ହାତୀମୃତ୍ୟୁ ମାମଲା : ୧୦ ଦିନରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି PCCFଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ନିକଟରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରୋମାଳ ଜଙ୍ଗଲରେ ବିଦ୍ୟୁତ କରେଣ୍ଟ ଲାଗି ୩ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ଦାୟର କରି ଶୁଣାଣି କରିଆସୁଛନ୍ତି । ଆଜି ମାମଲା ସହ ପୂର୍ବରୁ ହାତୀ ଶିକାର ତଥା ସନ୍ଦେହଜନକ ମୃତ୍ୟୁ ସମ୍ପର୍କିତ ବିଚାରାଧିନ ମାମଲା ଗୁଡିକର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ। ରାଜ୍ୟରେ ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଏକ ବଡ ଆହ୍ୱାନ ହୋଇଥିବା ବେଳେ ହାଇକୋର୍ଟ ଏ […]

ହାତୀମୃତ୍ୟୁ ମାମଲା : ୧୦ ଦିନରେ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଲାଗି PCCFଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
Orissa High Court orders CBI probe into erroneous JEE (Main) mark sheet

କଟକ : ନିକଟରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରୋମାଳ ଜଙ୍ଗଲରେ ବିଦ୍ୟୁତ କରେଣ୍ଟ ଲାଗି ୩ହାତୀ ମୃତ୍ୟୁ ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ଦାୟର କରି ଶୁଣାଣି କରିଆସୁଛନ୍ତି । ଆଜି ମାମଲା ସହ ପୂର୍ବରୁ ହାତୀ ଶିକାର ତଥା ସନ୍ଦେହଜନକ ମୃତ୍ୟୁ ସମ୍ପର୍କିତ ବିଚାରାଧିନ ମାମଲା ଗୁଡିକର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ। ରାଜ୍ୟରେ ବିଦ୍ୟୁତ ଆଘାତ ଜନିତ ହାତୀ ମୃତ୍ୟୁ ଏକ ବଡ ଆହ୍ୱାନ ହୋଇଥିବା ବେଳେ ହାଇକୋର୍ଟ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ରାଜ୍ୟର ୪ବିଦ୍ୟୁତ ବିତରଣ କମ୍ପାନୀ ସିଇଓ ମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଆହୂତ କରିବାକୁ ସିସିଏଫ(ବନ୍ୟପ୍ରାଣୀ) ଡ.ଭି.ମନୋଜ ନାୟରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।

ସେହିଭଳି ଏହି ବୈଠକର ନିର୍ଯାସକୁ ଅଦାଲତରେ ଉପସ୍ଥାପନ କରିବାକୁ କହିଛନ୍ତି ଖଣ୍ଡପୀଠ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଆଜି ସିସିଏଫଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯିବା ସହ ସିସିଏଫ ଡ.ନାୟାର ମଧ୍ୟ ଭର୍ଚୁଆଲ ଶୁଣାଣିରେ ଉପସ୍ଥିତ ଥିଲେ । ରାଜ୍ୟରେ ଗତ ୨୦୨୪-୨୫ରେ ୨୧ଟି ହାତୀ ବିଦ୍ୟୁତ କରେଣ୍ଟ ଲାଗି ମୃତ୍ୟୁ ବରଣ କରିଥିବା ଦର୍ଶାଯାଇଥିଲା । ସେହିପରି ୨୦୨୧ରୁ ୨୦୨୪ମଧ୍ୟରେ ମୋଟ ୮୫ଟି ହାତୀଙ୍କ ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ଘଟିଛି ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ବିଶେଷକରି ବିଦ୍ୟୁତ ଆଘାତ କେତେକ କ୍ଷେତ୍ରରେ ମନୁଷ୍ୟକୃତ ଥିବା ବେଳେ ଆଉ କେତେକ ସ୍ଥଳେ ହାତୀ ଗୁଡିକ ସ୍ୱାଭାବିକ ବିଜୁଳି କରେଣ୍ଟରେ ପ୍ରାଣ ହରାଉଥିବା କୁହାଯାଇଛି।

ସେହିପରି ରାଜ୍ୟରେ ହାତୀଙ୍କ ବାସସ୍ଥଳୀ ଜଙ୍ଗଲ ଗୁଡିକର କ୍ଷମତା ତୁଳନାରେ ସେମାନଙ୍କ ସଂଖ୍ୟା ଅଧିକ ରହିଛି । ଓଡିଶାରେ ଗତ ମେ ମାସରେ ହୋଇଥିବା ଗଣନାରେ ହାତୀ ସଂଖ୍ୟା୨୦୯୮ ରହିଥିଲା । ଯେଉଁଠି ରହିବା କ୍ଷମତା ୧୭୦୦ରୁ ୧୮୦୦ବୋଲି କୁହାଯାଇଛି । ହାତୀ ମୃତ୍ୟୁ ରୋକିବା ପାଇଁ ଗତ ଅଢେଇ ବର୍ଷ ଧରି ଜେଟିଏଫ(ଯୁଗ୍ମ ଟାସ୍କ୍‌ ଫୋର୍ସ) କାର୍ଯ୍ୟ କରିଆସୁଛି । ନାକଟିଦେଉଳ ଘଟଣାରେ ମାମଲା ରୁଜୁ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଦୁଇ ଜଣ ଫେରାର ଥିବା ନେଇ ଅଦାଲତଙ୍କୁ ସିସିଏଫ ଅବଗତ କରିଥିଲେ । ପୂର୍ବରୁ ବିଚାରାଧିନ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କ ଗତ ୨୦୨୨ଡିସେମ୍ବର୧୩ ଓ ୨୦୨୩ଅଗଷ୍ଟ୨୯ର ନିର୍ଦ୍ଦେଶାବଳୀକୁ ଆମିକସକ୍ୟୁରୀ ଗୌତମ ମିଶ୍ର ଉପସ୍ଥାପନ କରିଥିଲେ । ଅନ୍ୟପଟରେ ରାଜ୍ୟରେ ୧୪ହାତୀ କରିଡର ଚିହ୍ନଟ ଓ ଏହାକୁ ଅନୁପାଳନ ନକଲେ ଜାତୀୟ ସବୁଜ ପ୍ରାଧିକରଣ(ଏନଜିଟି)ଆକ୍ଟ ୨୦୦୦ର ଧାରା ୨୬ ଅନୁସାରେ ରାଜ୍ୟ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନଜିଟିଙ୍କ ରହିଥିବା ଆଦେଶ ଉପରେ ହାଇକୋର୍ଟ ଗତ ୨୦୨୩ ମେ୪ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହି ରହିତାଦେଶ ହଟାଇବା ପାଇଁ ଇଣ୍ଟରଭିନର ୱାଇଲଡ ଲାଇଫ ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ଏକ ଅନ୍ତରୀଣ ଆବେଦନର ଶୁଣାଣି ପରବର୍ତ୍ତୀ ତାରିଖରେ କରାଯିବ ବୋଲି ହାଇକୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ତାରିଖକୁ ଧାର୍ଯ୍ୟ ହୋଇଛି।