ ଓ ବୌଦ୍ଧ ଜିଲାରେ ଚାଷ କମ୍ କରାଯାଉଛି। ଅନ୍ୟ ଅଞ୍ଚଳରେ ହଜାର ହଜାର ଏକର ଗଞ୍ଜେଇ ଚାଷ ହେଉଛି। ୨୦୨୧-୨୦୨୨ରେ ୨୩ ହଜାର ଏକର ଜମିରେ ଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି, ୨୦୨୨-୨୦୨୩ରେ ୨୪ ହଜାର ଏକର ଓ ୨୦୨୩-୨୦୨୪ରେ ଏବେସୁଦ୍ଧା ୧୦ ହଜାର ଏକରରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌, ଅବକାରୀ ଓ ସ୍ଥାନୀୟ ପୁଲିସ। ମାଓ ଉପଦ୍ରୁତ ଅଞ୍ଚଳରେ ଚାଷ ହେଉଥିବାରୁ ସେଠାକୁ ଯାଇ ନଷ୍ଟ କରିବାକୁ ପୁଲିସ୍, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ଓ ବନବିଭାଗ ସାହସ କରୁନାହାନ୍ତି। ଏହାର ଫାଇଦା ନେଉଛନ୍ତି ନିଶା ମାଫିଆ ଓ ମାଓବାଦୀ। କୋଟି କୋଟି ଟଙ୍କାର ଗଞ୍ଜେଇ ରାଜ୍ୟ ବିହାରକୁ ସହଜରେ ଚାଲାଣ ହେଉଛି। ବିଶେଷ କରି କୋରାପୁଟ ଓ ମାଲକାନଗିରର ପାହାଡ଼ିଆ ଅଞ୍ଚଳରେ ହେଉଥିବା ଗଞ୍ଜେଇର ଚାହିଦା ସାରା େଦଶରେ ରହିଛି। ଏହି ଗଞ୍ଜେଇର ନାମ ଶିଳାପତି, କେରାପତି ଓ ମଣିପୁରୀ। ରାଜ୍ୟ ବାହାରେ ଏହି ଗଞ୍ଜେଇର ଚାହିଦା ସର୍ବାଧିକ।
ଅଭିନେତ୍ରୀ ରିୟାଙ୍କ ମେଲ୍ ଯାଞ୍ଚ ସମୟରେ ଓଡ଼ିଶା ଗଞ୍ଜେଇର ମାନ ବିଷୟରେ ସାରା ଦେଶ ଜାଣିଥିଲା। ରିୟା ଭୁବନେଶ୍ୱର ଆସିଥିବା ବେଳେ ଯେଉଁ ଗଞ୍ଜେଇ ସେବନ କରିଥିଲେ ତାହା ଦେଶର ଆଉ କେଉଁଠି ନାହିଁ ବୋଲି ଏନସିବି ତାଙ୍କ ମେଲରୁ ଜାଣିବାକୁ ପାଇଥିଲା। ୨୦୧୯ ମାର୍ଚ୍ଚରେ କର୍ଣ୍ଣାଟକ (‌େ‌ବଙ୍ଗାଲୁରୁ) ଟେଲି ଭିଜନର ଜଣେ ବରିଷ୍ଠ ଅଭିନେତାଙ୍କ ଘରୁ ପୁଲିସ ୩ ଶହ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲା। ଯାଞ୍ଚ ସମୟରେ ଓଡ଼ିଶା ଲିଙ୍କ୍ ପଦାକୁ ଆସିଥିଲା। ସେହିପରି ୨୦୨୦ ଅଗଷ୍ଟରେ ଏନ୍‌ସିବି ବିହାରରୁ ଏକ ତେଲ ଟ୍ୟାଙ୍କରରୁ ୧୦ କ୍ବିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା। ଏହି ଗଞ୍ଜେଇ କୋରାପୁଟରୁ କଲକାତା ଦେଇ ବିହାର ଯାଇଥିବା ତଦନ୍ତରୁ ଜଣାପଡ଼ିଥିଲା। କିଛି ଦିନ ତଳେ ଛତିଶଗଡ଼ରେ ଗଞ୍ଜେଇ ଗାଡ଼ି ଦୁର୍ଘଟଣାରେ ଜଣଙ୍କ ଜୀବନ ଯିବା ସହ ଅନେକ ଆହତ ହୋଇଥିଲେ। ଉକ୍ତ ଗଞ୍ଜେଇ ଗାଡ଼ି ଓଡ଼ିଶାରୁ ଛତିଶଗଡ଼ େଦଇ ଯାଉଥିଲା ବୋଲି ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା। ଓଡ଼ିଶାରେ ଚାଷ ହେଉଥିବା ଗଞ୍ଜେଇ ମଧ୍ୟରୁ ୮୦ ପ୍ରତିଶତ ରାଜ୍ୟ ବାହାରକୁ ଚାଲାଣ ହେଉଛି। ଏସଂକ୍ରାନ୍ତରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହନ୍ତି ଯେ, କିଛି ଲୋକ ଗଞ୍ଜେଇ ଚାଷ କରି ପରିବାର ଚଳାଉଛନ୍ତି। ଉପଗ୍ରହ ଫୁଟେଜ୍ ସୂତ୍ରରେ ଏଗୁଡ଼ିକୁ ନଷ୍ଟ କରାଯାଉଛି। ଗଞ୍ଜେଇ ଚାଷକୁ ନଷ୍ଟ କରାଗଲେ ସମ୍ପୃକ୍ତ ଚାଷୀଙ୍କ ପାଇଁ ସମସ୍ୟା ବଢ଼ୁଛି। ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଯେଉଁ ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି, ସେଠାରେ ତରଭୂଜ ଚାଷ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବା ବୋଲି କୁହାଯାଇଥିଲା। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜଣାପଡ଼ିଛି। ଓଡ଼ିଶାରେ ଗଞ୍ଜେଇ ଚାଷ ରୋକିବା ପାଇଁ ମିଳିତ ଉଦ୍ୟମ ଜରୁରୀ ହୋଇଛି।