୧୨୩ ବର୍ଷ ପରେ ଏଥର ନଭେମ୍ବରରେ ଶୀତ କମ୍ ଗରମ ଅଧିକ

ଚଳିତ ବର୍ଷର ନଭେମ୍ବରରେ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଉତ୍ତାପ ଅନୁଭୁତ ହୋଇଛି।

୧୨୩ ବର୍ଷ ପରେ ଏଥର ନଭେମ୍ବରରେ ଶୀତ କମ୍ ଗରମ ଅଧିକ

ଆଧୁନିକ ଉପକରଣ ବ୍ୟବହାର ବୃଦ୍ଧି ସାଙ୍ଗକୁ ଜଳବାୟୁର ଅହେତୁକ ପରିବର୍ତ୍ତନ ଘଟିଚାଲିଛି। ଖରା-ବର୍ଷା-ଶୀତର କୌଣସି ତାଳମେଳ ରହୁନାହିଁ। ଏପରି କ୍ଷେତ୍ରରେ ଶୀତଦିନେ ବର୍ଷା ସାଙ୍ଗକୁ ଗ୍ରୀଷ୍ମର ପ୍ରଭାବ ବି ଅନୁଭୁତ ହେଲାଣି। ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷର ନଭେମ୍ବର ସବୁଠୁ ଉତ୍ତପ୍ତ ମାସ।

ଦୀର୍ଘ ୧୨୩ ବର୍ଷ ପରେ ନଭେମ୍ବରରେ ଏପରି ଉତ୍ତାପ ରହିଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ପୂର୍ବରୁ କେବଳ ୧୯୦୧ ମସିହାରେ ନଭେମ୍ବର ମାସରେ ଗରମ ଲାଗିଥିଲା, ଏହାପରେ ୨୦୨୪ ଅର୍ଥାତ୍ ଚଳିତ ବର୍ଷର ନଭେମ୍ବରରେ ସେପରି ଅନୁଭୁତ ହୋଇଛି। ଏନେଇ ଭାରତ ପାଣିପାଗ ବିଭାଗ (IMD) ରିପୋର୍ଟ କରିଛି।

IMD କହିଛି ଯେ, ନଭେମ୍ବରରୁ ଦେଶବ୍ୟାପୀ ହାରାହାରି ସର୍ବାଧିକ, ସର୍ବନିମ୍ନ ଏବଂ ହାରାହାରି ତାପମାତ୍ରା ୧୯୯୧ରୁ ୨୦୨୦ ପର୍ଯ୍ୟନ୍ତ ମାପାଯାଇଥିବା ତାପମାତ୍ରାଠାରୁ ୦.୬୨ ଡିଗ୍ରୀ ସେଲସିୟସ୍, ୧.୦୫ ଡିଗ୍ରୀ ସେଲସିୟସ୍ ଏବଂ ୦.୮୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

ଏହା ସହିତ, ନଭେମ୍ବର ୨୦୨୪ ସର୍ବାଧିକ ତାପମାତ୍ରା ଦୃଷ୍ଟିରୁ ଭାରତରେ ଦ୍ୱିତୀୟ ଉଷ୍ମ ମାସ ତାଲିକାରେ ଥିବାବେଳେ ହାରାହାରି ତାପମାତ୍ରା ଦୃଷ୍ଟିରୁ ତୃତୀୟ ଏବଂ ସର୍ବନିମ୍ନ ତାପମାତ୍ରା ଦୃଷ୍ଟିରୁ ସପ୍ତମ ଉଷ୍ମ ସ୍ଥାନରେ ରହିଛି।

ଚଳିତ ବର୍ଷ ନଭେମ୍ବରରେ ଉତ୍ତର-ପଶ୍ଚିମ ଅଞ୍ଚଳ ସବୁଠାରୁ ଅଧିକ ଉତ୍ତପ୍ତ ରହିଥିଲା। ଏସବୁ ଅଞ୍ଚଳରେ ତାପମାତ୍ରା ​​+୧.୩୭ ଡିଗ୍ରୀ ସେଲସିୟସ୍ ରହିଥିଲା ଏବଂ ଦେଶର କେନ୍ଦ୍ରାଞ୍ଚଳ ଓ ଦକ୍ଷିଣ ଉପଦ୍ୱୀପ ଅଞ୍ଚଳର ତାପମାତ୍ରା ମଧ୍ୟ ସାଧାରଣ ତାପମାତ୍ରାଠାରୁ ଅଧିକ ଥିଲା। ଏହାର ଅର୍ଥ ଭୌଗୋଳିକ କ୍ଷେତ୍ର ଦୃଷ୍ଟିରୁ ଭାରତର ବିଭିନ୍ନ ଅଞ୍ଚଳରେ ପାଗର ପରିବର୍ତ୍ତନ ଦେଖାଯାଉଛି।