ସ୍ୱାମୀଙ୍କ ବିରୁଦ୍ଧରେ ପିଲାକୁ ଶିଖାଇବା କ୍ରୁରତା...ଏପରି କହି ଛାଡପତ୍ର ଅନୁମତି ଦେଲେ କୋର୍ଟ

ପିଲାଟି ଉପରେ ଉଭୟ ବାପା-ମା’ଙ୍କର ସମାନ ଅଧିକାର ରହିଛି। ମାତ୍ର ମା’ ସହ ପିଲା ଥିବାରୁ ସେ ବାପାଙ୍କଠାରୁ ଦୂରେଇ ରଖୁଥିଲେ। ଆବେଦନକାରୀ-ସ୍ୱାମୀ ଛାଡପତ୍ର ନେଇ ଆବେଦନ କରିଥିଲେ।

ସ୍ୱାମୀଙ୍କ ବିରୁଦ୍ଧରେ ପିଲାକୁ ଶିଖାଇବା କ୍ରୁରତା...ଏପରି କହି ଛାଡପତ୍ର ଅନୁମତି ଦେଲେ କୋର୍ଟ

ମା’ ନିଜ ପିଲାଙ୍କୁ ବାପାଙ୍କ ବିରୁଦ୍ଧରେ ମତାଇବା କ୍ରୁରତା । ଏହା ଛାଡପତ୍ରର କାରଣ କହିବା ସହ ବ୍ୟକ୍ତିଙ୍କୁ ଛାଡପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ବ୍ୟକ୍ତିଙ୍କ ଛାଡପତ୍ର ପିଟିସନର ଶୁଣାଣି କରି ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି କୋର୍ଟ।

ମହିଳାଜଣକ ଅଭିଯୋଗର ସୀମା ପାର କରିଛନ୍ତି। ସେ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ସମସ୍ତ ଅଭିଯୋଗ ଆଣିସାରିଛନ୍ତି। ଜଷ୍ଟିସ ଶେଲ ନାଗୁ ଏବଂ ଜଷ୍ଟିସ ବିନୟ ସରାଫଙ୍କୁ ନେଇ ଗଠିତ ଏକ ଦୁଇଜଣିଆ ବେଞ୍ଚ କହିଛନ୍ତି ନିଷ୍ଠୁରତାକୁ ସଠିକ ଭାବେ ପରିପ୍ରକାଶ କରିହେବନି, ଏହା ପରିସ୍ଥିତି ଉପରେ ନିର୍ଭର କରେ। ମହିଳାଜଣକ ତାଙ୍କ ଝିଅକୁ ତାଙ୍କ ସ୍ୱାମୀଙ୍କ ସହ ଭେଟ କରାଇବାକୁ ବାରଣ କରୁଥିଲେ। ଏଥିସହ ଶାଶୂ-ଶ୍ୱଶୂର, ନାବାଳକ ଦିଅରଙ୍କ ବିରୁଦ୍ଧରେ ଶିଖାଉଥିଲେ। ଯାହାକି ନିଷ୍ଠୁରତା ଓ ଏହା ତାଙ୍କ ସମ୍ମାନ ମଧ୍ୟ ହାନି କରିଛି ବୋଲି କୋର୍ଟ କହିଛନ୍ତି।

ପତ୍ନୀ ୨୦୧୪ମସିହା ଜୁଲାଇ ମାସରେ ସ୍ୱାମୀଙ୍କୁ ଛାଡି ଚାଲିଯାଇଥିଲେ। ସେତେବେଳେ ସେ ଗର୍ଭବତୀ ଥିଲେ। ୨୦୧୪ଡିସେମ୍ୱର ୪ରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ। ବ୍ୟକ୍ତି ତାଙ୍କ ଝିଅକୁ ଦେଖାକରିବାକୁ ଚାହୁଁଥିଲେ ସୁଦ୍ଧା ମହିଳା ତାଙ୍କୁ ଦେଖା କରାଇ ଦେଇନଥିଲେ। ୨୦୧୭ମେ’ ୧୮ରେ କୋର୍ଟ ବ୍ୟକ୍ତିଙ୍କୁ ଝିଅକୁ ଦେଖା କରିବାକୁ ଅନୁମତି ଦେଇଥିଲେ। ମାତ୍ର ମହିଳା ଏହା କରାଇ ଦେଇନଥିଲେ। ଛାଡପତ୍ର ସମୟରେ କୋର୍ଟ ପିଲାକୁ କୋର୍ଟ ଆସିବାକୁ କହିଥିଲେ ସୁଦ୍ଧା ସେ ଆସିନଥିଲା। ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ବିରୋଧରେ ନଷ୍ଠୁରତା ପ୍ରମାଣ କରିନପାରିବାରୁ ଜବଲପୁର ଫ୍ୟାମିଲି କୋର୍ଟ ତାଙ୍କର ଛାଡପତ୍ର ପିଟିସନକୁ ଖାରଜ କରିଦେଇଥିଲେ। ପରେ ବ୍ୟକ୍ତିଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ପିଲାଟି ଉପରେ ଉଭୟ ବାପା-ମା’ଙ୍କର ସମାନ ଅଧିକାର ରହିଛି। ମାତ୍ର ମା’ ସହ ପିଲା ଥିବାରୁ ସେ ବାପାଙ୍କଠାରୁ ଦୂରେଇ ରଖୁଥିଲେ। ଆବେଦନକାରୀ-ସ୍ୱାମୀ ମାନସିକ ନିର୍ଯାତନା ଓ ଛାଡପତ୍ର ନେଇ ଆବେଦନ କରିଥିଲେ। ହାଇକୋର୍ଟ କହିଛନ୍ତି ଯେ ପତ୍ନୀ ତାଙ୍କ ଆଚରଣ ଦ୍ୱାରା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ଯାତନା ଓ ନିଷ୍ଠୁରତା ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ମଧ୍ୟରେ ମଧ୍ୟସ୍ଥତାର ସମସ୍ତ ସମ୍ଭାବନା ବିଫଳ ହୋଇଛି ଏବଂ ପରସ୍ପର ବିରୋଧରେ ଅନେକ ମାମଲା ଦାୟର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆବେଦନକୁ ଅନୁମତି ଦେଇଛନ୍ତି ଏବଂ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି।