ସ୍ୱଚ୍ଛ ବାୟୁ, ସୁସ୍ଥ ଶରୀର

‘ବାୟୁର୍ବିଶ୍ୱମିଦଂ ସର୍ବଂ ପ୍ରଭୁର୍ବାୟୁଶ୍ଚ କୀର୍ତ୍ତିତଃ’। ଏହି ଶ୍ଲୋକର ଅର୍ଥ: ‘ବାୟୁ ହିଁ ହେଉଛି ସମ୍ପୂର୍ଣ୍ଣ ବିଶ୍ୱ ଏବଂ ବାୟୁକୁ ଏହି ସଂସାରର ସ୍ୱାମୀ ବା ଈଶ୍ୱର ରୂପେ ଗଣ୍ୟ କରାଯାଏ।’ ଜୀବନ ନିମନ୍ତେ ବାୟୁ ହିଁ ଅମୃତ; ଏହା ବିନା ଜୀବନର ସ୍ଥିତି ମୁହୂର୍ତ୍ତକ ମଧ୍ୟରେ ଅସମ୍ଭବ ବୋଧ ହେବ। ଯେପର୍ଯ୍ୟନ୍ତ ବାୟୁ ବିଦ୍ୟମାନ ଅଛି, ସେପର୍ଯ୍ୟନ୍ତ ହିଁ ଜୀବନର ଅସ୍ତିତ୍ୱ ରହିଛି। ଏ ସମସ୍ତ ଉକ୍ତି ଯେଉଁ ‘ବାୟୁ’ର ବିବରଣ ପ୍ରଦାନ କରେ, ତାହା ହେଉଛି […]

ସ୍ୱଚ୍ଛ ବାୟୁ, ସୁସ୍ଥ ଶରୀର
sakala article

‘ବାୟୁର୍ବିଶ୍ୱମିଦଂ ସର୍ବଂ ପ୍ରଭୁର୍ବାୟୁଶ୍ଚ କୀର୍ତ୍ତିତଃ’। ଏହି ଶ୍ଲୋକର ଅର୍ଥ: ‘ବାୟୁ ହିଁ ହେଉଛି ସମ୍ପୂର୍ଣ୍ଣ ବିଶ୍ୱ ଏବଂ ବାୟୁକୁ ଏହି ସଂସାରର ସ୍ୱାମୀ ବା ଈଶ୍ୱର ରୂପେ ଗଣ୍ୟ କରାଯାଏ।’ ଜୀବନ ନିମନ୍ତେ ବାୟୁ ହିଁ ଅମୃତ; ଏହା ବିନା ଜୀବନର ସ୍ଥିତି ମୁହୂର୍ତ୍ତକ ମଧ୍ୟରେ ଅସମ୍ଭବ ବୋଧ ହେବ। ଯେପର୍ଯ୍ୟନ୍ତ ବାୟୁ ବିଦ୍ୟମାନ ଅଛି, ସେପର୍ଯ୍ୟନ୍ତ ହିଁ ଜୀବନର ଅସ୍ତିତ୍ୱ ରହିଛି। ଏ ସମସ୍ତ ଉକ୍ତି ଯେଉଁ ‘ବାୟୁ’ର ବିବରଣ ପ୍ରଦାନ କରେ, ତାହା ହେଉଛି ସ୍ୱଚ୍ଛ, ଶୁଦ୍ଧ ବାୟୁ, ଯାହା ପ୍ରକୃତି ସୃଷ୍ଟ। ବିଭିନ୍ନ ବାଷ୍ପ, ଜଳୀୟକଣା, ଧୂଳିକଣା ଇତ୍ୟାଦିର ସମ୍ମିଶ୍ରଣରେ ପ୍ରକୃତି ସୃଷ୍ଟ ବାୟୁ ଜୀବନଧାରଣ ନିମନ୍ତେ ପ୍ରଶ୍ୱାସ ଗ୍ରହଣର ମୌଳିକ ଉପାଦାନ ହେବା ସହ ଅନ୍ୟାନ୍ୟ ବହୁ ଅବଶ୍ୟକତା ପୂରଣର ମାଧ୍ୟମ ଅଟେ। ବାୟୁରେ ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ ପ୍ରଭୃତି କେତେ ପରିମାଣର ହେବା ବାଞ୍ଛନୀୟ, ତାହା ପ୍ରକୃତି ନିର୍ଦ୍ଧାରିତ। ମନୁଷ୍ୟ, ଅନ୍ୟ ପ୍ରାଣୀ ଏବଂ ଉଦ୍ଭିଦ ସମସ୍ତେ ନିଜର ଜୀବନ ଧାରଣ ନିମନ୍ତେ ସ୍ୱଚ୍ଛ ବାୟୁ ସହିତ ଖାଦ୍ୟ, ଜଳ ଆବଶ୍ୟକ କରନ୍ତି। କିନ୍ତୁ ମାନବ ସଭ୍ୟତାର ବିକାଶ ପ୍ରକ୍ରିୟାରେ ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟରେ ଯେପରି ଭାବରେ ବିଶ୍ୱ ପରିବେଶରେ ନକାରାତ୍ମକ ପରିବର୍ତ୍ତନର ସ୍ରୋତ ପ୍ରବାହିତ ହେଉଛି, ତାହା ହିଁ ଅନେକ ଗମ୍ଭୀର ପରିବେଶୀୟ ସଙ୍କଟର ସୂତ୍ରଧର ସାଜିଛି। ଏହି ପ୍ରକ୍ରିୟାରେ ବାୟୁମଣ୍ଡଳ ଗୁରୁତର ଭାବେ ପ୍ରଦୂଷିତ ହେଉଛି, ଯେଉଁଥିରେ ବିଭିନ୍ନ କ୍ଷତିକାରକ ରାସାୟନିକ, ଭୌତିକ କିମ୍ୱା ଜୈବିକ ପଦାର୍ଥ ଦ୍ୱାରା ଏହାର ପ୍ରାକୃତିକ ଗୁଣରେ ପରିବର୍ତ୍ତନ ସଂଘଟିତ ହେଉଛି। ଏପରି ପ୍ରଦୂଷିତ ବାୟୁର ସେବନ ସମ୍ପ୍ରତି ମନୁଷ୍ୟ ତଥା ଅନ୍ୟ ଜୀବଜନ୍ତୁମାନଙ୍କର ଶରୀରରେ ବହୁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିର କାରକ ପାଲଟିଛି।

ଆଧୁନିକ ମନୁଷ୍ୟର ଜୀବନଶୈଳୀ, ଉପଭୋକ୍ତାବାଦ ଆଭିମୁଖ୍ୟ ତଥା ଅସହନୀୟ ମାର୍ଗରେ ପରିଚାଳିତ ବିକାଶ ପ୍ରକ୍ରିୟା ଦ୍ୱାରା ପ୍ରକୃତି ଓ ପରିବେଶ ସମ୍ପ୍ରତି ବହୁ ଚାପର ସମ୍ମୁଖୀନ ହେଉଛନ୍ତି। ଅପରିଣାମଦର୍ଶୀ ମାନବୀୟ କାର୍ଯ୍ୟକଳାପର ପରିଣାମରେ ବିବିଧ କ୍ଷତିକାରକ ରାସାୟନିକ ଏବଂ କଣିକା ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହୋଇ ଏହାର ଗୁଣାତ୍ମକ ଅବକ୍ଷୟର କାରଣ ହେଉଛନ୍ତି। ଏବେ ଶକ୍ତି ବିନିଯୋଗ କ୍ଷେତ୍ରରେ ଘଟୁଥିବା ଅନିୟନ୍ତ୍ରିତ, ବର୍ଦ୍ଧିତ ଚାହିଦାର ପୂରଣ ନିମନ୍ତେ କୋଇଲା, ପେଟ୍ରୋଲିୟମ୍‌‌ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ଘଟୁଛି। ଏହି ପ୍ରକ୍ରିୟାରେ ବିଭିନ୍ନ ରାସାୟନିକ ପଦାର୍ଥ, ଯେପରିକି