ଶ୍ରେଣୀଗୃହରେ ଆଗପଛ ହୋଇ ବସିବେନି ଛାତ୍ରଛାତ୍ରୀ, ଓଡ଼ିଶାର ଏହି ସ୍କୁଲର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ

ବ୍ରହ୍ମପୁର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ସରକାରୀ ବିଦ୍ୟାଳୟର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ । ବ୍ୟାକ୍ ବେଞ୍ଚରେ ବସି ପାଠ ପଢ଼ିବେନି ପିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବେ ଶିକ୍ଷକ ଶିକ୍ଷୟିତ୍ରୀ । ବ୍ରହ୍ମପୁର ଉପକଣ୍ଠ ଭାବିନିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବସିବା ନିମନ୍ତେ କରାଯାଇଛି ଅର୍ଦ୍ଧବୃତ୍ତାକାର ପ୍ରକ୍ରିୟା ବା U ସେପ୍‌ । ଏହି ପ୍ରକ୍ରିୟା ଗତ ଏକ ସପ୍ତାହ ଧରି ବିଦ୍ୟାଳୟରେ ଆରମ୍ଭ କରାଯାଇଛି […] The post ଶ୍ରେଣୀଗୃହରେ ଆଗପଛ ହୋଇ ବସିବେନି ଛାତ୍ରଛାତ୍ରୀ, ଓଡ଼ିଶାର ଏହି ସ୍କୁଲର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ appeared first on KNews Odisha.

ଶ୍ରେଣୀଗୃହରେ ଆଗପଛ ହୋଇ ବସିବେନି ଛାତ୍ରଛାତ୍ରୀ, ଓଡ଼ିଶାର ଏହି ସ୍କୁଲର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ

ବ୍ରହ୍ମପୁର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ସରକାରୀ ବିଦ୍ୟାଳୟର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ । ବ୍ୟାକ୍ ବେଞ୍ଚରେ ବସି ପାଠ ପଢ଼ିବେନି ପିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବେ ଶିକ୍ଷକ ଶିକ୍ଷୟିତ୍ରୀ । ବ୍ରହ୍ମପୁର ଉପକଣ୍ଠ ଭାବିନିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ବସିବା ନିମନ୍ତେ କରାଯାଇଛି ଅର୍ଦ୍ଧବୃତ୍ତାକାର ପ୍ରକ୍ରିୟା ବା U ସେପ୍‌ । ଏହି ପ୍ରକ୍ରିୟା ଗତ ଏକ ସପ୍ତାହ ଧରି ବିଦ୍ୟାଳୟରେ ଆରମ୍ଭ କରାଯାଇଛି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢ଼ା ସମୟରେ ଶ୍ରେଣୀଗୃହରେ ଆଗପଛ ହୋଇ ବସିବାକୁ ନେଇ ଯେଉଁ ତାରତମ୍ୟ ରହିଥିଲା ତାହା ଦୂରେଇ ଯାଇଛି । ଏହାଛଡ଼ା ଯେଉଁ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହର ଶେଷ ବ୍ୟାଞ୍ଚରେ ବସି ବିଶୃଙ୍ଖଳା କରୁଥିଲେ ସେମାନେ ବର୍ତ୍ତମାନ ଆଉ ବିଶୃଙ୍ଖଳା ନ କରି ଭଲ ପାଠ ପଢ଼ିପାରିବେ । ସେହିପରି ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରେଣୀ ଗୃହର ପ୍ରତିଟି ଛାତ୍ରଛାତ୍ରୀ କିଭଳି ପାଠପଢ଼ୁଛନ୍ତି ସେନେଇ ଅନୁଧ୍ୟାନ ମଧ୍ୟ କରିପାରିବେ । ବିଦ୍ୟାଳୟରେ ଗ୍ରହଣ କରାଯାଇଥିବା ଏହି ନୂତନ ବସିବାର ପ୍ରକ୍ରିୟାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ଓଡ଼ିଶାର ପ୍ରଥମ ବିଦ୍ୟାଳୟ ଭାବେ କେରଳ ପାଠପଢ଼ା ପଦ୍ଧତିକୁ ଆପଣାଇଛି ବ୍ରହ୍ମପୁର ଉପକଣ୍ଠରେ ରହିଥିବା ଭାବିନୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟରେ ୨୬୨ ଜଣ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଆବଶ୍ୟକୀୟ ଶ୍ରେଣୀଗୃହ ରହିଥିବା ବେଳେ ପୂର୍ବରୁ ଧାଡ଼ି ଧାଡ଼ି ହୋଇ ଶ୍ରେଣୀଗୃହରେ ପାଠପଢ଼ୁଥିଲେ । କିନ୍ତୁ ଗତ ସପ୍ତାହରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ନୀଳିମା ମହାପାତ୍ର କେରଳରେ ଚାଲିଥିବା ପାଠପଢ଼ା ପଦ୍ଧତି ତଥା ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କର ବସିବା ପ୍ରକ୍ରିୟା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏନେଇ ପ୍ରଥମେ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଅର୍ଦ୍ଧବୃର୍ତ୍ତାକାର ପ୍ରକ୍ରିୟାକୁ ଆପଣାଇଥିଲେ । ଏହି ପ୍ରକ୍ରିୟା ଦ୍ବାରା ଶ୍ରେଣୀଗୃହରେ ପୂର୍ବରୁ ପଛକୁ ପଛ ହୋଇ ରହିଥିବା ଚେୟାର ଟେବୁଲକୁ ବାହାର କରାଯାଇ ସମସ୍ତ ଚେୟାର ଟେବୁଲକୁ ଅର୍ଦ୍ଧବୃତ୍ତାକାରରେ ପକାଯାଇଥିଲା । ଏହି ଅର୍ଦ୍ଧବୃତ୍ତାକାରରେ ଛାତ୍ରଛାତ୍ରୀମାନେ ପାଠପଢ଼ିବା ଆରମ୍ଭ କରିଛନ୍ତି । ସେହିପରି ଶ୍ରେଣୀଗୃହକୁ ପ୍ରଥମେ ଆସୁଥିବା ଛାତ୍ରଛାତ୍ରୀ ପ୍ରଥମରେ ବସିବା ଓ ବିଳମ୍ବରେ ଆସୁଥିବା ଛାତ୍ରଛାତ୍ରୀ ପଛରେ ବସିବା ଭଳି ଯେଉଁ ମାନସିକତା ରହିଥିଲା ତାହା ମଧ୍ୟ ଦୂର କରାଯାଇପାରିଛି । ସବୁଠାରୁ ବଡ଼ କଥା ହେଲା ପଛ ଚେୟାରରେ ବସୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ା ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଯାହାଫଳରେ ନିଜର ପାଠପଢ଼ା ନଷ୍ଟ ହେବା ସହ ଅନ୍ୟର ପାଠପଢ଼ାରେ ମଧ୍ୟ ବ୍ୟାଘାତ ହେଉଥିଲା । ଏହି ପ୍ରକ୍ରିୟାରେ ବସିବା ଦ୍ବାରା ଶ୍ରେଣୀରେ କୌଣସି ବିଶୃଙ୍ଖଳା ହେବନି । ଏହି ପ୍ରକ୍ରିୟାକୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଗତ ସପ୍ତାହ ମଧ୍ୟରେ ଏହାର ସୁଫଳ ମିଳିଛି । ଏନେଇ ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇ ଦିଆଯାଇଥିବା କହିଛନ୍ତି ବିଦ୍ୟାଳୟର ଶିକ୍ଷୟିତ୍ରୀ ।

