ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩।୯: ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଓଡ଼ିଶାର କୌଣସି ଜାଗାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି […] The post ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩।୯: ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମଙ୍ଗଳବାର ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି ଏବଂ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାରେ ଆମ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।
ଓଡ଼ିଶାର କୌଣସି ଜାଗାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠାର ଯଥାର୍ଥତା ନାହିଁ। ବିଜେଡି ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଏହି ସୂଚନା ଦେଇଥିଲେ। କଲିକେଶ ପଚାରିଥିଲେ, ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି। ଏଦିଗରେ କି ପଦକ୍ଷେପ ନିଆଯାଇଛି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏ ସମ୍ପର୍କିତ ଆସିଥିବା ରାୟ ଅନୁସାରେ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ହେବାର ଯଥାର୍ଥତା ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ରାଜନୀତି ତେଜିଛି। କଲିକେଶ ଭାଜପାକୁ ଆକ୍ଷେପ କରି କହିଛନ୍ତି, ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା। ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। କଂଗ୍ରେସ ମଧ୍ୟ ସମାଲୋଚନା କରିଛି। ଭାଜପା ବିରୋଧୀ ଦଳରେ ଥିବାବେଳେ ଆନ୍ଦୋଳନକୁ ସମର୍ଥନ କରୁଥିଲା। ହେଲେ କ୍ଷମତାକୁ ଆସିବା ପରେ ବଦଳି ଗଲା। ଶାସକ ଦଳର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ଦାବିରେ ଅଟଳ ରହିଛନ୍ତି।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ନେଇ ବହୁଦିନରୁ ଦାବି ହୋଇ ଆସୁଛି। ଗତ ବିଜେଡି ସରକାର ଅମଳରେ ଏ ପ୍ରସଙ୍ଗକୁ ନେଇ ଟାଳଟୁଳ ନୀତି ଅବଲମ୍ବନ ହେବାରୁ ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ତେବେ ୨୦୨୨ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ରାୟରେ କହିଥିଲେ, ଏବେ ଟେକ୍ନୋଲୋଜିର ଯୁଗ। ଅନ୍‌ଲାଇନ ଯୋଗେ କୌଣସି ଏକ ଜିଲା କୋର୍ଟରୁ ହାଇକୋର୍ଟ ପାଇଁ କେସ୍‌ ଫାଇଲ୍‌ ହୋଇପାରିବ। ଭର୍ଚୁଆଲରେ ଶୁଣାଣି ହୋଇପାରିବ। କୌଣସି ସ୍ଥିତିରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଆବଶ୍ୟକତା ନାହିଁ।

The post ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.