୨ ଖଣ୍ଡପୀଠ ମୁହାଁମୁହିଁ
ନୂଆଦିଲ୍ଲୀ,୩୦ା୮: ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ ସମ୍ବେଦନଶୀଳ ଜୋନ୍ ରିଜ୍ ଅଞ୍ଚଳରେ ଅନଧିକୃତ ଗଛକଟା ପ୍ରସଙ୍ଗରେ ୨ଟି ଅନୁରୂପ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇ ପୃଥକ୍ ବେଞ୍ଚ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଗତ ମାସରେ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ବିରୋଧରେ ଆଗତ ଅଦାଲତ ଅବମାନନା ଅଭିଯୋଗର ବିଭିନ୍ନ ଦିଗ ଉପରେ ଶୁଣାଣି ପାଇଁ ୨ ଖଣ୍ଡପୀଠ ମାମଲାକୁ ତାଲିକାଭୁକ୍ତ କରିଥିଲେ। ଫଳରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଉପୁଜିଥିଲା। ବିବାଦ […] The post ୨ ଖଣ୍ଡପୀଠ ମୁହାଁମୁହିଁ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୮: ଜାତୀୟ ରାଜଧାନୀ ଦିଲ୍ଲୀର ପରିବେଶ ସମ୍ବେଦନଶୀଳ ଜୋନ୍ ରିଜ୍ ଅଞ୍ଚଳରେ ଅନଧିକୃତ ଗଛକଟା ପ୍ରସଙ୍ଗରେ ୨ଟି ଅନୁରୂପ ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ଦୁଇ ପୃଥକ୍ ବେଞ୍ଚ ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଗତ ମାସରେ ସାମ୍ନାକୁ ଆସିଥିଲା। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ (ଡିଡିଏ) ବିରୋଧରେ ଆଗତ ଅଦାଲତ ଅବମାନନା ଅଭିଯୋଗର ବିଭିନ୍ନ ଦିଗ ଉପରେ ଶୁଣାଣି ପାଇଁ ୨ ଖଣ୍ଡପୀଠ ମାମଲାକୁ ତାଲିକାଭୁକ୍ତ କରିଥିଲେ। ଫଳରେ ନ୍ୟାୟିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଉପୁଜିଥିଲା। ବିବାଦ ଏଡ଼ାଇବା ପାଇଁ ସିଜେଆଇ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ଼ ନିଜ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍ ଜେ.ବି. ପର୍ଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବିଚାର ପାଇଁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ଏହାର ଶୁଣାଣି ଆରମ୍ଭ ହୋଇଛି।
ଗତ ଏପ୍ରିଲ ୨୪ରେ ଜଷ୍ଟିସ୍ ବି.ଆର୍. ଗଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ (ଫରେଷ୍ଟ ବେଞ୍ଚ) ଡିଡିଏ ବିରୋଧରେ ଟିଏନ୍ ଗୋଦାବର୍ମନ ଜଙ୍ଗଲ ସଂରକ୍ଷଣ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ଏଥିସହ ଉପଯୁକ୍ତ ଅନୁମତି ନ ନେଇ ଗଛ କଟାଉଥିବା ଡିଡିଏ ଉପାଧ୍ୟକ୍ଷ ଶୁଭାଶିଷ ପଣ୍ଡାଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଥିଲେ। ମେ’ରେ ଜଷ୍ଟିସ୍ ଅଭୟ ଏସ୍. ଓକା ଏବଂ ଉଜ୍ଜ୍ୱଳ ଭୂୟଁାଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିଡିଏ ବିରୋଧରେ ଏକ ଭିନ୍ନ ଅବମାନନା ମାମଲା ବିଚାର ପାଇଁ ହାତକୁ ନେଇଥିଲେ। ଛତରପୁରରୁ ସାଉଥ୍ ଏସିଆନ୍ ୟୁନିଭର୍ସିଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ଗଛ କଟାଯାଉଥିବାରୁ ଡିଡିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆବେଦନକାରୀ ବିନ୍ଦୁ କପୁରିଆ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣିବେଳେ ଜଷ୍ଟିସ୍ ଓକାଙ୍କ ଖଣ୍ଡପୀଠ ଗଛ କାଟିବା ନିର୍ଦ୍ଦେଶ ଦେବାରେ ଡିଡିଏ ଅଧ୍ୟକ୍ଷ ତଥା ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ କରିଥିଲେ। ଅବାରିତ ଭାବେ ଗଛକଟା ଚାଲିଥିବାରୁ ଶୀର୍ଷ ଅଦାଲତ ଡିଡିଏକୁ କଡ଼ା ସମାଲୋଚନା କରିଥିଲେ।
ଏହା ପୂର୍ବରୁ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡିଡିଏକୁ ୧,୦୫୧ ଗଛ କାଟିବା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ। ଅନୁମତି ଆବେଦନରେ କୌଣସି ସ୍ପଷ୍ଟତା ନ ଥିବା ସୁପ୍ରିମକୋର୍ଟ କହିଥିଲେ। ପରିବେଶ ସୁରକ୍ଷା କରିବା ଡିଡିଏର କର୍ତ୍ତବ୍ୟ ହୋଇଥିବାବେଳେ ଏହି ସଂସ୍ଥା ସରକାରଙ୍କ ହାତବାରିସି ସାଜିଥିବା କୋର୍ଟ ଭର୍ତ୍ସନା କରିଥିଲେ। ଜୁଲାଇ ୧୨ରେ ଜଷ୍ଟିସ୍ ଓକାଙ୍କ ଖଣ୍ଡପୀଠ ଗଛ କାଟିବାକୁ ଅନୁମତି ଦେଇଥିବା ଉପରାଜ୍ୟପାଳଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିବାକୁ ଚେତାବନୀ ଦେବା ସହ ଜୁଲାଇ ୩୧ରେ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଥିଲେ। ଅନ୍ୟପକ୍ଷେ ରାସ୍ତା ସଂକୀର୍ଣ୍ଣ ଥିବାରୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ସିଏପିଏଫ୍ଆଇଏମ୍ଏସ୍) ହସ୍ପିଟାଲ ଉଦ୍ଘାଟନ ବିଳମ୍ବିତ ହୋଇଛି। ତେଣୁ ରାସ୍ତାକୁ ୨୪ ମିଟର ପ୍ରଶସ୍ତ କରିବା ଆବଶ୍ୟକ ବୋଲି ଜୁଲାଇ ୨୪ରେ ଡିଡିଏ ଉପାଧ୍ୟକ୍ଷ ଶୁଭାଶିଷଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ ଜଷ୍ଟିସ୍ ଗଭାଇଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ। ଏହା ପୂର୍ବରୁ ଜଷ୍ଟିସ୍ ଓକାଙ୍କ ଖଣ୍ଡପୀଠ ଅବମାନନା ନୋଟିସ ଜାରି କରିଥିବା ବିଷୟ ଓକିଲ ଜଣାଇବାରୁ ଜଷ୍ଟିସ ଗଭାଇ ବିରକ୍ତି ଭାବ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଏପ୍ରିଲରେ ଆମ ଖଣ୍ଡପୀଠ ନୋଟିସ କରିଥିବାବେଳେ ଅନ୍ୟ ଏକ ଖଣ୍ଡପୀଠ ମାମଲାର ସମାନ୍ତରାଳ ଶୁଣାଣି ପାଇଁ କାହିଁକି ଆଗଭର ହେଲେ ବୋଲି ଗଭାଇ ପ୍ରଶ୍ନ କରିଥିଲେ। ଏକକାଳୀନ ୨ଟି ଖଣ୍ଡପୀଠ ସମାନ ପ୍ରସଙ୍ଗରେ ଶୁଣାଣି କଲେ ରାୟରେ ବିରୋଧାଭାସ ଦେଖାଦେବ ଏବଂ କୋର୍ଟଙ୍କ କର୍ତ୍ତୃତ୍ୱ ପ୍ରତି ଲୋକେ ଉପହାସ କରିବେ। ଅନ୍ୟ ଖଣ୍ଡପୀଠ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ପୂର୍ବରୁ ସିଜେଆଇଙ୍କ ମତ ଲୋଡ଼ିବା ଆବଶ୍ୟକ ଥିଲା ବୋଲି ଗଭାଇ କହିଥିଲେ। ଦୁଇଟି ବିପରୀତଧର୍ମୀ ରାୟ ଏଡ଼ାଇବା ପାଇଁ ଗଭାଇ ସିଜେଆଇଙ୍କ ପାଖକୁ ମାମଲାର ଫାଇଲ ପଠାଇଦେଇଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ ବିବାଦର ସମାଧାନ କରିବାକୁ ଯାଇ ୨ଟି ଯାକ ମାମଲା ନିଜ ଖଣ୍ଡପୀଠକୁ ନେଇଛନ୍ତି।
The post ୨ ଖଣ୍ଡପୀଠ ମୁହାଁମୁହିଁ appeared first on Dharitri Odia News.