ସାଧାରଣ ମାଧବୀ

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ୧୮ ମାସ ପରେ ଏବେ ଭାରତର ଆର୍ଥିକ ବଜାରରେ ପୁଣି ଚହଳ ସୃଷ୍ଟି କରିଛି। ୨୪ ଜାନୁଆରୀ ୨୦୨୩ରେ ଏହି ସଂସ୍ଥା ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଷ୍ଟକ୍‌ ମୂଲ୍ୟରେ ଅବିଶ୍ୱସନୀୟ ବୃଦ୍ଧି ଘଟାଇ ଆଦାନୀ ଗ୍ରୁପ୍‌ ଖୁବ୍‌ କମ୍‌ ସମୟ ମଧ୍ୟରେ ୧୨୦ ବିଲିୟନ ଡଲାର ଠୁଳ କରିଦେଇଥିବା ନେଇ ସେତେବେଳେ ହିଣ୍ଡେନବର୍ଗ ରିପୋର୍ଟ ଦେଇଥିଲା। ତା’ ପରେ ଆଦାନୀ ଗ୍ରୁପ୍‌ର ବଜାର ପ୍ରତିପତ୍ତି ତତ୍‌କ୍ଷଣାତ୍‌ ହ୍ରାସ […] The post ସାଧାରଣ ମାଧବୀ appeared first on Dharitri Odia News.

ସାଧାରଣ ମାଧବୀ

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ୧୮ ମାସ ପରେ ଏବେ ଭାରତର ଆର୍ଥିକ ବଜାରରେ ପୁଣି ଚହଳ ସୃଷ୍ଟି କରିଛି। ୨୪ ଜାନୁଆରୀ ୨୦୨୩ରେ ଏହି ସଂସ୍ଥା ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ଷ୍ଟକ୍‌ ମୂଲ୍ୟରେ ଅବିଶ୍ୱସନୀୟ ବୃଦ୍ଧି ଘଟାଇ ଆଦାନୀ ଗ୍ରୁପ୍‌ ଖୁବ୍‌ କମ୍‌ ସମୟ ମଧ୍ୟରେ ୧୨୦ ବିଲିୟନ ଡଲାର ଠୁଳ କରିଦେଇଥିବା ନେଇ ସେତେବେଳେ ହିଣ୍ଡେନବର୍ଗ ରିପୋର୍ଟ ଦେଇଥିଲା। ତା’ ପରେ ଆଦାନୀ ଗ୍ରୁପ୍‌ର ବଜାର ପ୍ରତିପତ୍ତି ତତ୍‌କ୍ଷଣାତ୍‌ ହ୍ରାସ ପାଇଥିଲା ଓ ଷ୍ଟକ୍‌ ମାର୍କେଟରେ ଗମ୍ଭୀର ଅସ୍ଥିରତା ଦେଖାଦେଇଥିଲା। ନିବେଶକାରୀମାନେ ପ୍ରବଳ କ୍ଷତି ସହିଥିଲେ। ଏବର ଘଟଣାରେ ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ଭୂମିକାକୁ ନେଇ ହିଣ୍ଡେନବର୍ଗ ପ୍ରଶ୍ନ ଉଠାଇଛନ୍ତି। ମାଧବୀ ୨୦୧୭ ଏପ୍ରିଲରେ ସେବିର ପୂର୍ଣ୍ଣକାଳୀନ ସଦସ୍ୟା ହୋଇଥିବା ବେଳେ ୨୦୨୨ ମାର୍ଚ୍ଚରେ ଅଧ୍ୟକ୍ଷା ହୋଇଥିଲେ। କଥା ହେଲା ମାଧବୀଙ୍କର ଦରିଆପାରି ସଂସ୍ଥା ସିଙ୍ଗାପୁରର ଅଗୋରା ପାର୍ଟନର୍ସରେ ଶତପ୍ରତିଶତ ଅଂଶଧନ ଥିଲା। ଅଧ୍ୟକ୍ଷା ହେବାର ଦୁଇ ସପ୍ତାହ ପୂର୍ବରୁ ସେ ସମ୍ପୃକ୍ତ କମ୍ପାନୀରେ ଥିବା ଶେୟାରକୁ ସ୍ବାମୀ ଧବଳ ବୁଚ୍‌ଙ୍କୁ ହସ୍ତାନ୍ତର କରିଦେଇଥିଲେ। ସମ୍ପୃକ୍ତ ବିଦେଶୀ କମ୍ପାନୀ ଆଦାନୀ ଗ୍ରୁପ୍‌ ସହ ଜଡ଼ିତ ଥିବାରୁ ଗୌତମ ଆଦାନୀଙ୍କ ବିରୋଧରେ ମାଧବୀ ଜାଣିଶୁଣି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ବୋଲି ହିଣ୍ଡେନବର୍ଗ ଅଭିଯୋଗ ଆଣିଥିବାରୁ ତାଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି।

