ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ
ପୁରୀ,୨୫ା୧(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ପରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଶ୍ରୀମନ୍ଦିର ପରିକ୍ରମା ପ୍ର୍କଳ୍ପ ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ପୁରୀକୁ ଆସିବେ। ବସ୍ଗୁଡିକର ପାର୍କିଂ ଓ ଭକ୍ତଙ୍କ ରହଣି ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମଙ୍ଗଠାରେ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବାକୁ ସମଙ୍ଗ ସଜେଇ ହୋଇଛି। ବିଭିନ୍ନ […] The post ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ appeared first on Dharitri Odia News.
ପୁରୀ,୨୫ା୧(ଅଜିତ୍ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଲୋକାର୍ପଣ ପରେ ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଯେପରି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଓ ଶ୍ରୀମନ୍ଦିର ପରିକ୍ରମା ପ୍ର୍କଳ୍ପ ମାର୍ଗରେ ପ୍ରଦକ୍ଷିଣ କରିପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ପୁରୀକୁ ଆସିବେ। ବସ୍ଗୁଡିକର ପାର୍କିଂ ଓ ଭକ୍ତଙ୍କ ରହଣି ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ସମଙ୍ଗଠାରେ ବ୍ୟବସ୍ଥା ହୋଇଛି। ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବାକୁ ସମଙ୍ଗ ସଜେଇ ହୋଇଛି।
ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ଦେଢ଼ଲକ୍ଷ ଭକ୍ତ ଆସିବେ ବୋଲି ଆକଳନ କରାଯାଇଛି। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରିବେ। ଶ୍ରୀମାର୍ଗ ଓ ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ଆୟୋଜିତ ପ୍ରଦର୍ଶନୀରେ ଜଗନ୍ନାଥ ସଂସ୍କୃତିକୁ ନେଇ ଜ୍ଞାନ ସାଉଟିବେ। ଏଥିପାଇଁ ପୁରୀ ସମଙ୍ଗ ପାର୍କିଂରେ ସମସ୍ତ ପ୍ରସ୍ତୁତି ସରିଛି। ଗୁରୁବାରଠାରୁ ଭକ୍ତଙ୍କୁ ଅଣାଯିବ ବୋଲି ନିଷ୍ପତ୍ତିିି ଚୂଡ଼ାନ୍ତ ହୋଇଛି। ଜାନୁଆରୀ ୨୫ରୁ ଫେବୃଆରୀ ୨୦ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଲେଖାଏ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ରହଣି ସହ ଖାଦ୍ୟ ପାନୀୟ ବ୍ୟବସ୍ଥା ସମଙ୍ଗ ପାର୍କିଂଠାରେ ହୋଇଛି। ଏଥିପାଇଁ ବିଶାଳକାୟ ୨ଟି ଟେଣ୍ଟ ବନ୍ଧାଯାଇଛି। ଗୋଟିଏ ଟେଣ୍ଟ ତଳେ ପାଖାପାଖି ୫୦୦୦ ଲୋକ ବସି ଖାଦ୍ୟ ଖାଇପାରିବେ। ଏଠାରେ ଚେୟାର ଓ ଡାଇନିଂ ଟେବୁଲ ମଧ୍ୟ ପକାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସ୍ନାନ ଶୌଚ ବ୍ୟବସ୍ଥା କରାଯାଇଛି। ପାଖାପାଖି ୩୦ଟି ଉଠା ଶୌଚାଳୟ ବ୍ୟବସ୍ଥା ହୋଇଛି। ପାନୀୟ ଜଳ ପାଇଁ ୫୦ରୁ ୬୦ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ପାଣି