ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ, ପରିକ୍ରମା ପ୍ରକଳ୍ପର ହେଲା ଲୋକାର୍ପଣ

ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ। ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଥିଲେ ।

ଶ୍ରୀକ୍ଷେତ୍ର ଲେଖିଲା ନୂଆ ଇତିହାସ, ପରିକ୍ରମା ପ୍ରକଳ୍ପର ହେଲା ଲୋକାର୍ପଣ

ପୌଷ ଶୁକ୍ଳ ସପ୍ତମୀର ଶୁଭଲଗ୍ନ । ଗଜପତି ମହାରାଜାଙ୍କ ମାର୍ଗଦର୍ଶନ। ଯଜ୍ଞ ଧୂନୀ ସହ ଏକାକାର ହେଉଥିଲା ବେଦ ଧ୍ୱନି। ଆଦି ନୃସିଂହଙ୍କ ମନ୍ତ୍ରରେ ଚଉଦିଗ ମୁଖରିତ ବେଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସଂପନ୍ନ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ଶ୍ରୀମନ୍ଦିର ଇତିହାସରେ ଲିପିବଦ୍ଧ ସେହି ଐତିହାସିକ କ୍ଷଣ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ସକାଳୁ ସକାଳୁ ଉତ୍ସବ ମୁଖରିତ ହୋଇଥିଲା ଶ୍ରୀକ୍ଷେତ୍ର। ତ୍ରିଦିନାତ୍ମକ ଯଜ୍ଞକୁଣ୍ଡରେ ଆଚାର୍ଯ୍ୟମାନଙ୍କ ଦ୍ୱାରା ଘୃତାହୂତି ପ୍ରଦାନ ଚାଲିଥିଲା ତ ଅନ୍ୟପଟେ ନାମ ସଂକୀର୍ତ୍ତନରେ କଂପୁଥିଲା ନବନିର୍ମିତ ପରିକ୍ରମା ମାର୍ଗ। ଧିରେ ଧିରେ ଅତିଥିମାନଙ୍କ ଆଗମନ ଭିତରେ ପ୍ରକଳ୍ପ ସ୍ଥଳରେ ପହଞ୍ଚିଥିଲେ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଠିକ୍ ପରେ ପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆପାଟ ଦେଇ ସ୍ୱାଗତ କରାଯିବା ପରେ ପାଛୋଟି ନେଇଥିଲେ ଗଜପତି। ସେଠୁ ଉଭୟେ ସିଧା ପରିକ୍ରମା ପ୍ରକଳ୍ପ ଫଳକ ସ୍ଥଳକୁ ଯାଇଥିଲେ। ଗଜପତିଙ୍କ ଦ୍ୱାରା ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପରିକ୍ରମା ପ୍ରକଳ୍ପ ମାର୍ଗକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ଗଜପତି ମହାରାଜା ଯଜ୍ଞରେ ପୂର୍ଣ୍ଣାହୂତି ଦେଇଥିଲେ। ତାପରେ ହୋଇଥିଲା ପ୍ରଦକ୍ଷଣ କାର୍ଯ୍ୟକ୍ରମ। ଗଜପତି ମହାରାଜାଙ୍କ ସହ ମୁଖ୍ୟମନ୍ତ୍ରୀ ନବ ନିର୍ମିତ ପରିକ୍ରମା ମାର୍ଗକୁ ଚାଲି ଚାଲି ପ୍ରଦକ୍ଷଣ କରିଥିଲେ। ତେବେ ଖୋଦ୍ ଗଜପତି ଓ ମୁଖ୍ୟ ପ୍ରଶାସକଙ୍କ ନିମନ୍ତ୍ରଣ ସତ୍ତ୍ୱେ ଆଜିର ଉତ୍ସବକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନ ଆସିବାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ନୂଆ ପରିକ୍ରମା ମାର୍ଗ, ପ୍ରଦକ୍ଷଣ କରି ନୂଆ ଅନୁଭବ। ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ଆଜି ବି ଲୋକାର୍ପିତ ହୋଇଛି ଶ୍ରୀମାର୍ଗ ଓ ଶ୍ରୀସେତୁ। ତା ସହ ଜଗନ୍ନାଥ ବଲ୍ଳଭ ବହୁତଳ ପାର୍କିଂ ବି ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଆଜିର ଏ ଲୋକାର୍ପଣ ଉତ୍ସବରେ ସାମିଲ ହେଇା ମହାପ୍ରଭୁଙ୍କ ଆଶିଷ ଲାଭ କରିଥିବା ସାଧାରଣ ଭକ୍ତ ହୁଅନ୍ତୁ କି ଅତିଥି ସମସ୍ତେ ବଖାଣିଛନ୍ତି ଅନନ୍ୟ ଅନୁଭବ।

୨୦୨୧ ନଭେମ୍ବର ୨୪ ତାରିଖ। ସେଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଯାହାର ଉଦ୍ଦେଶ୍ୟ- ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ମୌଳିକ ସୁବିଧା ପ୍ରଦାନ। ଏଥିସହ ମେଘନାଦ ପ୍ରାଚୀର କଡ଼େ କଡ଼େ ବାହ୍ୟ ପରିକ୍ରମାର ଦିବ୍ୟ ଅନୁଭବ ପ୍ରଦାନ। ସେଥିପାଇଁ ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରରେ ଭକ୍ତ ଓ ସେବାୟତଙ୍କ ପାଇଁ ଟୟଲେଟ୍, କ୍ଲୋକ୍ ରୁମ୍ ଓ ସେଲଟର ପାଭିଲିଅନ ନିର୍ମାଣ ସହ କ୍ଷତିଗ୍ରସ୍ତ ହେବାକୁ ଥିବା ମନ୍ଦିରସଲଗ୍ନ ଐତିହ୍ୟ ସଂପନ୍ନ ମଠମାନଙ୍କର ପୁନରୁଦ୍ଧାର ଲକ୍ଷ୍ୟ ଥିଲା। ଅନେକ ବାଦବିବାଦ ଓ ବିରୋଧ ଭିତରେ ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ପରିଧିରୁ ବାସଚ୍ୟୁତ ହୋଇଥିଲେ ଶତାଧିକ ପରିବାର, ଧରାଶାୟୀ ହୋଇଥିଲା ଅନେକ ହୋଟେଲ ଓ ଲଜିଂ। ଶେଷରେ ଆଜି ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। କେବଳ ପ୍ରକଳ୍ପ ପାଇଁ ୩୩୧ କୋଟି ଖର୍ଚ୍ଚ ହୋଇଥିବାବେଳେ ଜମି ଅଧିଗ୍ରହଣକୁ ମିଶାଇ ପ୍ରାୟ ୮ ଶହ କୋଟି ଏ ବାବଦରେ ଖର୍ଚ୍ଚ ହୋଇଥିବା ସୂଚନା ରହିଛି।