ସୁଭଦ୍ରା ଟଙ୍କା ହଡପ ପାଇଁ ମାତିଲେଣି ସାଇବର ଠକ; ଲୁଟି ନେଉଛନ୍ତି ସରକାରୀ ଯୋଜନାରେ ମିଳୁଥିବା ଅର୍ଥ

 ଆଧାର, ଫଟୋ ଓ ଟିପ ଚିହ୍ନ ନେଇ, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟି ନେଉଛନ୍ତି ସରକାରୀ ଯୋଜନା ଅର୍ଥ। ହିତାଧୀକାରୀଙ୍କ ମୋବାଇଲକୁ ମେସେଜ ଆସୁଛି ହେଲେ ଖାତାକୁ ଟଙ୍କା ଆସୁନି।

ସୁଭଦ୍ରା ଟଙ୍କା ହଡପ ପାଇଁ ମାତିଲେଣି ସାଇବର ଠକ; ଲୁଟି ନେଉଛନ୍ତି ସରକାରୀ ଯୋଜନାରେ ମିଳୁଥିବା ଅର୍ଥ

ସୁଭଦ୍ରା ଯୋଜନା ଅର୍ଥ ହଡପ କରିବାକୁ ଗାଁ ଗାଁରେ ମାତିଲେଣି ସାଇବର ଠକ । ଆଧାର, ଫଟୋ ଓ ଟିପ ଚିହ୍ନ ନେଇ, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟି ନେଉଛନ୍ତି ସରକାରୀ ଯୋଜନା ଅର୍ଥ। ହିତାଧୀକାରୀଙ୍କ ମୋବାଇଲକୁ ମେସେଜ ଆସୁଛି ହେଲେ ଖାତାକୁ ଟଙ୍କା ଆସୁନି। ଆଜି ସାଇବର ଥାନାରେ ଏନେଇ ଏକ ଅଭିଯୋଗ ଦାଖଲ ହୋଇଥିବା ବେଳେ ଆରମ୍ଭ ହୋଇଛି ତଦନ୍ତ। ସେପଟେ ନିଜର ବ୍ୟକ୍ତିଗତ ତଥ୍ୟ ଆଉ କାହାକୁ ନଦେବାକୁ ସଚେତନ କରିଛନ୍ତି ସାଇବର ଏକ୍ସପର୍ଟ। 

ନୟାଗଡର ଉଲ୍ଲାସ ବେହେରା। ବୟସ ପାଖାପାଖି ୫୫ ହେବ । ୯ ତାରିଖ ସକାଳ ୭ଟା ୪୫ରେ ମୋବାଇଲକୁ ସୁଭଦ୍ରା ଯୋଜନା ଟଙ୍କା ପାଇବା ନେଇ ମେସେଜ ଆସିଥିଲା। ଖୁସିରେ ଟଙ୍କା ଉଠାଇବାକୁ ବ୍ୟାଙ୍କକୁ ଦୌଡିଥିଲେ ଉଲ୍ଲାସ । ହେଲେ ସେଠାରେ ଯାହା ଶୁଣିଲେ ମୁଣ୍ଡରେ ହାତ ଦେଇଦେଲେ । ତାଙ୍କ ବ୍ୟାଙ୍କ ଖାତାରେ ଟଙ୍କାଟିଏ ନଥିଲା। ବ୍ୟାଙ୍କ ଅଧିକାରୀ କହିଥିଲେ, ତାଙ୍କ ଆଧାର କାର୍ଡରେ ଲିଙ୍କ ହୋଇଥିବା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଚାଲିଯାଇଛି। ଝିଅକୁ ନେଇ ଏବେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶୀକାର ମହିଳା। 

ଜାଣନ୍ତୁ କେମିତି ହୋଇଛି ସାଇବର ଠକେଇ। ଉଲ୍ଲାସଙ୍କ ଫଟୋ, ଆଧାର ନମ୍ବର ଓ ଫିଙ୍ଗରପ୍ରିଣ୍ଟ ତଥ୍ୟ ନେଇ ଖୋଲାଯାଇଛି ଆଉ ଏକ ଆକାଉଣ୍ଟ। ଯାହାକୁ ଯୋଡା ଯାଇଛି ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ ସହ। ଭିନ୍ନ ଏକ ଫୋନ ନମ୍ବର ଦେଇ ଠକ ହଡପ କରିନେଇଛି ଉଲ୍ଲାସଙ୍କ ସୁଭଦ୍ରା ଯୋଜନା ଟଙ୍କା। କେବଳ ସୁଭଦ୍ରା ନୁହେଁ, ସରକାରୀ ଯୋଜନାରେ ଆସୁଥିବା ବିଭିନ୍ନ ସହାୟତା ରାଶି, ଗ୍ୟାସ ସବସିଡି ଟଙ୍କା ମଧ୍ୟ ଲୁଟ୍ ହୋଇଛି। 

କେବଳ ଉଲ୍ଲାସ ନୁହଁନ୍ତି ଗାଁରେ ରହୁଥିବା ଏମିତି ଅନେକ ଲୋକଙ୍କଠାରୁ ହେଉଛି ସାଇବର ଠକେଇ। ସରକାରୀ ଯୋଜନା ଅର୍ଥ ପାଇବା ପାଇଁ ବିଭିନ୍ନ ସ୍ଥାନରେ ଆଧାର କାର୍ଡ ସହ ଫଟୋ ଓ ଟିପ ଚିହ୍ନ ଦେଉଛନ୍ତି ହିତାଧିକାରୀ । ଯାହାକୁ ବ୍ୟବହାର କରି ଲୋକଙ୍କ ଅଜାଣତରେ ଡିଜିଟାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ହଡପ କରୁଛନ୍ତି ସାଇବର ଠକ। ଏଭଳି ଗତ ୯ ମାସରେ ପାଖାପାଖି ୧୦୦ କୋଟି ଟଙ୍କା ଠକି ନେଲେଣି ସାଇବର ଲୁଟେରା। ନିଜର ବ୍ୟକ୍ତିଗତ ତଥ୍ୟ ଆଉ କାହାକୁ ନଦେବାକୁ ଏବଂ ଏସବୁର ବ୍ୟବହାର ବେଳେ ସତର୍କ ରହିବାକୁ ସଚେତନ କରିଛନ୍ତି ସାଇବର ଏକ୍ସପର୍ଟ।