ସୀମା ଟପିଲେ ପ୍ରଫେସର, ଛାତ୍ରୀଙ୍କୁ ଅସଦାଚରଣ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସରଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ଛାତ୍ରୀଙ୍କୁ ମାଡ଼ ବସି ଅସଦାଚରଣ କରିଥିବା ନେଇ ହାରାସ୍ମେଣ୍ଟ ସେଲରେ ଅଭିଯୋଗ ହୋଇଛି। ଅଭିଯୋଗ ହେବାର ୩ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଏନେଇ ଛାତ୍ରୀ ଜଣକ ମାନସିକ ଚାପରେ ଅଛନ୍ତି। ପ୍ରଫେସର ଉକ୍ତ ବିଭାଗରେ ଖୁସି ମନରେ କ୍ଲାସ୍ ନେଉଥିବାବେଳେ ଛାତ୍ରୀ ଜଣକ ଲଜ୍ଜ୍ୟାରେ ପାଠ ପଢ଼଼ିବାକୁ ଯାଇପାରୁନାହାନ୍ତି। ଆଗକୁ ପରୀକ୍ଷା ଆସୁଥିବାରୁ […]

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସରଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ଛାତ୍ରୀଙ୍କୁ ମାଡ଼ ବସି ଅସଦାଚରଣ କରିଥିବା ନେଇ ହାରାସ୍ମେଣ୍ଟ ସେଲରେ ଅଭିଯୋଗ ହୋଇଛି। ଅଭିଯୋଗ ହେବାର ୩ ସପ୍ତାହରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଏନେଇ ଛାତ୍ରୀ ଜଣକ ମାନସିକ ଚାପରେ ଅଛନ୍ତି। ପ୍ରଫେସର ଉକ୍ତ ବିଭାଗରେ ଖୁସି ମନରେ କ୍ଲାସ୍ ନେଉଥିବାବେଳେ ଛାତ୍ରୀ ଜଣକ ଲଜ୍ଜ୍ୟାରେ ପାଠ ପଢ଼଼ିବାକୁ ଯାଇପାରୁନାହାନ୍ତି। ଆଗକୁ ପରୀକ୍ଷା ଆସୁଥିବାରୁ ପ୍ରଫେସରଙ୍କୁ ତୁରନ୍ତ ବିଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରୀ।
ଗତ ଅଗଷ୍ଟ ୧୬ ତାରିଖ ଅପରାହ୍ଣ ୨ଟାରେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଜଣେ ଛାତ୍ରୀ ବିଭାଗର ମୁଖ୍ୟ ପ୍ରଫେସରଙ୍କ ଅନୁମତି ନେଇ ତାଙ୍କ ଚାମ୍ବରକୁ ଏକ ବହି ଆଣିବାକୁ ଯାଇଥିଲେ। ପ୍ରଫେସର ଛାତ୍ରୀ ଜଣଙ୍କୁ ଭିତରକୁ ଡାକି ବସିବା ପାଇଁ କହିଥିଲେ। ଛାତ୍ରୀ ଜଣକ ସେଠାରେ ବସିବା ପରେ ପ୍ରଫେସର ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ି ବସି ଅସଦାଚରଣ କରିଥିଲେ। ସେଠାରୁ ଖସି ଆସିବାକୁ ଛାତ୍ରୀ ଜଣକ ବହୁ କୌଶଳ କରିଥିଲେ ମଧ୍ୟ ପ୍ରଫେସର ଜଣକ ତାଙ୍କ ଗୋଡ଼କୁ ମାଡ଼ି ବସି ସମ୍ବେଦନଶୀଳ ସ୍ଥାନକୁ ସ୍ପର୍ଶ କରିଥିଲେ। ଏହି କଥା ବାହାରେ ପ୍ରକାଶ ନ କରିବାକୁ ଧମକ ଦେଇଥିଲେ। ଏହାପରେ ଛାତ୍ରୀ ଜଣକ ଏ କଥା କାହାରିକୁ ପ୍ରକାଶ କରି ନ ପାରି ମାନସିକ କ୍ଷେତ୍ରରେ ଚାପଗ୍ରସ୍ତ ହୋଇଥିଲେ। ଏମିତିକି ନିଜ ଅଭିଭାବକଙ୍କୁ ମଧ୍ୟ କହିପାରି ନ ଥିଲେ। କାରଣ ତାଙ୍କ ମାଆ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହୋଇଥିବାରୁ ଛାତ୍ରୀ ଜଣକ ମାଆଙ୍କୁ ଜଣାଇ ନ ଥିଲେ। ଏନେଇ ଛାତ୍ରୀ ଜଣକ ୧୮ ତାରିଖରେ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ ହାରାସ୍ମେଣ୍ଟ ସେଲକୁ ଲିଖିତ ଅଭିଯୋଗ କରିଥିଲେ। ୩ ଦିନ ମଧ୍ୟରେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କମିଟିକୁ ଅନୁରୋଧ ମଧ୍ୟ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଉକ୍ତ ପ୍ରଫେସରଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସହ ସେ କ୍ଲାସକୁ ଆସୁଥିବାରୁ ତାଙ୍କୁ ଦେଖି ଛାତ୍ରୀ ଜଣଙ୍କୁ ଅଧିକ ମାନସିକ ଚାପ ପଡୁଥିବା କହିଛନ୍ତି। ଘଟଣାଟି ୩ ମାସ ମଧ୍ୟରେ ସମାଧାନ କରାଯିବାର ଅବଧି ରହିଥିବା କମିଟି ସଦସ୍ୟ କହିଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କମିଟି କିଭଳି ସହଜରେ ନେଉଛି ବୋଲି ପଚାରିବାରୁ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ଛୁଟି ଥିବାରୁ ଖୋଲିବା ପରେ ରିପୋର୍ଟ ଦାଖଲ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଗୁରୁଙ୍କ ନିକଟରେ ଯଦି ଛାତ୍ରୀ ଅସୁରକ୍ଷିତ ତେବେ ପରିବାର ଛାଡ଼ି ବାହାରକୁ ପାଠ ପଢ଼଼ିବାକୁ ଆସୁଥିବା ଛାତ୍ରୀମାନେ କାହା ଭରସାରେ ଆସିବେ ବୋଲି ଛାତ୍ରୀ ଜଣକ ପ୍ରଶ୍ନ କରିଛନ୍ତି।
ଯଦି ଉକ୍ତ ପ୍ରଫେସରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ଅଗାମୀ ଦିନରେ ମୋ ଭଳି ଅନ୍ୟ ଛାତ୍ରୀମାନେ ମଧ୍ୟ ଏହାର ଶିକାର ହେବେ ବୋଲି ଛାତ୍ରୀ ଜଣକ କହିଛନ୍ତି।