ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି, ବିଶେଷକରି ବେଶଭୂଷାରେ। ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରୁଥିବା ଯୁବକ-ଯୁବତୀମାନେ ଏଥିରେ ସବୁଠାରୁ ଆଗୁଆ। ମୁଖ୍ୟତଃ ସେମାନେ ହିଁ ହେଲେ ନୂଆ ଫେଶନର ପ୍ରବର୍ତ୍ତକ। ଆମେ ତାଙ୍କୁ ‘ସେଲିବ୍ରିଟି’ ବୋଲି ସମ୍ମାନ ଦେଉ। ଏଣୁ ସେମାନଙ୍କୁ ଅନୁସରଣ କରି ନିଜକୁ ସଜାଇ ଏବଂ ପୋଷାକ ପତ୍ର ପିନ୍ଧୁ। ତେବେ ଅନେକ ସ୍ଥଳେ ଏହା […] The post ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା appeared first on Dharitri Odia News.

ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା

କଥାରେ ଅଛି- ‘ପ୍ରତି ଅବାଗିଆ ଢଙ୍ଗ ହେଉଛି ଗୋଟିଏ ଫେଶନ’। ନିଜକୁ ସାଧାରଣ ଲୋକଙ୍କଠାରୁ ଅଲଗା ବୋଲି ଦେଖାଇହେବା ପାଇଁ ଲୋକେ ଏହାକୁ ଆପଣେଇ ଥାଆନ୍ତି, ବିଶେଷକରି ବେଶଭୂଷାରେ। ଚଳଚ୍ଚିତ୍ରଗୁଡ଼ିକରେ ଅଭିନୟ କରୁଥିବା ଯୁବକ-ଯୁବତୀମାନେ ଏଥିରେ ସବୁଠାରୁ ଆଗୁଆ। ମୁଖ୍ୟତଃ ସେମାନେ ହିଁ ହେଲେ ନୂଆ ଫେଶନର ପ୍ରବର୍ତ୍ତକ। ଆମେ ତାଙ୍କୁ ‘ସେଲିବ୍ରିଟି’ ବୋଲି ସମ୍ମାନ ଦେଉ। ଏଣୁ ସେମାନଙ୍କୁ ଅନୁସରଣ କରି ନିଜକୁ ସଜାଇ ଏବଂ ପୋଷାକ ପତ୍ର ପିନ୍ଧୁ। ତେବେ ଅନେକ ସ୍ଥଳେ ଏହା କିପରି ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ତାହାର ଏକ ଉଦାହରଣ ହେଲା ‘ହାଇ ହିଲ୍‌ସ’ ବା ଉଚ୍ଚ ଗୋଇଠିଯୁକ୍ତ ଜୋତା। ସାଧାଣଣତଃ ଆଧୁନିକ ଝିଅମାନେ ଏହାକୁ ଆପଣେଇ ଥାଆନ୍ତି। ତେବେ ଶରୀରବିଜ୍ଞାନୀମାନଙ୍କ ମତରେ ପାଦ ଏବଂ ଅସ୍ଥି ଉପରେ ଏହାର ଅନେକ କୁପ୍ରଭାବ ପଡ଼ିଥାଏ।
ଏହି ଅନୁଯାୟୀ ଏ ଜୋତା ପିନ୍ଧିଲେ ଶରରୀର ଓଜନ ପାଦ ଓ ଏହାର ହାଡ଼ଗଣ୍ଠି ତଥା ମାଂସପେଶୀ ରଜ୍ଜୁ ଉପରେ ଅସମତୁଲ ଭାବରେ ପଡ଼େ। ଏହି ଚାପ ବିଶେଷକରି ବୁଢ଼ା ଆଙ୍ଗୁଠି ଗଣ୍ଠିକୁ ଅସ୍ଥିର କରେ। ଫଳରେ ଏହାର କେତେକ ଅଂଶର କଠିନ ଗୋବମାନ ସୃଷ୍ଟି ହୁଏ। ଏହାକୁ ‘ବୁନିଅନ୍‌’ ବୋଲି କୁହାଯାଏ। ଏହା ପାଦକୁ ଅସ୍ଥିର କରେ ଏବଂ ଯନ୍ତ୍ରଣା ସୃଷ୍ଟି କରେ।
