ସଫେଇ ସାକ୍ଷୀ

ସାଧାରଣ ମଣିଷ ଜୀବନରେ ଭୁଲ୍‌ ତ୍ରୁଟିି ଦେଖାଯିବାରେ କିଛି ବିଚିତ୍ରତା ନ ଥାଏ। ଏହା ଏକ ସ୍ବାଭାବିକ କଥା। ସଂସାରରେ ତ୍ରୁଟିଶୂନ୍ୟ ମଣିଷଟେ ମିଳିବା ବିରଳ। ସେହିପରି ଦୋଷ ଦୁର୍ବଳତା ନ ଥିବା ମଣିଷଟେ ବି ଖୋଜିଲେ ମିଳିବନି। ଜାଣତରେ ହେଉ ଅଥବା ଅଜାଣତରେ ଆମେ ସମସ୍ତେ କିଛି ନା କିଛି ତ୍ରୁଟି କରିଥାଉ। ଆମେ କହୁଥିବା କଥା ଅଥବା କରୁଥିବା କାମ ଯେବେ କାହାକୁ ମାନସିକ ଭାବେ ଆଘାତ ଦିଏ କିମ୍ବା କାହାର କିଛି କ୍ଷତି […] The post ସଫେଇ ସାକ୍ଷୀ appeared first on Dharitri Odia News.

ସଫେଇ ସାକ୍ଷୀ

ସାଧାରଣ ମଣିଷ ଜୀବନରେ ଭୁଲ୍‌ ତ୍ରୁଟିି ଦେଖାଯିବାରେ କିଛି ବିଚିତ୍ରତା ନ ଥାଏ। ଏହା ଏକ ସ୍ବାଭାବିକ କଥା। ସଂସାରରେ ତ୍ରୁଟିଶୂନ୍ୟ ମଣିଷଟେ ମିଳିବା ବିରଳ। ସେହିପରି ଦୋଷ ଦୁର୍ବଳତା ନ ଥିବା ମଣିଷଟେ ବି ଖୋଜିଲେ ମିଳିବନି। ଜାଣତରେ ହେଉ ଅଥବା ଅଜାଣତରେ ଆମେ ସମସ୍ତେ କିଛି ନା କିଛି ତ୍ରୁଟି କରିଥାଉ। ଆମେ କହୁଥିବା କଥା ଅଥବା କରୁଥିବା କାମ ଯେବେ କାହାକୁ ମାନସିକ ଭାବେ ଆଘାତ ଦିଏ କିମ୍ବା କାହାର କିଛି କ୍ଷତି ଘଟାଏ ଆଉ ଏହାକୁ ନେଇ ଆମ ଉପରକୁ ଅଙ୍ଗୁଳି ଉଠେ ତ ସେତେବେଳେ ଆମେ ସଫେଇ ଦେବାକୁ ତୟାର ହୋଇଯାଉ। ଏହି କ୍ରମରେ ପ୍ରିୟ ପରିଜନଙ୍କଠାରୁ ସାଙ୍ଗସାଥୀ ଓ ସମ୍ପର୍କୀୟମାନଙ୍କ ସହ କୌଣସି ଘଟଣାକୁ ନେଇ ଆମର ଭୁଲ୍‌ବୁଝାମଣା ସୃଷ୍ଟି ହୋଇ କଥା ତିକ୍ତତା ଆଡ଼କୁ ଗତିକରେ ସେତେବେଳେ ଆମେ ଏହାକୁ ନେଇ କିଛି ନା କିଛି ସଫେଇ ଦେବାକୁ ଚେଷ୍ଟା କରିଥାଆନ୍ତି। ଏହା ହୁଏତ ମିଛ କିମ୍ବା ସତ ଉପରେ ଆଧାରିତ ହୋଇପାରେ। ସେହିପରି ଆମ ସଫେଇକୁ ସେ ବିଶ୍ୱାସ ନେଇପାରନ୍ତି, ନ ନେଇ ବି ପାରନ୍ତି। ଏସବୁ ତାଙ୍କ ଉପରେ ନିର୍ଭର କରିଥାଏ।
