ସପିଂ ମଲ୍‌ ଭିତରେ ବୁଲିଲା ଛୁରୀ ଓ ଫୁଟିଲା ଗୁଳି, ୬ ମୃତ

ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳିରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି।

ସପିଂ ମଲ୍‌ ଭିତରେ ବୁଲିଲା ଛୁରୀ ଓ ଫୁଟିଲା ଗୁଳି, ୬ ମୃତ

ସପିଂ ମଲ୍‌ ଭିତରେ ଫୁଟିଲା ଗୁଳି। କେବଳ ସେତିକି ନୁହେଁ ଛୁରାମାଡ ମଧ୍ୟ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲିଆର ସିଡ୍‌ନୀରେ ଥିବା ଏକ ସପିଂ ମଲ୍‌ରେ ଘଟିଛି ଏଭଳି କିଛି ଘଟଣା। ଫଳରେ ଏହାକୁ ନେଇ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ରିପୋର୍ଟ ମୁତାବକ, ଶୁକ୍ରବାର ଓ୍ୱେଷ୍ଟଫିଲ୍ମ ବୋନି ଜଙ୍କସନ ସପିଂ ସେଣ୍ଟରରେ ଏହି ଘଟଣା ଘଟିଛି। ଏଠାରେ ଜଣେ ଦୁର୍ବୃତ୍ତ ସପିଂ ମଲରେ ଥିବା ଲୋକଙ୍କ ଉପରୁ ଛୁରା ମାଡ କରିଥିଲେ। ଏଥିରେ ଜଣେ ମହିଳା ଓ ତାଙ୍କର ଦୁଇଟି ଛୁଆ ଓ ଜଣେ ଦୋକାନୀଙ୍କ ସମେତ ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଛନ୍ତି। ତେବେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଗୁଳିରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି।

westfield mallଓ୍ୱେଷ୍ଟଫିଲ୍ମ ମଲ୍‌

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଶୁକ୍ରବାର ଅପରାହ୍ଣ ୪ଟା ବେଳେ ଏହି ଘଟଣା ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଗୁଳି କରିବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେହିପରି ସପିଂ ମଲ୍‌ ଭିତରେ ଥିବା ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ବାହରକୁ ବାହାର କରାଯାଇଛି। ଏଥିସହ ଲୋକଙ୍କୁ ସପିଂ ମଲ ଅଞ୍ଚଳରୁ ୧୦୦ ମିଟର ଯାଏ ଦୂରରେ ରହିବାକୁ ଅନୁରୋଧ କରାଯାଇଛି।