ସଭା ଓ ଶୋଭାଯାତ୍ରା
ଆଜିକାଲି ସଭା ଓ ଶୋଭାଯାତ୍ରା ଏକ ନିତିଦିନିଆ ଘଟଣା ହୋଇଗଲାଣି। ତେବେ ଅନୁଷ୍ଠିତ ସଭାଗୁଡ଼ିକ ମଧ୍ୟରେ ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭା ଏବେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗାଁ ଗହଳିଠୁଁ ଆରମ୍ଭ କରି ସହର ବଜାର ଯାଏ ଛତୁ ଫୁଟିଲା ଭଳି ବିଭିନ୍ନ କିସମର ସଙ୍ଗଠନ ମାନ ଗଢ଼ି ଉଠିଛି । ବର୍ଷର ବିଭିନ୍ନ ସମୟରେ ସଭାସମିତି ଆୟୋଜନ କରାଇ କବି, ଲେଖକ ଓ ସାହିତି୍ୟକଙ୍କୁ ଅନୁଷ୍ଠାନମାନେ ଏକଜୁଟ କରାଉଛନ୍ତି। ଅତିଥିମାନଙ୍କୁ […] The post ସଭା ଓ ଶୋଭାଯାତ୍ରା appeared first on Dharitri Odia News.
ଆଜିକାଲି ସଭା ଓ ଶୋଭାଯାତ୍ରା ଏକ ନିତିଦିନିଆ ଘଟଣା ହୋଇଗଲାଣି। ତେବେ ଅନୁଷ୍ଠିତ ସଭାଗୁଡ଼ିକ ମଧ୍ୟରେ ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭା ଏବେ ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଗାଁ ଗହଳିଠୁଁ ଆରମ୍ଭ କରି ସହର ବଜାର ଯାଏ ଛତୁ ଫୁଟିଲା ଭଳି ବିଭିନ୍ନ କିସମର ସଙ୍ଗଠନ ମାନ ଗଢ଼ି ଉଠିଛି । ବର୍ଷର ବିଭିନ୍ନ ସମୟରେ ସଭାସମିତି ଆୟୋଜନ କରାଇ କବି, ଲେଖକ ଓ ସାହିତି୍ୟକଙ୍କୁ ଅନୁଷ୍ଠାନମାନେ ଏକଜୁଟ କରାଉଛନ୍ତି। ଅତିଥିମାନଙ୍କୁ ଡକାଇ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଆଲୋଚନା ମଧ୍ୟ କରାଉଛନ୍ତି। କେଉଁଠି କବିତା/ଗଳ୍ପ ପାଠ କରାଯାଉଛି ତ କେଉଁଠି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ରହୁଛି। ତେବେ ଏସବୁ ସଭା ପ୍ରତି ସାଧାରଣ ଶ୍ରୋତାମାନେ ଅନାଗ୍ରହ ପ୍ରକାଶ କରୁଥିବା ବେଳେ କେବଳ ଆୟୋଜକ ଗୋଷ୍ଠୀ ଓ ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତିଭାଙ୍କ ଉପସ୍ଥିତି ସଭା ଶେଷଯାଏ ରହୁଥିବା ଦେଖିବାକୁ ମିଳୁଛି। ମାତ୍ର କବିତା ପଢ଼ିସାରି କବିମାନେ ଫେରାର ହୋଇଯାଉଛନ୍ତି। ଅସଲ କଥା ହେଲା, ଯେଉଁ ଉଦ୍ଦେଶ୍ୟରେ ସଭାଟି ଆୟୋଜିତ ହୋଇଥାଏ ତାହା ସାଧିତ ହୋଇପାରେନି। ନିର୍ଦ୍ଧାରିତ ପ୍ରସଙ୍ଗ ଉପରେ ଆବଶ୍ୟକ ଦକ୍ଷତା ବା ବିଷୟଜ୍ଞାନ ନ ଥିବା କାରଣରୁ ଅନେକ କ୍ଷେତ୍ରରେ ଆଲୋଚନା ବିପଥଗାମୀ ହୁଏ। ସାମାଜିକ କ୍ଷେତ୍ରରେ ତା’ର ପ୍ରତିଫଳନ ଦୃଷ୍ଟିକୁ ଆସେ ନାହିଁ। କିନ୍ତୁ ରାଜନୈତିକ ସଭା ଓ ଶୋଭାଯାତ୍ରାରେ ଲୋକଙ୍କର ବେଶି ଭିଡ଼ ଦେଖିବାକୁ ମିଳିଥାଏ; ଯାହା ପ୍ରାୟୋଜିତ। ନିର୍ବାଚନ ପାଖେଇ ଆସିଲେ ଲୋକଙ୍କ ସମର୍ଥନ ଯୋଗାଡ଼ କରିବାକୁ ରାଜନୈତିକ ଦଳ ଓ ଦଳୀୟ ନେତାଙ୍କ ପକ୍ଷରୁ ଆୟୋଜିତ ସଭା ଓ ଶୋଭାଯାତ୍ରା ହୁଏତ ଦଳୀୟ ସ୍ବାର୍ଥ ସାଧନରେ ସହାୟକ ହୋଇଥାଏ, କିନ୍ତୁ ସାଧାରଣ ଲୋକଙ୍କୁ ଏଥିପାଇଁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼େ। ଅଧିକାଂଶ ସମୟରେ ଏହାକୁ ନେଇ ରାସ୍ତାଘାଟରେ ଟ୍ରାଫିକ ଜାମ୍ ଓ ପରିବେଶ ପ୍ରଦୂଷଣଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏକଥା ଅବଶ୍ୟ ସତ ଯେ, ସାହିତ୍ୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଭାଗୁଡ଼ିକ ଲୋକଙ୍କର ଜ୍ଞାନର ପରିସର ବୃଦ୍ଧି ଓ ବୌଦ୍ଧିକ ଚେତନାକୁ ଜାଗ୍ରତ କରାଇବାରେ କିଛି ଅଂଶରେ ସହାୟକ ହେଉଥିବା ବେଳେ ରାଜନୈତିକ ସଭା ସହିତ କିନ୍ତୁ ଲୋକଙ୍କର ସିଧାସଳଖ କିଛି ନା କିଛି ସ୍ବାର୍ଥ ଓ ଭାବଗତ ସମ୍ପର୍କ ରହିଛି।
ଏସବୁ ସଭା ବ୍ୟତୀତ ଆଜିକାଲି ଶ୍ରଦ୍ଧାଞ୍ଜଳି ବା ସ୍ମୃତିଚାରଣ ସଭା ଓ ଶବ ଶୋଭାଯାତ୍ରାଗୁଡ଼ିକ ବହୁଳ ମାତ୍ରାରେ ଅନୁଷ୍ଠିତ ହେଉଛି। ଆଉ ଏଥିରେ ଭେଦଭାବ ବି କିଛି ରହୁନି। ଦିନଥିଲା ସେବା, ତ୍ୟାଗ ଓ ପରୋପକାର ଭଳି ମହନୀୟ ଗୁଣରେ ବିଭୂଷିତ ସର୍ବୋପରି ସାମାଜିକ କ୍ଷେତ୍ରରେ ଅବଦାନ ଥିବା କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପରଲୋକରେ ତାଙ୍କର ସ୍ମୃତିଚାରଣ ସଭା ଅନୁଷ୍ଠିତ ହେଉଥିଲା। ଏବେ କିନ୍ତୁ ରାଜନୈତିକ ପ୍ରଭାବ ଓ ପତିଆରା ଥିବା ବ୍ୟକ୍ତିଙ୍କର ବି ସ୍ମୃତିଚାରଣ ସଭା ଓ ଶବ ଶୋଭାଯାତ୍ରା ବଡ଼ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଛି। ଆଉ ଏମାନଙ୍କର ସ୍ତାବକ ଓ ପ୍ରଶଂସକମାନେ ବିଭିନ୍ନ ଉପମା ଅଳଙ୍କାର ଦେଇ ଏମାନଙ୍କ ଗୁଣକୀର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ବିଭିନ୍ନ ସଚେତନତା ସଭା ଓ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଆଉ ଏଥିପାଇଁ ବି ବହୁଳ ଅର୍ଥ ବ୍ୟୟ କରାଯାଉଛି। ଏହାର କୌଣସି ସୁଦୂର ପ୍ରସାରୀ ପ୍ରଭାବ କାହା ଉପରେ ପଡ଼ିବା ଭଳି ମନେହେଉନି। ବିଭିନ୍ନ ଦାବି ହାସଲ ଓ ସମସ୍ୟା ସମାଧାନ ଲାଗି ବିଭିନ୍ନ ଗୋଷ୍ଠୀ ଓ ସଙ୍ଗଠନଗୁଡ଼ିକ ପକ୍ଷରୁ ଅଧିକାଂଶ ସମୟରେ ପ୍ରତିବାଦ ସଭା ଓ ଶୋଭାଯାତ୍ରା ମାନ ଅନୁଷ୍ଠିତ ହୋଇଥାଏ। ବିଶେଷକରି ବିଧାନସଭା ଅଧିବେଶନ ସମୟରେ ଏହି ସଭା ଓ ଶୋଭାଯାତ୍ରାର ଉଷ୍ମତା ଅଧିକ ଜଣାପଡ଼େ। ଅନ୍ୟପକ୍ଷେ ଉତ୍ସବ/ମହୋତ୍ସବ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ନାଁରେ ସଭା ସାଙ୍ଗକୁ ଯୁବକମାନଙ୍କୁ ନେଇ ବାଇକ ଓ ମହିଳାଙ୍କୁ ନେଇ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଏସବୁ ବି ରାସ୍ତାଘାଟ ଜାମ କରିବା ସହିତ ସାଧାରଣ ଲୋକଙ୍କ ଗମନାଗମନରେ ବାଧା ସୃଷ୍ଟି କରିଥାଏ। ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସ୍କୁଲ କଲେଜର ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭାମାନଙ୍କରେ ଡାକିଆଣି ସମବେତ କରାଇବା ଏକ ଅହିତକର ପରମ୍ପରା ସୃଷ୍ଟି କରୁଥିଲେ ବି ନେତା ଓ ବୁଦ୍ଧିଜୀବୀମାନେ ଏଥିପ୍ରତି ଆଖି ବୁଜି ଦେଇଥାନ୍ତି। ଏସବୁ ସଭାରେ ବକ୍ତାଙ୍କ ବକ୍ତବ୍ୟ ଶୁଣିବା ଅପେକ୍ଷା ମନୋରଞ୍ଜନ କାର୍ଯ୍ୟକ୍ରମ ଉପରେ ପିଲାଙ୍କ ନଜର ଅଧିକ କେନ୍ଦ୍ରୀଭୂତ ହୋଇଥାଏ।
ସେହିପରି ବିଭିନ୍ନ ସରକାରୀ/ବେସରକାରୀ ଦପ୍ତର, ସ୍କୁଲ, କଲେଜର ଶିକ୍ଷକ/ ଅଧ୍ୟାପକମାନଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ ମଧ୍ୟ କରାଯାଇଥାଏ। ଏଥିରେ ନୂତନତ୍ୱ ବୋଲି କିଛି ନ ଥାଏ ଏବଂ ଏସବୁ ସଭା ବାରମାସୀ ଓ ଏଗୁଡ଼ିକ ଚିରାଚରିତ ଢଙ୍ଗରେ ସମ୍ପନ୍ନ କରାଯାଇଥାଏ। କାହାର କାହା ପ୍ରତି ଅନ୍ତରରେ ଶ୍ରଦ୍ଧା, ସମ୍ମାନ କି ଭଲ ପାଇବା ଥାଉ କି ନ ଥାଉ ସଭାରେ ଉପସ୍ଥିତ ହୋଇ କେବଳ ଦି’ପଦ ପ୍ରଶଂସା ସୂଚକ ବକ୍ତବ୍ୟ ପ୍ରଦାନ କରିବାରେ ସେବାରେ ଥିବା ଓ ସେବା ନିବୃତ୍ତବ୍ୟକ୍ତି ଆତ୍ମତୃପ୍ତି ଓ ସନ୍ତୋଷ ଲାଭ କରିଥାନ୍ତି। ସଭା ଓ ଶୋଭାଯାତ୍ରାର ଆୟୋଜକମାନେ ନିଜ ଭିତରେ ଥିବା ସଂକୀର୍ଣ୍ଣ ମନୋଭାବ ଓ ହୀନମନ୍ୟତାକୁ ଦୂରକରି ସାମାଜିକ ହିତ ଦୃଷ୍ଟିରୁ ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ବ୍ୟାପକ ଓ ସମାଜ ଉପଯୋଗୀ କରିବା ପରିବର୍ତ୍ତେ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଯାଇ ଅଯଥା ଓ ଅକାରଣରେ ଆତ୍ମ ସଂକୀର୍ତ୍ତନ ଉଦ୍ଦେଶ୍ୟରେ ସଭା ଓ ଶୋଭାଯାତ୍ରା ମାନ ଆୟୋଜନ କରିଥାନ୍ତି। ସମୟ ଆସିଛି ଏଭଳି ସଭା ଓ ଶୋଭାଯାତ୍ରାର ଔଚିତ୍ୟକୁ ନେଇ ଏବଂ ଏହାର ସାମାଜିକ ଯଥାର୍ଥତାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବାର ଆବଶ୍ୟକତା ରହିଛି। ତା’ନ ହେଲେ ଆଗାମୀ ପିଢ଼ି ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ରହିଛି।
ଯଦୁମଣି ପାଣିଗ୍ରାହୀ
ଶଂଖିଡା, ତିହିଡି, ଭଦ୍ରକ
ମୋ:୯୯୩୭୫୬୫୫୨୭
The post ସଭା ଓ ଶୋଭାଯାତ୍ରା appeared first on Dharitri Odia News.