ହତ୍ୟା ଅଭିଯୁକ୍ତଙ୍କୁ କେମିତି ବିଚ୍‌ ରାସ୍ତାରେ କରାଗଲା ହତ୍ୟା?

ତଦନ୍ତରୁ ଜଣାପଡ଼ିଛି ଯେ ଶେଟ୍ଟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କିନ୍ତୁ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି।

ହତ୍ୟା ଅଭିଯୁକ୍ତଙ୍କୁ କେମିତି ବିଚ୍‌ ରାସ୍ତାରେ କରାଗଲା ହତ୍ୟା?

ହିନ୍ଦୁତ୍ୱ କର୍ମୀ ସୁହାସ ଶେଟ୍ଟୀଙ୍କ ବିଚ୍‌ ରାସ୍ତାରେ ପିଟିପିଟି ହତ୍ୟା କରାଯିବା ପରେ କର୍ଣ୍ଣାଟକାର ମାଙ୍ଗାଲୁରୁରେ ଉତ୍ତେଜନା ଦେଖାଯାଇଛି। ସ୍ଥିତିକୁ ଦେଖି ପୁଲିସ୍‌ ପୂରା ସହରରେ ନିଷେଧାଦେଶ ଜାରି କରିଛି। ଶୁକ୍ରବାର ଠାରୁ ମେ’ ୬ ଯାଏ ପୂରା ସହର କଟକଣା ମଧ୍ୟରେ ରହିବ ବୋଲି ପୁଲିସ୍‌ କହିଛି। ଶେଟ୍ଟୀ ହେଉଛନ୍ତି ଜଣେ ପେଶାଦାର ଅପରାଧୀ। ଏକାଧିକ ହତ୍ୟା ମାମଲାର ସେ ଥିଲେ ଅଭିଯୁକ୍ତ। ତାଙ୍କୁ ଗୁରୁବାର ସନ୍ଧ୍ୟାରେ କିଛି ଅଜଣା ଯୁବକ ସଂଘବଦ୍ଧ ଭାବେ ବାଜପେ ପୁଲିସ୍‌ ଷ୍ଟେସନ ଅଞ୍ଚଳର ଜନଗହଳୀ ପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ସହ ପିଟିପିଟି ମାରି ଦେଇଛନ୍ତି।

କେମିତି ସୁହାସ ଶେଟ୍ଟୀଙ୍କୁ କରାଗଲା ହତ୍ୟା?

ଗୁରୁବାର ସନ୍ଧ୍ୟା ପ୍ରାୟ ୮.୩୦ରେ ସୁହାସ ଶେଟ୍ଟୀ ନିଜର ୫ ସହଯୋଗୀ-ସଞ୍ଜୟ, ପ୍ରଜ୍ୱଳ, ଅନବିତ, ଲାତୀଶ ଓ ଶଶାଙ୍କଙ୍କ ସହ ଗାଡ଼ିରେ ଯାଉଥିଲେ। ତେବେ କିନ୍ନିପାଡାଭୁ ଠାରେ ସେମାନଙ୍କ ଗାଡ଼ିକୁ କିଛି ଯୁବକ ଅଟକାଥିଲେ। ୬ ଜଣ ଯୁବକ ଗୋଟିଏ ସ୍ୱିଫ୍ଟ କାର ଓ ପିକଅପ ଟ୍ରକ୍‌ରେ ଆସି ଶେଟ୍ଟୀଙ୍କ ବାଟ ଓଗାଳିଥିଲେ। କେହି କିଛି ବୁଝିବା ଆଗରୁ ୬ ଯୁବକ ଧାରୁଆ ଅସ୍ତ୍ର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦ୍ୱାରା ଶେଟ୍ଟୀ ଓ ଅନ୍ୟମାନଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ।

ଶେଟ୍ଟୀ ସେମାନଙ୍କ ହାତରେ ଧରା ପଡ଼ି ଯାଇଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ। ଶେଟ୍ଟୀଙ୍କୁ ପାଖରେ ପାଇ ଯୁବକମାନେ ତାଙ୍କୁ ବେଶ କିଛି ସମୟ ଧରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲିଥିଲେ। ଯୁବକମାନେ ଆକ୍ରମଣ କରି ସେଠାରୁ ଚାଲିଯିବା ପରେ ଶେଟ୍ଟୀଙ୍କୁ ଗୁରୁତର ଅବସ୍ଥାରେ ଏଜେ ହସ୍ପତିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି ଓ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି।

ସୁହାସ ଶେଟ୍ଟୀ କିଏ?

ସ୍ଥାନୀୟ ଅଞ୍ଚଳରେ ଜଣେ ରାୱଡି ଭାବେ ସୁହାସ ଶେଟ୍ଟୀ ବେଶ ପରିଚିତ। ତାଙ୍କ ନାଁରେ ୪ଟି ମାମଲା ମାଙ୍ଗାଲୁରୁ ସହରରେ ଓ ଗୋଟିଏ ଦକ୍ଷିଣ କନ୍ନଡ ଜିଲ୍ଲାରେ ରହିଛି। ଶେଟ୍ଟୀ ଜଣେ ହିନ୍ଦୁତ୍ୱ କର୍ମୀ ହୋଇଥିବାରୁ ତାଙ୍କ ହତ୍ୟା ଘଟଣା ଗୋଟିଏ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି। ତେଣୁ ପୁଲିସ୍‌ କଟକଣା ଲାଗୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି। ୨୦୨୨ରେ କାଟିପାଲ୍ଲାର ୨୩ ବର୍ଷୀୟ ମହମ୍ମଦ ଫଜିଲଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ ଶେଟ୍ଟୀ। ଫଜିଲଙ୍କ ହତ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ଦେଖାଯାଇଥିଲା। ଏବେ ଶେଟ୍ଟୀଙ୍କ ହତ୍ୟା ନୂଆ ବିବାଦ ସୃଷ୍ଟି କରିଛି।

ନିଷେଧାଦେଶ ଜାରି କରିଛି ପୁଲିସ୍‌

ଭାରତୀୟ ନାଗରିକ ସୁରକ୍ଷା ନ୍ୟାୟ ସଂହିତାର ଧାରା ୧୬୩ ଅଧୀନରେ କର୍ଫ୍ୟୁ ଲାଗୁ କରିଛି। ପୂରା ମାଙ୍ଗାଲୁରୁ ସହରରେ କଟକଣା ଲାଗୁ କରାଯାଇଛି। ସିଟି ପୁଲିସ୍‌ କମିଶନର ତଥା ଅତିରିକ୍ତ ମାଜିଷ୍ଟ୍ରେଟ ଅନୂପମ ଅଗ୍ରୱାଲ ନିଜେ କଟକଣା ସମ୍ପର୍କରେ ଘୋଷଣା କରିଛନ୍ତି। ଜନ ସମାବେଶ, ବୈଠକ, ଶୋଭାଯାତ୍ରା ଉପରେ ରୋକ ଲଗାଇଛନ୍ତି। ଶୁକ୍ରବାର ଠାରୁ ମେ’ ୬ ଯାଏ ପୂରା ସହର କଟକଣା ମଧ୍ୟରେ ରହିବ ବୋଲି ସେ କହିଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶେଟ୍ଟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। କିନ୍ତୁ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି। ପୁଲିସ୍‌ ଏବେ ଘଟଣାର ତଦନ୍ତ କରୁଛି। ହତ୍ୟା ପରେ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ରାତିରେ ହିଁ ସହରରେ ବନ୍ଦ ଡାକରା ଦିଆଯାଇଥିଲା। କିଛି ଦୁର୍ବୃତ୍ତ ବସଗୁଡ଼ିକ ଉପରକୁ ଟେକା ପଥମ ମଧ୍ୟ ମାଡ଼ କରିଛନ୍ତି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁଲିସ୍‌ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବାକୁ କୁହାଯାଇଛି।