ସାମ୍ପ୍ରଦାୟିକ ସଦ୍ଭାବନା ଗଣତନ୍ତ୍ରକୁ ହିତ
ଗତବର୍ଷ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ବୟସ୍କଙ୍କ ତୁଳନାରେ ଭାରତୀୟ ଯୁବବର୍ଗ ସମାନତା ଓ ଧାର୍ମିକ ବହୁଳତା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଭାରତୀୟ ଯୁବଗୋଷ୍ଠୀର ଏହି ଚିନ୍ତାଧାରା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ। କିନ୍ତୁ ବିଡ଼ମ୍ୱନା ଯେ ବିବିଧ ଧର୍ମ ଓ ବହୁସଂସ୍କୃତିବାଦର ଦେଶ ଭାରତ ସମେତ ପୂରା ବିଶ୍ୱ ପାଇଁ ସାମ୍ପ୍ରଦାୟିକ ଏକତାକୁ ବଜାୟ ରଖିବା ବର୍ତ୍ତମାନର ଏକ ବଡ଼ ଆହ୍ୱାନ ସାଜିଛି। ତେବେ ସାମ୍ପ୍ରଦାୟିକ ଏକତାର ଅର୍ଥ କ’ଣ? ଏହାର ଉତ୍ତରରେ […]

ଗତବର୍ଷ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ବୟସ୍କଙ୍କ ତୁଳନାରେ ଭାରତୀୟ ଯୁବବର୍ଗ ସମାନତା ଓ ଧାର୍ମିକ ବହୁଳତା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଭାରତୀୟ ଯୁବଗୋଷ୍ଠୀର ଏହି ଚିନ୍ତାଧାରା ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ। କିନ୍ତୁ ବିଡ଼ମ୍ୱନା ଯେ ବିବିଧ ଧର୍ମ ଓ ବହୁସଂସ୍କୃତିବାଦର ଦେଶ ଭାରତ ସମେତ ପୂରା ବିଶ୍ୱ ପାଇଁ ସାମ୍ପ୍ରଦାୟିକ ଏକତାକୁ ବଜାୟ ରଖିବା ବର୍ତ୍ତମାନର ଏକ ବଡ଼ ଆହ୍ୱାନ ସାଜିଛି। ତେବେ ସାମ୍ପ୍ରଦାୟିକ ଏକତାର ଅର୍ଥ କ’ଣ? ଏହାର ଉତ୍ତରରେ ମହାତ୍ମା ଗାନ୍ଧୀ କୁହନ୍ତି ‘ଭାରତୀୟଙ୍କ ପାଇଁ ସାମ୍ପ୍ରଦାୟିକ ଏକତା କେବେଳ ହିନ୍ଦୁ ଓ ମୁସଲିମ୍ଙ୍କ ଭିତରେ ଏକତା ନୁହେଁ। ଏହା ଭାରତକୁ ନିଜ ମାତୃଭୂମି ଭାବୁଥିବା ପ୍ରତ୍ୟେକଟି ଲୋକଙ୍କ ଭିତରେ ଥିବା ଏକତାକୁ ହିଁ ବୁଝାଏ। ଆମର ଲକ୍ଷ୍ୟ ଭାରତୀୟ ଜାତୀୟତାବାଦ ହେବା ଉଚିତ। ଏହା କେବଳ ପାରସ୍ପରିକ ବିଶ୍ୱାସ, ଦୟା ଓ ସହନଶୀଳତା ଦ୍ୱାରା ହାସଲ ହୋଇପାରିବ। ପ୍ରତିଟି ଧର୍ମର ମୂଳ ସିଦ୍ଧାନ୍ତ ହେଉଛି ପ୍ରେମ ଓ କରୁଣା। ସମଗ୍ର ମାନବ ସମାଜ ଯଦି ଏକ ପରିବାର ହୋଇଯିବେ ତେବେ ଧର୍ମ ଓ ବିଶ୍ୱାସକୁ ନେଇ ଉପୁଜିଥିବା ଉଭୟ ଦ୍ୱନ୍ଦ୍ୱ ଓ ସଙ୍କଟ ରହିବନି।’
