ସଂସଦରେ ଅମିତ ଶାହଙ୍କ ବଡ଼ ସୂଚନା: ପହଲଗାମ ନରସଂହାରରେ ସାମିଲ ୩ ଆତଙ୍କୀ ଖତମ

ଅପରେସନ ମହାଦେବ ସଫଳ ହୋଇଛି ଓ ପହଲଗାମ ହମଲାରେ ସାମିଲ ଥିବା ୩ ଆତଙ୍କୀଙ୍କୁ ନିପାତ କରାଯାଇଥିବା ସେ କହିଛନ୍ତି।

ସଂସଦରେ ଅମିତ ଶାହଙ୍କ ବଡ଼ ସୂଚନା: ପହଲଗାମ ନରସଂହାରରେ ସାମିଲ ୩ ଆତଙ୍କୀ ଖତମ

ଏପ୍ରିଲ ୨୨ ପହଲଗାମ ନରସଂହାରରେ ସାମିଲ ୩ ଲସ୍କର ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଅପରେସନ ମହାଦେବ ଜରିଆରେ ଖତମ କରିଛନ୍ତି। ପହଲଗାମ ହମଲାର ବଦଲା ସୁରକ୍ଷାକର୍ମୀ ନେଇଛନ୍ତି ବୋଲି ଆଜି ଲୋକସଭାକୁ ଅବଗତ କରାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ସୋମବାର ଠାରୁ ବିତର୍କ ଆରମ୍ଭ ହୋଇଛି। ଆଜି ଏହି ପ୍ରସଙ୍ଗରେ ମତ ରଖିବା ବେଳେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ସୁରକ୍ଷାକର୍ମୀ କରିଥିବା ଅପରେସନ ମହାଦେବ ସମ୍ପର୍କରେ ଶ୍ରୀ ଶାହ ସୂଚନା ଦେଇଛନ୍ତି। ଅପରେସନ ମହାଦେବ ସଫଳ ହୋଇଛି ଓ ପହଲଗାମ ହମଲାରେ ସାମିଲ ଥିବା ୩ ଆତଙ୍କୀଙ୍କୁ ନିପାତ କରାଯାଇଥିବା ସେ କହିଛନ୍ତି।

ଲୋକସଭାରେ ଶ୍ରୀ ଶାହ କହିଛନ୍ତି ଯେ ଭୋଟର ଆଇଡି ଓ କିଛି ଚକୋଲେଟ ନିହତ ଆତଙ୍କବାଦୀଙ୍କ ଠାରୁ ମିଳିଛି। ଏଥିରୁ ସେମାନଙ୍କ ଲିଙ୍କ ପାକିସ୍ତାନ ସହ ରହିଥିବା ପ୍ରମାଣିତ ହୋଇଛି। ସେ କହିଛନ୍ତି, “ବୈସାରନ ଭ୍ୟାଲିରେ ନିରୀହ ଲୋକଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଆଗରେ ଧର୍ମ ପଚାରି ହତ୍ୟା କରାଯାଇଥିଲା। ଏବେ ଆର୍ମି, ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୁଲିସ୍‌ ମିଳିତ ଅପରେସନ ଜରିଆରେ ହମଲାରେ ସାମିଲ ୩ ଆତଙ୍କବାଦୀଙ୍କୁ ମାରିଛନ୍ତି।”

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କହିବା କଥା ଯେ ସମସ୍ତ ୩ ନିହତ ଆତଙ୍କବାଦୀ ଲସ୍କରର ସଦସ୍ୟ। ସେମାନେ ହେଲେ ଲସ୍କର କମାଣ୍ଡର ସୁଲେମାନ ଶାହ, ଆଫଗାନ ଓ ଜିବ୍ରାନ। ଏହି ୩ ଜଣ ପହଲଗାମ ହମଲାରେ ସାମିଲ ଥିଲେ। ସେମାନଙ୍କୁ ପହଲଗାମ ହମଲା ବେଳେ ଆଶ୍ରୟ ଦେଇଥିବା ଲୋକମାନେ ଚିହ୍ନଟ କରି ସାରିଛନ୍ତି।

ଗତ ମାସରେ ପହଲଗାମ ନରରାକ୍ଷାସଙ୍କୁ ଆଶ୍ରୟ ଦେଇଥିବା ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା ପରଭେଜ ଅହମଦ ଜୋଥାର ଓ ବଶିର ଅହମଦକୁ ଗିରଫ କରିଥିଲା। ଅମିତ ଶାହ କହିଛନ୍ତି, “ଆତଙ୍କବାଦୀଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇଥିବା ଲୋକଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଶ୍ରୀନଗରକୁ ନିହତ ଆତଙ୍କବାଦୀଙ୍କ ମୃତଦେହକୁ ଅଣାଯିବା ପରେ ପୂର୍ବରୁ ଆମ ସୁରକ୍ଷା ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା ଲୋକମାନେ ଏଗୁଡ଼ିକୁ ଚିହ୍ନଟ କରିଛନ୍ତି।”

ଅପରେସନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଶାହ କହିଛନ୍ତି ଯେ ଦେଶ ଛାଡ଼ି ଯେମିତି ଆତଙ୍କବାଦୀମାନେ ଖସି ପାରିବେ ନାହିଁ, ସେନେଇ ସୁରକ୍ଷାକର୍ମୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଆତଙ୍କବାଦୀ ହମଲା ପରେ ମିଳିଥିବା କ୍ୟାଟ୍ରିଜର ଫରେନ୍ସିକ ରିପୋର୍ଟ ପୂର୍ବରୁ ପ୍ରସ୍ତୁତ ସରିଥିଲା। ଗତକାଲି(ସୋମବାର) ୩ ନିହତ ଆତଙ୍କବାଦୀଙ୍କ ରାଇଫଲକୁ ସିଜ କରାଯାଇଥିଲା।

ଏହାକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଫରେନ୍ସିକ ଲ୍ୟାବ ରିପୋର୍ଟ ସହ ମେଳ କରାଯାଇଥିଲା। ଏହାପରେ ସ୍ପଷ୍ଟ ହୋଇଥିଲା ଯେ ନିହତ ୩ ଆତଙ୍କବାଦୀ ପହଲଗାମ ହମଲାରେ ସାମିଲ ଥିଲେ। ୧୭ଟି ଗ୍ରେନେଡ, ଗୋଟିଏ ଆମେରିକା ନିର୍ମିତ ଏମ୪ କାରବାଇନ ଓ ୨ଟି ଏକେ ୪୭ ରାଇଫଲ ଆତଙ୍କବାଦୀଙ୍କ ଠିକଣାରୁ ମିଳିଛି।”

କଂଗ୍ରେସ ଓ ଚିଦାମ୍ବରମଙ୍କୁ ଟାର୍ଗେଟ କଲେ ଅମିତ ଶାହ

ଲୋକସଭାରେ ଅପରେସନ ମହାଦେବ ଓ ଅପରେସନ ସିନ୍ଦୂର ସମ୍ପର୍କରେ ସୂଚନା ଦେବା ବେଳେ ବିରୋଧୀ କଂଗ୍ରେସ ଓ ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ଟାର୍ଗେଟ କରିଛନ୍ତି ଅମିତ ଶାହ। ସେ କହିଛନ୍ତି, “ପହଲଗାମ ଆତଙ୍କବାଦୀଙ୍କ ନିହତ ଖବର ଶୁଣିବା ପରେ ମୁଁ ଭାବିଥିଲି ଯେ ସେମାନେ ଖୁସି ହେବ। କିନ୍ତୁ ଲାଗୁଛି ଏହି ଖବର ସେମାନଙ୍କୁ ଖୁସି ଦେଇ ନାହିଁ।”

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ କଟାକ୍ଷ କରିଛନ୍ତି ଅମିତ ଶାହ। ଭାଷଣ ବେଳେ ଅଖିଲେଶ ନିଜ ଆସନରୁ ଉଠି କିଛି କହିବାକୁ ଚେଷ୍ଟା କରୁଥିଲେ। ଏଥିପାଇଁ ଅମିତ ଶାହ କହିଛନ୍ତି, “ଅଖିଲେଶ ଜୀ, ଦୟା କରି ବସି ପଡ଼ନ୍ତୁ। ମୁଁ ପ୍ରତିଟି ପ୍ରଶ୍ନର ଉତ୍ତର ଦେବି। ଆତଙ୍କବାଦୀଙ୍କ ଧର୍ମକୁ ନେଇ ଆଦୌ ଦୁଃଖ ପ୍ରକାଶ କରନ୍ତୁ ନାହିଁ।”

ପହଲଗାମ ହମଲାରେ ସାମିଲ ଥିବା ଆତଙ୍କବାଦୀଙ୍କ ଅର୍ଜିନକୁ ନେଇ ପି ଚିଦାମ୍ବରମ ପ୍ରଶ୍ନ କରିଥିଲେ। ଆଜି ଏହା ଉପରେ ଅମିତ ଶାହ କହିଛନ୍ତି, “ ସୋମବାର ସେମାନେ(କଂଗ୍ରେସ) ଆମକୁ ପଚାରିଥିଲେ ଯେ ଆତଙ୍କବାଦୀମାନେ କେଉଁଠୁ ଆସିଲେ ଓ ଏଥିପାଇଁ ଦାୟୀ କିଏ? ନିଶ୍ଚିତ ଭାବେ ଏହା ଆମର ଦାୟିତ୍ୱ। କାରଣ ଆମେ କ୍ଷମତାରେ ରହିଛୁ।

ସୋମବାର ପୂର୍ବତନ ଗୃହ ମନ୍ତ୍ରୀ ପି ଚଦାମ୍ବରମ ଜୀ ଗୋଟିଏ ପ୍ରଶ୍ନ କରିଥିଲେ। ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିଲେ ବୋଲି କ’ଣ ପ୍ରମାଣ ଅଛି ବୋଲି ସେ ପଚାରିଥିଲେ। ମୁଁ ତାଙ୍କୁ ପଚାରିବାକୁ ଚାହୁଁଛି ଯେ ସେ କାହିଁକି ପାକିସ୍ତାନକୁ ରକ୍ଷା କରିବାକୁ ଚାହୁଁଛନ୍ତି? ସେ ଏକଥା କହିବାର ଅର୍ଥ ସେ ପାକିସ୍ତାନକୁ କ୍ଲିନଚିଟ ଦେଇ ସାରିଛନ୍ତି।”