‘ହାଇ ହିଲ୍‌’ ବ୍ୟତୀତ ଅଧିକ ଚିପା ଜୋତା ପିନ୍ଧିବା ବଂଶଗତ ଭାବେ ପ୍ରାପ୍ତ ପାଦର ଗାଠନିକ ତ୍ରୁଟି କିମ୍ବା ତା’ ଉପରେ ଅଧିକ ଚାପ ନତୁବା ଆଣ୍ଠୁଗଣ୍ଠି ରୋଗ ମଧ୍ୟ ଏହା ସୃଷ୍ଟି କରିପାରେ। ସାଧାରଣଭାବେ ଏହାର ଲକ୍ଷଣଗୁଡ଼ିକ ହେଲା- ପାଦର ବୁଢ଼ାଆଙ୍ଗୁଠି କଡ଼ରେ ଫୁଲା ସୃଷ୍ଟି, ବୁଢ଼ା ଆଙ୍ଗୁଠିର ଗଣ୍ଠି ଫୁଲିବା, ଲାଲ ପଡ଼ିବା ଏବଂ ଯନ୍ତ୍ରଣା ଦେବା, ଏହାର ତଳ ଭାଗର ଚମଡ଼ା ମୋଟା ହୋଇଯିବା, ଆଙ୍ଗୁଠିଗୁଡ଼ିକର ସନ୍ଧି ସ୍ଥାନରେ ବିଣ୍ଡି ହେବା, ଆଙ୍ଗୁଠି ଓ ପାଦରେ କ୍ରମାଗତ ଯନ୍ତ୍ରଣା ହେବା, ବୁଢ଼ାଆଙ୍ଗୁଠିର ଓଜନ ବାଧାପ୍ରାପ୍ତ ହେବା ଇତ୍ୟାଦି। ବେଳେବେଳେ ଏହାର ଯନ୍ତ୍ରଣା ଏତେ ହୋଇପାରେ ଯେ, ସାଦା ଜୋତା ମଧ୍ୟ ପିନ୍ଧି ଚାଲିବା କଷ୍ଟକର ହୁଏ। ପୁନଶ୍ଚ ପାଦକୁ ଜୋତା ମଧ୍ୟ ଖାପଖାଏ ନାହିଁ।
ଏହାବ୍ୟତୀତ ‘ହାଇ ହିଲ୍‌’ ଜୋତା ହାଡ଼ ପାପରା ଏବଂ ସ୍ଥାୟୀ ରୂପେ ଅଣ୍ଟା ବିନ୍ଧାର କାରଣ ମଧ୍ୟ ହୋଇପାରେ। ପୁନଶ୍ଚ ତଦ୍ଦ୍ବାରା ମେରୁଦଣ୍ଡ ଉପରେ ଅତ୍ୟଧିକ ଚାପ ପଡ଼େ, ଯାହାକି କାଳକ୍ରମେ ସାମଗ୍ରିକ ଶରୀରର ଅସ୍ଥି ବ୍ୟବସ୍ଥାର ଗଠନ ଏବଂ ଅବସ୍ଥାକୁ କ୍ଷତିଗ୍ରସ୍ତ କରେ। ଏପରି କି ଏହା ରକ୍ତ ସଞ୍ଚାଳନରେ ମଧ୍ୟ ବାଧା ସୃଷ୍ଟି କରିପାରେ।
ଗୁରୁଗ୍ରାମସ୍ଥିତ ମାକ୍ସ ହେଲ୍‌ଥ କେୟାର ଦ୍ୱାରା ହୋଇଥିବା ସର୍ବେକ୍ଷଣ ଅନୁସାରେ ବିଶେଷଭାବରେ କର୍ମଜୀବୀ ମହିଳାମାନଙ୍କ ମଧ୍ୟରେ ୪୩.୭ ପ୍ରତିଶତ ମହିଳା ସୁବଦିନେ ଏବଂ ପ୍ରାୟ ୨୧.୩ ପ୍ରତିଶତ ମହିଳା କେବେ କେମିତି ହାଇହିଲ୍‌ସ ପିନ୍ଧିଥାଆନ୍ତି। ତେବେ ସବୁବର୍ଗର ମହିଳାଙ୍କ କଥା ବିଚାରକୁ ନେଲେ ମୋଟାମୋଟି ଭାବେ ପ୍ରାୟ ୪୮.୫ ପ୍ରତିଶତ ମହିଳା ପ୍ରତ୍ୟେକ ଦିନ କିମ୍ବା ସାମୟିକ ଭାବେ ଏଭଳି ଜୋତା ପିନ୍ଧିଥାଆନ୍ତି। ଏହି ଅନୁଷ୍ଠାନର ଅସ୍ଥିଶଲ୍ୟ ଚିକିତ୍ସା ବିଭାଗର ମୁଖ୍ୟ ଡା. ଏସ୍‌.କେ.ଏସ୍‌. ମୌଯବ ‘ହାଇ ହିଲ୍‌’ ପିନ୍ଧୁଥିବା ୫୦୦ ଜଣ ମହିଳାଙ୍କୁ ନେଇ ଏକ ସର୍ଭେ କରିଥିଲେ। ଏଥିରୁ ଜଣାପଡ଼ିଛି ଯେ, ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ମହିଳାଙ୍କର ଏଥିଯୋଗୁ କିଛି ନା କିଛି ଅସ୍ଥିଜନିତ ସମସ୍ୟା ରହିଛି। ବିଶେଷଭାବରେ ପାଦ ଓ ମେରୁଦଣ୍ଡ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଏପରିସ୍ଥଳେ ମହିଳାମାନେ ଯଥାସମ୍ଭବ ଏଥିରୁ ନିବୃତ୍ତ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର-୩୦
ମୋ: ୯୯୩୭୩୦୧୪୬୦

The post ହାଇ ହିଲ୍‌ସ ପିନ୍ଧିଲେ ଦେଖାଦିଏ ଏସବୁ ସ୍ବାସ୍ଥ୍ୟ ସମସ୍ୟା appeared first on Dharitri Odia News.