ସକ୍ରିୟ ରାଜନୀତିରୁ ଗୌତମ ଗମ୍ଭୀରଙ୍କ ସନ୍ୟାସ ଘୋଷଣା

ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି।

ସକ୍ରିୟ ରାଜନୀତିରୁ ଗୌତମ ଗମ୍ଭୀରଙ୍କ ସନ୍ୟାସ ଘୋଷଣା

ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ରାଜନୀତିରୁ ଗୌତମ ଗମ୍ଭୀରଙ୍କ ଅବସର ନିଷ୍ପତ୍ତି। ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ବିଜେପି ସାଂସଦ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ସନ୍ୟାସ ନେଇ ଘୋଷଣା କରିଛନ୍ତି। ସେ ଆଜି ତାଙ୍କ ଇସ୍ତଫା ପତ୍ର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇଛନ୍ତି।

ସୋଶାଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି ଗମ୍ଭୀର। ଗମ୍ଭୀରଙ୍କ ଏପରି ନିଷ୍ପତ୍ତି ସେହି ସମୟରେ ଆସିଛି, ଯେଉଁ ସମୟରେ କି ବିଜେପି ଲୋକସଭା ନିର୍ବାଚନ ନେଇ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବାକୁ ଯାଉଛି। ଆଜି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି।

ଏହାରି ମଧ୍ୟରେ ପୂର୍ବ ଦିଲ୍ଲୀର ସାଂସଦ ଥିବା ଗମ୍ଭୀର ଅବସର ନେଇ ନିଷ୍ପତ୍ତି ନେଇଛି। ଚର୍ଚ୍ଚା ଅନୁସାରେ, ଏଥର ଗମ୍ଭୀରଙ୍କର ଟିକେଟ୍ କଟିବା ନେଇ ଆଶଙ୍କା କରାଯାଉଥିଲା।  

ରାଜନୀତିରୁ ସନ୍ୟାସ ନିଷ୍ପତ୍ତି ନେଇ ଗମ୍ଭୀର କହିଛନ୍ତି, "ସକ୍ରିୟ ରାଜନୀତିରୁ ଦୂରେଇ ରହିବା ପାଇଁ ମାନ୍ୟବର ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଅନୁରୋଧ କରିଛି। ରାଜନୀତିରୁ ଦୂରେଇ ରହିଲେ କ୍ରିକେଟ୍ ଉପରେ ଧ୍ୟାନ ଦେଇ ପାରିବି। ମୋତେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ହୃଦୟରୁ ଧନ୍ୟବାଦ, ଜୟ ହିନ୍ଦ!"

ଗମ୍ଭୀର, ମାର୍ଚ୍ଚ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୬,୧୫,୧୦୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।