ସଂଘର୍ଷର ଅନ୍ୟ ନାମ ସାଗରିକା; ହାତ, ଗୋଡ଼ ନ ଥାଇ ବି ସଫଳ ନୃତ୍ୟଶିଳ୍ପୀ

ଭୁବନେଶ୍ୱର: ଶାରୀରିକ ଭାବେ ସାଧାରଣ ବ୍ୟକ୍ତିଙ୍କଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ। କାରଣ ପିଲାଦିନରୁ ସେ ଡାହାଣ ହାତ ଓ ଗୋଡ଼ ହରାଇଛନ୍ତି। ତଥାପି ନିଜର ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଗୋଟିଏ ହାତ ଓ ଗୋଟିଏ ଗୋଡ଼ ନ ଥାଇ ବି ସେ କେବଳ ଜଣେ ସଫଳ ଛାତ୍ରୀ ନୁହନ୍ତି ବରଂ ନୃତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍‌‌ ସୁନାମ ଅର୍ଜନ କରିଛନ୍ତି। କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜ […]

ସଂଘର୍ଷର ଅନ୍ୟ ନାମ ସାଗରିକା; ହାତ, ଗୋଡ଼ ନ ଥାଇ ବି ସଫଳ ନୃତ୍ୟଶିଳ୍ପୀ
Sagarika of chandikholo a Successful dancer without hands or legs

ଭୁବନେଶ୍ୱର: ଶାରୀରିକ ଭାବେ ସାଧାରଣ ବ୍ୟକ୍ତିଙ୍କଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ। କାରଣ ପିଲାଦିନରୁ ସେ ଡାହାଣ ହାତ ଓ ଗୋଡ଼ ହରାଇଛନ୍ତି। ତଥାପି ନିଜର ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ମନୋବଳ ଆଜି ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଗୋଟିଏ ହାତ ଓ ଗୋଟିଏ ଗୋଡ଼ ନ ଥାଇ ବି ସେ କେବଳ ଜଣେ ସଫଳ ଛାତ୍ରୀ ନୁହନ୍ତି ବରଂ ନୃତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍‌‌ ସୁନାମ ଅର୍ଜନ କରିଛନ୍ତି। କାହାରି ଉପରେ ନିର୍ଭରଶୀଳ ନ ହୋଇ ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଛନ୍ତି। ସାଧାରଣ ମଣିଷଙ୍କ ପାଦରେ ପାଦ ମିଶାଇ ଚାଲିବା ସାହସ କରିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ସମାଜରେ ବସବାସ କରୁଥିବା ଅନ୍ୟ ଭିନ୍ନକ୍ଷମଙ୍କ ମନରେ ଦୁର୍ବାର ଆଶା ସୃଷ୍ଟି କରିବାରେ ପ୍ରେରଣା ପାଲଟିଛନ୍ତି ସ୍ୱାଗ୍‌‌ ସାଗରିକା ମହାନ୍ତି। ସୋମବାର ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅବସରରେ ତାଙ୍କ ସଂଘର୍ଷମୟ କାହାଣୀକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା। ସାଗରିକା ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଶୁଣିବାକୁ ମିଳିଥିଲା ତାଙ୍କ ସଂଘର୍ଷ ଓ ସଫଳତାର କାହାଣୀ।

