ସ୍ପିଡ୍ ମେକର ଇଞ୍ଜିନ ଟ୍ରାଏଲ ରନ୍ ବେଳେ ଅଘଟଣ; ୨ ମୃତ
ଯୁବକଙ୍କ ଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ପିଡ୍ ମେକର ଇଞ୍ଜିନର ଟ୍ରାଏଲ ରନ୍ ସମୟରେ ଟ୍ରାକରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଜିଲ୍ଲା ସିଂପୂର ରୋଡ ଦେବଦଲଗୁଡ଼ା ନିକଟରେ। ମୃତ ଯୁବକ ଦ୍ୱୟ ହେଲେ କାମଶିରା ପୁହାଲା ଓ ଶିବା କାଟ୍ରା। ଦୁଇ ଯୁବଙ୍କ ଘର ଦେବଦଲଗୁଡା ଗାଁର ବୋଲି ଜଣାପଡ଼ିଛି।
ରାୟଗଡ଼ାରୁ କୋରାପୁଟକୁ ତୃତୀୟ ରେଳ ଟ୍ରାକ୍ ନିର୍ମାଣାଧୀନ ଚାଲିଛି। ଗତକାଲି ରାତିରେ ସିଂପୂର ରୋଡ ଓ ରାୟଗଡ଼ା ରେଳ ଷ୍ଟେସନ ମଝିରେ ସ୍ପିଡ୍ ମେକର ଇଞ୍ଜିନର ଟ୍ରାଏଲ ରନ୍ କରାଯାଉଥିଲା। ଏହି ସମୟରେ ଇଞ୍ଜିନ ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ଯୁବକଙ୍କ ଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗାଁ ଲୋକେ ଅଡ଼ି ବସିଛନ୍ତି। ମର ଶରୀରକୁ ଟ୍ରାକରୁ ଉଠେଇବାକୁ ଦେଉନାହାନ୍ତି ଉତ୍ୟକ୍ତ ଲୋକେ।
ଯୁବକ ଦ୍ୱୟ ଟ୍ରାକରେ ବସିଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ସନ୍ଦେହ କରାଯାଉଛି। ତେବେ ଯୁବକ ଦୁଇ ଜଣ କାହିଁକି ଟ୍ରାକରେ ବସିଥିଲେ ଏବଂ କେଉଁ ପରିସ୍ଥିତିରେ ଟ୍ରେନରେ କଟିଲେ ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।
ସ୍ଥାନୀୟ ଲୋକ ତରୁଣ ଗରଡିଆ କହିଛନ୍ତି, ୩ ନମ୍ବର ରେଳ ଟ୍ରାକରେ ଟ୍ରେନ ଚଳାଚଳ କରୁ ନଥିଲା। ଗତକାଲି ରାତିରେ ପ୍ରଥମର ଏହି ଟ୍ରାକରେ ଟ୍ରାଏଲ ରନ୍ କରାଯାଇଥିଲା। ଯାହାକି ଗାଁ ଲୋକଙ୍କୁ ଜଣାନାହିଁ। ଏଥିପାଇଁ ଏହି ଅଘଟଣ ଘଟିଛି। ଦୁଇ ଯୁବକ କାମ ସାରି ଯାଉଥିବା ବେଳେ ଏହି ଅଘଟଣ ଘଟିଛି।