ସୌମ୍ୟ-ଅନୁଭବ-ଗୟାଧର ବଦଳାଇବେ କି ଖଣ୍ଡପଡା ସମୀକରଣ ? 

ଚର୍ଚ୍ଚାରେ ସୌମ୍ୟ-ଅନୁଭବ-ଗୟାଧର ଭେଟ । ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି ।

ସୌମ୍ୟ-ଅନୁଭବ-ଗୟାଧର ବଦଳାଇବେ କି ଖଣ୍ଡପଡା ସମୀକରଣ ? 

ଖଣ୍ଡପଡା ପାଇଁ ମହାମେଣ୍ଟ। ଏକାଠି ହେଲେ ସୌମ୍ୟ-ଅନୁଭବ-ଗୟାଧର। ନିର୍ବାଚନ ପୂର୍ବରୁ ରୋଚକ ହେଉଛି ଖଣ୍ଡପଡ଼ା ରାଜନୀତି। ଗୋଟିଏ ଛାତ ତଳେ ବିଜେଡିରୁ ବହିଷ୍କୃତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ଗୟାଧର ପରିଡ଼ାଙ୍କୁ ଦେଖିବାକୁ ମିଳିଛି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଫଟୋ ସେୟାର କରିଛନ୍ତି ଅନୁଭବ ପଟ୍ଟନାୟକ। ଲେଖିଛନ୍ତି, ଖଣ୍ଡପଡା ସ୍ୱାଭିମାନ ପାଇଁ ଲଢ଼େଇ। ମହାମେଣ୍ଟ ବୋଲି ଉଲ୍ଲେଖ କରିଛନ୍ତି ।

ଅନୁଭବଙ୍କ ସୋସିଆଲ୍ ମିଡିଆ ପୋଷ୍ଟ ଓ ତିନି ଜଣଙ୍କର ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନୁଭବ ଓ ଗୟାଧର ବିଜେଡିରୁ ଟିକେଟ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ବିଜେଡି ଛାଡି ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଅନୁଭବ ପଟ୍ଟନାୟକ। ସେ ୨୦୧୪ରେ ଖଣ୍ଡପଡାରୁ ବିଧାୟକ ଥିଲେ। ୨୦୧୯ରେ ତାଙ୍କ ବଦଳରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସେପଟେ ତୃଣମୂଳସ୍ତରରେ ଜଣେ ସଂଗଠକ ଗୟାଧର ପରିଡା ।

ପୂର୍ବରୁ ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ଭାପୁର ବ୍ଳକ୍ ବିଜେଡି ସଭାପତି ଦାୟିତ୍ବ ସହ ଦଳର ଉପସଭାପତି ଭାବେ କାମ ବି କରିଛନ୍ତି। ଅନ୍ୟପଟେ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଆଗାମୀ ନିର୍ବାଚନ କାର୍ଯ୍ୟପନ୍ଥା ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ଏଭଳ ସ୍ଥିତିରେ ସୌମ୍ୟ-ଅନୁଭବ ଓ ଗୟାଧରଙ୍କ ଭେଟଘାଟ ଖଣ୍ଡପଡା ରାଜନୀତିକୁ ଉଷ୍ମ କରିଛି । 

ତେବେ ମୋଟାମୋଟି କହିବାକୁ ଗଲେ ଖଣ୍ଡପଡ଼ାରେ ବିଗୁଡୁଛି ବିଜେଡି ଗଣିତ। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ସତ୍ତ୍ୱେ ଅସନ୍ତୋଷ ଏବେ ବି ଚରମରେ। ପ୍ରାର୍ଥିନୀଙ୍କ ସ୍ୱାମୀଙ୍କ ଅପରାଧିକ କାରନାମା ସମ୍ପର୍କରେ ଖୋଲାଖୋଲି ଗଣମାଧ୍ୟମ ଆଗରେ ବଖାଣିଥିଲେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ। ଏହା ସହ ଶୀର୍ଷ ନେତୃତ୍ୱଙ୍କ ପ୍ରାର୍ଥୀ ଚୟନ ଉପରେ ବି ପ୍ରଶ୍ନବାଚୀ ଲଗାଇ ସ୍ୱାଧୀନପ୍ରାର୍ଥୀ ଭାବେ ଆଜି ନାମାଙ୍କନ କରିଛନ୍ତି।

ଅନୁଭବ ଅଭିଯୋଗ କରିଛନ୍ତି ବିଜେଡି ଜଣେ ଗଞ୍ଜେଇ ବେପାରୀଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି। ଭାପୁର ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଜଣେ ଗଞ୍ଜେଇ ବେପାରୀ। ତାଙ୍କ ନାଁରେ ୱାରେଣ୍ଟ ଥିବାବେଳେ ପୂର୍ବତନ ଖଣ୍ଡପଡା ବ୍ଲକ୍ ଅଧ୍ୟକ୍ଷ ଗୁରୁବାରୀ କଅଁରଙ୍କ ହତ୍ୟା ଘଟଣାରେ ବି ତାଙ୍କ ବିରୋଧରେ ମାମଲା ଚାଲୁ ରହିଛି। ଏକଥା ସେ ବିଧାନସଭା ପ୍ରଶ୍ନର ଉତ୍ତରରୁ ଜାଣିବାକୁ ପାଇଥିଲେ ବୋଲି କହିବା ସହ ସବୁ ଜାଣି ବି ଏଭଳି ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଟିକେଟ ଦେଇ ବିଜେଡି ତାଙ୍କ ସହ ଅନ୍ୟାୟ କରିଛି ବୋଲି ଅନୁଭବ କହିଛନ୍ତି।