ବିଦ୍ୟାଳୟ ପକ୍ଷରୁ ଶ୍ରେଣୀଗୃହରେ ବସିବା ନିମନ୍ତେ ହୋଇଥିବା ଅର୍ଦ୍ଧବୃତ୍ତାକାର ପ୍ରକ୍ରିୟାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । କାରଣ ପୂର୍ବରୁ ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମରେ ଆସୁଥିଲେ ସେମାନେ ପ୍ରଥମ ଚେୟାରରେ ବସୁଥିଲେ ପଛ ଚେୟାରରେ ବସିବା ସମୟରେ କଳାପଟାରେ କଣ ଲେଖାଯାଉଥିଲା ତାହା ପଛକୁ ଦେଖାଯାଉନଥିଲା । ବର୍ତ୍ତମାନ ଶ୍ରେଣୀଗୃହରେ ଅର୍ଦ୍ଧବୃତ୍ତାକାର ପ୍ରକ୍ରିୟା କରାଯାଇଥିବା ଯୋଗୁଁ ବସି ପାଠପଢ଼ିବାକୁ ସୁବିଧା ହେଉଛି ବୋଲି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।  ଅନ୍ୟପଟେ ଏଭଳି ନୂଆ ପଦ୍ଧତି ସମ୍ପର୍କରେ ଜାଣିବା ପରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମଲେଖାଇବା ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ଗଞ୍ଜାମ ଜିଲ୍ଲାରେ ପ୍ରଥମକରି ଭାବିନୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହରେ ଅର୍ଦ୍ଧବୃତ୍ତାକାର ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଏହା ସୁଫଳ ହୋଇଥିବା ଯୋଗୁଁ ଜିଲ୍ଲାର ଅନ୍ୟ ବିଦ୍ୟାଳୟରେ ମଧ୍ୟ ଏହାକୁ ଲାଗୁ କରିବା ନିମନ୍ତେ ଯୋଜନା କରୁଛି ଶିକ୍ଷା ବିଭାଗ ।

Also Read: ଆଉ ସ୍କୁଲରେ ରହିବେନି ବ୍ୟାକ୍ ବେଞ୍ଚର୍, ଏଣିକି କ୍ଲାସରୁମରେ ‘U’ ସେପରେ ବସିବେ ଛାତ୍ରଛାତ୍ରୀ

The post ଶ୍ରେଣୀଗୃହରେ ଆଗପଛ ହୋଇ ବସିବେନି ଛାତ୍ରଛାତ୍ରୀ, ଓଡ଼ିଶାର ଏହି ସ୍କୁଲର ଶ୍ରେଣୀଗୃହରୁ ହଟିଛି ବ୍ୟାକ୍ ବେଞ୍ଚ appeared first on KNews Odisha.