ହାଥରସ ମାମଲାରେ ସାମ୍ବାଦିକ କପ୍ପାନଙ୍କ ଜାମିନ ସର୍ତ୍ତ କୋହଳ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୨୨ରେ ଲଗାଯାଇଥିବା ଜାମିନ ସର୍ତ୍ତ ଅନୁଯାୟୀ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ଉତ୍ତରପ୍ରଦେଶର ଏକ ସ୍ଥାନୀୟ ଥାନାରେ ପ୍ରତି ସପ୍ତାହରେ ରିପୋର୍ଟ ନ କରିବାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। ୨୦୨୦ ଅକ୍ଟୋବରରେ ହାଥରସରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗରେ କପ୍ପାନଙ୍କୁ ଗିରଫ କରାଯାଇଥିଲା, ଯେଉଁଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସେପ୍ଟେମ୍ବର ୯, ୨୦୨୨ର ଜାମିନ ଆଦେଶରେ ସଂଶୋଧନ ପାଇଁ କପ୍ପାନ ଏକ ଆବେଦନ ଦାଖଲ କରିଥିଲେ, […]

ହାଥରସ ମାମଲାରେ ସାମ୍ବାଦିକ କପ୍ପାନଙ୍କ ଜାମିନ ସର୍ତ୍ତ କୋହଳ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୨୨ରେ ଲଗାଯାଇଥିବା ଜାମିନ ସର୍ତ୍ତ ଅନୁଯାୟୀ ସାମ୍ବାଦିକ ସିଦ୍ଦିକ କପ୍ପାନଙ୍କୁ ଉତ୍ତରପ୍ରଦେଶର ଏକ ସ୍ଥାନୀୟ ଥାନାରେ ପ୍ରତି ସପ୍ତାହରେ ରିପୋର୍ଟ ନ କରିବାକୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। ୨୦୨୦ ଅକ୍ଟୋବରରେ ହାଥରସରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗରେ କପ୍ପାନଙ୍କୁ ଗିରଫ କରାଯାଇଥିଲା, ଯେଉଁଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସେପ୍ଟେମ୍ବର ୯, ୨୦୨୨ର ଜାମିନ ଆଦେଶରେ ସଂଶୋଧନ ପାଇଁ କପ୍ପାନ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ ତାଙ୍କୁ ୟୁପିର ସ୍ଥାନୀୟ ଥାନାରେ ପ୍ରତି ସୋମବାର ରିପୋର୍ଟ କରିବାକୁ ସର୍ତ୍ତ ଲଗାଯାଇଥିଲା। ତାଙ୍କ କହିବା ଅନୁଯାୟୀ, ଜାମିନ ଆଦେଶ ତାଙ୍କୁ ପ୍ରଥମ ୬ ମାସ ଦିଲ୍ଲୀରେ ରହିବାକୁ ଏବଂ ତା’ପରେ କେରଳରେ ଥିବା ନିଜ ଘରକୁ ଯିବାକୁ ଅନୁମତି ଦେଇଥିଲା। ଜଷ୍ଟିସ୍ ପିଏସ୍ ନରସିଂହ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀଙ୍କୁ ସ୍ଥାନୀୟ ଥାନାରେ ରିପୋର୍ଟ କରିବାକୁ ପଡ଼ିବ ନାହିଁ। ୟୁପି ସରକାରଙ୍କ ପକ୍ଷରୁ ଆଇନଜୀବୀ ରୁଚିରା ଗୋଏଲ ଅଦାଲତଙ୍କୁ ଜଣାଇଥିଲେ ଯେ କପ୍ପାନ ବର୍ତ୍ତମାନ କେରଳରେ ରହୁଥିବାରୁ ତାଙ୍କୁ ସେହି ରାଜ୍ୟର ସ୍ଥାନୀୟ ଥାନାରେ ନିଜର ଉପସ୍ଥିତି ସୂଚିତ କରିବାକୁ ପଡ଼ିବ। କେରଳରେ ଥିବା ତାଙ୍କ ବାସଭବନରୁ ଜବତ ପାସପୋର୍ଟ ଫେରାଇ ଦେବାକୁ କପ୍ପାନଙ୍କ ଓକିଲ ପ୍ରାର୍ଥନା କରିଥିଲେ। କିନ୍ତୁ ସରକାରୀ ଆଇନଜୀବୀ ଗୋଏଲ ପାସପୋର୍ଟ ଜବତ କଥାକୁ ଅସ୍ୱୀକାର କରିଥିଲେ। ସେ କହିଥିଲେ, ତାଙ୍କ ଦିଲ୍ଲୀ ବାସଭବନରୁ କିଛି ପୁସ୍ତିକା ଓ ଆପତ୍ତିଜନକ ପ୍ରଚାରପତ୍ର ଜବତ କରାଯାଇଥିଲା। ସେଥିରେ ତାଙ୍କ ପାସପୋର୍ଟ ଅନ୍ତର୍ଭୁକ୍ତ ନ ଥିଲା। ଏହାପରେ ୟୁପି ସରକାରଙ୍କୁ ପାସପୋର୍ଟ ଫେରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।
ଅକ୍ଟୋବର ୬, ୨୦୨୦ରେ ହାଥରସ ନିକଟରୁ କପ୍ପାନଙ୍କୁ ଗିରଫ କରାଯାଇଥିଲା ଏବଂ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଆପରାଧିକ ଷଡ଼୍‌ଯନ୍ତ୍ର ଏବଂ ଆତଙ୍କୀ ପାଣ୍ଠି ଯୋଗାଣ ଭଳି ଗୁରୁତର ଅପରାଧ ନେଇ ଅଭିଯୋଗ ହୋଇଥିଲା। ଅଗଷ୍ଟ ୨୦୨୨ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ୟୁପି ସରକାର ଅଭିଯୋଗ କରିଥିଲେ ଯେ କପ୍ପାନ ସାମ୍ବାଦିକତା ଆଳରେ ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ପ୍ରଚାର କରୁଛନ୍ତି। ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିବା କପ୍ପାନଙ୍କ ବିରୋଧରେ ୟୁଏପିଏର ଧାରା ୧୭ (ଆତଙ୍କବାଦୀ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ) ଏବଂ ୧୮ (ଆପରାଧିକ ଷଡ଼୍‌ଯନ୍ତ୍ର) ବ୍ୟତୀତ ଦେଶଦ୍ରୋହ (ଧାରା ୧୨୪ଏ) ଏବଂ ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଅନ୍ୟାନ୍ୟ ଅପରାଧରେ ମାମଲା ରୁଜୁ ହୋଇଥିଲା। ଗିରଫ ସମୟରେ କପ୍ପାନ ମାଲାୟାଲମ ନ୍ୟୁଜ୍ ପୋର୍ଟାଲ ଅଜିମୁଖୁମ୍‌ରେ କାମ କରୁଥିଲେ।