ସବୁଠାରୁ ବଡ କଥା ହେଉଛି ଆମ ଦ୍ୱାରା ପ୍ରକୃତରେ ଯଦି କିଛି ତ୍ରୁଟି ହୋଇଥାଏ ତେବେ ଏହାକୁ ସ୍ବୀକାର କରିନେବା ଉଚିତ। ଅଯଥାରେ କେବେ କାହା ଆଗରେ ସଫେଇ ଦେବା ଅନାବଶ୍ୟକ। କାରଣ ଆପଣଙ୍କ ଉପରେ ଯାହାର ବିଶ୍ୱାସ ଅଛି ତାକୁ ଏହା ଜରୁରୀ ନୁହେଁ ଆଉ ଯାହାର ତୁମ ଉପରେ ଭରସା ନାହିଁ ସେ ଏହାକୁ ଆଦୌ ମାନିବ ନାହିଁ। ଅନେକ ସମୟରେ କଥା କହୁ କହୁ ଲୋକେ କ’ଣ ନାହିଁ କ’ଣ କହିପକାନ୍ତି। ହିତାହିତ ଜ୍ଞାନ ଭୁଲିଯାଇ କ’ଣ କହିବା ବା କରିବା ଉଚିତ କିମ୍ବା ଅନୁଚିତ ସେ କଥାକୁ ଜମା ଚିନ୍ତା କରନ୍ତି ନାହିଁ। ପରେ ଯେବେ ସେହି କଥାକୁ ନେଇ ତୁମ୍ବିତୋଫାନ ହୁଏ, ବାଦବିବାଦ ଦେଖା ଦିଏ, କଥା ଥାନା କୋର୍ଟ କଚେରି ଯାଏ ପ୍ରଲମ୍ବିତ ହୁଏ ସେତେବେଳେ କହିଥିବା ଲୋକଟିର ଚେତନା ଜାଗ୍ରତ ହୁଏ ଆଉ ସେ କିଛି ନା କିଛି ନିଜ ପକ୍ଷରୁ ସଫେଇ ଦେବାକୁ ବାହାରି ପଡ଼େ।
ଆଜିକାଲି ସଫେଇ ଦେବା ଏକ ବଦଭ୍ୟାସରେ ପରିଣତ ହୋଇଗଲାଣି। ତ୍ରୁଟିଯୁକ୍ତ ଓ ତ୍ରୁଟିମୁକ୍ତ ଉଭୟଙ୍କ ସଫେଇରେ ତଫାତ ରହିଛି। ତ୍ରୁଟିଯୁକ୍ତ ଲୋକଟି ନିଜ ଦୋଷ ଦୁର୍ବଳତାକୁ ଲୁଚେଇବାକୁ ମିଛ ଓ ସ୍ବକଳ୍ପିତ କିଛି ସଫେଇ ଦେବାକୁ ଚେଷ୍ଟା କରୁଥିବା ବେଳେ ତ୍ରୁଟିମୁକ୍ତ ଲୋକଟି ବେଶ୍‌ ନିର୍ଭୀକ ଭାବେ ଓ ସାହସର ସହିତ ନିଜର ପକ୍ଷ ରଖିଥାଏ। କୋର୍ଟକଚେରିରେ ମାଲିମକଦ୍ଦମାରେ ଛନ୍ଦି ହୋଇଥିବା ଲୋକଟି ନିଜେ ଉପସ୍ଥିତ ରହିଥିବା ଓକିଲଙ୍କ ମାଧ୍ୟମରେ ସଫେଇ ସାକ୍ଷୀ ଦେଇଥାଏ। ଯେତେ ଯେତେ ଆପରାଧିକ କାର୍ଯ୍ୟ ସେ ଚୋରି ହେଉ କି ଡକାୟତି, ମାରପିଟ ହେଉ କି ହତ୍ୟା ଅବା ବଳାତ୍କାର ଅଭିଯୁକ୍ତ କ’ଣ ନିଜ କୃତକର୍ମକୁ ସ୍ବୀକାର କରିଥାଏ। ବରଂ ସେ ସର୍ବଦା କିଛି ନା କିଛି ମିଛ ସଫେଇ ପୋଲିସଙ୍କଠାରୁ ପୁଣି କୋର୍ଟ କଚେରିର ହାକିମ ହୁକୁମାଙ୍କ ଯାଏ ଦେଇ ନିଜକୁ ଦୋଷମୁକ୍ତ କରିବାକୁ ଚେଷ୍ଟା କରିଥାଏ।
