ହାଇଦ୍ରାବାଦରେ ମହିଳା କବାଡି ବିଶ୍ୱକପ
୨୦୧୨ରେ ମହିଳା କବାଡି ବିଶ୍ୱକପର ପ୍ରଥମ ସଂସ୍କରଣ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା। ଏବେ ୧୩ ବର୍ଷରେ ପୁଣି ଭାରତରେ ମହିଳା କବାଡି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି।
ମହିଳା କବାଡି ବିଶ୍ୱକପର ଦ୍ୱିତୀୟ ସଂସ୍କରଣ ହାଇଦ୍ରାବାଦରେ ଆୟୋଜନ ହେବ। ଆସନ୍ତା ଅଗଷ୍ଟ ୩ରୁ ୧୦ ତାରିଖ ଯାଏ ଗାଚିବୋୱଲି ଇଣ୍ଡୋର ଷ୍ଟାଡିମୟରେ ମହିଳା କବାଡି ବିଶ୍ୱକପ ଖେଳାଯିବ। ବାସ୍ତବରେ କବାଡିର ଏହି ବଡ଼ ମହାକୁମ୍ଭ ବିହାରରେ ଜୁନ ମାସରୁ ଖେଳାଯିବାର ଥିଲା। କିନ୍ତୁ ଏବେ ଭେନ୍ୟୁ ବଦଳିଛି। ବିହାର ବଦଳରେ ହାଇଦ୍ରାବାଦରେ ଆୟୋଜନ ହେବ ମହିଳା କବାଡି ବିଶ୍ୱକପ।
ତେଲଙ୍ଗାନା କବାଡି ଆସୋସିଏସନର ସଭାପତି କେ ବୀରେଶ କହିଛନ୍ତି, “ବିହାର ଯେତେବେଳେ ଆୟୋଜନରୁ ଓହରି ଗଲା ଆମେ ସେତେବେଳେ ଭାରତୀୟ କବାଡି ମହାସଂଘକୁ ବିଶ୍ୱକପ ତେଲଙ୍ଗାନାରେ କରିବାକୁ ଅନୁରୋଧ କରିଥିଲୁ। ସେମାନେ ମଧ୍ୟ କୃତଜ୍ଞତା ପ୍ରକାଶ କରିଥିଲେ। ଆମେ ମହିଳା କବାଡିକୁ ଉତ୍ସାହିତ କରିବାକୁ ଚାହୁଁଛୁ।
ଯଦିଓ ଏହାକୁ ଅଧିକ ପ୍ରାୟୋଜକ ମିଳୁ ନାହାନ୍ତି, ତଥାପି ଆମେ ବିଶ୍ୱକପ ଆୟୋଜନ କରିବୁ। ୨୦୦୫ରେ ହାଇଦ୍ରାବାଦ ଏସିଆନ କବାଡି ଚାମ୍ପିୟନଶିପ ଆୟୋଜନ କରିଥିଲା। ଏବେ ୨୦ ବର୍ଷ ପରେ ହାଇଦ୍ରାବାଦ ପୁଣି ଅନ୍ତର୍ଜାତୀୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି।”
ଭାରତ ବ୍ୟତୀତ ମହିଳା କବାଡି ବିଶ୍ୱକପରେ ଆର୍ଜେଣ୍ଟିନା, ବାଂଲାଦେଶ, ଚାଇନିଜ ତାଇପେଇ, ଜର୍ମାନୀ, ହଲାଣ୍ଡ, ଇରାନ, ଜାପାନ, କେନିୟା, ନେପାଳ, ଥାଇଲ୍ୟାଣ୍ଡ, ଉଗାଣ୍ଡା ଓ ଜାଞ୍ଜିବର ଭାଗ ନେବେ। ଏହି ଦେଶଗୁଡ଼ିକ ବିଶ୍ୱକପ ଖେଳିବେ ବୋଲି ସହମତି ପ୍ରକାଶ କରି ସାରିଛନ୍ତି। କେବଳ ପୋଲାଣ୍ଡ ବିଶ୍ୱକପରେ ଭାଗ ନେବ କି ନାହିଁ, ସେ’କଥା ନିଶ୍ଚିତ କରିନାହିଁ।
୨୦୧୨ରେ ମହିଳା କବାଡି ବିଶ୍ୱକପର ପ୍ରଥମ ସଂସ୍କରଣ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା। ଏବେ ୧୩ ବର୍ଷରେ ପୁଣି ଭାରତରେ ମହିଳା କବାଡି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ୨୦୧୨ରେ ଭାରତ ଚାମ୍ପିୟନ ହୋଇଥିଲା। ଇରାନ, ଜାପାନ ଓ ଥାଇଲ୍ୟାଣ୍ଡ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ସ୍ଥାନରେ ରହିଥିଲେ।