ସଙ୍କଟରେ କୁଟୀର ଶିଳ୍ପ: ନିଥର ହୋଇଯିବ କି କଣ୍ଟିଲୋ କଂସାଶାଳ !
ଖଣ୍ଡପଡ଼ା(ଜନ୍ମେଜୟ ଦଳେଇ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋର କଂସାବାସନ ଶିଳ୍ପ ରାଜ୍ୟ ତଥା ଦେଶରେ ସୁପ୍ରସିଦ୍ଧି ଲାଭ କରିଛି। ଦିନଥିଲା କଣ୍ଟିଲୋ ଏବଂ ପାଟଣା ଗ୍ରାମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଶାଳ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ଗ୍ରାମରେ ମାତ୍ର ୫ରୁ ୧୦ଟି ଶାଳ ଚାଲୁଥିବା ଜଣାପଡ଼ିଛି। ପ୍ରତିକୂଳ ପରିସ୍ଥିତିରେ ଏହି କୁଟୀର ଶିଳ୍ପ ଗତି କରୁଥିବା ବେଳେ ଆଜି ମଧ୍ୟ ହାତତିଆରି ମଜବୁତ ସାମଗ୍ରୀର ଢେର ଚାହିଦା ରହିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା […]

ଖଣ୍ଡପଡ଼ା(ଜନ୍ମେଜୟ ଦଳେଇ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋର କଂସାବାସନ ଶିଳ୍ପ ରାଜ୍ୟ ତଥା ଦେଶରେ ସୁପ୍ରସିଦ୍ଧି ଲାଭ କରିଛି। ଦିନଥିଲା କଣ୍ଟିଲୋ ଏବଂ ପାଟଣା ଗ୍ରାମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଶାଳ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ଗ୍ରାମରେ ମାତ୍ର ୫ରୁ ୧୦ଟି ଶାଳ ଚାଲୁଥିବା ଜଣାପଡ଼ିଛି। ପ୍ରତିକୂଳ ପରିସ୍ଥିତିରେ ଏହି କୁଟୀର ଶିଳ୍ପ ଗତି କରୁଥିବା ବେଳେ ଆଜି ମଧ୍ୟ ହାତତିଆରି ମଜବୁତ ସାମଗ୍ରୀର ଢେର ଚାହିଦା ରହିଛି।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋର କଂସାବାସନ ଶିଳ୍ପ ରାଜ୍ୟ ତଥା ଦେଶରେ ସୁପ୍ରସିଦ୍ଧି ଲାଭ କରିଛି। ସୂଚନାଯୋଗ୍ୟ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ ତଥା ଶ୍ରୀ ନୀଳମାଧବଙ୍କ କ୍ଷେତ୍ର କଣ୍ଟିଲୋ ହେଉଛି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଶିଳ୍ପ ଗ୍ରାମ। ଏଠାରେ ବସବାସ କରୁଥିବା ଅଧିକାଂଶ ଲୋକ ବ୍ୟବସାୟ ବଣିଜ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ବିଶେଷକରି ଏଠାରେ କୁଶଳୀ କଂସା ପିତଳ କାରିଗରମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବଜାରର ଚାହିଦା ଅନୁଯାୟୀ ଏଠାରେ ବିଭିନ୍ନ ପ୍ରକାର କଂସାବାସନ ସମେତ ଗରିଆ ତିଆରି କରୁଥିବା ଦେଖିବାକୁ ମିଳିଛି। ସେଥିମଧ୍ୟରୁ ବେଲପୁରୀ, ତୈକୁମା, କୁଣ୍ଡି, ବୈଠି, ତାସ୍କୋ, ଭଟିମୁଣ୍ଡା, କଣ୍ଟିଲୋ, ପଶ୍ଚିମା, ଦକ୍ଷିଣୀଗରା, ବାଳକାଟି ଗରା ବେଶ ଚାହିଦା ରହିଥିବା କାରୀଗରମାନେ କହିଛନ୍ତି। ପ୍ରସିଦ୍ଧ ଲାଭ କରିଥିବା ଏହି କଂସାବାସନ ଶିଳ୍ପରୁ କାଳକ୍ରମେ ଅନେକ କଂସାରୀ ପରିବାର ନିବୃତ୍ତ ରହିଥିବା ଦେଖାଦେଇଛି। ଦିନଥିଲା କଣ୍ଟିଲୋ ଏବଂ ପାଟଣା ଗ୍ରାମର ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଶାଳ ଚାଲୁଥିବା ବେଳେ ବର୍ତ୍ତମାନ ଉଭୟ ଗ୍ରାମରେ ମାତ୍ର ୫ରୁ ୧୦ଟି ଶାଳ ଚାଲୁଥିବା ଜଣାପଡ଼ିଛି। ପୂର୍ବାପେକ୍ଷା କଞ୍ଚାମାଲର ଅଭାବ ଯୋଗୁଁ କାରିଗରମାନେ ବିଭିନ୍ନ ସାମଗ୍ରୀ ତିଆରି କରିବାକୁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ଶାଳରେ ବାସନ ତିଆରି ସମୟରେ କୋଇଲା ଓ କାଠ ତଥା ଅଙ୍ଗାର ବ୍ୟବହାର କରାଯାଏ। ଏହି ଜାଳେଣି ଜାଳିବା ସମୟରେ ସେଥିରୁ କଳାଧୂଅାଁ ନିର୍ଗତ ହୁଏ। ତେବେ ଜଙ୍ଗଲ ଓ ପରିବେଶ ବିଭାଗର ଛାଟ ମଧ୍ୟ ଏ କୁଟୀର ଶିଳ୍ପ ଉପରେ ବେଡ଼ି ଉପରେ କୋରଡ଼ା ପରିସ୍ଥିତି ସୃଷ୍ଟି କଲାଣି। ଏହାଛଡା ଶାଳରେ କାମ କରିବା ଅତ୍ୟନ୍ତ କଷ୍ଟକର। କାରଣ ଯେକୌଣସି ବାସନ ତିଆରି ସମୟରେ ୫ରୁ ୮କିଲୋଗ୍ରାମ ଓଜନର ହାତୁଡିରେ ପିଟି ବାସନକୁ ଆକାର ଦିଆଯାଏ, ଯାହାକି ବର୍ତ୍ତମାନର ଯୁବପିଢୀଙ୍କ ପାଇଁ କାଠିକର ପାଠ। ତେବେ ପ୍ରତିକୂଳ ପରିସ୍ଥିତିରେ ଏହି କୁଟୀର ଶିଳ୍ପ ଗତି କରୁଥିବା ବେଳେ ଆଜି ମଧ୍ୟ ହାତତିଆରି ମଜବୁତ ସାମଗ୍ରୀର ଢେର ଚାହିଦା ରହିଛି। ମୁଖ୍ୟତଃ ଟିନ ଓ ରାଙ୍ଗାର ସମ୍ମିଶ୍ରଣରେ କଂସା ବାସନ ପ୍ରସ୍ତୁତ ହେଉଥିବା ବେଳେ କପର ଏବଂ ଜିଙ୍କ ସମ୍ମିଶ୍ରଣରେ ପିତଳ ସାମଗ୍ରୀ ପ୍ରସ୍ତୁତ ହେଉଥିବା ବରିଷ୍ଠ ବ୍ୟବସାୟୀ ତଥା ବାପୁଜୀ ସଦସ୍ୟ ଅଖିଳ କୁମାର ସାହୁ କହିଛନ୍ତି। ଏସବୁ କଞ୍ଚାମାଲ କଲିକତା ଓ ରାଇପୁରରୁ ଆସୁଥିବା ସୂଚନା ମିଳିଛି।
ବିଭିନ୍ନ ଯାନୀଯାତ୍ରା ମେଳା ମହୋତ୍ସବରେ ଏହି ସାମଗ୍ରୀକୁ ଲୋକେ ବେଶ ଆଗ୍ରହର ସହ ନେଇଥାନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ଏହି ପାରମ୍ପରିକ କଂସା ବାସନର ପୁନରୁଦ୍ଧାର ପାଇଁ ସହରରେ ଅନେକ ନାମିଦାମୀ ରେଷ୍ଟୁରାଣ୍ଟ ଓ ବଡ ବଡ ହୋଟେଲ ଗୁଡ଼ିକରେ ଏହି ବାସନରେ ଖାଦ୍ୟ ପରସା ଯାଉଥିବା ଦେଖିବାକୁ ମିଳିଛି। ତେବେ ପାରମ୍ପରିକ ପଦ୍ଧତିକୁ ବାଦଦେଇ ଉନ୍ନତ ଜ୍ଞାନକୌଶଳରେ ଏହି ବାସନକୁସନ ତିଆରି ଶିଳ୍ପକୁ ସରକାର ପ୍ରୋତ୍ସାହନ ଯୋଗାଇଦେଉଛନ୍ତି। ଫଳରେ ଯେଉଁ କେତେ ପରିବାର ଏହାଦ୍ୱାରା ଜୀବିକା ନିର୍ବାହ କରୁଥିଲେ ଏବେ ସେମାନେ ଚିନ୍ତାରେ ପଡ଼ିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ମେସିନ ମାଧ୍ୟମରେ ତିଆରି ବାସନକୁସନ ହାତ ତିଆରି ଭଳି ମଜବୁତ ହୋଇପାରିବ ନାହିଁ। ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେଇ ପାରମ୍ପରିକ ପଦ୍ଧତିକୁ ପ୍ରୋତ୍ସାହନ ଯୋଗାଇଦେବା କଥା। ନଚେତ ବହୁ ପରିବାର ଜୀବିକା ହରାଇବା ସହ ପାରମ୍ପରିକ କୁଟୀର ଶିଳ୍ପ ଲୋପପାଇବ।
ବ୍ରାସ ବେଲ ମେଟାଲରେ ରାଜ୍ୟସ୍ତରୀୟ ପୁରସ୍କାରପ୍ରାପ୍ତ ପବିତ୍ର ମହାରଣାଙ୍କ କହିବା ଅନୁଯାୟୀ କଂସା ବାସନରେ ଖାଦ୍ୟ ଖାଇଲେ ଶରୀର ସୁସ୍ଥ ରହିଥାଏ। ଅନ୍ୟପକ୍ଷରେ ପ୍ରାୟ ପଚାଶ ବର୍ଷ ବୟସ ଅତିକ୍ରମ ହେବା ପରେ କଂସା ବାସନ କାରିଗରମାନଙ୍କୁ ଠିକରେ ନ ଶୁଭିବା ଏବଂ ଦୃଷ୍ଟି ଶକ୍ତି ପ୍ରଭାବିତ ହେବା ଭଳି ଘଟଣା କାରିଗରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ସରକାରଙ୍କ ପକ୍ଷରୁ କଂସା ବାସନ ଓ ପିତଳ କାରିଗର ଙ୍କ ପାଇଁ ସ୍ଥାନୀୟ ପାଣୁସାହୁପାଟଣା ଗ୍ରାମରେ ୪.୮୫ କୋଟି ଟଙ୍କାରେ ନିର୍ମିତ ବ୍ରାସବେଲ ମେଟାଲ କ୍ଲଷ୍ଟର ଟି କାର୍ଯ୍ୟକାରୀ ହେଉନଥିବାରୁ କାରିଗର ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି।