ସାଇବର ଠକେଇର ନୂଆରୂପ: ପିଗ ବୁଚରିଙ୍ଗ
ବିଜ୍ଞାନ ନିଜର କରାମତିରେ ଯେତେ ଜୋରରେ ଦୌଡ଼ି ଚାଲିଛି, ସାଇବର ଠକେଇ ଜନସାଧାରଣଙ୍କୁ ନୂଆ ନୂଆ ରୂପରେ ସେତିକି ଶିକାର କରିଚାଲିଛି। ଏହାର ସଦ୍ୟତମ ରୂପ ହେଉଛି ‘ପିଗ ବୁଚରିଙ୍ଗ’। ସାଧାରଣ ଅର୍ଥରେ ବୁଝିବାକୁ ହେଲେ ଗୋଟିଏ ଘୁଷୁରୀକୁ ପ୍ରଥମେ ଖୁଆଇ ପିଆଇ ହୃଷ୍ଟପୁଷ୍ଟ କରାଯାଏ। ତା’ପରେ ତା’କୁ ହତ୍ୟା କରି ମାଂସ ବିକ୍ରି କରି ପ୍ରଚୁର ଲାଭ କରାଯାଏ୍। ୨୦୧୬ ମସିହାରେ ଏହି ଠକେଇର ପରିକଳ୍ପନା ଚୀନରୁ ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ସାଧାରଣତଃ, ସାଇବରଠକମାନେ […]

ବିଜ୍ଞାନ ନିଜର କରାମତିରେ ଯେତେ ଜୋରରେ ଦୌଡ଼ି ଚାଲିଛି, ସାଇବର ଠକେଇ ଜନସାଧାରଣଙ୍କୁ ନୂଆ ନୂଆ ରୂପରେ ସେତିକି ଶିକାର କରିଚାଲିଛି। ଏହାର ସଦ୍ୟତମ ରୂପ ହେଉଛି ‘ପିଗ ବୁଚରିଙ୍ଗ’। ସାଧାରଣ ଅର୍ଥରେ ବୁଝିବାକୁ ହେଲେ ଗୋଟିଏ ଘୁଷୁରୀକୁ ପ୍ରଥମେ ଖୁଆଇ ପିଆଇ ହୃଷ୍ଟପୁଷ୍ଟ କରାଯାଏ। ତା’ପରେ ତା’କୁ ହତ୍ୟା କରି ମାଂସ ବିକ୍ରି କରି ପ୍ରଚୁର ଲାଭ କରାଯାଏ୍। ୨୦୧୬ ମସିହାରେ ଏହି ଠକେଇର ପରିକଳ୍ପନା ଚୀନରୁ ଆରମ୍ଭ ହୋଇଥିବା ଅନୁମାନ କରାଯାଏ।
ସାଧାରଣତଃ, ସାଇବରଠକମାନେ ବେକାର ଯୁବକଯୁବତୀ, ଛାତ୍ରଛାତ୍ରୀ, ଗୃହିଣୀ ଓ ହତାଶ ବର୍ଗଙ୍କୁ ଶିକାର କରିଥା’ନ୍ତି। କମ ଅର୍ଥ ବିନିଯୋଗ କରି ଅଳ୍ପସମୟରେ ଅଧିକ ଅର୍ଥ ରୋଜଗାର କରିବାର ପ୍ରଲୋଭନ ଦେଖାଇଥା’ନ୍ତି। ସେଥିପାଇଁ ଅଜଣା ଫୋନ ନମ୍ୱରରୁ ବାରମ୍ୱାର କଲ୍ ଓ ମେସେଜ୍ ଦେଇଥା’ନ୍ତି। ବିଶେଷକରି ସରଳବିଶ୍ୱାସୀମାନଙ୍କ ସହିତ ସେମାନେ ବନ୍ଧୁତାସ୍ଥାପନ କରନ୍ତି ଏବଂ ତା’ପରେ ସେମାନଙ୍କୁ କ୍ରିପ୍ଟୋକରେନ୍ସି କିମ୍ୱା ଅନ୍ୟ କୌଣସି ଲାଭଦାୟକ ଯୋଜନାରେ ଅନଲାଇନ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଇ ଥା’ନ୍ତି। ହିତାକାଂକ୍ଷୀ ହେବାର ପ୍ରମାଣ ଦେବା ପାଇଁ ବିନିଯୋଗ କରିଥିବା ଟଙ୍କାରେ ଲାଭ ଦେଖାଇ ଲାଭଟଙ୍କାକୁ ଶୀଘ୍ର ଉଠାଇ ନେବାକୁ ପ୍ରବର୍ତ୍ତାଇଥା’ନ୍ତି। ଏହାଫଳରେ ବିନିଯୋଗକାରୀ ଉତ୍ସାହିତ ହୋଇପଡ଼େ ଏବଂ ପରବର୍ତ୍ତୀ ସମୟରେ ଅଧିକ ଟଙ୍କା ବିନିଯୋଗ କରେ। ଏହି ପ୍ରକ୍ରିୟାରେ ସେ ଶେଷର ସର୍ବସ୍ୱାନ୍ତ ହୋଇଯାଏ।
ପିଗ ବୁଚରିଙ୍ଗ ଠକେଇରେ ଲିପ୍ତ ସାଇବର ଅପରାଧୀମାନେ ଭାରତରେ ଗୁଗୁଲ୍, ଫେସବୁକ୍, ଭଳି ଅନ୍ୟାନ୍ୟ ବଡ଼ ବଡ ଟେକ୍ ଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ହାଇପରଲିଙ୍କ୍ ସୃଷ୍ଟି କରନ୍ତି ଏବଂ ସେଗୁଡିକୁ ବ୍ୟବହାର ପାଇଁ ନିଜ ଦ୍ୱାରା ଫାସରେ ପଡ଼ିଥିବା ଗ୍ରାହକଙ୍କୁ ବାଧ୍ୟକରନ୍ତି। ପରବର୍ତ୍ତୀ ସମୟରେ ପରିସ୍ଥିତି ଏପରି ହୋଇଥାଏ ଯେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ନିଜର ସ୍ୱଅର୍ଜିତ ଅର୍ଥ ହରାଇବା ସହିତ ଅପରାଧଚକ୍ରରେ ଏକ ଅଂଶ ହେବାକୁ ବାଧ୍ୟ ହୋଇଥା’ନ୍ତି। ଏହା ସେମାନଙ୍କୁ ଏକପ୍ରକାର ସାଇବର ଦାସତ୍ୱ ସ୍ୱୀକାର କରିବାକୁ ବାଧ୍ୟ କରିଥାଏ।
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏଭଳି ଅପରାଧକୁ ଚିହ୍ନଟ କରାଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁସାରେ, ‘ପିଗ୍ ବୁଚରିଂ ସ୍କାମ୍’ ଏକ ବିଶ୍ୱବ୍ୟାପୀ ଘଟଣା, ଯେଉଁଥିରେ ବଡ଼ ପରିମାଣର ମନିଲଣ୍ଡରିଂ ଓ ସାଇବର ସ୍କାମ୍ ଜଡ଼ିତ ରହିଛି। ୨୦୨୪ ମସିହାରେ କ୍ରିପ୍ଟୋ ଠକେଇ ୯.୯ ବିଲିୟନ ଆମେରିକୀୟ ଡଲାର ହୋଇଥିବା ବେଳେ ପିଗ ବୁଚରିଙ୍ଗ ଠକେଇର ଅଂଶ ଥିଲା ୫୦.୨%। ଏପରିକି ପିଗ ବୁଚରିଙ୍ଗ ଠକେଇ ବାର୍ଷିକ ୪୦% ହାରରେ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଅକ୍ଟୋବର ୨୦୨୩ରେ ଡେଟିଂ ଆପ୍ ବ୍ୟବହାର କରୁଥିବା ୧୨% ଆମେରିକୀୟ ଏହି ଠକେଇର ସମ୍ମୁଖୀନ ହୋଇଥିଲେ। ‘ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍’ ଅନୁଯାୟୀ, ୨୦୧୬ରେ ଚୀନରୁ ଆରମ୍ଭ ହୋଇଥିବା ଏହି ଠକେଇ ପାଇଁ ଦକ୍ଷିଣ-ପୂର୍ବ ଏସିଆ ହଟସ୍ପଟ ପାଲଟିଛି। କାମ୍ୱୋଡିଆ, ଲାଓସ ଓ ମିଅାଁମାରରେ ଗ୍ୟାଙ୍ଗମାନେ ଏକ ସଂସ୍ଥା ଗଠନ କରିଛନ୍ତି। ଏହି ସଂସ୍ଥାରେ ଚାଲାଣର ଶିକାର ହୋଇଥିବା ମଣିଷମାନଙ୍କୁ ବ୍ୟବହାର କରାଯାଏ।
ପିଗ ବୁଚରିଙ୍ଗ ପରି ଉନ୍ନତ ସାଇବର ଠକେଇରୁ ସୁରକ୍ଷା ପାଇବା ନିମିତ୍ତ ନିମ୍ନୋକ୍ତ ମାର୍ଗକୁ ଗ୍ରହଣ କରାଯାଇପାରେ। ଡେଟିଂ ୱେବସାଇଟ୍ କିମ୍ୱା ସାମାଜିକ ଗଣମାଧ୍ୟମରେ ଆପଣ ଯେଉଁ ଲୋକମାନଙ୍କୁ ଭେଟିବେ ଏବଂ ଯେଉଁମାନେ ଆପଣଙ୍କୁ ଅନାବଶ୍ୟକ ଆର୍ଥିକ, ନିବେଶ କିମ୍ୱା କ୍ରିପ୍ଟୋକରେନ୍ସିରେ ନିବେଶ ପରାମର୍ଶ ଦେବେ ସେମାନଙ୍କ ପ୍ରତି ସତର୍କ ରୁହନ୍ତୁ ଏବଂ ସେମାନଙ୍କ ଫୋନନମ୍ବରକୁ ବ୍ଲକ କରିଦିଅନ୍ତୁ। କଲ୍, ମେସେଜ୍, ଇମେଲ୍, ସୋସିଆଲ ମିଡିଆ କିମ୍ୱା ବ୍ୟକ୍ତିଗତ ପ୍ରଦାନ କରାଯାଇଥିବା ଅନାବଶ୍ୟକ ନିବେଶ ସୁଯୋଗ ବିଷୟରେ ସତର୍କ ରୁହନ୍ତୁ। ସର୍ବଦା ଏପରି ଯୋଜନାଗୁଡ଼ିକର ବୈଧତା ଉପରେ ପ୍ରଶ୍ନ ଉଠାନ୍ତୁ, ଯାହା ଶୁଣିବା ପାଇଁ ବହୁତ ଭଲ ଲାଗେ। ବିଶେଷକରି କମ୍ ନିବେଶରେ ଉଚ୍ଚ ଲାଭାଂଶ ଦେୟ ସମ୍ପର୍କିତ ଯୋଜନାଗୁଡ଼ିକର ବିଜ୍ଞାପନ ପ୍ରତି ସତର୍କ ରୁହନ୍ତୁ। ଆପଣଙ୍କୁ କ୍ରିପ୍ଟୋକରେନ୍ସି ଟ୍ରେଡିଂ ପ୍ଲାଟଫର୍ମରେ ଏକ ଆକାଉଣ୍ଟ ଖୋଲିବାକୁ ଏବଂ କ୍ରିପ୍ଟୋକରେନ୍ସି ପ୍ରକଳ୍ପରେ ନିବେଶ କରିବା ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପାଣ୍ଠି ସ୍ଥାନାନ୍ତର କରିବାକୁ ଯଦି ଉତ୍ସାହିତ କରାଯାଏ, ସେମାନଙ୍କୁ କେବେ ବି ବ୍ୟକ୍ତିଗତ ଆର୍ଥିକ ସୂଚନା ପ୍ରଦାନ କରନ୍ତୁନାହିଁ। ଆପଣଙ୍କୁ ସମ୍ୱେଦନଶୀଳ ସୂଚନା, ଯେପରିକି ଆପଣଙ୍କର ଆଧାର ବା ପ୍ୟାନ ନମ୍ୱର କିମ୍ୱା ବ୍ୟାଙ୍କ ଆକାଉଣ୍ଟ ବିବରଣୀ କେହି ମାଗୁଛନ୍ତି, ଆପଣଙ୍କୁ ନିବେଶ କରିବାକୁ ବାଧ୍ୟ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି କିମ୍ୱା ଆପଣଙ୍କୁ ବ୍ୟକ୍ତିଗତ ଦସ୍ତାବିଜ ପ୍ରଦାନ କରିବାକୁ କିମ୍ବା ଦେୟ ଦେବାକୁ ହେବ ବୋଲି ନିର୍ଦ୍ଦେଶ ଦେଉଛନ୍ତି ସେମାନଙ୍କ ସହିତ ତୁରନ୍ତ ସମ୍ପର୍କ ଛିନ୍ନ କରନ୍ତୁ। କୌଣସି ପ୍ରସ୍ତାବିତ ନିବେଶ, ନିବେଶ ଫାର୍ମ କିମ୍ୱା ନିଜକୁ ଏକ ଦଲାଲ ବା ପ୍ରତିନିଧିତ୍ୱ କରୁଥିବା ଯେକୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା କିମ୍ବା ଅଭିଯୋଗ କରିବା ପାଇଁ ନିୟାମକ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରନ୍ତୁ। କୌଣସି ନିର୍ଦ୍ଦିଷ୍ଟ ନିବେଶ କିମ୍ୱା କ୍ରିପ୍ଟୋକରେନ୍ସି ପ୍ରକଳ୍ପଗୁଡ଼ିକୁ ଚିହ୍ନଟ କରିବା ପାଇଁ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ୍ ମାଧ୍ୟମରେ ସନ୍ଧାନ କରନ୍ତୁ। କୌଣସି ପ୍ରସ୍ତାବିତ ନିବେଶ ପାଇଁ ଆର୍ଥିକ ବିବରଣୀ, ବାର୍ଷିକ ରିପୋର୍ଟ କିମ୍ୱା ଅଡିଟ୍ ଫଳାଫଳ ସମୀକ୍ଷା କରନ୍ତୁ। ଠକେଇର ଶିକାର ହେଲେ ତୁରନ୍ତ ସେ ସମ୍ପର୍କରେ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ସଂସ୍ଥାକୁ ଜଣାନ୍ତୁ।
ମୋଟାମୋଟି କହିବାକୁ ଗଲେ ସହଜରେ ଟଙ୍କା ପାଇବାର ଲୋଭ ଠିକ ହୋଇ ନ ଥାଏ। ତେଣୁ ଅଯଥାରେ ଅନଲାଇନରେ କୌଣସି ଲାଭଜନକ ବ୍ୟବସାୟ ପାଇଁ କୌଣସି ଫୋନ ବା ମେଲ ବା ମ୍ୟାସେଜ ଆସିଲେ ତା’ଠାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ହୋଇଥାଏ। ଏପରି କେତୋଟି ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ହୁଏତ ଆମେ ଘୁଷୁରୀ ଆଖ୍ୟା ପାଇବା ନାହିଁ କିମ୍ବା ପିଗ ବୁଚରିଙ୍ଗ ଠକେଇର ଶିକାର ହେବା ନାହିଁ।
ଡ.ଉଷାରାଣୀ ଦାଶ
(ଏମ୍ସ)ଭୁବନେଶ୍ୱର, ମୋ: ୯୪୩୮୧୩୩୬୧୨