ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଚାଲିଛି ବାଲି ଉଠାଣ
ନା ରାଜ୍ୟ ସରକାରଙ୍କ ଚେତା ପଶୁଛି ନା ବାଲି ମାଫିଆ ସତର୍କ ହେଉଛନ୍ତି। ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ସହ ବେଆଇନ୍ ବାଲି ଉଠାଣ ମାମଲାରେ ହାଇକୋର୍ଟଙ୍କ ଛାଟ ପରେ ବି ଭାଙ୍ଗୁନି କାହାରି ନିଦ।
ହାଇକୋର୍ଟ କହିଲେ ବର୍ତ୍ତମାନ ପାଇଁ କେହି ବାଲି ଉଠାଇପାରିବେନି। ହେଲେ କଟକରେ ଅନବରତ ଚାଲିଛି ବାଲି ବୁହାର ପର୍ବ। ମେସିନ ଲଗାଇ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। କିନ୍ତୁ, ଏଠି ତ ବିନା ମେସିନରେ ବୋଧହୁଏ ବାଲି ଖନନ ସମ୍ଭବ ହିଁ ନୁହଁ। ଅର୍ଥାତ ଅଦାଲତଙ୍କ ବାଲି ଛାଟ ପ୍ରତି ନା କାହାରି ଖାତିର୍ ଅଛି, ନା ନିର୍ଦ୍ଦେଶନାମାକୁ କେହି ପରବାୟ କରୁଛି। ସହର ଓ ସହର ଉପକଣ୍ଠରେ ଥିବା ବାଲିଘାଟରେ ଏଭଳି ଚାଲିଛି ବେଧଡକ ବାଲି ଉଠାଣ। ରାତି କଥା ଛାଡ଼ନ୍ତୁ, ଦିବା ଆଲୁଅରେ ଜେସିବି ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବାଲି ଖନନ। ଟ୍ରକ, ଟ୍ରାକ୍ଟର, ଟ୍ରିପର ଓ ଡମ୍ଫର ଲଗାଇ ପରିବହନ କରାଯାଉଛି ରାତିଦିନ। ଗତ ଡିସେମ୍ବର ୧୨ରେ କଟକ ସହର ଓ ଜିଲ୍ଲାର ୧୦ଟି ବାଲି ଘାଟକୁ ବନ୍ଦ ସହ ଖଣିବିଭାଗ ପକ୍ଷରୁ ସୋ କଜ୍ ନୋଟିସ୍ ପରେ ବି ନିର୍ଦ୍ଦେଶନାମାର ଧଜ୍ଜିଆ ଉଡ଼ାଇ ଚାଲିଛି ବାଲି ଉଠାଣ। ତେବେ ବାଲିଘାଟ ମାଲିକଙ୍କ କହିବା କଥା, ସୋ’ କଜ୍ ନୋଟିସର ଉତ୍ତର ସହ ଅଣ୍ଡରଟେକିଂ ଦେଇ ଅନୁମତି ଆଣିଛୁ। ସେପଟେ ଖଣି ବିଭାଗର ଡେପୁଟି ଡାଇରେକ୍ଟର କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶନାମାର ନକଲ ପାଇଲେ ଯାଇ ପଦକ୍ଷେପ ନେବୁ।