ସଫେଇକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ:ବିଭିନ୍ନ ସ୍ଥାନରେ ପଡିରହିଛି ଅଳିଆ

ଭୁବନେଶ୍ୱର, ୧୨।୩ (ବନ୍ଦନା ସେଠୀ):ଦାବି ଓ ଆଲୋଚନା ପରେ ଏବେ କାମ ବନ୍ଦ କରି ରାସ୍ତାକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଓଦା, ଶୁଖିଲା ଆବର୍ଜନା ପୃଥକ୍‌ କରି ନ ଦେବା ଏବଂ ଦରମା ୯ ହଜାରରୁ ୧୫ହଜାରକୁ ବୃଦ୍ଧି କରିବା ଦାବିରେ ସେମାନେ ଅଟଳ ରହିଛନ୍ତି। ଏହି କ୍ରମରେ ସୋମବାର ସକାଳୁ ୫୦ରୁ ଊର୍ଦ୍ଧ୍ୱ ଓ୍ବାର୍ଡର ସଫେଇ କର୍ମଚାରୀ ଏବଂ ସେମାନଙ୍କ ପ୍ରତିନିଧିମାନେ ଏକାଠି ହୋଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। […] The post ସଫେଇକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ:ବିଭିନ୍ନ ସ୍ଥାନରେ ପଡିରହିଛି ଅଳିଆ appeared first on Dharitri Odia News.

ସଫେଇକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ:ବିଭିନ୍ନ ସ୍ଥାନରେ ପଡିରହିଛି ଅଳିଆ

ଭୁବନେଶ୍ୱର, ୧୨।୩ (ବନ୍ଦନା ସେଠୀ):ଦାବି ଓ ଆଲୋଚନା ପରେ ଏବେ କାମ ବନ୍ଦ କରି ରାସ୍ତାକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଓଦା, ଶୁଖିଲା ଆବର୍ଜନା ପୃଥକ୍‌ କରି ନ ଦେବା ଏବଂ ଦରମା ୯ ହଜାରରୁ ୧୫ହଜାରକୁ ବୃଦ୍ଧି କରିବା ଦାବିରେ ସେମାନେ ଅଟଳ ରହିଛନ୍ତି। ଏହି କ୍ରମରେ ସୋମବାର ସକାଳୁ ୫୦ରୁ ଊର୍ଦ୍ଧ୍ୱ ଓ୍ବାର୍ଡର ସଫେଇ କର୍ମଚାରୀ ଏବଂ ସେମାନଙ୍କ ପ୍ରତିନିଧିମାନେ ଏକାଠି ହୋଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ। ପରେ ମେୟର ସୁଲୋଚନା ଦାସ ସମ୍ପୃକ୍ତ ପ୍ରତିନିଧିମାନଙ୍କୁ ଆଲୋଚନା ପାଇଁ ତାଙ୍କ ବାସଭବନକୁ ଡାକିଥିଲେ। ତେବେ ଆଲୋଚନାରୁ କୌଣସି ସୁଫଳ ମିଳି ନ ଥିଲା। ଆବର୍ଜନା ପୃଥକ ପାଇଁ ଅନ୍ୟ କର୍ମଚାରୀ ରଖିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ଏଜେନ୍ସି ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦରମା ବୃଦ୍ଧି କରିବା ତାଙ୍କ ହାତରେ ନାହଁି, ଏନେଇ ସରକାରଙ୍କୁ ଲିଖିତ ଭାବେ ଜଣାଇବୁ ବୋଲି ମେୟର କହିଥିଲେ। ବୈଠକରେ ବିଏମ୍‌ସିର ଅତିରିକ୍ତ କମିଶନର (ପରିମଳ) ଶୁଭେନ୍ଦୁ ସାହୁ ମଧ୍ୟ ଉପସ୍ଥିତ ଥିଲେ। ତେବେ ଦାବି ପୂରଣ ହେବା ନେଇ ଆଶଙ୍କା ଥିବାରୁ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ବିଏମ୍‌ସି ସଫେଇ ମଜଦୁର ସଂଘ ସମ୍ପାଦକ ସହଦେବ ନାୟକ ସୂଚନା ଦେଇଛନ୍ତି। ଏଥିସହ ମଙ୍ଗଳବାର ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବା ସହ ଝାଡ଼ୁ, ଟ୍ରଲି ଧରି ସଫେଇ କର୍ମଚାରୀମାନେ ବିଏମ୍‌ସି ଘେରିବେ ବୋଲି ସୂଚନା ଦିଆଯାଇଛି। ଗତ କିଛିଦିନ ହେବ ସହରରେ ପରିମଳ ସ୍ଥିତି ବିଗିଡ଼ିବାରେ ଲାଗିଛି। ପୂର୍ବରୁ ଅଳିଆ ଉଠାଯାଇ ଗୋଟିଏ ଜାଗାରେ ଗଦା କରାଯାଉଥିଲା। ମାତ୍ର ସୋମବାର କାମ ବନ୍ଦ ରହିବାରୁ ବିଭିନ୍ନ ଅଞ୍ଚଳରେ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଗତ ୩ମାସ ହେବ ସହରର ବିଭିନ୍ନ ଓ୍ବାର୍ଡର ସଫେଇ କର୍ମୀଙ୍କୁ ବସ୍ତା ଯୋଗେ ଓଦା, ଶୁଖିଲା ଅଳିଆ ପୃଥକ କରି ଦେବା ପାଇଁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି, ଯାହାକୁ ସଫେଇକର୍ମୀ ମାନିବାକୁ ନାରାଜ। ସହର ସ୍ବଚ୍ଛତାକୁ ନେଇ କୌଣସି ଅବହେଳା କରାଯିବ ନାହିଁ ବୋଲି ଅଧିକାରୀ କହୁଥିବାବେଳେ ସଫେଇକର୍ମୀଙ୍କ ଅସହଯୋଗ ଏବେ ଏଜେନ୍ସିକୁ ହରଡ଼ଘଣାରେ ପକାଇଛି। ସେହିପରି ଦରମା ନ ବଢିଲେ ଅତିରିକ୍ତ କାମ କରିବୁ ନାହିଁ ବୋଲି ସଫେଇକର୍ମୀମାନେ ରୋକଠୋକ ଭାବେ ଶୁଣାଇ ଦେଇଛନ୍ତି। ତେବେ ବିଏମ୍‌ସି ଅଧିକାରୀ, ଏଜେନ୍ସି ଏବଂ ସଫେଇ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ବାରମ୍ବାର ଏଭଳି ସମସ୍ୟା ଦେଖା ଦେଉଥିବାବେଳେ ସହରର ପରିମଳ ବ୍ୟବସ୍ଥା ଦିଗହରା ହେବାରେ ଲାଗିଛି।

The post ସଫେଇକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ:ବିଭିନ୍ନ ସ୍ଥାନରେ ପଡିରହିଛି ଅଳିଆ appeared first on Dharitri Odia News.