‘ପିଉ ରିସର୍ଚ୍ଚ’ର ଏକ ପରିସଂଖ୍ୟାନରେ ପ୍ରକାଶ ପାଇଛି ଯେ ବିଶ୍ୱବ୍ୟାପୀ ଧାର୍ମିକ ଘୃଣା ଜନିତ ଅପରାଧ, ଧର୍ମ ବିରୋଧୀ ବୟାନବାଜି ଓ ଅସହିଷ୍ଣୁତାର ସଂଖ୍ୟା ପ୍ରତି ବର୍ଷ ବଢ଼଼ିବାରେ ଲାଗିଛି। ଏହା ବ୍ୟତୀତ ଦୁଇଟି ନୂତନ ଉଦ୍ଭାବିତ ଶବ୍ଦ ଯଥା ‘ହିନ୍ଦୁଫୋବିଆ’ ଓ ‘ଇସ୍ଲାମୋଫୋବିଆ’ ମଧ୍ୟ ସାମ୍ପ୍ରତିକ ଏକତା ପାଇଁ ଚିନ୍ତାର କାରଣ ବୋଲି ମିଳିତ ଜାତିସଙ୍ଘ ଆଶଙ୍କା ପ୍ରକାଶ କରୁଛି। ‘ହିନ୍ଦୁଫୋବିଆ’ର ଅର୍ଥ ହେଉଛି ହିନ୍ଦୁ ଧର୍ମ ଏବଂ ଏହାର ଅନୁଗାମୀମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର, ଭେଦଭାବ ଶତ୍ରୁତା କିମ୍ୱା ହିଂସା। ସାମାଜିକ ଗଣମାଧ୍ୟମ, ରାଜନୈତିକ ଧାରଣା, ଭୁଲ ଉପସ୍ଥାପନା, ଅତ୍ୟାଚାର ଓ ପକ୍ଷପାତିତା ମାଧ୍ୟମରେ ଏହା ପ୍ରତିଫଳିତ ହୁଏ। ହିନ୍ଦୁ ଧର୍ମକୁ ପଛୁଆ ଭାବରେ ଚିତ୍ରଣ କରୁଥିବା ଔପନିବେଶିକ ବର୍ଣ୍ଣନା, ମିଶନାରୀ ପ୍ରଚାର, ରାଜନୈତିକ ଏଜେଣ୍ଡା ଏବଂ ହିନ୍ଦୁ ଧର୍ମର ବିବିଧ ପରମ୍ପରା ବିଷୟରେ ଅଜ୍ଞତା ହିଁ ଏହାର ମୂଳ କାରଣ ବୋଲି ଅନୁମାନ କରାଯାଏ। ଏହାବ୍ୟତୀତ ଐତିହାସିକ ସଂଘର୍ଷ ଓ ଧାର୍ମିକ ପ୍ରତିଦ୍ୱନ୍ଦ୍ୱିତାର ନକାରାତ୍ମକ ପ୍ରଚାର ମଧ୍ୟ ‘ହିନ୍ଦୁଫୋବିଆ’ର ଧାରଣାକୁ ଦୃଢ଼ କରିବାରେ ସହଯୋଗ କରୁଛି। ଅଭିଯୋଗ ହୋଇଆସୁଛି ଯେ ବାଂଲାଦେଶଠାରୁ ଆରମ୍ଭ କରି କାନାଡ଼ା, ଏପରିକି ଆମେରିକାରେ ମଧ୍ୟ ଏହି ହିନ୍ଦୁ ବିରୋଧୀ ଲହର ଓ ହିଂସା ଯୋଗୁଁଁ ଅନେକ ହିନ୍ଦୁ ପ୍ରଭାବିତ।
ସେହିପରି ‘ରୁନିମେଡ ଟ୍ରଷ୍ଟ’ ସଂଗଠନ ଦ୍ୱାରା ପ୍ରଥମ ସଂସ୍ଥାଗତ ଭାବେ ପ୍ରଦାନ କରାଯାଇଥିବା ସଂଜ୍ଞା ହେଉଛି ‘ଇସ୍ଲାମୋଫୋବିଆ’। ଏହାର ଅର୍ଥ ହେଉଛି ଇସଲାମ ଧର୍ମ ପ୍ରତି କ୍ରମବର୍ଦ୍ଧିଷ୍ଣୁ ଭେଦଭାବ, ହିଂସା, ଭୟ, ଘୃଣା ଓ ସନ୍ଦେହ। ଇସଲାମକୁ ଉଗ୍ରବାଦ, ବର୍ଦ୍ଧିତ ଜନସଂଖ୍ୟାର କାରଣ ଏବଂ ଭାରତର ଐତିହାସିକ ସଂଘର୍ଷ ଓ ବିଭାଜନ ପାଇଁ ଦାୟୀ କରିବା ଦ୍ୱାରା ‘ଇସ୍ଲାମୋଫୋବିଆ’ର ମାତ୍ରା ଆହୁରି ତୀବ୍ର ହେଉଛି। ସାମ୍ପ୍ରତିକ ପରିସ୍ଥିତିରେ ଗୋହତ୍ୟା ଓ ଗୋ-ଚାଲାଣ ଓ ବିବାଦୀୟ ଉପାସନା ସ୍ଥଳୀ ଭଳି ସମ୍ୱେଦନଶୀଳ ପ୍ରସଙ୍ଗ ଉଭୟ ଧର୍ମ ମଧ୍ୟରେ ଅନ୍ତର ଓ ଅବିଶ୍ୱାସ ପାଇଁ ଦାୟୀ ବୋଲି ଅନେକ ବିଶାରଦ ଉକ୍ତି ରଖୁଛନ୍ତି। ଅନେକ କ୍ଷେତ୍ରରେ ଏହା ‘ଭିଡ଼ହତ୍ୟା’ର ରୂପ ମଧ୍ୟ ନେଉଛି। ଅନେକ ଐତିହାସିକ ଯୁକ୍ତି କରନ୍ତି ଯେ ଭାରତରେ ଦୁଇ ପ୍ରମୁଖ ଧର୍ମ ମଧ୍ୟରେ ପାର୍ଥକ୍ୟର ମୂଳଦୁଆ ଐତିହାସିକ କ୍ଷମତା ସଂଘର୍ଷ କାରଣରୁ ହୋଇଛି। ଇତିହାସ ଜଟିଳ। ସେଥିରେ ଭାବନାତ୍ମକ ନିଷ୍ପତ୍ତିର ସ୍ଥାନ କମ୍। କିନ୍ତୁ ବିଡ଼ମ୍ୱନା ଯେ ଆଜି ବି ଅନେକ ଆକର୍ଷଣୀୟ ପୃଷ୍ଠା ଆମ ଇତିହାସରେ ଯୋଡ଼ି ହେଉଛି ଏବଂ ଏହାକୁ ନେଇ ଐତିହାସିକମାନେ ବିତର୍କ କରୁଛନ୍ତି।
ଉଭୟ ‘ହିନ୍ଦୁଫୋବିଆ’ ଓ ‘ଇସ୍ଲାମୋଫୋବିଆ’ କେବଳ ଭାରତର ସମସ୍ୟା ନୁହେଁ, ବରଂ ବିଶ୍ୱର ଅନେକ ବିକଶିତ ଓ ବିକାଶଶୀଳ ଦେଶ ସମ୍ମୁଖୀନ ହେଉଥିବା ଏକ ସାମାଜିକ-ଆର୍ଥିକ ସମସ୍ୟା। ଯେଉଁ ସମସ୍ୟାର ସମାଧାନ ନିମନ୍ତେ ମିଳିତ ଜାତିସଙ୍ଘ ସମେତ ଅଗଣିତ ନାଗରିକ ସମାଜ ତତ୍ପର। ଏହାର ସମାଧାନ ପାଇଁ ଆଲୋଚନା, ଅନ୍ତର୍ଭୁକ୍ତୀକରଣ ଓ ଧାର୍ମିକ ସହିଷ୍ଣୁତାର ଅତ୍ୟନ୍ତ ଆବଶ୍ୟକତା ଅଛି। ଏଠି ଜାଣି ରଖିବାକୁ ହେବ ଯେ ଗୋଟିଏ ଧର୍ମ କିମ୍ୱା ଜାତି ଅନ୍ୟ ଧର୍ମ କିମ୍ୱା ଜାତିର ପରିପୂରକ ନୁହେଁ; ବରଂ ସମାବେଶୀ ସମାଜର ଏକୀକରଣ ପ୍ରଣାଳୀ। ଗାନ୍ଧିଜୀଙ୍କୁ ଥରେ ପ୍ରଶ୍ନ କରାଗଲା ଯେ ‘ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରୁ ଆପଣଙ୍କର ପ୍ରିୟ କିଏ?’ ମହାତ୍ମା ଗାନ୍ଧୀଙ୍କ ଉତ୍ତର ଥିଲା, ‘ମୋ ହୃଦୟ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ପାଇଁ ସମାନ ଅନୁଭବ କରେ। ଯଦି ଉଭୟ ସମ୍ପ୍ରଦାୟ ପରସ୍ପରକୁ ସୁଖଦୁଃଖରେ ଭାଗୀ କରନ୍ତେ ଏବଂ ସମାନ ଲକ୍ଷ୍ୟ ରଖନ୍ତେ, ତେବେ ଆମ ଭାରତ ଏକଜୁଟ ହୋଇପାରିବ। ହିନ୍ଦୁ ଓ ଇସଲାମରେ ଅନେକ ଭଲ ଓ ଚରିତ୍ରରେ ଶୁଦ୍ଧ ଥିବା ଲୋକ ଅଛନ୍ତି। କିନ୍ତୁ ସେମାନେ ଅସାମାଜିକ ତତ୍ତ୍ୱ ଦ୍ୱାରା ପରିଚାଳିତ ଓ ନିୟନ୍ତ୍ରିତ।
ସେହି ଉପାଦାନଗୁଡ଼ିକୁ ପରିବର୍ତ୍ତନ ଓ ନିୟନ୍ତ୍ରଣ କରିବା ଆବଶ୍ୟକ। ପ୍ରତ୍ୟେକ ଧର୍ମ ଅନ୍ୟକୁ ଧର୍ମକୁ ସମ୍ମାନ ଦେବା ଜରୁରୀ। ଯଦି ଆମ ମଧ୍ୟରେ ସଚ୍ଚୋଟ ଜନମତ ସୃଷ୍ଟି ହୁଏ, ତେବେ ଅନ୍ୟ ଧର୍ମକୁ ଅପମାନିତ କରୁଥିବା କୌଣସି ପ୍ରଚାରକୁ ସୁଯୋଗ ମିଳିବନାହିଁ।’
୧୯୪୬ ମସିହାର ନୋଆଖାଲି ଦଙ୍ଗାର ଭୟଙ୍କର ପରିଣାମ ଦେଖି ଗାନ୍ଧିଜୀ କହିଥିଲେ ‘ଦଙ୍ଗା ହେଉଛି ଏକ ବହୁମୁଖୀ ଅସୁର। ସାମ୍ପ୍ରଦାୟିକ ଦଙ୍ଗାରେ କୌଣସି ପକ୍ଷ ଜିତେ ନାହିଁ। ସମସ୍ତେ ହାରନ୍ତି। ଦଙ୍ଗାରେ ସବୁଠାରୁ ବେଶୀ ପ୍ରଭାବିତ ହୁଅନ୍ତି ମହିଳା ଓ ଶିଶୁ। ଆବେଗ ଓ ଗୁଜବ ହେଉଛି ଦଙ୍ଗାର ଦୁଇଟି ଗୋଡ଼। ଭୟରୁ ଘୃଣାର ସୃଷ୍ଟି, ଘୃଣାରୁ ହିଂସା ଏବଂ ହିଂସାରୁ ଦଙ୍ଗା ସୃଷ୍ଟି ହୁଏ। ଏହାବ୍ୟତୀତ, ଧର୍ମାନ୍ତରୀକରଣ ଓ ଗୋ-ସୁରକ୍ଷାରେ ଅବହେଳା ମଧ୍ୟ ସାମ୍ପ୍ରଦାୟିକ ଅଶାନ୍ତିର କାରଣ। ତେଣୁ ଜଣେ ଅନ୍ୟ ଧର୍ମକୁ ସମ୍ମାନ ଦେଉ, କୁଚିନ୍ତା ବନ୍ଦ କରୁ। ଧର୍ମ ଧର୍ମ ବିରୁଦ୍ଧରେ ପ୍ରଚାର ବନ୍ଦ ହେଉ।’
ବରିଷ୍ଠ ସାମ୍ୱାଦିକ ଆର. କେ. ପ୍ରଭୁଙ୍କ ନନ୍ ଭାଓଲେନ୍ସ ୱେ ଟୁ ୱାର୍ଲଡ ପିସ୍’ ପୁସ୍ତକରେ ‘ଆଗାମୀ ପୃଥିବୀ’ର ପରିକଳ୍ପନାଟିଏ ଗାନ୍ଧିଜୀ ଦେଇଛନ୍ତି। ଗାନ୍ଧୀ କୁହନ୍ତି ଯେ ଭବିଷ୍ୟତର ପୃଥିବୀରେ ଈଶ୍ୱରଙ୍କ ଉପରେ ବିଶ୍ୱାସ ଥିବ। ଧର୍ମରେ ସବୁ ଚାଲୁଥିବେ। କିନ୍ତୁ କେହି ଧର୍ମାନ୍ଧ ନଥିବେ। ଆଧ୍ୟାତ୍ମିକତା ଓ ଅହିଂସାକୁ ପାଥେୟ କରି ସମାଜ ପରିବର୍ତ୍ତନ ହୋଇପାରୁଥିବ। ଗାନ୍ଧୀଙ୍କ ‘ଆଗାମୀ ପୃଥିବୀ’ ଏକ ସାଂସ୍କୃତିକ ପ୍ରତିକ୍ରିୟାଶୀଳ ଓ ସମ୍ୱେଦନଶୀଳ ସମାଜ, ଯେଉଁଠି ଏକତା, ସମାନତା ଓ ସମବଣ୍ଟନ ହେଉଛି ମୂଳପିଣ୍ଡ। ଏହି ଭବିଷ୍ୟତବାଦୀ ଗାନ୍ଧୀବାଣୀକୁ ଭାରତୀୟମାନେ ଏକ ସିଦ୍ଧାନ୍ତ ଭାବେ ଗ୍ରହଣ କରିଛନ୍ତି ଏଥିରେ ଦ୍ୱିମତ ନାହିଁ।
କିଛିମାସ ତଳେ ହୋଇଥିବା ସିଏସଡିଏସ୍-ଲୋକନୀତିର ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ସତୁରି ପ୍ରତିଶତରୁ ଅଧିକ ଭାରତୀୟ ଯୁବବର୍ଗ ଆଶାବାଦୀ ଯେ ଭବିଷ୍ୟତର ଭାରତ ବିଭିନ୍ନ ଧର୍ମ ଓ ଏହାର ଅନୁଗାମୀଙ୍କୁ ମୁକ୍ତ ଭାବରେ ବଞ୍ଚିବା ପାଇଁ ଏକ ସମାବେଶୀ ପରିବେଶ ପ୍ରଦାନ କରିବ। ସର୍ବେକ୍ଷଣରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ ଧାର୍ମିକ ସଂଖ୍ୟାଲଘୁମାନେ ଧାର୍ମିକ ବହୁଳତା ଉପରେ ଗୁରୁତ୍ୱ ଦେବା ସ୍ୱାଭାବିକ। କିନ୍ତୁ ଭାରତ ସବୁ ଧର୍ମର ଅନୁଗାମୀଙ୍କୁ ସମାନ ସୁଯୋଗ ଦେଉଛି ବୋଲି ସଂଖ୍ୟାଗରିଷ୍ଠ ହିନ୍ଦୁ ଧର୍ମର ସଦସ୍ୟମାନେ ମଧ୍ୟ ଗ୍ରହଣ କରିଛନ୍ତି। ହିନ୍ଦୁ ଧର୍ମ ଏକ ସମାବେଶୀ ସମାଜ ଓ ଅନ୍ତର୍ଭୁକ୍ତୀକରଣରେ ବିଶ୍ୱାସ କରେ ବୋଲି ସର୍ବେକ୍ଷଣ ଦୃଢ଼ୋକ୍ତି କରିଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ସର୍ବେକ୍ଷଣ ରିପୋର୍ଟ ଦୁଇଟି ଦିଗ ଉପରେ ଆଲୋକପାତ କରୁଛି। ପ୍ରଥମଟି ହେଉଛି, ଧାର୍ମିକ ସହ ଅସ୍ତିତ୍ୱ ଓ ସହିଷ୍ଣୁତାର ଧାରଣା ହିଁ ଆମ ଏକତାର ମୂଳଦୁଆ। ଦ୍ୱିତୀୟ, ରାଜନୈତିକ ଆଲୋଚନା, ଘୃଣା ଭାଷଣ ଓ ସାମାଜିକ ଗଣମାଧ୍ୟମରେ ଅପପ୍ରଚାରର ଶତଚେଷ୍ଟା ସତ୍ତ୍ବେ ଏହା ଭାରତର ସାମ୍ପ୍ରଦାୟିକ ଏକତାକୁ ପ୍ରଭାବିତ କରିପାରିବ ନାହିଁ।
ସାମ୍ପ୍ରଦାୟିକ ବିଦ୍ୱେଷ ଓ ହିଂସା ଆମ ଗଣତନ୍ତ୍ର ପାଇଁ ଘୋର ବିପଦ ଆଣିବ ଏଥିରେ ଦ୍ୱିରୁକ୍ତି ନାହିଁ। ତେଣୁ ଆସନ୍ତୁ, ମିଥ୍ୟା ପ୍ରଚାରରୁ ଦୂରେଇ ରହି ଉଚ୍ଚ ମନୋଭାବରେ ପରସ୍ପରକୁ ଗ୍ରହଣ କରିବା ଏବଂ ସମାଜ ପାଇଁ ଏକ ସକାରାତ୍ମକ ଶକ୍ତି ସୃଷ୍ଟି କରିବା।
ଡକ୍ଟର ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