ଉପରବର୍ଣ୍ଣିତ ଘଟଣାକୁ ବିଶ୍ଳେଷଣ କଲେ ହିଣ୍ଡେନବର୍ଗ ରିପୋର୍ଟରେ ସତ୍ୟତା ଥିଲେ ଏହା ‘କ୍ୱିଇଡ୍‌ ପ୍ରୋ କୋ’ ବା ‘କିଛି ପାଇବା ପାଇଁ କିଛି ଦେବା’ ଭଳି ସ୍ଥିତି ସୃଷ୍ଟି କରିଛି। ସେବି ମାର୍କେଟ ନିୟନ୍ତ୍ରକ ହୋଇଥିବାରୁ ଏହାର ପୂର୍ଣ୍ଣକାଳୀନ ସଦସ୍ୟା ହେବା ଦିନୁ ମାଧବୀ କୌଣସି କମ୍ପାନୀର ଅଂଶଧନ ରଖିବା କଥା ନୁହେଁ ବୋଲି କୁହାଯାଉଛି। କାରଣ ଏହା ‘କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ’ ବା ସ୍ବାର୍ଥନିହିତ ଦ୍ୱନ୍ଦ୍ୱ ଅନ୍ତର୍ଭୁକ୍ତ ବୋଲି ବିବେଚିତ ହୋଇଥାଏ। ହେଲେ ଅଧ୍ୟକ୍ଷା ହେବାର ୨ ସପ୍ତାହ ପୂର୍ବରୁ ନିଜ ଅଂଶଧନ ସ୍ବାମୀଙ୍କୁ ଦେଇ ସେ ଚତୁର ବାଟ ଖୋଜିଥିଲେ। ଇତିମଧ୍ୟରେ ହିଣ୍ଡେନବର୍ଗ ଅଭିଯୋଗକୁ ମାଧବୀ, ତାଙ୍କ ସ୍ବାମୀ ଓ ଆଦାନୀ ଗ୍ରୁପ୍‌ ଖଣ୍ଡନ କରି ତାହା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଘଟଣାର ସତ୍ୟାସତ୍ୟ ଆଗକୁ ତଦନ୍ତ ହେଲେ ପଦାକୁ ଆସିବ। ଏଭଳି ସ୍ଥଳେ ମାଧବୀଙ୍କୁ ଛୁଟିରେ ଯିବା ଲାଗି ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି। କାରଣ ଅତୀତରେ ଆଇସିଆଇସିଆଇର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚ୍ଚରଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଆସିବା ପରେ ତାଙ୍କୁ ତୁରନ୍ତ ଛୁଟିରେ ଯିବା ଲାଗି କୁହାଯାଇଥିଲା। ଫଳରେ ସେ ଅନେକ ତଥ୍ୟ ହେରଫେର କରିଥିବା ନେଇ ଖବର ପ୍ରକାଶ ପାଇଥିଲା। ଅବଶ୍ୟ ପରେ ସମ୍ପୃକ୍ତ ବ୍ୟାଙ୍କ ତାଙ୍କୁ ଚାକିରିରୁ ବିଦା କରିଦେଇଥିଲା।