ଆଜିକାଲି ଛୋଟଠାରୁ ପୁଣି ବଡ଼ଙ୍କ ଯାଏ କଥାକଥାକେ ସଫେଇ ଦେବା ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଦୋଷ କରି ଖସି ଗଲେ ତ ଭଲ ନ ହେଲେ କିଛି ନା କିଛି ସଫେଇ ଦେଇ ନିଜକୁ ଖସେଇବାକୁ ଉଦ୍ୟମ କରିବାରେ ବେଶ୍‌ ଧୂରନ୍ଧର ଏମାନେ। ଘରେ ବାପା-ମା’ହୁଅନ୍ତୁ କି ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପିଲାଏ ସେମାନଙ୍କ ଦୋଷତ୍ରୁଟିକୁ ନେଇ ସେମାନଙ୍କ ଉପରେ ଆଗତ ଅଭିଯୋଗକୁ ସର୍ବଦା ଖଣ୍ଡନ କରିଥାନ୍ତି। ବରଂ କିଛି ଗୋଟେ ବାହାନାବାଜିର ପ୍ରହେଳିକା ସୃଷ୍ଟି କରି ନିଜକୁ ଦୋଷମୁକ୍ତ କରିବାକୁ ପ୍ରୟାସ କରିଥାନ୍ତି। ସତକୁ ସତ କିଛି ବି ଭୁଲ୍‌ ତ୍ରୁଟି କରିଥିବା ଲୋକଟି ଯେବେ ନିଜ ସପକ୍ଷରେ ବିଶ୍ୱାସ ଓ ଭରସାଯୋଗ୍ୟ କିଛି କଥା ଉପସ୍ଥାପନ କରିପାରିଲା ତେବେ ସେ କେତେକାଂଶରେ ଦୋଷମୁକ୍ତ ହୋଇପାରେ ଅନ୍ୟଥା ଏହା ଡାହା ମିଛ ଓ ସମ୍ପୂର୍ଣ୍ଣ କଳ୍ପନା ପ୍ରସୂତ ବୋଲି ପ୍ରମାଣିତ ହୋଇଯିବ। ଅନେକ ସମୟରେ ବିଦ୍ୟାଳୟର ଶିକ୍ଷକ ନିୟମିତ ବିଦ୍ୟାଳୟକୁ ନ ଆସିବା, ବିଳମ୍ବରେ ଆସିବା, ପାଠପଢ଼ାରେ ଅବହେଳା କରିବା ଓ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆଗତ ହୋଇଥାଏ। ଅଭିଯୋଗ ଯେବେ ତଦନ୍ତ ପରିସରକୁ ଆସେ ସେତେବେଳେ ସମ୍ପୃକ୍ତ ଶିକ୍ଷକ ଏହାକୁ ଦୃଢ଼ ଖଣ୍ଡନ କରିବା ସହିତ ନିଜ ପକ୍ଷରୁ କିଛି ନା କିଛି ସଫେଇ ଦେଇଥାଏ। ଏହି କ୍ରମରେ ଥାନାର ପୋଲିସ ହୁଅନ୍ତୁ କି ଡାକ୍ତରଖାନାର ଡାକ୍ତର ହୁଅନ୍ତୁ କିମ୍ବା କୌଣସି ସରକାରୀ ଦପ୍ତରର କର୍ମଚାରୀ/ଅଧିକାରୀ ହୁଅନ୍ତୁ ସେମାନଙ୍କ କାର୍ଯ୍ୟଶୈଳୀ ତଥା