ଟାଙ୍କି ରଖାଯାଇଛି। ଏଠାରେ ସମୁଦାୟ ୨୦ଟି ପାଣି ଟାଙ୍କି ରଖାଯାଇଛି। ଏହା ଛଡ଼ା ଦୂର ଜାଗାରୁ ଯାତ୍ରା କରି ଆସିଥିବା ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ଆରାମ ନେବାକୁ ଚାହିଁଲେ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ ହୋଇଛି। ପାର୍କିଂ ପରିସରରେ ୩ଟି ଅସ୍ଥାୟୀ ସେଡ୍ ପ୍ରସ୍ତୁତ କରାଯାଇଛି। ଏଥିସହ ଗୋଟିଏ ଅଫିସ୍ ରୁମ୍ ସହ ୫ଟି ରୋଷେଇଶାଳା ଓ ରନ୍ଧା ଖାଦ୍ୟ ପାଇଁ ଷ୍ଟୋର୍ ରୁମ୍, ଡାଏନିଙ୍ଗ୍ ଷ୍ଟଲ, ପିଇବା ପାଣିର ବ୍ୟବସ୍ଥା, ଟଏଲେଟ, ସିସିଟିଭି, ସୁରକ୍ଷାକର୍ମୀ, ଫାଷ୍ଟ ଏଡ୍ ସେଣ୍ଟର, ଦମକଳ ଗାଡି, ପୋଲିସ ଆଉଟପୋଷ୍ଟ, ମିଲ୍ ଖାଇବା ପାଇଁ ବିରାଟ ଷ୍ଟଲ୍ ଇତ୍ୟାଦି ବ୍ୟବସ୍ଥା ହୋଇଥିବା ବେଳେ ପ୍ରଶାସନିକ ଅଧିକାରୀମାନେ ବୁଧବାର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବସ୍ଗୁଡ଼ିକ ସମଙ୍ଗ ପାର୍କିଂରେ ଲାଗିବା ପରେ ଏଥିରେ ଆସିଥିବା ଭକ୍ତମାନଙ୍କୁ ଜଳଖିଆ ଖାଇବାକୁ ଦିଆଯିବ। ସେଠାରୁ ସେମାନଙ୍କୁ ବସ ଯୋଗେ ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ନିଆଯିବ। ପ୍ରଦର୍ଶନୀ ବୁଲି ଜଗନ୍ନାଥଙ୍କ ୨୫ଟି ବେଶ, ପରିକ୍ରମା ପ୍ରକଳ୍ପ ପ୍ରତିକୃତି, ରଥଯାତ୍ରା ପ୍ରତିକୃତିର ଦର୍ଶନ କରିବା ସହ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଜ୍ଞାନ ଅର୍ଜନ କରିବେ। ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ମଧ୍ୟାହ୍ନ ଭୋଜନ କରି ଶ୍ରଦ୍ଧାଳୁ ନିଜନିଜ ଅଞ୍ଚଳକୁ ଫେରିବେ। ଏନେଇ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇ କହିଛନ୍ତି, ୨୫ ତାରିଖଠାରୁ ପ୍ରତ୍ୟେକ ଜିଲାରୁ ଭକ୍ତମାନେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ୮ ହଜାରୁ ୧୦ ହଜାର ପର୍ଯ୍ୟନ୍ତ ଭକ୍ତ ଆସିପାରନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନରେ ଗଞ୍ଜାମ, ମୟୂରଭଞ୍ଜ ସହ ଅନ୍ୟ ୩ଟି ଜିଲାରୁ ଭକ୍ତ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଅନୁଯାୟୀ ସୁଆରମହାସୁଆର ନିଯୋଗ ଦୈନିକ ୨୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟଞ୍ଜନ ବା ମିଲ୍ ବାଣ୍ଟିବା ସହ ମହାପ୍ରଭୁଙ୍କ ଶୁଖିଲା ଭୋଗ ପେଡିରେ ବାଣ୍ଟିିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି। ପ୍ରତ୍ୟେକ ମିଲ୍ ପିଛା ୧୨୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେଥିରେ ଜିରା ରାଇସ୍, ଡାଲମା, ବେସର,ମହୁର, ଖଟା, ଖିରି ଓ ପାଣି ବୋତଲର ବ୍ୟବସ୍ଥା ରହିଥିବା ସହ ୫୦ ଟଙ୍କା ମୂଲ୍ୟର ଗୋଟିଏ ପେଡି ମହାପ୍ରଭୁଙ୍କ ଶୁଖିଲା ଭୋଗ ରହିଥିବା ଜଣାପଡ଼ିଛି।
The post ଶ୍ରଦ୍ଧାଳୁଙ୍କୁ ସ୍ବାଗତ ପାଇଁ ସଜେଇ ହୋଇଛି ସମଙ୍ଗ appeared first on Dharitri Odia News.