ଚଣ୍ଡିଖୋଲସ୍ଥିତ ଏକ ଗାଁରେ ବାପା ନିରଞ୍ଜନ ମହାନ୍ତି, ମାଆ ପଦ୍ମିନୀ ମହାନ୍ତି ଏବଂ ବଡ଼ ଭଉଣୀଙ୍କୁ ନେଇ ସାଗରିକାଙ୍କ ପରିବାର ରୁହନ୍ତି। ସବୁକିଛି ଠିକ୍‌‌ ଚାଲିଥିବାବେଳେ ଏହି ହସଖୁସିର ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଲା। ଯାହାକି କେବଳ ସାଗରିକା ନୁହନ୍ତି ବରଂ ତାଙ୍କ ପରିବାରର ମୋଡ଼ ବଦଳାଇ ଦେଲା। ୨୦୦୮ରେ ବାପାଙ୍କ ସହ କୌଣସି ଏକ ସ୍ଥାନକୁ ବାହାରିଥିଲେ ସାଗରିକା। ୫ବର୍ଷର ସାଗରିକାଙ୍କୁ କାନ୍ଧରେ ବସାଇ ବାପା ଷ୍ଟେସନ ଟ୍ରାକ୍‌‌ ପାର୍‌‌ ହେଉଥିବାବେଳେ ଝୁଣ୍ଟିପଡ଼ିଥିଲେ ଏବଂ ସାମ୍ନାପଟୁ ଲୌହ ଦାନବ ଦୁହିଁଙ୍କ ଉପରେ ମାଡ଼ି ଯାଇଥିଲା। ଯେଉଁଠି ସାଗରିକା ତାଙ୍କ ଡାହାଣ ଗୋଡ଼ ଓ ହାତ ହରାଇଥିବାବେଳେ ତାଙ୍କ ବାପା ମଧ୍ୟ ଗୋଟିଏ ଗୋଡ଼ ହରାଇଥିଲେ। ସେହିଦିନଠାରୁ ସାଗରିକାଙ୍କ ସବୁ ସ୍ୱପ୍ନ ମାଟିରେ ମିଶି ଯାଇଥିଲା। ହାତ, ଗୋଡ଼ ନ ଥାଇ ସ୍କୁଲ ଯାଇ ପିଲାମାନଙ୍କ ମଧ୍ୟରେ ବସି ପାଠପଢ଼଼ିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଥିବାବେଳେ ପରିବାରର ଏକମାତ୍ର ରୋଜଗାର କରୁଥିବା ବାପା ବି ବିଛଣାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏଭଳି ପରିସ୍ଥିତିରେ ପରିବାରର ଦାୟିତ୍ୱ ନେବାକୁ ସ୍ଥିର କଲେ ସାଗରିକା। ନିଜର ଅକ୍ଷମତାକୁ ପଛରେ ପକାଇ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରିଥିଲେ। ପାଠପଢ଼଼ା ସାଙ୍ଗକୁ ନୃତ୍ୟ ଓ ମଡେଲିଂ କ୍ଷେତ୍ରରେ ମଧ୍ୟ ସେ ବେଶ୍‌‌ ପାରଙ୍ଗମ।

ଗୋଡ଼, ହାତ ନ ଥାଇ ଜଣେ କିଭଳି ନୃତ୍ୟ ଓ ମଡେଲିଂ କରିବା ସମ୍ଭବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ, କିନ୍ତୁ ବାସ୍ତବରେ ତାହା ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ସ୍କୁଲ ସମୟରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜର କଳା ପ୍ରଦର୍ଶନ କରି ଅନେକ ପୁରସ୍କାର ଗ୍ରହଣ କରିଛନ୍ତି ସାଗରିକା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କର ନୃତ୍ୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା। ବର୍ତ୍ତମାନ ସେ ରାଉରକେଲା ଏସ୍‌‌ବି (ସୁଶୀଳାବତୀ କଲେଜ)ରେ ଏଜୁକେଶନ୍‌‌ରେ ପିଜି କରୁଛନ୍ତି। ପିଜି ପରେ ବିଏଡ୍‌‌ କରିବା ସହ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ସାଗରିକା। କୌଣସି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ କେବଳ ସୁସ୍ଥ ଶରୀରର ଆବଶ୍ୟକତା ନୁହେଁ ବରଂ ସୁସ୍ଥ ମାନସିକ ନିହାତି ଜରୁରୀ। କାରଣ ଭଗବାନ କିଛି ଛଡ଼ାଇ ନେଲେ ମଧ୍ୟ ବଦଳରେ ଅଧିକ କିଛି ଦେଇଥା’ନ୍ତି। ତେଣୁ ଦିବ୍ୟାଙ୍ଗମାନେ ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜର ଇଚ୍ଛାଶକ୍ତି ବଳରେ ସଫଳତାର ଶିଖର ଛୁଇଁପାରିବେ। ଏଥିପାଇଁ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ ବୋଲି ସାଗରିକା କହିଛନ୍ତି।