ଅଙ୍ଗାରକାମ୍ଳ ପରି ସବୁଜଗୃହ ବାଷ୍ପ, କାର୍ବନ ମନୋକ୍ସାଇଡ୍‌‌, ଗନ୍ଧକ ଓ ଯବକ୍ଷାରଜାନ ଅକ୍ସାଇଡ୍ସ, ସୀସା ଓ ପାରଦ ପରି ଭାରୀ ଧାତୁ ପଦାର୍ଥ ଏବଂ ବିଭିନ୍ନ ଆକାରର ସୂକ୍ଷ୍ମ କଣିକା ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସମ ଭାବରେ ଖଣି ଉତ୍ତୋଳନ, ଶିଳ୍ପ, କଳ କାରଖାନା, ତାପଜ ବିଦ୍ୟୁତ୍‌‌ କେନ୍ଦ୍ର, ତୈଳ ବିଶୋଧନାଗାର, ଯାନବାହନ, ବ୍ୟବସାୟିକ ଓ ନିର୍ମାଣ କ୍ଷେତ୍ର ଇତ୍ୟାଦିରୁ ଏପରି ଅନେକ କ୍ଷତିକାରକ ପଦାର୍ଥ ନିର୍ଗତ ହୋଇ ବାୟୁ ପ୍ରଦୂଷଣରେ ବୃଦ୍ଧି ଘଟାଉଛି। ସେହିପରି ଘରୋଇ କ୍ଷେତ୍ରରେ କାଷ୍ଠ ଜାଳେଣୀରୁ, କୃଷି କ୍ଷେତ୍ରରେ କୀଟନାଶକ ସିଞ୍ଚନରୁ, ବର୍ଜ୍ୟ ପଦାର୍ଥର ବିଘଟନ ଓ ଜଳିବାରୁ ଏବଂ ଜଙ୍ଗଲ ଅଗ୍ନିରୁ ପ୍ରଦୂଷଣ ସୃଷ୍ଟି ହେଉଛି। ଭୂପୃଷ୍ଠସ୍ଥ ଓଜୋନ୍‌‌, ମିଥେନ୍‌‌, କ୍ଲୋରୋଫ୍ଲୋରୋ କାର୍ବନ୍‌‌ ପରି ପ୍ରଦୂଷକ ପଦାର୍ଥ ମଧ୍ୟ ବିଭିନ୍ନ ଉତ୍ସରୁ ନିର୍ଗତ ହେଉଛି। ବାୟୁମଣ୍ଡଳର ଏପରି ଅପ୍ରାକୃତିକ ପ୍ରଦୂଷଣ ନିମନ୍ତେ ଗ୍ରହର ଶ୍ରେଷ୍ଠ ବୁଦ୍ଧିମାନ ଜୀବ ମନୁଷ୍ୟ ହିଁ ସମ୍ପୂର୍ଣ୍ଣ ଭାବରେ ଦାୟୀ।

ବାୟୁ ପ୍ରଦୂଷଣ ହେଉଛି ବିଶ୍ୱସ୍ତରରେ ଏକ ସର୍ବବୃହତ ଜନସ୍ୱାସ୍ଥ୍ୟ ସମସ୍ୟା, ଯାହାର ଭୟଙ୍କରତା କ୍ରମଶଃ ବୃଦ୍ଧିପ୍ରାପ୍ତ ହେବାରେ ଲାଗିଛି। ପୃଥିବୀର ସର୍ବାଧିକ ଜନସଂଖ୍ୟା ଏପରି ସ୍ଥାନରେ, ବିଶେଷତଃ ବିକାଶଶୀଳ ରାଷ୍ଟ୍ରମାନଙ୍କର ସହରାଞ୍ଚଳରେ, ବସବାସ କରନ୍ତି, ଯେଉଁଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ନୀତି ନିୟମର ବ୍ୟତିକ୍ରମ ପରିଦୃଷ୍ଟ ହୁଏ। ସ୍ୱାସ୍ଥ୍ୟ ସଂଗଠନ ସୂତ୍ର ଅନୁଯାୟୀ ୨୦୧୯ରେ ବିଶ୍ୱର ୯୯ ଶତାଂଶ ଲୋକ ଏପରି ସ୍ଥାନରେ ବାସ କରୁଥିଲେ, ଯେଉଁଠାରେ ଏହାଦ୍ୱାରା ନିର୍ଣ୍ଣିତ ବାୟୁ ଗୁଣବତ୍ତା ମାନକର ସୀମା ଅତିକ୍ରମ ହୋଇଥିଲା। ବାହ୍ୟ ପରିବେଶ ଏବଂ ଘରୋଇ କ୍ଷେତ୍ରରେ ସଂଘଟିତ ବାୟୁ ପ୍ରଦୂଷଣର ସମ୍ମିଳିତ ପ୍ରଭାବ ବିଶ୍ୱରେ ବାର୍ଷିକ ୬୭ ଲକ୍ଷ ଅକାଳ ମୃତ୍ୟୁ ସହିତ ଜଡ଼ିତ ଓ ବାୟୁ ପ୍ରଦୂଷଣ କେବଳ ଆମ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ବିସ୍ତାର କରେ ନାହିଁ, ଏହା ଜୀବନର ଗୁଣାତ୍ମକ ମାନକୁ ନିମ୍ନଗାମୀ କରେ ଏବଂ ଜୀବନ ଅବଧିରେ ହ୍ରାସ ଘଟାଏ। କିନ୍ତୁ ପ୍ରଦୂଷିତ ବାୟୁ ପ୍ରଶ୍ୱାସରେ ଗ୍ରହଣ କରୁଥିବା ଅନେକ ବ୍ୟକ୍ତି ସ୍ୱାସ୍ଥ୍ୟ ଏବଂ ପରିବେଶ ଉପରେ ମନ୍ଦ ଗୁଣବତ୍ତା ବିଶିଷ୍ଟ ବାୟୁର ସମ୍ଭାବ୍ୟ ପ୍ରଭାବ ବିଷୟରେ ତିଳେମାତ୍ର ଅବଗତ ନ ଥା’ନ୍ତି। ପ୍ରଦୂଷିତ ବାୟୁ ଶ୍ୱାସକ୍ରିୟା ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଆଜ୍‌‌ମା, ବ୍ରୋଙ୍କାଇଟିସ୍‌‌, ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍‌‌, ହୃଦ୍‌‌ଘାତ, କର୍କଟ ଓ ଡିମେନ୍ସିଆ ଭଳି ମାରାତ୍ମକ ରୋଗ ଆକ୍ରମଣର ଆଶଙ୍କାରେ ବୃଦ୍ଧି ଘଟାଏ। ଆମେରିକାର ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ଲାନ୍‌‌ସେଟ୍‌‌ର ସଦ୍ୟତମ ଅଧ୍ୟୟନରେ ଦର୍ଶାଯାଇଛି ଯେ ଟାଇପ୍‌‌ ୨ ଡାଇବେଟିସ୍‌‌ ରୋଗର ୨୦ ଶତାଂଶ ଘଟଣା ବାୟୁ ପ୍ରଦୂଷଣ ସହ ଜଡ଼ିତ। ଏଭଳି ରୋଗରେ ପ୍ରପୀଡ଼ିତ ଲକ୍ଷ ଲକ୍ଷ ସଂଖ୍ୟାର ବ୍ୟକ୍ତି ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଉପନୀତ ହୁଅନ୍ତି ଏବଂ ଖର୍ଚ୍ଚାନ୍ତ ହୁଅନ୍ତି। ଏହିକ୍ରମରେ ପ୍ରତିବର୍ଷ ବହୁସଂଖ୍ୟାକ ବୟସ୍କ, ରୋଗାକ୍ରାନ୍ତ ଓ ଶିଶୁ ଅକାଳରେ ମୃତ୍ୟୁର ଶିକାର ହୁଅନ୍ତି। ବାୟୁ ପ୍ରଦୂଷଣ ପ୍ରଭାବରେ ଘଟୁଥିବା ମୃତ୍ୟୁସଂଖ୍ୟାର ୯୦ ଶତାଂଶ ହିଁ ନିମ୍ନ ଏବଂ ମଧ୍ୟମ ଆୟକାରୀ ରାଷ୍ଟ୍ରମାନଙ୍କରେ ସଂଘଟିତ ହୁଏ।

