ସମ୍ପତ୍ତି ପାଇଁ ବାପାକୁ ମୁଥ ମାରି ମାରି ମାରିଦେଲା ପୁଅ

ଜଣେ ଅସହାୟ ବୁଢା ବାପାକୁ ପୁଅ ମାଡ଼ ମାରୁଥିବାର ସିସିଟିଭି ଭିଡିଓ ଯେକେହିକୁ ଅଥୟ କରିଦେବ।

ସମ୍ପତ୍ତି ପାଇଁ ବାପାକୁ ମୁଥ ମାରି ମାରି ମାରିଦେଲା ପୁଅ

ଅବିବେକୀ-ଅମଣିଷ-ନୃଶଂସ ଏପରି ଯେତେ ଶବ୍ଦ ଅଛି କମ୍ ପଡିଯିବ... କାରଣ ଯେଉଁ ପୁଅ ପାଇଁ ବାପା ଜୀବନ ତମାମ କଷ୍ଟ-ଯନ୍ତ୍ରଣା ସହିଥିଲା, ସେହି ପୁଅ ସମ୍ପତ୍ତି ପାଇଁ ଜୀବନ ନେଇଗଲା। ଜଣେ ଅସହାୟ ବୁଢା ବାପାକୁ ପୁଅ ମାଡ଼ ମାରୁଥିବାର ସିସିଟିଭି ଭିଡିଓ ଯେକେହିକୁ ଅଥୟ କରିଦେବ।

ଖବର ଅନୁସାରେ, ଘଟଣା ତାମିଲନାଡୁର ପେରାମବାଲୁରର। ସମ୍ପତ୍ତି ଭାଗବଣ୍ଟାକୁ ନେଇ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପୁଅ ମୁଥ ମାରି ମାରି ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ସମୟର ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଭିଡିଓ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ ବେଞ୍ଚ ଉପରେ ବସିଥିଲେ। ତାଙ୍କ ପୁଅ ଆସି କିଛି ବି ନକହି ହଠାତ୍ ତାଙ୍କୁ ମାଡ଼ ମାରିଥିଲେ। ଦୁଇ ଗାଲକୁ ଗୋଟିଏ ପରେ ଗୋଟିଏ ମୁଥ ମାରିଚାଲିଥିଲେ। ଏତିକିରେ ମନ ଶାନ୍ତି ହେଲାନି ଯେ ଗୋଇଠା ମାରିବାକୁ ବି ପଛାଇନଥିଲେ।

ଏହାପରେ ବୃଦ୍ଧ ଜଣକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡ଼ି ଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। 

ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ପୁଅ ସନ୍ତୋଷ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର  ଧାରା ୩୨୩, ୩୨୪ ଏବଂ ୫୦୬ ଆଧାରରେ ମାମଲା ରୁଜୁ କରି ତଦନ୍ତ କରୁଛି।