ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହିଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲା ନାକଟୀଦେଉଳ ଥାନା ସାହେବୀ ଅଞ୍ଚଳରୁ। ଅଭିଯୋଗ କ୍ରମେ ପୋଲିସ ସାହେବୀ ଗାଁର ହରି ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ନାଳରେ ଶୌଚ ସମୟରେ ସମ୍ପୃକ୍ତା ଯୁବତୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ […] The post ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା appeared first on Dharitri Odia News.

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହିଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲା ନାକଟୀଦେଉଳ ଥାନା ସାହେବୀ ଅଞ୍ଚଳରୁ। ଅଭିଯୋଗ କ୍ରମେ ପୋଲିସ ସାହେବୀ ଗାଁର ହରି ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ନାଳରେ ଶୌଚ ସମୟରେ ସମ୍ପୃକ୍ତା ଯୁବତୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ତାଙ୍କୁ ଚାପୁଡା ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ଲୁଚାଇବା ପାଇଁ ପାଖରେ ଥିବା ବୁଦାରେ ମୃତଦେହ ଲୁଚାଇ ଦେଇଥିଲି। ରାତିରେ ନାଳ ସମୀପ କାଉଁଶୀଖୁଜ ଜଙ୍ଗଲକୁ ମୃତଦେହ ନେଇ ଫିଙ୍ଗି ଦେଇଥିବା ଅଭିଯୁକ୍ତ ପଚରାଉଚରା ବେଳେ ସ୍ବୀକାର କରିଥିବା ସମ୍ବଲପୁର ଅତିରିକ୍ତ ଏସ୍‌ପି ଆଲବିନୁସ କେରକେଟା କହିଛନ୍ତି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବଳାତ୍କାର ହୋଇଛି କି ନାହିଁ ତାହା ଜଣାପଡିବ ବୋଲି ସେ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଘର ନିକଟ ସୁଆଗିଝରଣ ନାଳକୁ ସମ୍ପୃକ୍ତା ୧୯ବର୍ଷୀୟା ଯୁବତୀ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ନାଳ ନିକଟକୁ ଯାଇଥିଲେ। ଗାଧୁଆ ତୁଠରେ ତାଙ୍କ ଚପଲ, ଡ୍ରେସ ଏବଂ ମୋବାଇଲ ପଡିଥିବା ବେଳେ ସେଠାରେ ତାଙ୍କ ପତ୍ତା ମିଳି ନ ଥିଲା। ପରିବାର ଲୋକେ ଆଖପାଖ ସ୍ଥାନରେ ବହୁ ସମୟ ଧରି ଖୋଜାଖୋଜି କରି ଝିଅକୁ ନ ପାଇ ନାକଟୀଦେଉଳ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ସାହେବୀ ଗ୍ରାମର ହରି ବେହେରାଙ୍କ ଏଥିରେ ହାତ ଅଛି ବୋଲି ସେମାନେ ସନ୍ଦେହ କରିଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା।

ଘଟଣାକ୍ରମରେ ରବିବାର ସକାଳୁ ଝାରବେଡ଼ା ପାଣ୍ଡୁରିପଶି ସାହି ନିକଟ କାଉଁଶୀଖୁଜ ଜଙ୍ଗଲ ପାଖ ଜମିକୁ କାମ କରିବାକୁ ଯାଇଥିବା ଝାରବେଡ଼ା ଗ୍ରାମର କେତେଜଣ ମହିଳା ପଚାଗନ୍ଧ ଆସୁଥିବା ସ୍ଥାନକୁ ଯିବାରୁ ସେଠାରେ ଏକ ଖାଲ ସ୍ଥାନରେ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ରେଢାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ସାମଲ ଏବଂ ନାକଟୀଦେଉଳ ଥାନା ଅଧିକାରୀ ଝସକେତନ ଭୋଇ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇବାକୁ ଉଦ୍ୟମ କରିବା ବେଳେ ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିଥିଲେ। ହତ୍ୟାକାରୀଙ୍କୁ ଘଟଣାସ୍ଥଳକୁ ଆଣି ଡ଼େମୋ ଦେଖାଇବା ପରେ ମୃତଦେହ ଉଠାଇବା ଦାବି କରି ମଧ୍ୟାହ୍ନ ୧୨ଟାରୁ ନାକଟୀଦେଉଳ-ବାଟଗାଁ ରାସ୍ତାର ଝାରବେଡାଠାରେ ଅବରୋଧ କରିଥିଲେ। ଖବର ପାଇଁ ନାକଟୀଦେଉଳ ତହସିଲଦାର ଅମର କୁମାର ଡୁଙ୍ଗଡୁଙ୍ଗ, ରେଢାଖୋଲ ଏସ୍‌ଡ଼ିପିଓ ସାମଲ ଏବଂ ନାକଟୀଦେଉଳ ଥାନା ଅଧିକାରୀ ଭୋଇ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୁକ୍ତ ଗିରଫ ହୋଇଥିବା ଅବଗତ କରାଯିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା।

The post ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା appeared first on Dharitri Odia News.