ସରକାରୀ କାର୍ଯ୍ୟାଳୟ ଦୁର୍ନୀତି ବଢ଼ିଚାଲିଛି
ପଟ୍ଟାମୁଣ୍ଡାଇ,୧୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ମାତ୍ର ବିଭାଗୀୟ ସରକାରୀ ଅଧିକାରୀମାନେ ଅଭିଯୋଗକୁ ଭ୍ରୂକ୍ଷେପ ନ କରି ଅଭିଯୋଗକାରୀଙ୍କୁ ନାଲିଆଖି ଦେଖାଇବା ସହ କେସ୍ କରି ଦେବାକୁ ଧମକଚମକ ଦେଉଛନ୍ତି। ଫଳରେ ସାଧାରଣ ଲୋକେ ଡରି ଚୁପ୍ ରହିଯାଉଥିବାବେଳେ ଦୁର୍ନୀତି ବଢ଼ି ଚାଲୁଛି। ଫଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରହୁନାହିଁ ବୋଲି […] The post ସରକାରୀ କାର୍ଯ୍ୟାଳୟ ଦୁର୍ନୀତି ବଢ଼ିଚାଲିଛି appeared first on Dharitri Odia News.
ପଟ୍ଟାମୁଣ୍ଡାଇ,୧୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ମାତ୍ର ବିଭାଗୀୟ ସରକାରୀ ଅଧିକାରୀମାନେ ଅଭିଯୋଗକୁ ଭ୍ରୂକ୍ଷେପ ନ କରି ଅଭିଯୋଗକାରୀଙ୍କୁ ନାଲିଆଖି ଦେଖାଇବା ସହ କେସ୍ କରି ଦେବାକୁ ଧମକଚମକ ଦେଉଛନ୍ତି। ଫଳରେ ସାଧାରଣ ଲୋକେ ଡରି ଚୁପ୍ ରହିଯାଉଥିବାବେଳେ ଦୁର୍ନୀତି ବଢ଼ି ଚାଲୁଛି। ଫଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରହୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି, କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ଯେ, ଯେପରି ମାଛ ପାଣି ମଧ୍ୟରେ ରହି କେତେ ଜଳପାନ କରୁଛି, ଜାଣିବା ସମ୍ଭବପର ନୁହେଁ, ସେହିପରି ସରକାରୀ କର୍ମଚାରୀ କେତେ ଅର୍ଥ ଆତ୍ମସାତ୍ କରୁଛନ୍ତି ତାହା ମଧ୍ୟ ଜନସାଧାରଣ ଜାଣି ପାରୁନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ନିତାନ୍ତ ଅପରିହାର୍ଯ୍ୟ। କାରଣ କେଉଁ ବିଭାଗରେ କେତେ ଖର୍ଚ୍ଚ ହେଉଛି ତାହା ଉଚ୍ଚପଦାଧିକାରୀ ଓ ସ୍ଥାନୀୟ ରାଜନେତା ହିଁ। ଜାଣନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରାଜନେତା, ଉଚ୍ଚ ପଦାଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଅଞ୍ଚଳ ସବୁକ୍ଷେତ୍ରରେ ଅବହେଳିତ ହୋଇ ପଡ଼ିରହିଛି। ଏଠାରେ ବିଭିନ୍ନ ବିଭାଗରେ ଅଧିକାଂଶ ଅଧିକାରୀ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ଅନେକ ବିଭାଗରେ ଯନ୍ତ୍ରୀ, ଅଧିକାରୀ ନାହାନ୍ତି। ଫଳରେ ବିଭାଗରେ ଅନିୟମିତତା ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ, କ୍ଷିରୋଦ ମଲ୍ଲିକ କହିଛନ୍ତି, ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ବିଲୋପ ହେବା ପରେ ଅବହେଳିତ ହୋଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ନ ଥିବାରୁ ଦୁର୍ନୀତି ବଢ଼ିଚାଲିଛି। ଉଦାହରଣ ସ୍ବରୂପ କଟକ ସମବାୟ ବିଭାଗ ଅଧୀନରେ ଥିବା ସମିତିରେ ଧାନକିଣାଠାରୁ ଆରମ୍ଭ କରି କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହୋଇଚାଲିଛି। ସମିତି ସମ୍ପାଦକମାନେ ୧୫ ହଜାର ଟଙ୍କା ଦରମା ପାଉଥିବା ବେଳେ ସେମାନେ ନିଜେ ନିଜେ ଜଣେ ଦୁଇଜଣ ଆସିଷ୍ଟାଣ୍ଟ ରଖି ଦରମା ଦେଉଛନ୍ତି। ଅନ୍ୟପକ୍ଷରେ ୬ରୁ ୭ ଜଣ ସମ୍ପାଦକ କଟକ, ଭୁବନେଶ୍ୱର ଭଳି ଜାଗାରେ ଜମି କିଣିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ କିରାଣି ୧୦ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। କେତେଜଣ କନିଷ୍ଠ ଯନ୍ତ୍ରୀ ତାଙ୍କର ଜଣେ ଜଣେ ଆସିଷ୍ଟାଣ୍ଟ ରଖି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରିବା ସହ ପିସି ଅର୍ଥ ହଡ଼ପ କରୁଥିବା ନେଇ ସାଧାରଣରେ ବାରମ୍ବାର ଅଭିଯୋଗ ହେଉଛି। ହେଲେ ସ୍ଥାନୀୟ ରାଜନେତାଙ୍କୁ ହାତ କରି ସେମାନେ ବର୍ଷ ବର୍ଷ ଧରି ରହିଛନ୍ତି। ଅନ୍ୟପକ୍ଷରେ ଏହି ଯନ୍ତ୍ରୀମାନେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେମାନେ ରଖିଥିବା ଅନଭିଜ୍ଞ ଆସିଷ୍ଟାଣ୍ଟ ତଦାରଖ କରି ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଯୋଗାଣ ବିଭାଗର ମନମାନି ପାଇଁ ବ୍ଲକ ପରିସରରେ ଜଣେ ସରପଞ୍ଚ ଗଣ୍ଡଗୋଳ କରି ଗିରଫ ହୋଇଥିଲେ। ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ କେହି ନ ଥିବାବେଳେ ଜଣେ ଯନ୍ତ୍ରୀ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ ଆଳି ୩ ଡିଭିଜନ କାର୍ଯ୍ୟ ତଦାରଖ କରିବା ସମ୍ଭବ ହେଉନାହଁି। ଫଳରେ ଠିକାଦାର ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରି ମାଲାମାଲ ହେଉଛନ୍ତି। ଜଳ ସମ୍ପଦ ବିଭାଗରେ ଜଣେ ଯନ୍ତ୍ରୀ ବିଗତ ୧୦ବର୍ଷ ହେବ ଏଠାରେ ରହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ଜଣେ ବି ଜେଇ ନ ଥିବାରୁ ସ୍ବଚ୍ଛତା ରହୁନାହିଁ। ସେହିପରି ପୌର ପରିଷଦ ଏସବୁରୁ ବାଦ୍ ପଡ଼ି ନ ଥିବା ଅଭିଯୋଗ ରହିଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏ ବାବଦରେ ବହୁବାର ଅଭିଯୋଗ ଆସିଲାଣି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
The post ସରକାରୀ କାର୍ଯ୍ୟାଳୟ ଦୁର୍ନୀତି ବଢ଼ିଚାଲିଛି appeared first on Dharitri Odia News.