୨ବର୍ଷ ହେଲା ଅଲିଭ୍ ରିଡ୍ଲେଙ୍କ ସଂଖ୍ୟା କମୁଛି
କେନ୍ଦ୍ରାପଡ଼ା,୧୪ା୪(ଜଗନ୍ନାଥ ଧଳ)୨୦୨୩ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଭିତରକନିକା ଜାତୀୟ ଉଦ୍ୟାନସ୍ଥିତ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ କରିଥିଲେ। ସେହିପରି ୨୦୨୨ରେ ଏମାନଙ୍କ ସଂଖ୍ୟା ୫.୧ ଲକ୍ଷରୁ ଊର୍ଦ୍ଧ୍ୱ ଥିଲା। ମାତ୍ର ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ମାତ୍ର ୩ ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ ଅଣ୍ଡାଦାନ କରିଥିବାରୁ ପରିବେଶବିତ୍ମାନେ ଚିନ୍ତାପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳ ସୁରକ୍ଷା ସମିତି ସମ୍ପାଦକ […] The post ୨ବର୍ଷ ହେଲା ଅଲିଭ୍ ରିଡ୍ଲେଙ୍କ ସଂଖ୍ୟା କମୁଛି appeared first on Dharitri Odia News.
କେନ୍ଦ୍ରାପଡ଼ା,୧୪ା୪(ଜଗନ୍ନାଥ ଧଳ)୨୦୨୩ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଭିତରକନିକା ଜାତୀୟ ଉଦ୍ୟାନସ୍ଥିତ ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡାଦାନ କରିଥିଲେ। ସେହିପରି ୨୦୨୨ରେ ଏମାନଙ୍କ ସଂଖ୍ୟା ୫.୧ ଲକ୍ଷରୁ ଊର୍ଦ୍ଧ୍ୱ ଥିଲା। ମାତ୍ର ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ମାତ୍ର ୩ ଲକ୍ଷରୁ ଊର୍ଦ୍ଧ୍ୱ କଇଁଛ ଅଣ୍ଡାଦାନ କରିଥିବାରୁ ପରିବେଶବିତ୍ମାନେ ଚିନ୍ତାପ୍ରକଟ କରିଛନ୍ତି।
ଏ ସମ୍ପର୍କରେ ଗହୀରମଥା ସାମୁଦ୍ରିକ କଇଁଛ ଓ ହେନ୍ତାଳ ସୁରକ୍ଷା ସମିତି ସମ୍ପାଦକ ହେମନ୍ତ କୁମାର ରାଉତ, ପରିବେଶବିତ୍ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ପରିବେଶବିତ୍ ଶ୍ରୀକାନ୍ତ ନାୟକ ପ୍ରମୁଖ କହିଛନ୍ତି, ଅଣ୍ଡାଦାନ ପାଇଁ ଆସୁଥିବା ଅଲିଭ୍ ରିଡ୍ଲେଙ୍କ ସଂଖ୍ୟା ହ୍ରାସ ହେବା ତଟାଞ୍ଚଳର ବିଭିନ୍ନ କାରଣ ଏଥିପାଇଁ ଦାୟୀ। ଏହି ସାମୁଦ୍ରିକ ଅଞ୍ଚଳ ଏବେ ତଟକ୍ଷୟ ପରି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛି। ହେନ୍ତାଳ ବଣ ଏହି ସମସ୍ୟାର ସମାଧାନ ମାଧ୍ୟମ ହୋଇଥିଲେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ସଚେତନତା ଓ କାର୍ଯ୍ୟକ୍ରମ ଜାରି ରହୁନି। ଇତିମଧ୍ୟରେ ସାମୁଦ୍ରିକ ଅଞ୍ଚଳର ଅନେକ ଚଟକାକୁ ସାମୁଦ୍ରିକ ଜୁଆର ନିଶ୍ଚିହ୍ନ କରିଛି। ସେହିପରି ଚିଙ୍ଗୁଡ଼ି ଘେରି ବୃଦ୍ଧି ତଟାଞ୍ଚଳକୁ ନଷ୍ଟ କରୁଛି। ଏଠାରୁ ନିର୍ଗତ ରାସାୟନିକ ଦ୍ରବ୍ୟ ତଟାଞ୍ଚଳର ହେନ୍ତାଳ ବଣ ସହିତ ସାମୁଦ୍ରିକ ଜୀବ ପାଇଁ ଘାତକ ହୋଇଛି। ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନି। ବେଆଇନ ଚିଙ୍ଗୁଡ଼ି ଘେରି ବୃଦ୍ଧିକୁ ରୋକାଯାଇ ପାରୁନାହିଁ। ଏହାବ୍ୟତୀତ ଚଳିତ ବର୍ଷ ସାମୂହିକ ଅଣ୍ଡାଦାନରେ ସଂଖ୍ୟା ହ୍ରାସ ପାଇଁ ପାଣିପାଗ ପରିବର୍ତ୍ତନ ଅନ୍ୟ ଏକ କାରଣ ସାବ୍ୟସ୍ତ ହୋଇଛି। ପୂର୍ବରୁ ମାର୍ଚ୍ଚ ମାସ ମଧ୍ୟରେ ଅଣ୍ଡାଦାନ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଛି। ସେହିପରି ଗହୀରମଥା ସାମୁଦ୍ରିକ ଅଞ୍ଚଳର କଟକଣାକୁ ନ ମାନି ମତ୍ସ୍ୟଜୀବୀ ଅନବରତ ପଶି ଆସିବା, ଗିଲ୍ ନେଟ୍ରେ କଇଁଛଙ୍କ ମୃତ୍ୟୁ ହେବା ଆଦି କାରଣ ରହିଛି। ପ୍ରାକୃତିକ ପରିବେଶକୁ ନ ସଜାଡିଲେ ହରଚଣ୍ଡୀ ତଟାଞ୍ଚଳ ପରି ଆଗାମୀ ଦିନରେ ଗହୀରମଥାରେ ଅଲିଭ୍ ରିଡ୍ଲେଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ପରିବେଶବିତ୍ମାନେ ସତର୍କ କରାଇଛନ୍ତି।
ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ ମହାରଣା କହିଛନ୍ତି, କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି। ତଟକ୍ଷୟରୁ ମୁକ୍ତ ପାଇଁ ହେନ୍ତାଳ ବଣ ସୃଷ୍ଟି କରିବା, ସାମୁଦ୍ରିକ ଅଞ୍ଚଳକୁ କଡା ନଜରରେ ରଖିବା, ବେଆଇନ ଭାବେ ଅନୁପ୍ରବେଶ କରୁଥିବା ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ପରି କାର୍ଯ୍ୟକ୍ରମ ଜାରି ରଖିଛି। ଅଣ୍ଡାଦାନ ସଂଖ୍ୟା କମିବା କାରଣ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଥିବା ରେଞ୍ଜ ଅଧିକାରୀ ମହାରଣା ସୂଚନା ଦେଇଛନ୍ତି।
The post ୨ବର୍ଷ ହେଲା ଅଲିଭ୍ ରିଡ୍ଲେଙ୍କ ସଂଖ୍ୟା କମୁଛି appeared first on Dharitri Odia News.