ସେକ୍ସ ୱାର୍କରଙ୍କୁ ମିଳିବ ପେନସନ ଓ ମାତୃତ୍ୱ ଛୁଟି
ଦେହଜୀବୀ ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି ସରକାର।
୨୦୨୨ରେ ଯୌନ କାର୍ଯ୍ୟକୁ ଅପରାଧମୁକ୍ତ ଘୋଷଣା କରିବାର ଦୁଇ ବର୍ଷ ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବେଲଜିୟମ ସରକାର। ବେଲଜିୟମ ସରକାର ଦେଶରେ ସେକ୍ସ ୱାର୍କର ବା ଯୌନ କର୍ମୀ ବା ଦେହଜୀବୀଙ୍କ ପାଇଁ ପେନସନ (ଭତ୍ତା) ସୁବିଧା ଆଣିବାକୁ ଯାଉଛନ୍ତି।
କେବଳ ପେନସନ ନୁହେଁ, ଦେହଜୀବୀ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଏବଂ ମାତୃତ୍ୱ ଛୁଟି ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ବେଲଜିୟମ ସରକାର। ଏହା ବ୍ୟତୀତ ନୂଆ ନିୟମରେ ଯୌନ କର୍ମୀଙ୍କ ସୁରକ୍ଷା ମାନଦଣ୍ଡ ଏବଂ ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି।
ନୂଆ ନିୟମ ଅନୁସାରେ, ଏଣିକି ବେଲଜିୟମର ସେକ୍ସ ୱାର୍କରମାନେ ଗ୍ରାହକମାନଙ୍କୁ ପ୍ରତ୍ୟାଖ୍ୟାନ କରିପାରିବେ। ସେମାନଙ୍କ ସ୍ୱୀକୃତି ବିନା କୌଣସି ଗ୍ରାହକ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିପାରିବେ ନାହିଁ, ଏହା ସେମାନଙ୍କ ଅଧିକାର ଶ୍ରେଣୀଭୁକ୍ତ ରହିବ ବୋଲି ନୂଆ ନିୟମରେ ଉଲ୍ଲେଖ କରାଯାଇଛି।
ଏହି ପଦକ୍ଷେପଗୁଡିକ ଅନ୍ୟ ଦେଶମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରି ଯୌନ କର୍ମୀଙ୍କ ପାଇଁ ଏକ ନିରାପଦ ଏବଂ ସମାନ କାର୍ଯ୍ୟ ପରିବେଶ ଯୋଗାଇବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ ଏହି ନୂଆ ନିୟମ ଯୌନ କର୍ମୀଙ୍କ ପ୍ରତି ଥିବା ଆଇନଗତ ଢାଞ୍ଚାରେ ଭେଦଭାବକୁ ଦୂର କରିବା ସହ ଏହି ବୃତ୍ତିରେ ଥିବା କଳଙ୍କକୁ ହ୍ରାସ କରିବ ଏବଂ ଯୌନ କର୍ମୀଙ୍କ ପାଇଁ ସମାନତା ଓ ସ୍ୱୀକୃତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସୃଷ୍ଟି କରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।
ବାସ୍ତବରେ ବେଲଜିୟମ ସରକାରଙ୍କ ଏହି ନିଷ୍ପତ୍ତି ସମସ୍ତ ବୃତ୍ତି ପାଇଁ ସମ୍ମାନ, ସୁରକ୍ଷା ଏବଂ ସମାନତାର ଗୁରୁତ୍ୱକୁ ଗୁରୁତ୍ୱାରୋପ କରିଛି। ଅନ୍ୟ ଦେଶମାନଙ୍କ ଉପରେ ଏହାର ପ୍ରଭାବ କେତେ ପଡ଼ୁଛି ତା' ଉପରେ ନଜର।