ତ୍ରୁଟିବିଚ୍ୟୁତିକୁ ନେଇ ଯେବେ ସାଧାରଣ ଲୋକେ ପ୍ରଶ୍ନ ଉଠାଇଥାନ୍ତି, ସେତେବେଳେ ଏମାନେ କିଛି ନା କିଛି ବାହାନାବାଜି ଓ ବିଶ୍ୱାସ ହେଲା ଭଳି କିଛି ସଫେଇ ଦେଇ ଅଭିଯୋଗରୁ ମୁକୁଳିି ଯିବାକୁ ବସିଥାନ୍ତି। ରାସ୍ତାରେ ଦୁର୍ଘଟଣା ଘଟାଇଥିବା ଗାଡିଚାଳକ ସାଙ୍ଗେ ସାଙ୍ଗେ ସଫେଇ ଦେବା ଆରମ୍ଭ କରିଦିଏ। ତା’ର କିଛି ଦୋଷ ନାହିଁ ବରଂ ଅପରପକ୍ଷ ଭୁଲ୍‌ ରାସ୍ତାରେ କାରଣରୁ ଏଭଳି ଦୁର୍ଘଟଣା ଘଟିଲା। ଥାନା ହାଜତରେ ହେଉ କି ଡାକ୍ତରଖାନାର ଚିକିତ୍ସାରେ ତ୍ରୁଟି ଯୋଗୁ ହେଉ ଯେବେ କେହି ମୃତ୍ୟୁବରଣ କରେ ତେବେ ସେମାନଙ୍କ ପରିବାର ପକ୍ଷରୁ ଅନେକ ସମୟରେ ଅଭିଯୋଗ ଆଗତ ହୋଇଥାଏ। ମାତ୍ର କିଛି ନା କିଛି ସଫେଇ ଦେଇ ଥାନାବାବୁ କିମ୍ବା ଡାକ୍ତରବାବୁ ଦୋଷମୁକ୍ତ ହେବାକୁ ପ୍ରୟାସ କରିଥାନ୍ତି।
ନେତା ଓ ଜନପ୍ରତିନିଧିଙ୍କର ସଫେଇ ଦେବା ଏକ ନିତିଦିନିଆ ଘଟଣା। କେତେବେଳେ ପ୍ରତିପକ୍ଷ ଦଳ ବା ନେତାଙ୍କୁ ତ କେତେବେଳେ ସାଧାରଣ ଜନତାଙ୍କୁ ସଫେଇ ଦେବାରେ ଏମାନେ ପୂରାପୂରି ମାହିର। ସେମାନଙ୍କ କୃତକର୍ମ ତଥା ଦୋଷତ୍ରୁଟିକୁ ଢଙ୍କେଇ ଦେବାକୁ ଯାଇ ମିଛ ସଫେଇର ଆଶ୍ରୟ ନେଇଥାନ୍ତି। ଆଜି କହିଥିବା କଥାର ମର୍ମ ପୁଣି କାଲିକୁ ବଦଳାଇ ଦେଇ କହନ୍ତି। ସମୟେ ସମୟେ କହିଥିବା କଥା ପାଇଁ କୁଆଡ଼େ ସେମାନେ ଲଜ୍ଜିତ ଓ ଅନୁତପ୍ତ ବୋଲି ସଫେଇ ଦେଇଥାନ୍ତି। ସତ କହିବାକୁ ଗଲେ ଯେତେ ସଫେଇ ସାକ୍ଷୀ ଦେଲେ ବି ସତ କେବେ ମିଛ ହେବନି କି ମିଛ କେବେ ସତ ହୋଇ ଯିବନି। କେବଳ ନିଜ ଉପରୁ ଦୋଷ ହଟାଇବାକୁ ଅନ୍ୟକୁ ବିଭ୍ରାନ୍ତ କରିବା କଥା।

– ଯଦୁମଣି ପାଣିଗ୍ରାହୀ
ଶଙ୍ଖିଡ଼ା, ତିହିଡି, ଭଦ୍ରକ
ମୋ:୯୯୩୭୫୬୫୫୨୭

The post ସଫେଇ ସାକ୍ଷୀ appeared first on Dharitri Odia News.