ଅଣସଂକ୍ରାମକ ରୋଗ ନିମନ୍ତେ ଦ୍ୱିତୀୟ ସର୍ବାଧିକ ବିପଦର କାରଣ ହୋଇଥିବା ବାୟୁ ପ୍ରଦୂଷଣର ସମାଧାନକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ ଏକାନ୍ତ ଅପରିହାର୍ଯ୍ୟ। କାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଏହା ଏକ ପ୍ରମୁଖ ପ୍ରସଙ୍ଗ। ଏହି ଉଦ୍ଦେଶ୍ୟରେ ଶକ୍ତି ଉତ୍ପାଦନ, ପରିବହନ, ଶିଳ୍ପ, ବର୍ଜ୍ୟବସ୍ତୁ ପରିଚାଳନା, କୃଷି, ନିର୍ମାଣ କାର୍ଯ୍ୟ ଏବଂ ସହରାଞ୍ଚଳ ଯୋଜନା ପରି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ଥାନୀୟ, ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ନୀତି ନିର୍ଦ୍ଧାରକଙ୍କ ଦ୍ୱାରା ମିଳିତ କାର୍ଯ୍ୟାନୁଷ୍ଠାନର ଯଥେଷ୍ଟ ଆବଶ୍ୟକତା ରହିଛି। ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ତଥା ଶକ୍ତି କ୍ଷେତ୍ରରେ ସୂର୍ଯ୍ୟାଲୋକ, ପବନ, ଜଳ, ସମୁଦ୍ର ଢେଉ, ଭୂଉତ୍ତାପ, ଉଦଜାନ, ଜୈବିକ ପଦାର୍ଥ, ନାଭିକୀୟ ଶକ୍ତି ପରି ସ୍ୱଚ୍ଛ ଏବଂ ଅକ୍ଷୟ ଶକ୍ତି ଉତ୍ସର ବ୍ୟବହାର ଏବଂ ଜୀବାଶ୍ମ ଇନ୍ଧନର ବର୍ଜନ ଅତ୍ୟନ୍ତ ପ୍ରୟୋଜନୀୟ, ଯାହା ବାୟୁ ପ୍ରଦୂଷଣ ହ୍ରାସକୁ କରେ। ପରିବହନ କ୍ଷେତ୍ରରେ ଡିଜେଲ, ପେଟ୍ରୋଲ ଯାନବାହନ ବଦଳରେ ଅଧିକ ବିଦ୍ୟୁତ୍‌‌ ଚାଳିତ ଗାଡ଼ିର ପ୍ରଚଳନ ଏବଂ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ତଥା ସହରାଞ୍ଚଳଗୁଡ଼ିକରେ ଅଧିକ ସବୁଜିମା ପରିପୂର୍ଣ୍ଣ, ଶକ୍ତି ଦକ୍ଷତା-ବିଶିଷ୍ଟ କୋଠା ନିର୍ମାଣ, ସମ୍ୱଳ ସଂରକ୍ଷଣ ଏବଂ ସଂହତ କରିବାକୁ ପ୍ରାଧାନ୍ୟ ପ୍ରଦାନ କରାଯିବା ବାଞ୍ଛନୀୟ। ସେହିପରି ସମ୍ୱଳର ପୁନର୍ବ୍ୟବହାର ଓ ପୁନର୍ଚକ୍ରରଣକୁ ଗୁରୁତ୍ୱ ପ୍ରଦାନ ସହ ବର୍ଜ୍ୟବସ୍ତୁ ହ୍ରାସ ନିମନ୍ତେ ଆବର୍ଜନାର ପୃଥକୀକରଣ, କମ୍ପୋଷ୍ଟ ପ୍ରସ୍ତୁତି ଇତ୍ୟାଦି ପ୍ରାଧାନ୍ୟ ହାସଲ କରିବା ଆବଶ୍ୟକ। ପ୍ରଦୂଷଣ ହ୍ରାସ ନିମନ୍ତେ ଏକ ନିମ୍ନ-ଅଙ୍ଗାରକ ବିକାଶ ପଥର ଅନୁସରଣ କରବା ଆମର ମୌଳିକ ଲକ୍ଷ୍ୟ ହେଉ। ବାୟୁ ପ୍ରଦୂଷଣକୁ ପ୍ରତିହତ କରିବା ଲକ୍ଷ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଯେଉଁ ନିର୍ଦ୍ଦେଶାବଳୀ ରହିଛି ତାହା ମାଧ୍ୟମରେ ପ୍ରଦୂଷକ ପଦାର୍ଥସବୁକୁ ଉଚ୍ଚମାତ୍ରାରୁ ନିମ୍ନସ୍ତରକୁ ଧୀରେ ଧୀରେ ପରିବର୍ତ୍ତନ କରିବାକୁ ଆମେ ପ୍ରୋତ୍ସାହିତ ହେବା ଆମ ବିଜ୍ଞତାର ପରିଚାୟକ ହେବ।

ସ୍ୱିଜରଲ୍ୟାଣ୍ଡର ଆଇକ୍ୟୁଏଆର୍‌‌ ସଂସ୍ଥାର ୨୦୨୩ ବାୟୁ ପ୍ରଦୂଷଣ ରିପୋର୍ଟ ଦର୍ଶାଇଛି ଯେ ବିଶ୍ୱର ସର୍ବାଧିକ ବାୟୁ ପ୍ରଦୂଷିତ ରାଷ୍ଟ୍ର ରୂପେ ବାଂଲାଦେଶ, ପାକିସ୍ତାନ, ଭାରତ, ତାଜିକିସ୍ତାନ ଓ ବୁର୍କିନା ଫାସୋ ଶ୍ରେଷ୍ଠ ପାଞ୍ଚଟି ସ୍ଥାନ ଅଧିକାର କରିଛନ୍ତି। କେବଳ ୧୦ଟି ରାଷ୍ଟ୍ର ଏବଂ ବିଶ୍ୱର ୯ ଶତାଂଶ ସହରରେ ବାୟୁ ଗୁଣବତ୍ତା ଆବଶ୍ୟକ ସ୍ତରରେ ରହିଥିଲା, ଯାହା ଅତ୍ୟନ୍ତ କ୍ଷତିକାରକ ସୂକ୍ଷ୍ମ କଣିକା (ପିଏମ୍‌‌ ୨.୫) ପ୍ରଦୂଷଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶାବଳୀକୁ ପୂରଣ କରିଥିଲା। ପରିତାପର ବିଷୟ ଯେ କ୍ରମାଗତ ଭାବରେ ଚତୁର୍ଥ ଥର ନିମନ୍ତେ ମନ୍ଦ ବାୟୁ ଗୁଣବତ୍ତାର ଶ୍ରେଷ୍ଠ ରାଜଧାନୀ ସହର ହେବାର କୁଖ୍ୟାତି ଅର୍ଜନ କରିଛି ନୂଆଦିଲ୍ଲୀ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଦେଶରେ ୧୩୧ଟି ‘ଅଣ-ହାସଲ’ ସହର ଚିହ୍ନିତ ହୋଇଛି, ଯେଉଁଠି କ୍ରମାଗତ ଭାବରେ ଜାତୀୟ ବାହ୍ୟ ବାୟୁ ଗୁଣବତ୍ତା ମାନକ ଆବଶ୍ୟକ ମାତ୍ରାଠାରୁ ଖରାପ ସ୍ତରରେ ରହୁଛି। ଏଥିରେ ଓଡ଼ିଶାର ଭୁବନେଶ୍ୱର, କଟକ, କଳିଙ୍ଗ ନଗର, ବାଲେଶ୍ୱର, ତାଳଚେର, ଅନୁଗୁଳ ଏବଂ ରାଉରକେଲା ପରି ସାତଟି ସହର ଅନ୍ତର୍ଭୁକ୍ତ। ଜର୍ମାନୀର ‘ମ୍ୟାକ୍ସ ପ୍ଲାନ୍କ ଇନଷ୍ଟିଚ୍ୟୁଟ୍‌‌ ଫର୍‌‌ କେମିଷ୍ଟ୍ରି’ ସୂତ୍ରରୁ ପ୍ରକାଶ ଯେ ବାୟୁ ପ୍ରଦୂଷଣରେ ଘଟୁଥିବା ମୃତ୍ୟୁର ୬୫ ଶତାଂଶ ନିମନ୍ତେ ଜୀବାଶ୍ମ ଇନ୍ଧନ ହିଁ ଦାୟୀ। ଏପରି ଦୃଶ୍ୟପଟ୍ଟରେ ଭାରତ ସରକାର ଏହାର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ମାଧ୍ୟମରେ ବର୍ଦ୍ଧିତ ବାୟୁ ପ୍ରଦୂଷଣକୁ ପ୍ରତିହତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ଦ୍ଦିଷ୍ଟ ପ୍ରକାରର କଣିକା ପଦାର୍ଥ ତଥା ଅନ୍ୟ ପ୍ରଦୂଷକ ପଦାର୍ଥସବୁର ପରିଚାଳନା ଉଦ୍ଦେଶ୍ୟରେ ଉତ୍ତମ ଅଭ୍ୟାସ ଏବଂ ସବୁଜ ପ୍ରଯୁକ୍ତିର ପ୍ରୟୋଗ ଗୁରୁତ୍ୱ ହାସଲ କରିବା ଆବଶ୍ୟକ। ଏବେ ସମୟ ଉପନୀତ ହୋଇଛି ଯେତେବେଳେ ଆମେ ବାୟୁ ପ୍ରଦୂଷଣର ଉତ୍ସସବୁକୁ ଚିହ୍ନଟ କରି ପ୍ରାଥମିକତା ଆଧାରରେ ଦୀର୍ଘମିଆଦୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ସୁସ୍ଥ ଶରୀରରେ ଶାନ୍ତିପୂର୍ଣ୍ଣ ଜୀବନଯାପନ ନିମନ୍ତେ ବାୟୁର ସ୍ୱଚ୍ଛତା ଏକାନ୍ତ ଅପରିହାର୍ଯ୍ୟ; ଅନ୍ୟଥା ଶରୀରର ଜୀବକୋଷ ଉପରେ ରାସାୟନିକ ପ୍ରଦୂଷକ ପଦାର୍ଥସବୁର କ୍ଷତିକାରକ ପ୍ରଭାବ ଆଗାମୀ ସମୟରେ ନୂତନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟିର କାରଣ ହେବ।

ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ
ଭୁବନେଶ୍ୱର, ମୋ: ୯୪୩୭୦୭୬୧୦୦