ଷ୍ଟ୍ରବେରୀ ଚାଷୀଙ୍କୁ ପ୍ରତାରଣା, ଅଧିକାରୀ ଖାଇଗଲେ ଅଢେଇ ଲକ୍ଷ ଟଙ୍କା!
ବ୍ଲକ୍ OLM ଅଧିକାରୀ ଋଣ ଟଙ୍କାରୁ ଅଢେଇ ଲକ୍ଷ ଟଙ୍କା SHG ମହିଳାଙ୍କଠାରୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବ୍ଲକ୍ OLM ଅଧିକାରୀ ନେଇଥିବା ଟଙ୍କା SHG ମହିଳାଙ୍କୁ ଫେରାଇ ନଥିଲେ।
ସ୍ୱାବଲମ୍ୱୀ ହେବେ ମହିଳା। ସେଥିପାଇଁ ମହିଳାମାନେ ଷ୍ଟ୍ରବେରୀ ଚାଷ କରିବାକୁ ୫ ଲକ୍ଷ ଟଙ୍କା ଋଣ ଆଣିଥିଲେ। ହେଲେ ସେଥିରୁ ଅଢ଼େଇ ଲକ୍ଷ ଟଙ୍କା ଖାଇଗଲେ ଅଧିକାରୀ। ଟଙ୍କା ଫେରାଉନଥିବାରୁ ଚିନ୍ତାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା। ଏନେଇ ମହିଳାମାନେ କନ୍ଧମାଳ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତ ବରେପାଙ୍ଗା ଗାଁରେ ରହିଛି ଆଶୀର୍ବାଦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(SHG)। ଏହି SHGର ମହିଳାମାନେ ଗତ ଦୁଇ ବର୍ଷ ହେଲା ଷ୍ଟ୍ରବେରୀ ଚାଷ କରୁଛନ୍ତି। ସେଥିପାଇଁ OLM(Odisha Livelihoods Mission)ର ସୁପାରିଶ କ୍ରମେ ବ୍ୟାଙ୍କ ୫ ଲକ୍ଷ ଟଙ୍କା ମହିଳାଙ୍କୁ ଋଣ ଦେଇଥିଲା। ବ୍ଲକ୍ OLM ଅଧିକାରୀ ଋଣ ଟଙ୍କାରୁ ଅଢେଇ ଲକ୍ଷ ଟଙ୍କା SHG ମହିଳାଙ୍କଠାରୁ ନେଇଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବ୍ଲକ୍ OLM ଅଧିକାରୀ ନେଇଥିବା ଟଙ୍କା SHG ମହିଳାଙ୍କୁ ଫେରାଇ ନଥିଲେ। ଓଲଟି ଜଣେ ମହିଳା CRPଙ୍କୁ ଲଗାଇ ଆଶୀର୍ବାଦ SHGର ମହିଳାମାନଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଯେଉଁଥିପାଇଁ ଷ୍ଟ୍ରବେରୀ ଚାଷ କରିଥିବା ମହିଳାମାନେ ହଟହଟା ହେଉଛନ୍ତି।
ଷ୍ଟ୍ରବେରୀ ଚାଷ କ୍ଷେତକୁ ମହିଳାମାନଙ୍କୁ ଛଡ଼ା ଯାଉନି। ଯାହାଫଳରେ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପକ୍ଷରେ ବ୍ଲକ୍ OLM ଅଧିକାରୀଙ୍କ ଏପରି କାର୍ଯ୍ୟ ବିରୋଧରେ ଆଜି ଆଶୀର୍ବାଦ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ କନ୍ଧମାଳ ଜିଲ୍ଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ଦେବାକୁ ସେମାନେ ଗୁହାରୀ କରିଛନ୍ତି।
ରାଇକିଆ ମହିଳା ନେତ୍ରି ଝୁଲିମା ଦଳବେହେରା କହିଛନ୍ତି, ଷ୍ଟ୍ରବେରୀ ଚାଷ ପାଇଁ ଜିଲ୍ଲାପାଳ ଚାରା ଦେଇଥିଲେ। ସେହି ଚାରାକୁ ଆମେ ରୋପଣ କରିଥିଲୁ। ଚାଷର ଯତ୍ନ ନେଇଥିଲୁ। ହେଲେ ଫଳ ଫଳିବା ବେଳେ ଆମକୁ ବଗିଚାକୁ ପଶାଇବାକୁ ଦେଉନାହାନ୍ତି। ସେପଟେ ଷ୍ଟ୍ରବେରୀ ଚାଷ ପାଇଁ ୫ ଲକ୍ଷ ଟଙ୍କା ଋଣ ଆଣିଥିଲୁ। ସେଥିରୁ ଜୟଦେବ ସାର୍ ୨ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ସେ ଟଙ୍କା ଫେରାଉନାହାନ୍ତି। ଆମେ କେମିତି ସେହି ଟଙ୍କା ସୁଝିବୁ ବୋଲି ଝୁଲିମା କହିଛନ୍ତି।
ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