ଏବେ ଭାରତୀୟ ଅର୍ଥନୀତି ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କ ଦୈନିକ ଚଳଣିରେ ଅସମ୍ଭାଳ ବୋଝ ପକାଇଲାଣି। ବେକାରି ସମସ୍ୟା ଯୁବବର୍ଗଙ୍କୁ ଅତିଷ୍ଠ କରିଛି। ଏଭଳି ସ୍ଥଳେ ପୁଞ୍ଜି ବଜାରରେ ଅସ୍ଥିରତା ଦେଖା ଦେଲେ ସ୍ଥିତି ଆହୁରି ବିଗିଡ଼ିଯିବାର ଆଶଙ୍କା ଉପୁଜିଲାଣି। ହିଣ୍ଡେନବର୍ଗ ରିପୋର୍ଟ ୧୦ ଅଗଷ୍ଟ ୨୦୨୪ରେ ଆସିଛି। ତାହା ଶନିବାର ଥିବାରୁ ଏହାର ପ୍ରଭାବ ଷ୍ଟକ୍‌ ମାର୍କେଟ ଉପରେ କିଭଳି ପଡ଼ିବ ସୋମବାର ୧୨ ଅଗଷ୍ଟରେ ଜଣାପଡ଼ିବ। ପୂର୍ବର ଦୃଷ୍ଟାନ୍ତକୁ ଦେଖି ଅନୁମାନ କରାଯାଇପାରେ ଯେ, କୌଣସି ଅସ୍ବାଭାବିକ ଘଟଣା ସାମ୍ନାକୁ ଆସିଲେ ନିଶ୍ଚିତ ଭାବେ ତାହାର ପ୍ରଭାବ ଆର୍ଥିକ ବଜାର ଉପରେ ପଡ଼ିଥାଏ।

ଭାରତର ଆର୍ଥିକ ଦୁନିଆରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମହିଳାମାନେ ଅବସ୍ଥାପିତ ଅଛନ୍ତି। ଚନ୍ଦା କୋଚ୍ଚରଙ୍କ ପରେ ମାଧବୀଙ୍କ ନାମ ଚର୍ଚ୍ଚାକୁ ଆସିଛି। ସାଧାରଣତଃ ଯେଉଁ ଧରଣା ଥାଏ ଯେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅପେକ୍ଷାକୃତ ସଚ୍ଚୋଟ, ତାହା ମଧ୍ୟ ଭୁଲ ପ୍ରମାଣିତ ହେବାରେ ଲାଗିଛି। ଦେଖିବାକୁ ଗଲେ ଦେଶର ଆର୍ଥିକ ସଂସ୍ଥାଗୁଡ଼ିକର ଶୀର୍ଷରେ ଅବସ୍ଥାପିତ ଅନେକ ବ୍ୟକ୍ତି ପଦବୀର ଅପବ୍ୟବହାର କରୁଛନ୍ତି। ଭାରତର ବିଭିନ୍ନ ବ୍ୟାଙ୍କରେ ଏନ୍‌ପିଏ ବୋଝ ଏବଂ ତା’ ପଛରେ ବଡ଼ ସଂସ୍ଥାଗୁଡ଼ିକ ପ୍ରତି ଥିବା ପ୍ରିୟାପ୍ରୀତି ତୋଷଣ ବିଷୟରେ ସମସ୍ତେ ଜାଣନ୍ତି। ଭାରତୀୟଙ୍କ ସଚ୍ଚୋଟପଣିଆ ଏକ ସାଧାରଣ ଚରିତ୍ର ନୁହେଁ। ଅନେକ କ୍ଷେତ୍ରରେ ରାତାରାତି ଧନୀ ହୋଇଯିବାର ସ୍ବପ୍ନ ଦୁର୍ନୀତିକୁ ଡାକିଆଣିଥାଏ। ଏପରିସ୍ଥଳେ ବଡ଼ବଡ଼ ପଦବୀରେ ଅସାଧାରଣ ସଚ୍ଚୋଟ ବ୍ୟକ୍ତିଙ୍କୁ ଖୋଜି ପାଇବା କଷ୍ଟକର ହୋଇପଡ଼ୁଛି।

The post ସାଧାରଣ ମାଧବୀ appeared first on Dharitri Odia News.