ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ

ସମ୍ବଲପୁର,୨୨ା୧(ପ୍ରମୋଦ ବହିଦାର): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଦୀର ମାରୱାଡ଼ିପଡ଼ା ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ ପ୍ରଦୀପ ପ୍ରଜ୍ୱଳିତ ହୋଇଛି। ଏକ ଧାର୍ମିକ ପରିବେଶ ମଧ୍ୟରେ ମାରୱାଡ଼ି ଯୁବା ମଞ୍ଚ ଓ ନବ ଚେତନା ସଂଘ କ୍ଷେତରାଜପୁର ଶାଖା ପକ୍ଷରୁ ଏହି ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରୁ ଏଠାରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଘାଟର ଶିଡ଼ିିରେ ଦୀପଗୁଡ଼ିକୁ […] The post ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ appeared first on Dharitri Odia News.

ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ

ସମ୍ବଲପୁର,୨୨ା୧(ପ୍ରମୋଦ ବହିଦାର): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଦୀର ମାରୱାଡ଼ିପଡ଼ା ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ ପ୍ରଦୀପ ପ୍ରଜ୍ୱଳିତ ହୋଇଛି।

ଏକ ଧାର୍ମିକ ପରିବେଶ ମଧ୍ୟରେ ମାରୱାଡ଼ି ଯୁବା ମଞ୍ଚ ଓ ନବ ଚେତନା ସଂଘ କ୍ଷେତରାଜପୁର ଶାଖା ପକ୍ଷରୁ ଏହି ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରୁ ଏଠାରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଘାଟର ଶିଡ଼ିିରେ ଦୀପଗୁଡ଼ିକୁ ‘ଜୟ ଶ୍ରୀରାମ’, ‘ଆଇ ଲଭ୍‌ ସମ୍ବଲପୁର’ ଲେଖାରେ ସଜଡ଼ା ଯାଇଥିବା ଦେଖବାକୁ ମିଳିଥିଲା। ସନ୍ଧ୍ୟାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ବିଷ୍ଣୁ ସହସ୍ରନାମ ଜପ କରାଯାଇ ସନ୍ଧ୍ୟା ନଇଁବା ସହ ସମସ୍ତ ଦୀପ ପର୍ଯ୍ୟାୟ କ୍ରମେ ପ୍ରଜ୍ୱଳିତ କରାଯାଇଥିଲା।

ଏହି ସମୟରେ ଡାକବାଜି ଯନ୍ତ୍ରରେ ଭକ୍ତି ସଙ୍ଗୀତ, ଭଜନ ସହିତ ହୁଳହୁଳି, ଶଙ୍ଖ, ଘଣ୍ଟ ବାଦ୍ୟ ସହ ‘ଜୟ ଶ୍ରୀରାମ’, ‘ହରିବୋଲ’ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଅଯୋଧ୍ୟା ସରୋବର ସହ ସମଗ୍ର ଅଞ୍ଚଳ। ପଣ୍ଡିତ ସନ୍ତୋଷ ପାଣ୍ଡେଙ୍କ ନେତୃତ୍ୱରେ ୫ ଜଣ କାଶୀ ପଣ୍ଡିତ ମହାନଦୀ ଘାଟରେ ଥିବା ଶିବ ମନ୍ଦିରରେ ନୀତି ଅନୁସାରେ ପୂଜାର୍ଚ୍ଚନା କରି ରିଂରୋଡ଼ ପାର୍ଶ୍ୱସ୍ଥ ପର୍ଶୁରାମ କଲ୍ୟାଣ ମଣ୍ଡପ ସଂଲଗ୍ନ ମଞ୍ଚ ଉପରେ ମହାନଦୀ ଆଳତି କରିଥିଲେ।

ଏଥିରେ କୁନି ବାଳିକା ଓ ବାଳକମାନେ ପ୍ରଭୁ ଶ୍ରୀରାମ, ମାତା ସୀତା, ଭ୍ରାତା ଲକ୍ଷ୍ମଣ ଓ ବୀର ହନୁମାନ ବେଶରେ ସଜ୍ଜିତ ହୋଇ ସାମିଲ ହୋଇଥିଲେ। ଆଳତି ପରେ ଆୟୋଜକ ମାରୱାଡ଼ି ଯୁବାମଞ୍ଚ ଓ ନବଚେତନା ଶାଖାର ସଦସ୍ୟମାନେ ଡଙ୍ଗାରେ ମହାନଦୀ ଗର୍ଭକୁ ଯାଇ ପ୍ରାୟ ୧ ଘଣ୍ଟାଧରି ଏକ ଚିତ୍ତାକର୍ଷକ ଆତବାଜି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ସମ୍ବଲପୁର ମହାନଦୀ ଆକାଶ ପ୍ରକମ୍ପିତ ହେବା ସହ ରଙ୍ଗିନ ହୋଇ ଉଠିଥିଲା।

ଦୀପ ପ୍ରଜ୍ୱଳନରେ ପ୍ରାୟ ୩୫୦ଟି ୧୬ ଲିଟର ବିଶିଷ୍ଟ ଟିଣ ମୋଟ୍‌ ସାଢ଼େ ୫ ହଜାର ଲିଟର ରାଶି ତେଲ ବ୍ୟବହୃତ ହୋଇଥିଲା। ଚାଉଁରପୁର ଗ୍ରାମର କୁମ୍ଭକାର ପରିବାର ଦିନରାତି ପରିଶ୍ରମ କରି ଦୀପ ଯୋଗାଇ ଦେଇଥିଲେ। ଜିଲା ପ୍ରଶାସନ ସହ ଜିଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

The post ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ appeared first on Dharitri Odia News.