ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶାହାଙ୍କ ଗସ୍ତକୁ ନେଇ ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ଅତିଥି ଭବନରେ ରବିବାର ଭାଜପା ପକ୍ଷରୁ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଯୋଗଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। ସଭାପତି […] The post ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା appeared first on Dharitri Odia News.

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି।

ଶାହାଙ୍କ ଗସ୍ତକୁ ନେଇ ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ଅତିଥି ଭବନରେ ରବିବାର ଭାଜପା ପକ୍ଷରୁ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଯୋଗଦେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି।

ସଭାପତି ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍‌, ପଞ୍ଚାୟତିରାଜ ତଥା ପାନୀୟ ଜଳମନ୍ତ୍ରୀ ରବି ନାରାୟଣ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।

ବୈଠକ ଶେଷରେ ରାଜ୍ୟ ସଭାପତି ସାମଲ କହିଛନ୍ତି, ହସ୍ତଗତ ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ମାର୍ଚ୍ଚ ୨୧ରେ ଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ। ସେଠାରୁ ଆସି ବୁର୍ଲା ଏମସିଏଲ୍‌ ଅତିଥି ଭବନରେ ରାତ୍ରିଯାପନ କରିବେ।

ତା’ ପରଦିନ ଅର୍ଥାତ ୨୨ ତାରିଖ ସକାଳେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ବୁର୍ଲାର ବହୁ ପ୍ରତୀକ୍ଷିତ ସୁପର ସ୍ପେଶାଲିଟି ଡାକ୍ତରଖାନା, ଦୁର୍ଗାପାଲିର ରେଳ ଓଭରବ୍ରିଜ ଓ ସ୍ପୋଟର୍‌ସ କମ୍ପ୍ଲ୍ଲେକ୍ସର ଉଦ୍‌ଘାଟନ କରିବେ।

ଏଥିପୂର୍ବରୁ ପୂର୍ବାହ୍ନରେ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ ଯୋଗଦେଇ ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏଠାରୁ ସେ ଏମସିଏଲ୍‌ ଅତିଥି ଭବନ ଫେରିବେ। ସେଠାରେ ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନରେ ଭୁବନେଶ୍ୱର ଅଭିମୁଖେ ବାହାରିଯିବେ। ଭୁବନେଶ୍ୱରରେ କଛି ସମୟ ରହିବା ପରେ ସେ ପୁରୀ ଯାଇ ସେଠାରେ ରାତ୍ରିଯାପନ କରିବେ। ୨୩ତାରିଖ ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଜଟଣୀରେ ଦେଶର ଦ୍ୱିତୀୟ ଫୋରେନସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ଦେଇଛନ୍ତି ସଭାପତି ସାମଲ।

The post ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା appeared first on Dharitri Odia News.